Spread the love


ଦେଶକୁ କୁଆଡେ ନେଉଛ…ଜଣେ ସ୍ୱାସ୍ଥ୍ୟ ଖରାପ ଯୋଗୁଁ ଡାକ୍ତର ପାଖକୁ ଗଲେ । ଡାକ୍ତର ରୋଗୀକୁ ଦେଖି କହିଲେ-ଆପଣଙ୍କର ସବୁ ଠିକ ଅଛି କିନ୍ତୁ କିଛି ହୃଦ ରୋଗ ଜନିତ ସମସ୍ୟା ଅଛି । ନିୟମିତ ଭାବେ ଔଷଧ ଖାଇଲେ ସୁସ୍ଥ ହୋଇଯିବେ । ସେଠାରେ ଯଦି ରୋଗୀଟି ବୁଝିଲା, ସୁଝିଲା ଲୋକ ହୋଇଥିବ, ତେବେ , ସେ ଡାକ୍ତରଙ୍କ କଥା ମାନି ଔଷଧ ଖାଇବ ଓ ଭଲ ହୋଇଯିବ । ଯଦି ବୁଝିଲା, ସୁଝିଲା ଲୋକ ହୋଇନଥିବ ତେବେ ଭାବିବ ମୋର କିଛି ହୋଇନି, ସବୁ ଭଲ ଅଛି ଏବଂ ଔଷଧ ଖାଇବ ନାହିଁ । ଔଷଧ ନଖାଇଲେ କି ପ୍ରକାର ଭୟଙ୍କର ପରିଣତି ଭୋଗିବାକୁ ପଡିବ ତାହା ସମସ୍ତଙ୍କୁ ଜଣା । କିନ୍ତୁ ଏହିପରି ଅନେକ ଲୋକ ଦୁନିଆରେ ଅଛନ୍ତି। ଔଷଧ ନଖାଇ ମୃତ୍ୟୁ ବରଣ କରିବା । ବର୍ତ୍ତମାନ ଭାରତର ଶାସକ ଶ୍ରେଣୀ ବିଭିନ୍ନ ଆର୍ଥିକ, ସାମାଜିକ ତଥା ରାଜନୈତିକ ସମସ୍ୟାକୁ ସ୍ଵୀକାର ନକରି ନିଜର ଆତ୍ମ ପ୍ରଚାରରେ ଲିପ୍ତ ରହୁଛନ୍ତି ଏବଂ ପରିସ୍ଥିତିକୁ ଅଧିକ ସଙ୍ଗୀନ କରୁଛନ୍ତି । ଦେଶ ତଳକୁ ତଳ ଯାଉଛି। ବିଭିନ୍ନ ଆନ୍ତର୍ଜାତୀୟ ରିପୋର୍ଟ ବା ସୂଚକାଙ୍କରେ ଯଦି କିଛି ଭଲ ଉଲ୍ଲେଖ ହେଲା , ତାକୁ ଶାସକ ଶ୍ରେଣୀ ଗ୍ରହଣ କରି ପ୍ରଚାର୍ କରୁଛନ୍ତି। କିନ୍ତୁ ଯଦି ବିଫଳତା ଦର୍ଶାଗଲା , ତେବେ ବିରୋଧ କରୁଛନ୍ତି । ଶାସକଶ୍ରେଣୀ ନିଜର ତ୍ରୁଟି , ବିଫଳତା ସ୍ଵୀକାର କରିବାକୁ ଅନିଛୁକ। ଯାହା ଚିନ୍ତାର ବିଷୟ।

ଖାଲି ଜିଡିପି ବୃଦ୍ଧି ବା କିଛି ସାମୂହିକ ସୂଚକାଙ୍କରେ ଉନ୍ନତି ଅର୍ଥ ନୁହେଁ ଲୋକ ଶାନ୍ତି ଓ ସୁଖରେ ଅଛନ୍ତି। ଗୁଣାତ୍ମକ ଜୀବନ ବିତାଉଛନ୍ତି। ଆଜି ଭାରତ ମୁଣ୍ଡ ପିଛା ଆୟ ଦୃଷ୍ଟିରୁ ୧୯୫ଟି ଦେଶ ମଧ୍ୟରୁ୧୪୨ଟି ଦେଶ ତଳେ ଥିଲାବେଳେ ମାନବ ଉନ୍ନୟନ ସୂଚକାଙ୍କରେ ୧୯୩ଟି ଦେଶ ମଧ୍ୟରୁ ୧୩୩ ଟିଦେଶ ତଳେ ରହିଛି । ଭାରତକୁ ଏକ ତ୍ରୁଟିପୂର୍ଣ ଗଣତନ୍ତ୍ର ଓ ନିର୍ବାଚନୀ ଅଟୋକ୍ରାସି କୁହାଯାଉଛି । ଦୁର୍ନୀତି ଦୃଷ୍ଟିରୁ ୧୮୦ଟି ଦେଶ ମଧ୍ଯରୁ ୯୨ଟି ଦେଶ ତଳେ ।

