ଚାପରେ ଭାରତୀୟ କର୍ମଚାରୀ, ମାନସିକ ସ୍ବାସ୍ଥ୍ୟ ଉପରେ ପଡ଼ୁଛି ପ୍ରଭାବ
ଭାରତୀୟ କର୍ମଚାରୀମାନେ ଆବଶ୍ୟକତାଠୁ ଅଧିକ କାମ କରି ଜୀବନ ହାରିବାକୁ ପଛାଉ ନାହାନ୍ତି। କେହି କେହି ମାନସିକ ଭାରସାମ୍ୟ ହରାଇ ଜୀବନ ହାରିବା ଭଳି ଚ ରମ ପନ୍ଥାକୁ ଆପଣାଇ ନେଉଛନ୍ତି। ଏଇ ନିକଟରେ ପୁଣେର ୨୬ ବର୍ଷୀୟା ଚାଟାର୍ଡ ଆକାଉଣ୍ଟାଣ୍ଟ ଆନ୍ନା ସେବାଷ୍ଟିଆନ ପେରାୟିଲଙ୍କ ଅକାଳ ମୃତ୍ୟୁ କର୍ମଚାପରୁ ହୋଇଥିବା ଜଣାପଡ଼ିଛି। ସେ କାମ କରୁଥିବା ଅର୍ଣ୍ଣଷ୍ଟ ଆଣ୍ଡ ୟଙ୍ଗ କମ୍ପାନିର ଖରାପ କାର୍ଯ୍ୟଶୈଳୀ ଏବଂ ଅତ୍ୟଧିକ କର୍ମଚାପ ତାଙ୍କ ମୃତ୍ୟୁ ପଛର କାରଣ ବୋଲି କୁହାଯାଉଛି। ଭାରତରେ ଦିନକୁ ଦିନ ବିଭିନ୍ନ ଘରୋଇ କମ୍ପାନିରେ କର୍ମଚାପ ବଢ଼ିବାରେ ଲାଗିଛି। ଏହା ଯୋଗୁଁ ମାନସିକ ସ୍ବାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି।
ଆଜିକାଲି ଅନେକ କର୍ମଚାରୀ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାମ କରୁଛନ୍ତି। ଏପରିକି ଛୁଟିଦିନରେ ବି ଲୋକଙ୍କୁ କାମ କରିବାକୁ ପଡ଼ୁଛି। ଯାହାର ଶିକାର ହୋଇଥିଲେ ଆନ୍ନା। ତେବେ କାମଚାପ ଯୋଗୁଁ ଆନ୍ନାଙ୍କ ମୃତ୍ୟୁ ହେବା ଭାରତର ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ବିହାର, ଉତ୍ତର ପ୍ରଦେଶ, ତେଲଙ୍ଗାନା, ମଧ୍ୟପ୍ରଦେଶରେ କିଛି କର୍ମଚାରୀ ଅଧିକ କର୍ମଚାପ ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ଏହି ବର୍ଷ ମେ’ ମାସରେ ମଧ୍ୟପ୍ରଦେଶର ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ମୃତ୍ୟୁ ପୂର୍ବରୁ ନିଜ ଭଉଣୀଙ୍କୁ ଫୋନ୍ରେ କହିଥିଲେ କି, ଅଫିସ୍ ଚାପ ଅଧିକ ହେଲାଣି, ଘରକୁ ଫେରିବେନି। ଏହାପରେ ସେ ଆତ୍ମହତ୍ୟା କରିଥିଲେ।
ବିଭିନ୍ନ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମାଠାରୁ ଅଧିକ କାମ କରାଉଛନ୍ତି। କର୍ମଚାରୀଙ୍କୁ ଅଧିକ ଖଟାଇବାରେ ଭାରତ ବିଶ୍ବର ଦ୍ବିତୀୟ ସ୍ଥାନରେ ଅଛି। ସବା ଆଗରେ ଅଛି ଭୁଟାନ। ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଓଏଏ୍)ର ଏକ ରିପୋର୍ଟ ଅନୁସାରେ, ଭାରତର ପ୍ରତ୍ୟେକ ବ୍ୟକ୍ତି ସପ୍ତାହକୁ ୪୬.୭ ଘଣ୍ଟା କାମ କରୁଛନ୍ତି। ଏହାବାଦ୍ ଭାରତର ୫୧ ପ୍ରତିଶତ କର୍ମଚାରୀ ପ୍ରତି ସପ୍ତାହରେ ୪୯ ବା ତା’ଠୁ ଅଧିକ ଘଣ୍ଟା କାମ କରୁଛନ୍ତି। କେବଳ ଭୁଟାନ କି ଭାରତ ନୁହେଁ, ଦକ୍ଷିଣ ଏସିଆର କର୍ମଚାରୀ ମଧ୍ୟ ବେଶ୍ ଅଧିକ ସମୟ ପର୍ଯ୍ୟନ୍ତ ଖଟୁଛନ୍ତି।
