ଦମ୍ଭ ଓ ତେଜ ମଧ୍ୟରେ ପାର୍ଥକ୍ୟ ରହିଛି। ଦମ୍ଭରେ ଗର୍ବର ପ୍ରାଚୂର୍ଯ୍ୟ ରହିଥାଏ ଏବଂ ତେଜରେ ନମ୍ରତାର। ବିପଦଜନକ ପରିସ୍ଥିତିରେ ଦାମ୍ଭିକ ମ୍ରିୟମାଣ ହୋଇପଡ଼ିଥିବା ବେଳେ ତେଜସ୍ଵୀ ସ୍ଥିର ହୋଇ ରହିଥାନ୍ତି। ତେଜସ୍ଵୀ ବ୍ୟକ୍ତି ଚନ୍ଦ୍ରଙ୍କ ପରି। ପୂର୍ଣ୍ଣିମା ଚନ୍ଦ୍ରର ସମସ୍ତ ଆଲୋକ ସୂର୍ଯ୍ୟଙ୍କ ବୋଲି ବୁଝିବା ଦ୍ଵାରା ଚନ୍ଦ୍ରର ଆଲୋକ କମ୍ ହୋଇ ଯାଏ ନାହିଁ।
ଠିକ୍ ସେହିପରି ତେଜସ୍ଵୀଙ୍କର ସମସ୍ତ ତେଜ ଭଗବାନଙ୍କର ବୋଲି ବୁଝିବା ଦ୍ଵାରା ତେଜ କମିଯାଏ ନାହିଁ। ଅମାବାସ୍ୟା ଠାରୁ ଆରମ୍ଭ କରି ପୂର୍ଣ୍ଣିମା ପର୍ଯ୍ୟନ୍ତ ତଥା ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଅମାବାସ୍ୟା ପର୍ଯ୍ୟନ୍ତ ଚନ୍ଦ୍ରର ପ୍ରତ୍ୟେକ ସ୍ଥିତି ଯେମିତି ସୂର୍ଯ୍ୟଙ୍କ ଆଶୀର୍ବାଦ ଠିକ୍ ସେହିପରି ତେଜସ୍ଵୀଙ୍କର ପ୍ରତ୍ୟେକ ସ୍ଥିତି ଭଗବାନଙ୍କର।
ବାରମ୍ବାର ସର୍ବଶକ୍ତିମାନ ଈଶ୍ୱରଙ୍କୁ ସ୍ବୀକାର ଓ ସ୍ମରଣ କରିବା ଦ୍ୱାରା ମନୁଷ୍ୟ ତେଜସ୍ଵୀ ହୋଇଥାଏ।