Spread the love

(କିଛି ସମୟ ବିନାଯୋଗକରି,”ବାବୁଚନ୍ତ୍ର ଓ ନ୍ୟାୟତନ୍ତ୍ର ଉପରେ ଆଧାରିତ” ଏହି ଟିକିଏ ଦୀର୍ଘ ଲେଖାଟିକୁ ପଢ଼ିବାକୁ
ଅନୁରୋଧ ମହାଶୟା/ମହାଶୟ, ନମସ୍କାର୍।)

ତା୧୬.୦୩.୨୦୨୫ରିଖର
ତୁଷାରକାନ୍ତର ମୁଣି
ନିଅନ୍ତୁ ସେଥିରୁ ଛାଣି —

“ନ୍ୟାୟ ଆଖିରେ ସମସ୍ତେ ସମାନ
କିନ୍ତୁ କିଛି ଅଧିକ ସମାନ”
( ଜର୍ଜ ଅରୱଲ-George Orwel)
…… ⚖️…..

.. ‘ତେବେ ଯାହା ହୁଏ’ ତାହାର ପ୍ରତି ମୂହୁର୍ତ୍ତର ଅସଂଖ୍ୟ ପ୍ରମାଣ ମଧ୍ୟରୁ ଗୋଟିଏ ନିମ୍ନରେ:-

୧୯୯୫ ମସିହାରେ ତୁକାରାମ ଦିଘୋଲେ ନାମକ ମହାରାଷ୍ଟ୍ରର ଜଣେ ତତ୍କାଳୀନ ମନ୍ତ୍ରୀ, ମହାରାଷ୍ଟ୍ରର ବର୍ତ୍ତମାନର କୃଷିମନ୍ତ୍ରୀ ଶ୍ରୀ ମାନିକରାଓ କୋକେଟ ଓ ତାଙ୍କ ଭାଇ ସୁନୀଲଙ୍କ ବିରୋଧରେ ‘ନାସିକ’ର ମାଜିଷ୍ଟ୍ରେଟଙ୍କ କୋର୍ଟରେ, “ସେମାନେ ଦୁର୍ବଳବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଦୁଇଟି ଘର ଜାଲିଆତି କରାଯାଇଥିବା କାଗଜପତ୍ର ଜରିଆରେ ମୂଖ୍ୟମନ୍ତ୍ରୀଙ୍କ ଇଛାଧିନ
ଅଂଶରୁ (Quota) ନେଇଥିବା” ଅଭିଯୋଗରେ ମୋକଦ୍ଦମା ଦାୟର କରିଥିଲେ।

ତାରିଖ ପେ ତାରିଖ ପେ ତାରିଖ ପେ ତାରିଖ ପରେ ଓ ମାତ୍ର ୨୫ ବର୍ଷପରେ , ( ଯଦିଓ କୁହାଯାଏ ଯେ Justice delayed is justice denied),୨୦୨୦ ମସିହା ଫେବୃୟାରୀ ମାସରେ ମହାମହିମ ମାଜିଷ୍ଟ୍ରେଟ
ମହାଶୟ “ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ଦୁଇବର୍ଷର ଜେଲଦଣ୍ଡ ” ଶୁଣାଇଥିଲେ।ଏହା ଭିତରେ ସେହି ମହାଶୟ
” କଂଗ୍ରେସ-ଶିବସେନା-ଏନସିପି” ଡେଇଁ ଡେଇଁ ଏବେ ବିଜେପି ତରଫରୁ ମହାରାଷ୍ଟ୍ରର କୃଷିମନ୍ତ୍ରୀ।

