ବିନା “ଆଇଏଏସ” ସୁଜାତା-କାର୍ତ୍ତିକଙ୍କର ଅଭାବ ନାହିଁ ଏ ରାଜ୍ଯରେ ।
1992 ମସିହାରେ ଗୃହ ବିଭାଗରେ ମୁଁ ଷ୍ଟେନୋଗ୍ରାଫର ଇଣ୍ଟରଭ୍ୟୁ ଦେଇ ଦୁଇ ନମ୍ବର ସ୍ଥାନରେ ଥିଲି । ରାଜନୀତିରେ ସଚ୍ଚୋଟ, ନିର୍ଭୀକ, ଆତ୍ମ-ସ୍ବାର୍ଥୀ-ବିହୀନ ଏବଂ କର୍ମଠ ଯୁବକମାନଙ୍କ ଅଭାବ ଅନୁଭବ କରି ଶ୍ରୀମତୀ ନନ୍ଦିନୀ ଶତପଥୀ ତତ୍କାଳୀନ ଗୃହ ସଚିବ ସହଦେବ ସାହୁଙ୍କୁ ଫୋନ୍ କରି ଷ୍ଟେନୋଗ୍ରାଫର ଚାକିରି ତାଲିକାରୁ ମୋ ନାମ କଟେଇ ଦେଲେ । ଏହି କଥାକୁ ନେଇ ନନ୍ଦିନୀଦେବୀଙ୍କ ନିକଟରେ ମୁଁ ପ୍ରତିକ୍ରିୟା ପ୍ରକାଶ କରିବାରେ ସେ ଘର ଭିତରକୁ ଯାଇ ହଳେ ଖଦଡ ପଞ୍ଜାବୀ-ପାଇଜାମା ଆଣି ମୋ ହାତରେ ଦେଇ କହିଥିଲେ, “ତୁ ରାଜନୀତି କରିବୁ, ଓଡିଶା ପାଇଁ କାମ କରିବୁ — ତୁ ଆଜିଠାରୁ କଂଗ୍ରେସ ହେଲୁ । ତମମାନଙ୍କ ଭଳି ପିଲା ଚାକିରି କଲେ ରାଜନୀତିକୁ ଖରାପ ଲୋକମାନେ ପଶିଆସି ଅଳିଆ କରିଦେବେ ।” ସେଦିନ ମୁଁ ନିରୁତ୍ତର ଥିଲି । 1995ରେ ସେ ଜାନକୀବାବୁଙ୍କୁ ମୋର ଏକ ଦାୟିତ୍ବ ନେଇ ଅବଗତ କରାଇଥିଲେ । ମାତ୍ର ସେତେବେଳକୁ ରାଜନୀତି କ୍ଷେତ୍ର ଗୋଳିଆ ହୋଇସାରିଥିଲା ।
ମୋର ଏଭଳି କରୁଣ ଦୁର୍ଦ୍ଦଶା, ନନ୍ଦିନୀଦେବୀଙ୍କ ଭଳି ଜଣେ ଦୂରଦ୍ରଷ୍ଟା ନେତ୍ରୀଙ୍କ ସ୍ବପ୍ନ ଓ ସମ୍ଭାବନା ଅନ୍ୟ କେଉଁ ଉଦୀୟମାନ ଓଡିଆ ପୁଅଙ୍କ ମୁହଁରେ କ’ଣ ଆପଣ ଦେଖିପାରୁ ନାହାନ୍ତି ଯେ ନିଜ ଚାକିରି ଜୀବନକୁ ଶୃଙ୍ଖଳିତ କରିପାରି ନ ଥିବା ଦୁଇଜଣ ସ୍ବର୍ଗତ ଅଭୟ ସିଂହଙ୍କ ଭାଷାରେ “ହେଙ୍କେଡା କିରାଣୀ”ଙ୍କୁ ରାଜନୀତିରେ ସ୍ଥାପନା କରିବାକୁ ଚାହୁଁଛନ୍ତି ! ଆପଣ କ’ଣ ରାଜନୀତି ଖେଳ ପଡିଆର ରେଫରୀ ! ଯଦି ରାଜନୈତିକ କ୍ଷେତ୍ର ପାଇଁ ଭଲ କିଛି ଚିନ୍ତା ନ କରିପାରୁଛନ୍ତି ତେବେ ସ୍ବ-କ୍ଷେତ୍ରର ଅଶୀକୁ ଶାଣିତ କରନ୍ତୁ ! ଏଭଳି ଆତ୍ମ-ସ୍ବାର୍ଥୀ, ବ୍ୟକ୍ତି କୈନ୍ଦ୍ରିକ, ଭୀରୁମାନଙ୍କ ନାମକୁ କାହିଁକି ଜନାର୍ପିତ କରୁଛନ୍ତି ?
- ଆଶିଷ ରଞ୍ଜନ ମହାପାତ୍ର (ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ବ୍ୟକ୍ତିଗତ ସଚିବ) ଓ ଲେଖକ