ପ୍ରତି କଥାରେ ବିକାଶ କଥା କୁହାଯାଉଛି । କିନ୍ତୁ ବିକାଶର ପରିଭାଷା କଣ , କାହାର ବିକାଶ ହୋଇଛି ଓ କି ପ୍ରକାର ବିକାଶ ହୋଇଛି କେହି କହୁ ନାହାଁନ୍ତି । ଯଦି ବିକାଶ ହୋଇଛି ତେବେ ୮୦କୋଟି ଜନତାଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦେବାର ଆବଶ୍ୟକତା ବଶ୍ୟକତା ପଡନ୍ତା ନାହିଁ । ଗରିବୀ ନଥାନ୍ତାକି ଗରିବୀ ହଟାଇବା କଥା କେହି କୁହନ୍ତେ ନାହିଁ । ଟିକସ ଦାତାଙ୍କ ଅର୍ଥରେ ହାତୀ ଦେବୁ, ଘୋଡା ଦେବୁ କହି ସବୁ ପ୍ରତିଶ୍ରୁତି ଦିଅନ୍ତେ ନାହିଁ । ଅବଶ୍ୟ ଯାହାବି ଦେବେ ଆମପରି ଟିକସ ଦାତାଙ୍କ ଅର୍ଥରେ ଦେବେ ।

ଆମ ଦେଶର ଜିଡିପି ଅନୁସାରେ କେନ୍ଦ୍ରର ଟିକସ ଅନୁପାତ ମାତ୍ର୧୧.୭% ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ମିଶିଲେ ୧୭% ହେବ କିନ୍ତୁ ଏହା ଅନ୍ୟ କିଛି ଦେଶରେ ୪୦ ରୁ ୫୦% । ଓଇସିଡି ଦେଶରେ ୩୫% । ସେହିପରି ଜିଡିପି ଅନୁସାରେ ମୋଟ ବ୍ୟୟବରାଦ ୨୦୨୦-୨୧ରେ ୧୭.୭% ଥିଲାବେଳେ, ୨୦୨୪-୨୫ ରେ ୧୩.୭୦% ହେବ ବୋଲି ଧାର୍ଯ୍ୟ କରାଯାଇଛି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅନୁସାରେ ଏହା ଫ୍ରାନ୍ସରେ ୫୮.୩୪% , ଜାପାନରେ ୪୪.୦୯% , ସ୍ଵିଡେନରେ ୪୭.୩୨%, ଆମେରିକାରେ ୩୬.୨୬ %, ବ୍ରିଟେନରେ ୪୪.୩% । ଯଦି ଜିଡିପି ଅନୁସାରେ ଟିକସ ବୃଦ୍ଧି ପାଉନି କି ବ୍ୟୟ ବୃଦ୍ଧି ପାଉନି ତେବେ ବିକାଶ ହୋଇଛି ବୋଲି କାହିଁକି ପ୍ରଚାର କାରାଯାଉଛି ? ଯଦି କିଛି ଗୋଟିଏ ପଟେ ଦେଇଥିବେ ଅନ୍ୟ କେଉଁ ବ୍ୟୟବରାଦ ହ୍ରାସ କରିଥିବେ । ପୁନଶ୍ଚ ଟିକସର ବୋଝ ଗରିବଙ୍କ ଉପରେ ବେଶୀ ପଡୁଛି। ଏତେ ନଦେଇ କେବଳ ଶିକ୍ଷା ଓ ସ୍ୱାସ୍ଥ୍ୟ ମାଗଣା ସମସ୍ତଙ୍କୁ ଯୋଗାଇ ଦେଉନାହାନ୍ତି?
ବେଶୀ ଚିନ୍ତାର ବିଷୟ ହେଉଛି, ଟିକସଦାତାଙ୍କ ଅର୍ଥରେ ମନ୍ତ୍ରୀ , ସାଂସଦ ତଥା ବିଧାୟକ ମାନେ ପ୍ରଚାର କରୁଛନ୍ତି । ପୋଲିସ ତଥା ବିଭିନ୍ନ ସୁରକ୍ଷା ବାହିନୀ ସାଧାରଣ ଜନତାଙ୍କୁ ସୁରକ୍ଷା ଓ ନିରାପତ୍ତା ଦେବେ କଣ ନେତା ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ସବୁ ସମୟ ଯାଉଛି ।