ଶ୍ରୀ କୋକେଟ ମହାଶୟ, ‘ନାସିକ’ସ୍ଥିତ ଜିଲ୍ଲା ସେସନ୍ କୋର୍ଟରେ, ତଳକୋର୍ଟର ନିଷ୍ପତ୍ତି ଉପରେ ନିଷେଧାଜ୍ଞା ଜାରି କରାଯିବାକୁ ଆବେଦନ କରିଥିଲେ, ଯେଉଁଥିରେ ତାଙ୍କର ଯୁକ୍ତିଥିଲା ଯେ,” ଯେହେତୁ ଶୁଣାଣି ବହୁତ ବର୍ଷ ଲାଗିବ( ହିନ୍ଦିସିନେମା ” ଦାମିନୀ”ର ‘ତାରିଖ ପେ ତାରିଖ ପେ ତାରିଖ ପେ ତାରିଖ ମିଳତା ହୈ ହଜୁର ଲେକିନ ଇନସାଫ ନେହିଁ ମିଳତା’ ଆଧାରରେ କି?) ଓ ତଳକୋର୍ଟର ନିଷ୍ପତ୍ତି ବଳବତ୍ତର ରହିଲେ ‘ଲୋକ ପ୍ରତିିନିଧି କାନୁନ – Representation of Peoples Act’ ଅନୁଯାୟୀ ଦୁଇବର୍ଷର ଜେଲଦଣ୍ଡାଦଶରେ ମୋର ( ଶ୍ରୀ କୋକେଟ ମହାଶୟଙ୍କର) ବିଧାୟକ ପଦବୀ ଚାଲିଯିବ , ତେଣୁ ତଳକୋର୍ଟର ନିଷ୍ପତ୍ତି ଉପରେ ନିଷେଧାଜ୍ଞା ଲଗାଯାଉ”।

ତା୦୫.୦୩.୨୦୨୫ରିଖରେ “ମିଃଲର୍ଡ-ବିଚାରପତି ମହାଶୟ”
ତଳକୋର୍ଟର ନିଷ୍ପତ୍ତି ଉପରେ ନିଷେଧାଜ୍ଞା ଜାରିକରି, ଏହାର ଯଥାର୍ଥତା ଉପରେ ଶୁଣାଇଥିଲେ ଯେ,” ବିଗତ ୩୫ ବର୍ଷଧରି ଶ୍ରୀ କୋକେଟ ଜନସେବାରେ ନିଜକୁ ନିୟୋଜିତ କରିଛନ୍ତି।ଜନତା ତାଙ୍କୁ ବିଧାୟକଋପେ
ନିର୍ବାଚିତ କରି ତାଙ୍କ ଉପରେ ନିଜର ଆସ୍ଥା ପ୍ରକଟ କରିଛନ୍ତି। ତଳକୋର୍ଟର ନିଷ୍ପତ୍ତି ଉପରେ ନିଷେଧାଜ୍ଞା ଜାରି କରାନଗଲେ ତାଙ୍କର ବିଧାୟକ ପଦ ରଦ୍ଦ ହୋଇଯିବ ଓ ଉପ- ନିର୍ବାଚନର ଆବଶ୍ୟକତା ପଡ଼ିବ, ଯେଉଁଥିରେ ଯଥେଷ୍ଟ ଅର୍ଥ ଖର୍ଚ୍ଚହେବ। ତେଣୁ ନିଷେଧାଜ୍ଞା ଜାରି କରାଗଲା”।

ତା୧୩.୦୩.୨୦୨୫ରିଖର The Indian EXPRESS ଖବରକାଗଜରୁ ମୁଁ ଏଭଳି ସମ୍ବାଦଟି ପଡ଼ିବାପରେ ଆମର ବରିଷ୍ଠ ରାଜନେତା ସୁରଭାଇ( ରାଉତରାୟ)ଙ୍କ “ମାର ତାଳି” ଆହ୍ୱାନଟି ମନେ ପଡ଼ିବାରୁ ମୁଁ ସେହି ବିଚାରପତିଙ୍କ ନିରପେକ୍ଷ ନ୍ୟାୟ ପ୍ରଦାନରେ ଅଭିଭୂତହୋଇ ତାଙ୍କ ଉଦ୍ଦେଶ୍ୟରେ ସଭକ୍ତି ପ୍ରଣିପାତ କରିବା ସହିତ ଦୀର୍ଘତାଳି କୁଟି ଦେଇଥିଲି।