କର୍ମଚାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବା ଯୋଗୁଁ ଅବସାଦରେ ରହୁଛନ୍ତି। ଏହାଛଡ଼ା ହୃଦ୍ ସମସ୍ୟା, ଚିଡ୍ଚିଡ଼ାପଣ, ମେଦବହୁଳତା, ଅନିଦ୍ରା ସମସ୍ୟା ବୃଦ୍ଧି ପାଉଛି। ଆଇଆଇଏମ୍ ଅହମଦାବାଦ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି, କର୍ମଚାପ କର୍ମଚାରୀଙ୍କ ବର୍ଣ୍ଣଆଉଟ୍ (ଥକ୍କାପଣ)ର ପ୍ରମୁଖ କାରଣ। ଅଧିକ ଅବସାଦ ଦେଇ ଗତି କରୁଥିବା କର୍ମଚାରୀ ଏହାର ଶିକାର ହୋଇଥାନ୍ତି।
ପ୍ରବଳ କାମ ଯୋଗୁଁ ଅନେକ କର୍ମଚାରୀଙ୍କ ଉପସ୍ଥିତି କମ୍ ରହୁଛି। କାମରେ ସନ୍ତୁଷ୍ଟି ଲାଭ କରୁ ନଥିବାରୁ ଉତ୍ପାଦନ କ୍ଷମତା କମୁଛି। ମନୋବିଜ୍ଞାନୀଙ୍କ ଅନୁସାରେ, ଅଧିକାଂଶ ଲୋକ ୮ ଘଣ୍ଟା ପର୍ଯ୍ୟନ୍ତ ଭଲ କାମ କରିଥାନ୍ତି। ଅଧିକ ସମୟ କାମ କରିବା ଦ୍ବାରା ସୃଜନାତ୍ମକ ଜ୍ଞାନ ହ୍ରାସ ପାଏ। କାମ ମଝିରେ ବ୍ରେକ୍ ନେବା ଦ୍ବାରା ଧ୍ୟାନ କେନ୍ଦ୍ରିତ ହୁଏ । ଏବେ ଯେଭଳି କର୍ମଚାରୀଙ୍କ କାମ ଚାପ ବୃଦ୍ଧି ପାଉଛି, ତାହାକୁ ବିଚାରକୁ ନେଇ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ।
ଏବେ ବିଭିନ୍ନ କମ୍ପାନି କର୍ମଚାରୀଙ୍କୁ ଲକ୍ଷ୍ୟ ପୂରଣ କରିବା କଥା କହୁଛନ୍ତି। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୂରଣ ନ କରିବା ଦ୍ବାରା ଦରମା ବୃଦ୍ଧି ନ ହେବା, ପଦୋନ୍ନତି ସମସ୍ୟା, ଏପରିକି ଚାକିରି ଯିବାର ଭୟ ରହୁଛି। ତେଣୁ କମ୍ପାନିର ଲକ୍ଷ୍ୟ ପୂରଣ କରିବାକୁ ଯାଇ କର୍ମଚାରୀଙ୍କୁ ବାଧ୍ୟ ହୋଇ ଅଧିକ ଖଟିବାକୁ ପଡ଼ୁଛି। ଅନ୍ତର୍ଜାତୀୟ ଶ୍ରମ ସଂଗଠନ ଅନୁସାରେ, କର୍ମଚାରୀଙ୍କୁ ୪୮ ଘଣ୍ଟାରୁ ଅଧିକ ସମୟ କାମ କରିବା ଅନୁଚିତ। ସେହିପରି ଦିନକରେ ୮ ଘଣ୍ଟାରୁ ଅଧିକ କାମ କରିବା ଠିକ୍ ନୁହେଁ। ଅବଶ୍ୟ ଭାରତରେ ଅଲଗା ଅଲଗା କାମ ପାଇଁ ଭିନ୍ନ ଭିନ୍ନ ନିୟମ ଅଛି।