ସବୁଠାରୁ ଚିନ୍ତାର ବିଷୟ ହେଉଛି ବେକାରି ବିଶେଷ କରି ଯୁବ ଶିକ୍ଷିତ ବେକାରି । ବେକାରି ଯଦି ସେତିକି ଉଗ୍ର ହୋଇନଥାନ୍ତା , ତେବେ ଅତ୍ୟନ୍ତ ମୁଣ୍ଡ ଫଟା ଖରାରେ କିଛି ଟଙ୍କା ପାଇଁ ଯୁବକ ମାନେ ନେତାଙ୍କ ରାଲ୍ଲୀ, ରୋଡ ସୋ, ସଭାରେ ଯାଇଁ ଯୋଗ ଦିଅନ୍ତେ ନାହିଁ । କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରିବେ ବୋଲି ବିଜେପି କହିଥିଲା । କିନ୍ତୁ କୁଆଡେ ଗଲା ସେ ପ୍ରତିଶ୍ରୁତି । ପ୍ରାୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ୩୦ ଲକ୍ଷରୁ ଅଧିକ ଖାଲିସ୍ଥାନ ପୂରଣ କରାଯାଇନାହିଁ । ଯେଉଁ ସବୁ ନିଯୁକ୍ତି ସୃଷ୍ଟି ହେଉଛି ତାହା ନିମ୍ନ ମାନର ବା ଅସଂଗଠିତ କ୍ଷେତ୍ରରେ । ଯିଏ ଯେତେ ଅଧିକ ଶିକ୍ଷିତ, ତାକୁ ରୋଜଗାର ପନ୍ଥା ଖୋଜିବାରେ ସେତେ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । କାରଣ ସିଏ ଯେଉଁପରି ନିଯୁକ୍ତି ବ ଚାକିରୀ ଖୋଜୁଛି ତାହା ପାଉ ନାହ। ଅକ୍ଷର ପଢ଼ି କିମ୍ବା ଲେଖି ପାରୁ ନଥିବା ବ୍ୟକ୍ତିଙ୍କ ମଧ୍ୟରେ ବେକାରୀ ହାର ୩.୪% । କିନ୍ତୁ ସ୍ନାତକମାନଙ୍କ ବେକାରୀ ହାର ୨୯.୧% (ମହିଳା -୩୪.୫%, ପୁରୁଷ-୨୬.୪%) । ଅର୍ଥାତ୍‌ ନିରକ୍ଷରଙ୍କ ତୁଳନାରେ ସ୍ନାତକମାନଙ୍କ ବେକାରୀ ହେବାର ଆଶଙ୍କା ପ୍ରାୟ ୯ ଗୁଣା ଅଧିକ।
ମିଳିତ ଜାତିସଂଘର ପାଞ୍ଚଟି ସଂସ୍ଥା ଦ୍ଵାରା ପ୍ରକାଶିତ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିକର ଖାଦ୍ୟ ସମ୍ପର୍କିତ ୨୦୨୩ ରିପୋର୍ଟରେ କୁହାଯାଇଛି ଯେ ୨୦୨୧ ମସିହାରେ ୭୪.୧% ଭାରତୀୟ ବା ୧୦୪.୩ କୋଟି ଲୋକ ଏକ ସୁସ୍ଥ ଖାଦ୍ୟ ପାଇବାକୁ ଅସମର୍ଥ ହୋଇଥିଲେ। ତୁଳନାତ୍ମକ ଭାବରେ ବାଂଲାଦେଶର ପ୍ରାୟ ୬୬% ଲୋକ, ଇରାନରେ ୩୦% , ଚାଇନାରେ୧୧% , ଋଷିଆ ୨.୬ %, ଆମେରିକାରେ ୧.୨ % ଏବଂ ବ୍ରିଟେନରେ ୦.୪ % ସୁସ୍ଥ ଖାଦ୍ୟ ଖାଇବାକୁ ଅସମର୍ଥ ହୋଇଥିଲେ। ୨୦୨୦-୨୨ରେ ୧୬.୬% ଭାରତୀୟ ପୁଷ୍ଟିହୀନତା ବା କୁପୋଷଣରେ ଜର୍ଜରିତ ।