ଆହୁରିମଧ୍ଯ ତା୧୮.୦୬.୧୬୮୯ରିଖରେ ଜନ୍ମଗ୍ରହଣକରି ତା୧୦.୦୨.୧୭୭୫ରିଖରେ ମୃତ୍ୟୁବରଣ କରିଥିବା ଫରାସୀ ରାଜନୈତିକ ବିଚାରକ, ନ୍ୟାୟବିତ, ଦାର୍ଶନିକ, ଐତିହାସିକ ତଥା ଔପନ୍ୟାସିକ ମଣ୍ଟେସ୍କ କହିଥିବା,”ଯଦି ନ୍ୟାୟପାଳିକାର ସ୍ୱତନ୍ତ୍ର କ୍ଷମତାନରହେ,ତେବେ ବିଚାରପତିଗଣ ଶାସନର ଅନ୍ୟାନ୍ୟ ଅଙ୍ଗଗୁଡ଼ିକଠାରୁ ଅଲଗା ହୋଇ ରହିପାରିବେ ନାହିଁ। ତେଣୁ ସେପରି ବ୍ୟବସ୍ଥା ହେବା ଉଚିତ”କଥାଟି ମନେ ପଡ଼ିବାରୁ ତାଙ୍କ ସ୍ମୃତିରେ ବି ‘ପ୍ରବଳ ତାଳିମାଡ’ କରିଥିଲି।

ଆହୁରି ଟିକିଏ ବିସ୍ତାରେଣ:-

ଭାରତବର୍ଷର ଏକନମ୍ବରୀ ସରକାରୀ ଚାକିରିର ପଦବୀ ହେଉଛି
” କ୍ୟାବିନେଟ ସଚିବ-Cabinet Secretary”।ତା୦୧.୦୮.୧୯୯୬ ରୁ ୩୧.୦୩.୧୯୯୮ରିଖ ପର୍ଯ୍ୟନ୍ତ ଏହି ପଦବୀରେଥିବା ତଥା ତା୨୬.୦୨.୨୦୧୮ରିଖରେ ୭୯ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବା ଶ୍ରୀ ଟି.ଏସ.ଆର. ସୁବ୍ରମଣ୍ୟମ, ତାଙ୍କ ଲିଖିତ JOURNEYS “THROUGH BABUDOM AND NETAGIRI, GOVERNANCE IN INDIA” ବହିର ଶେଷରେ ଲେଖିଥିବା ସାରାଂଶର ଓଡ଼ିଆଭାଷାରେ ମୋ କର୍ତ୍ତୃକ ଆପାତତଃ ଅନୁବାଦ ହେଉଛି, “ମୋର ସଂପୂର୍ଣ୍ଣ ସରକାରୀ ଚାକିରିକାଳର ଅନୁଭୂତିକୁ ମୁଁ ସର୍ବମୋଟ ଚାରୋଟି ଆଇନ ଜରିଆରେ ବର୍ଣ୍ଣନା କରିପାରେ, ଯାହା ଏହି ଦେଶର
ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ଚଳେଇଥାଏ।
ଏଗୁଡିକ ‘କାଳାତୀତ ସାର୍ବଭୌମିକ ଆଇନ- Timeless Universal laws of public administration’)।
ଯେଉଁଗୁଡିକ ହେଉଛନ୍ତି,
(୧)ଶାସକମାନଙ୍କ ସ୍ୱାର୍ଥରେ ହିଁ ଆଇନ ପରିଚାଳିତ ହୋଇଥାଏ,
( ଲୋକଟିକୁ ଦେଖି ଆଇନ ପ୍ରଯୁଜ୍ୟ ହୋଇଥାଏ, ସମସ୍ତଙ୍କ ପାଇଁ ସମାନ ନୁହେଁ)
(୨) ବ୍ୟକ୍ତିଗତ ସ୍ୱାର୍ଥ ଓ ସମୂହ ସ୍ୱାର୍ଥ ଭିତରେ ଦ୍ୱନ୍ଦ ଉପୁଜିଲେ, ବ୍ୟକ୍ତିଗତ ସ୍ୱାର୍ଥ ବଳବତ୍ତର ରହିଥାଏ,( ତେଣିକି ଆଇନ କାନୁନ
ଚୁଲିକୁ ଯାଉ ପଛ)
୩)ଜଣେ ସରକାରୀ କର୍ମଚାରୀଙ୍କ କାମ ଓ ତାଙ୍କୁ ପ୍ରଶଂସା କରାଯିବା ବିପରୀତ ଦିଗରେ ସଂପର୍କିତ,( ଅର୍ଥାତ ଆଇନ ଅନୁଯାୟୀ କାମକଲେ ତିରସ୍କାର ଓ ଶାସକଙ୍କ ବେଆଇନ ନିର୍ଦେଶ ଅନୁଯାୟୀ କାମକଲେ ପୁରସ୍କାର ।)
(୪)ଦେଶ ଥିଲାବାଲାଙ୍କର, ନଥିଲାବାଲାଙ୍କର ଅସ୍ତିତ୍ବ ନାହିଁ” ।

