Spread the love

ଭୁବନେଶ୍ବର: ରାଜଧାନୀରେ ଧଳାଜହର ଓ ଚୋରା ବନ୍ଧୁକ ବେପାରର କାୟା ମେଲାଇ ଚାଲିଥିବା ନିଶା ସୌଦାଗର ସୁବ୍ରତ ଖୁଣ୍ଟିଆ ଧରାପଡ଼ିଛି। ଚାରି ମାସର କସରତ ପରେ ସ୍ପେସାଲ୍‌ କ୍ରାଇମ୍‌ ୟୁନିଟ୍‌(ଏସ୍‌ସିୟୁ) ତାକୁ ଧରିବାରେ ସଫଳ ‌ହୋଇଛି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ବୁଲିବୁଲି ପୁଣି ଓଡ଼ିଶା ଫେରିବା ପରେ କମିସନରେଟ୍‌ ପୁଲିସ ତାକୁ ଗତକାଲି ରାତିରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରୁ ଗିରଫ କରିଛି।
ସୁବ୍ରତର ଭାଇ ସଞ୍ଜୟ ଖୁଣ୍ଟିଆ ମଧ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ। ଏକ ହତ୍ୟା ମାମଲାରେ ସେ ସମ୍ପୃକ୍ତ। ସେ ମଧ୍ୟ ବନ୍ଧୁକ ବେପାରଠାରୁ ଆରମ୍ଭ କରି ଚୋରା ଖଣି ବେପାର ଓ ଗୋଚାଲାଣ ଭଳି କାରବାରେ ସମ୍ପୃକ୍ତ ଥିଲା। ତାକୁ ଗିରଫ କରାଯିବା ବେଳେ ତା’ ନିକଟରୁ ଏକ କାର୍‌ବାଇନ୍‌ ଜବତ କରାଯାଇଥିଲା। ଖଣ୍ଡଗିରି ଥାନା ସରକନ୍ତରାର ବାସିନ୍ଦା ଦୁଇ ଭାଇଙ୍କର ଆଡ଼ା ଥିଲା କଳିଙ୍ଗବିହାର। ସଞ୍ଜୟ ଖୁଣ୍ଟିଆ ଗିରଫ ହେବା ପରେ ସୁବ୍ରତ ହାତରେ ଥିଲା ଏହି କଳା ସାମ୍ରାଜ୍ୟ। ଚଳିତ ବର୍ଷ ଏପ୍ରିଲ୍‌ ୨୨ ତାରିଖରେ ଏସ୍‌ସିୟୁ ଖଣ୍ଡଗିରିରୁ ବିପୁଳ (୨୬ ଲକ୍ଷ ଟଙ୍କା ମୂଲ୍ୟର) ପରିମାଣର ବ୍ରାଉନ୍‌ସୁଗାର ଜବତ କରିଥିଲା ଏବଂ ଦୁଇ ଯୁବତୀ ପ୍ରଜ୍ଞାପ୍ରିୟା ସ୍ବାଇଁ ଓ କରିସ୍ମା ରାଉତଙ୍କୁ ଏହି ମାମଲାରେ ଗିରଫ କରିଥିଲା। ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ ସୁବ୍ରତର ଗାର୍ଲଫ୍ରେଣ୍ଡ ଓ ଅନ୍ୟ ଜଣେ ଗାର୍ଲଫ୍ରେଣ୍ଡର ବାନ୍ଧବୀ ଥିଲେ। ସେମାନଙ୍କ ସୂଚନା ଆଧାରରେ ଠିକ୍‌ ୪ ଦିନ ପରେ ଅର୍ଥାତ୍ ଏପ୍ରିଲ୍ ୨୬ରେ ଏସ୍‌ସିୟୁ ଖଣ୍ଡଗିରିରେ ଚଢ଼ଉ କରି ସୁବ୍ରତର ୨ ସହଯୋଗୀ ସୂରଜ ପରିଡ଼ା ଓ ତପୁଧନ ନାୟକକୁ ଗିରଫ କରିଥିଲା। ସେମାନଙ୍କଠାରୁ ୫ଟି ସେମି ଅଟୋମେଟିକ୍‌ ପିସ୍ତଲ ଓ ୨୪ ରାଉଣ୍ଡ ଗୁଳି ଜବତ କରାଯାଇଥିଲା। କିନ୍ତୁ ଗ୍ୟାଙ୍ଗ୍‌ ଲିଡର୍ ସୁବ୍ରତ ଫେରାର୍ ହୋଇଯାଇଥିଲା। ସେବେଠୁ ପୁଲିସ ସୁବ୍ରତର ପିଛା କରୁଥିଲା।

ଫେରାର୍ ହେବା ପରେ ସୁବ୍ରତ ସୁଧାସଳଖ ଉତ୍ତରପ୍ରଦେଶ ପଳାଇଥିଲା। କାରଣ ସେ ଉତ୍ତରପ୍ରଦେଶର ଜଣେ ମାଫିଆଠାରୁ ଉଭୟ ବନ୍ଧୁକ ଓ ବ୍ରାଉନ୍‌ସୁଗାର ଆଣୁଥିଲା। ସେଠାରେ କିଛି ଦିନ ରହିବା ପରେ ପୁଲିସ ପିଛା କରୁଥିବା ଜାଣି ସେ ମଧ୍ୟପ୍ରଦେଶ ପଳାଇଥିଲା ଏବଂ ପରେ ଝାଡ଼ଖଣ୍ଡରେ ରହିଥିଲା। ଗତ କିଛି ଦିନ ହେଲା ସେ ଓଡ଼ିଶା ଫେରିଆସି ବାଲିଚନ୍ଦ୍ରପୁରରେ ଭଡ଼ାରେ ରହୁଥିଲା। ସୁବ୍ରତଠାରୁ ମିଳିଥିବା ସୂଚନାକୁ ଆଧାର କରି କମିସନରେଟ୍‌ ପୁଲିସ ଉତ୍ତରପ୍ରଦେଶ ପୁଲିସ ସହ ଯୋଗାଯୋଗ କରିଛି। ଉତ୍ତରପ୍ରଦେଶର ମାଫିଆ ବାବଦରେ ସୂଚନା ସଂଗ୍ରହ କରାଯାଉଛି।

Related Post

Leave a Reply

Your email address will not be published. Required fields are marked *

You Missed