ବାସ୍ତବରେ ଭାରତର ବର୍ତ୍ତମାନର ଅସମାନତା ଭୟଙ୍କର ଅଟେ। ଧନୀକ ଶ୍ରେଣୀର ଲୋକମାନଙ୍କ ପାଖରେ ବିପୁଳ ସମ୍ପଦ ଥିବା ବେଳେ ,ଗରିବ ଲୋକମାନେ ଠିକ ଢଙ୍ଗରେ ଜୀବନ କାଟିବାକୁ ସଂଘର୍ଷ କରୁଛନ୍ତି। ଗତ ୧୦୦ ବର୍ଷ ଭିତରେ ଏଭଳି ସ୍ଥିତି ଦେଶରେ ଦେଖିବାକୁ ମିଳିନଥିଲା। ବର୍ତ୍ତମାନ ସମୟର ସ୍ଥିତି ଉପନିବେଶବାଦ ବେଳର ସ୍ଥିତିଠାରୁ ଖରାପ ରହିଛି। ।୨୦୨୪ର ୱାର୍ଲଡ୍‌ ଇନ୍‌ଇକ୍ବାଲିଟି ଲ୍ୟାବ୍‌ର ରିପୋର୍ଟ ଅନୁସାରେ ଭାରତର ସର୍ବୋଚ୍ଚ ୧%ଙ୍କ ଆୟ ଜାତୀୟ ଆୟର ଅଂଶରେ ବିଶ୍ବରେ ସର୍ବୋଚ୍ଚ ସ୍ତରରେ ରହିଛି।
ବର୍ତ୍ତମାନ ନିର୍ବାଚନ ପ୍ରକ୍ରିୟାବେଳେ ଏତେ ଉଗ୍ର , ହିଂସାତ୍ମକ, ଅନୈତିକ ହୋଇଛିଯେ କେବେ ଏପରି କେବେ ଦେଖିବାକୁ ମିଳିନଥିଲା । କୌଣସି ରାଜନୈତିକ ଆଦର୍ଶ , ନୀତି ନାହିଁ । ଜଣେ ଟିକେଟ ନପାଇବାରୁ ବର୍ଷ ବର୍ଷ ଧରି ସମାଲୋଚନା କରୁଥିବା ଦଳରେ ଯୋଗ ଦେଉଛି ଏବଂ ସଙ୍ଗେ ସଙ୍ଗେ ଟିକେଟ ମଧ୍ୟ ପାଉଛି । ଭୋଟରମାନେ ଭୋଟ ଦେବାପାଇଁ ଆଦର୍ଶ ପ୍ରାର୍ଥୀ ପାଉନାହାନ୍ତି । ଯିଏ ଆଦର୍ଶ ପ୍ରାର୍ଥୀ ହୋଇପାରିବ ତାକୁ ଟିକେ ମିଳୁନି କାରଣ ଲୋକ ବଳ ଓ ଆର୍ଥିକ କ୍ଷମତା ନାହିଁ । ସେଲିବ୍ରିଟିସ, ଶିଲ୍ପପତି, ବିତ୍ତଶାଳୀ କ୍ଷମତାଶାଳୀଙ୍କ ପାଇଁ ଏହା ଅର୍ଥ ରୋଜଗାର କରିବା ବା କ୍ଷମତା ବଜାୟ ରଖିବା ପାଇଁ ନିର୍ବାଚନ ଏକ ମାଧ୍ୟମ ସାଜିଛି । ଏହା ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିଛି । ଜଣେ ସଚେତନ ଓ ଚିନ୍ତାଶୀଳ ବ୍ୟକ୍ତି ଏହାକୁ ଗ୍ରହଣ କରିପାରିବ ନାହିଁ ।
ଆଜି ଦୈନିକ ଧରିତ୍ରୀ ରେ ପ୍ରକାଶିତ ମୋ:୯୪୩୭୨୦୮୭୬୨

Related Post

Leave a Reply

Your email address will not be published. Required fields are marked *

You Missed