ମୋ ତରଫରୁ ଉଦାହରଣ:-ଯେଉଁ ଜଣେଅଧେ ବାବୁ ଏପରି ନକରି ଆତ୍ମସମ୍ମାନଧାରୀ ହୋଇଥା’ନ୍ତି,ତାଙ୍କ ଦମନୀୟ ଅବସ୍ଥାର ପ୍ରମାଣ ହେଉଛନ୍ତି ପୂର୍ବତନ ନିର୍ବାଚନ କମିଶନରଥିବା ଶ୍ରୀ ଅଶୋକ ଲାଭାସା ମହାଶୟ, ଯିଏ “ଏକ ଓ ଦୁଇନମ୍ବର ମହାଜନଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ” ଉପରେ ମନ୍ତବ୍ୟଦେଇ, ମୂଖ୍ୟ ନିର୍ବାଚନ କମିଶନର ପଦବୀକୁ ପଦୋନ୍ନତି ନ ପାଇ ଆଉ ଗୋଟିଏ ମୂତଫରକା ପଦବୀରୁ ଅବସରଗ୍ରହଣ
କରିଥିଲେ।

ଜରୁରୀକାଳୀନ ପରିସ୍ଥିତିରେ ଏମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ଲାଲକୃଷ୍ଣ ଆଡଭାନୀ କହିଥିଲେ ” ରାଜନେତାଏ ଆଣ୍ଠାଅ କହିଲେ ବାବୁମାନେ ଗୁଋଣ୍ଡୁଛନ୍ତି”, ଯାହା ଏବେ ଶତକଡା ଶହେ ହୋଇଯାଇଛି।

“ନ୍ୟାୟିକ ମୂଲ୍ୟବୋଧର ପୁନଃଆକଳନ-(“Restatement of Values of Judicial Life” to guide the conduct of judges) ଶୀର୍ଷକ ଏକ ଘୋଷଣାପତ୍ର 1997 ମସିହାରେ ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କ ସହମତିରେ ଗୃହୀତ ହୋଇଥିଲା।ଦେଶର ଉପରୁ ତଳ ସ୍ତରର ସମସ୍ତ ବିଚାରପତିମାନଙ୍କପାଇଁ ଏଥିରେ ନିର୍ଧାରିତ କରାଯାଇଥିଲା ଯେ,”(କ)ସଠିକ ନ୍ୟାୟ ପ୍ରଦାନ ସହିତ ତାହା ସମାଜରେ ଅନୁଭୂତ ହେବ, ଓ (ଖ) ସମାଜ ଦୃଷ୍ଟିରେ ବିଚାରିପତିମାନଙ୍କର ଆଚରଣ ନିରପେକ୍ଷ ରହିବ”।୧୯୯୯ ମସିହାରେ ସବୁ ହାଇକୋର୍ଟଙ୍କ ତରଫରୁ ଏହାକୁ ଗ୍ରହଣ କରାଯାଇଥିଲା।

ଅଥଚ ଏହା ପରେ ପରେ ତତ୍କାଳୀନ କେନ୍ଦ୍ରୀୟ ଆଇନ ମନ୍ତ୍ରୀ ତଥା ଏବକୁ ଦିବଙ୍ଗତ ସମ୍ମାନୀୟ ଅଋଣ ଜେଟଲି ମହାଶୟ କହିଥିଲେ ,
“ଯେତେବେଳେ ଶୀଘ୍ର ଅବସର ନେବାକୁଥିବାଙ୍କୁ ମୁଁ ଭେଟୁଥିଲି, ସେତେବେଳେ ମୋର ଦ୍ୱିଧା ଜାତ ହେଉଥିଲା “କାଳେ ସେମାନେ ଅବସରପରେ ପୁନଃନିଯୁକ୍ତି ଆଶାରେ ମୋତେ ସେମାନଙ୍କ ଚରିତ୍ର ପଞ୍ଜିକା ଧରେଇଦେବେ”ଭୟରେ।

ତା୦୧.୧୦.୨୦୧୨ରିଖରେ ରାଜ୍ୟସଭାର ତତ୍କାଳୀନ ବିରୋଧୀଦଳ ତଥା ବିଜେପିନେତା ସେହି ଶ୍ରୀ ଅଋଣ ଜେଟଲି ମହାଶୟ, ‘ବିଜେପି ଆଇନ ପ୍ରକୋଷ୍ଠ ( BJP LEGAL CELL)ସଦସ୍ୟମାନ’ଙ୍କୁ ଉଦବୋଧନ ଦେଇ କହିଥିଲେ,
“ଦୁଇ ପ୍ରକାର ବିଚାରପତି ଅଛନ୍ତି, ଯେଉଁଥିରୁ କିଛି କାନୁନ ବାବଦରେ ଜାଣନ୍ତି ଓ ଆଉ କିଛି କାନୁନ/ ଆଇନମନ୍ତ୍ରୀଙ୍କୁ ଜାଣନ୍ତି। ବିଚାରପତିମାନଙ୍କ ଭିତରେ ଅବସର ଗ୍ରହଣ ପରେ ବିଭିନ୍ନ ଲୋଭନୀୟ ପଦବୀରେ ପୁନଃନିଯୁକ୍ତି ଲୋଭ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅବସର ଗ୍ରହଣ ପୂର୍ବର ବିଚାରଗୁଡିକ ଅବସରପରର ପୁନଃନିଯୁକ୍ତି ଦିଗରେ ପ୍ରେରିତ ଥାଏ”।

ପୁଣି 2013 ମସିହାରେ ରାଜ୍ୟସଭାରେ “ନ୍ୟାୟିକ ସଂସ୍କାର- JUDICIAL REFORMS BILL” ଆଲୋଚନାରେ ଭାଗନେଇ ଶ୍ରୀ ଜେଟଲି କହିଥିଲେ “ମୁଁ (ଶ୍ରୀ ଜେଟଲି) ଭାବୁଛି ଯେ ଆଇନ ପ୍ରଣୟନ କ୍ଷେତ୍ରରେ ଆମେ ବହୁ ଆଗକୁ ପଳାଉଛନ୍ତି,ଯଥା ଅବସରପ୍ରାପ୍ତ ବିଚାରପତିମାନଙ୍କ ପାଇଁ ଅବସର ଗ୍ରହଣ ପରେ ପୁନଃନିଯୁକ୍ତି ପାଇଁ ପଦବୀ ସୃଷ୍ଟି ।ଆମେ ସଂସଦରେ ତାହା ନକଲେ, ବିଚାରପତିମାନେ ନିଜେ ତାହା ସୃଷ୍ଟି କରୁଛନ୍ତି। ବିଚାରପତିମାନଙ୍କ ଭିତରେ ଅବସର ଗ୍ରହଣ ପରେ ବିଭିନ୍ନ ଲୋଭନୀୟ ପଦବୀରେ ପୁନଃନିଯୁକ୍ତି ଲୋଭ ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅବଶ୍ୟ କିଛି ବ୍ୟତିକ୍ରମ ବି ଅଛନ୍ତି, ଯେଉଁମାନେ ଆତ୍ମସମ୍ମାନଧାରୀ”।

ତାଙ୍କର ସେହି କିଛି ଆତ୍ମସମ୍ମାନଧାରୀ ତ ” ଅଳଙ୍କାର ଭିତରେ ନିମକାଠି”,ଯଥା(କ) ବିଚାରପତି ପି. ସଥାଶିବମ ମହାଶୟ, ଯିଏ ଅବସର ନେଉ ନେଉ କେରଳର ରାଜ୍ୟପାଳ ଋପେ ଶ୍ରୀ ଜେଟଲିଜୀ ମନ୍ତ୍ରୀଥିବା ସରକାରଙ୍କ ତରଫରୁ ନିଯୁକ୍ତି ହୋଇଥିଲେ, (ଖ) ବିଚାରପତି ରଞ୍ଜନ ଗୋଗୋଇ, ଯାହାଙ୍କୁ ତାଙ୍କର ଅବର୍ତ୍ତମାନରେ ତାଙ୍କରି ଦଳର ସରକାରଙ୍କ ତରଫରୁ ରାଜ୍ୟସଭାର ମନୋନୀତ ସଦସ୍ୟ କରାଯାଇଛି ତଥା ଆଉକିଛି।

” ବିଚାରପତିମାନଙ୍କର ୧୯୯୭ର ନିଷ୍ପତ୍ତି ତଥା ଆଜିର ପରିସ୍ଥିତି ଭିତରେ ତୁଳନାକରି, ଏବେ ସେମାନଙ୍କ ସଂଖ୍ୟା କେତେ”, ତାହା ଆକଳନ କରିବାକୁ ଆମେ ଅବା କିଏ, ଯାହା ଉପରେ ହିନ୍ଦିଭାଷାର କବି ଶ୍ରୀ ପୁନିତ ଶର୍ମା ଲେଖିଥିବା କବିତାଟିଏର ମୋ କର୍ତ୍ତୃକ ଓଡ଼ିଆଭାଷାରେ
ଆପାତତଃ ଅନୁବାଦିତ ଲେଖାଟି ହେଉଛି;

“ମିଃଲର୍ଡ, ଗୋଟିଏ ଆପତ୍ତି ଅଛି,
ଟିକେ ମୋ କଥା ଶୁଣନ୍ତୁ ,
ମୋର ନିବେଦନ,ମୋର ଓକିଲାତି
ଆପଣ କରନ୍ତୁ।
କୁହାଯାଏ ଏ ନ୍ୟାୟର ମନ୍ଦିର ସମସ୍ତଙ୍କର,
କିନ୍ତୁ ଲାଗୁଛି ଯିଏ ଶକ୍ତିଶାଳୀ, ଏ ମଂଚ ତାଙ୍କର,
କ୍ଷମତାରୁ ଯିଏ ଅଛି ଯେତେ ଦୂରେ,
ଲାଗୁଛି, ସେ ନ୍ୟାୟପ୍ରାପ୍ତିରୁ ସେତିକି ପଛରେ ,
ଏହି ଭେଦଭାବ କି ଆପଣଙ୍କୁ ଠିକ ଲାଗୁଛି,
ମିଃଲର୍ଡ, ମୋର ଓକିଲାତି ଆପଣ କରନ୍ତୁ।
ଯଦି ଏହା ଠିକ ତେବେ ତାହା କହି ଦିଅନ୍ତୁ,
ଆମେ ନରଖିବୁ ଆଶା,
ଯାହାକୁ କେହି ଶୁଣନ୍ତି ନାହିଁ,
ତାର କେହି ନଥାନ୍ତି ଭରସା।
ଲୋକଙ୍କର ନ୍ୟାୟରୁ ଭରସା ଗଲେ ତୁଟି,
ଲୋକେ କରିବେ ନ୍ୟାୟ,
ନ୍ୟାୟାଳୟ ହେବ ବସ୍ତି।
ମିଃଲର୍ଡ ଏପରି ନ୍ୟାୟ ପ୍ରଦାନକୁ ସୁଧାର କରନ୍ତୁ,
ଆପଣ ମୋ ପାଇଁ ଓକିଲାତି କରନ୍ତୁ।
ସ୍କୁଲରେ ଆମେ ପଡିଥିଲୁ ବହୁତ ମଜବୁତ୍
ଏ ସ୍ତମ୍ଭ,
ନ୍ୟାୟାଧୀଶଗଣ ଏପରି ହାଡରେ ଗଢା,
ସର୍ବଶକ୍ତିମାନ ବି ଏମାନଙ୍କ
ପାଖୁ ପାଆନ୍ତି ପରାଭବ,
କ୍ଷମତା ପାଖରେ ଏମାନେ
ନତମସ୍ତକ ହେବା କି ଯୁକ୍ତିଯୁକ୍ତ,
ମିଃଲର୍ଡ, ମୋ ପାଇଁ ଆପଣ
ମୋକଦ୍ଦମା ଲଢିବେ ତ!
ନ୍ୟାୟ ଏପରି ଯକ୍ଷପକ୍ଷୀ ଯିଏ
ସତ୍ୟର କରେ ରକ୍ଷା,
ଆଇନାରେ ଠିକ ପ୍ରତିବିମ୍ବ ପରି
ଏହା ନିଷ୍ପକ୍ଷ ହେବା କଥା,
ନ୍ୟାୟ ଏବେ କି ଦେଖୁଛି କ୍ଷମତାର ପରିସୀମା,
ତାହେଲେ ତ ମିଃଲର୍ଡ,
ନ୍ୟାୟ ବ୍ୟବସ୍ଥା ରହିବ ନା!
ନ୍ୟାୟକୁ ସାମୁହିକ ଭାବନା
କାହିଁକି କରିବ ନିୟନ୍ତ୍ରିତ,
ମିଃଲର୍ଡ, ନ୍ୟାୟ ତା ବାଟରେ
ଯିବାକୁ ବ୍ୟବସ୍ଥା କରିବେ ତ ,
ମିଃଲର୍ଡ, ଏପରି ଚର୍ଚ୍ଚାରୁ ନିଜକୁ ବଂଚାନ୍ତୁ,
ମୋ ପାଇଁ ଆପଣ ନିଜେ ଓକିଲାତି କରନ୍ତୁ।

” ଗୋମୟ କୋହୀନୂର ହିରାଠାରୁ ବି ମୂଲ୍ୟବାନ ” ଭଳି ମାନ୍ୟତା ପାଇବାପରେ,
” ଆମେ ଅବା କେଉଁ ଗୋମାତାଙ୍କ ଗୋମୟ” ଭଳି ଓଡ଼ିଆ ଲୋକକଥାଟିର ଆଉ ବ୍ୟବହାର ହେଉନାହିଁ। ।

Leave a Reply

Your email address will not be published. Required fields are marked *

You Missed