Spread the love

ଭୁବନେଶ୍ବର: କିଛି ମାସର ବ୍ୟବଧାନ ପରେ ବିଜେଡି ପୁରୁଣା ଧାରାକୁ ଫେରିଛି। ନବୀନ ନିବାସରେ ଆଉ ନବୀନଙ୍କ ଦରବାର ଚାଲୁନି। ପୂର୍ବପରି ଭି କେ ପାଣ୍ଡିଆନ ଦରବାର କଲେଣି।

ବିଜେଡିର ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ସେ ହିଁ ନେତାମାନଙ୍କ ସହ ଆଲୋଚନା କରୁଛନ୍ତି। ନେତାମାନଙ୍କର ଲିଖିତ ପ୍ରସ୍ତାବ ରଖୁଛନ୍ତି। ଏସବୁ ଲୁଚାଛପାରେ କରାଯାଉନାହିଁ। ବରଂ ସବୁକିଛି ସମସ୍ତଙ୍କ ସାମ୍ନାରେ ଚାଲିଛି। ଏକଥା ଦେଖି ଏବେ ଛାମୁଆ ନେତା ଓ କର୍ମୀ ଚିନ୍ତିତ ନୁହନ୍ତି । ସ୍ଥିତି ଧୀରେ ଧୀରେ ସଠିକ ରାସ୍ତାକୁ ଆସୁଛି. ଆଗକୁ ଏହା କୋଉ ରୂପ ନେବ ଆଗାମୀ ଦିନରେ ଜଣାପଡିବ. ବିନା ପାଣ୍ଡିଆନ ରେ ନବୀନ କିଛି କରୁନାହାନ୍ତି ଏମିତି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ନିର୍ବାଚନରେ ବିଜେଡିର ପରାଜୟ ପାଇଁ ଗୋଟିଏ ବର୍ଗ ପାଣ୍ଡିଆନଙ୍କ ଉପରକୁ ଆଙ୍ଗୁଠି ଉଠାଇଥିଲେ। ପାଣ୍ଡିଆନ ମଧ୍ୟ ନିଜେ ସାମାଜିକ ଗଣମାଧ୍ୟମ ସାମ୍ନାକୁ ଆସି ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏହାପରେ ନବୀନ ଗଣମାଧ୍ୟମରେ ବାରମ୍ବାର ପାଣ୍ଡିଆନଙ୍କୁ ସାର୍ଟିଫିକେଟ୍‌ ଦେଇଛନ୍ତି। ମାତ୍ର ସେବେଠୁ ନବୀନ ନିବାସ ବାହାରେ ନବୀନଙ୍କ ପାଖରେ ଆଉ ପାଣ୍ଡିଆନଙ୍କୁ ଦେଖିବାକୁ ମିଳୁନାହିଁ। କିଛି ଦିନ ଧରି ଦେଖାଯାଉଥିଲା ଯେ ଦଳୀୟ ନେତାମାନେ ନବୀନଙ୍କ ପାଖରେ ଆଲୋଚନା କରୁଥିଲା ବେଳେ ପାଣ୍ଡିଆନ ସେଠାରେ ବସୁ ନଥିଲେ। ନବୀନ ସିଧା ସିଧା ନେତାମାନଙ୍କ ଠାରୁ ପ୍ରସ୍ତାବ ଗ୍ରହଣ କରୁଥିଲେ..

କିନ୍ତୁ ବର୍ତମାନ ତାହା ବଦଳି ଯାଇଛି..। ନବୀନଙ୍କୁ ଦେଖା କରିବାକୁ ଯାଉଥିବା ନେତାଙ୍କୁ ପାଣ୍ଡିଆନଙ୍କୁ ଭେଟିବା ପାଇଁ କୁହାଯାଉଛି। ବିଭିନ୍ନ ଜିଲ୍ଲାର ନେତା ପାଣ୍ଡିଆନଙ୍କୁ ଭେଟି ସଂଗଠନ ସମ୍ପର୍କରେ ଆଲୋଚନା କରୁଛନ୍ତି। ଦଳର ଦୈନନ୍ଦିନ ପରିଚାଳନା କାମ ବି ତାଙ୍କ ମାର୍ଫତରେ ହେଉଛି। କିଏ ସାମ୍ବାଦିକ ସମ୍ମିଳନୀରେ ବସିବେ, ଦଳ କେଉଁ ପ୍ରସଙ୍ଗରେ କେଉଁ ଆଭିମୁଖ୍ୟ ଗ୍ରହଣ କରିବ, ସେସବୁ ନିଷ୍ପତ୍ତି ପାଣ୍ଡିଆନ ନେଉଛନ୍ତି। ନିର୍ବାଚନ ପୂର୍ବରୁ ସେ ଯେଉଁ ନିର୍ଦ୍ଦିଷ୍ଟ ନେତାମାନଙ୍କୁ ନେଇ ଦଳର ପରିଚାଳନା କରୁଥିଲେ, ଏବେ ଠିକ୍ ସେହି ଧାରା ଆରମ୍ଭ ହୋଇଛି। ବିଜେଡି ସରକାର ସମୟରେ ବିପୁଳ କ୍ଷମତା ଉପଭୋଗ କରିଥିବା ପୂରା ଗୋଷ୍ଠୀ ନିର୍ବାଚନୀ ବିପର୍ଯ୍ୟୟର ନୈତିକ ଦାୟିତ୍ବ ମୁଣ୍ଡାଇବା ପରିବର୍ତ୍ତେ ପୁଣିଥରେ ଦଳକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ପ୍ରାୟତଃ ସକ୍ଷମ ହୋଇଛନ୍ତି। କଥାଟି ସେତିକିରେ ଅଟକି ନାହିଁ।

ସାମାଜିକ ଗଣମାଧ୍ୟମରେ ପାଣ୍ଡିଆନଙ୍କର ଭାବମୂର୍ତ୍ତି ବନାଇବା ପାଇଁ ଉଦ୍ୟମ ଚାଲିଛି। ବିଜେଡିର ଗୋଟିଏ ଟିମ୍ ଏହି କାମରେ ନିୟୋଜିତ ହୋଇଛନ୍ତି। ଭି କେ ପାଣ୍ଡିଆନ୍ ଫ୍ୟାନ୍ କ୍ଲବ୍ ନାମରେ ଏକ ଆକାଉଣ୍ଟ୍ ସାମାଜିକ ଗଣମାଧ୍ୟମରେ ରହିଛି। ପୂର୍ବ ସରକାର ସମୟରେ ହୋଇଥିବା କିଛି ବଡ଼ ପ୍ରକଳ୍ପ ଓ କିଛି ସଫଳ କାହାଣୀର ଫଟୋ ଓ ଭିଡିଓ ଏଥିରେ ପୋଷ୍ଟ କରାଯାଉଛି। ‘ନବୀନ-ପାଣ୍ଡିଆନ୍ ଯୁଗ’ରେ ଏସବୁ ସମ୍ଭବ ହୋଇଥିଲା ବୋଲି ଦର୍ଶାଯାଉଛି। ଅର୍ଥାତ୍ ପୂର୍ବ ସରକାରର କୌଣସି ସଫଳତାର ଶ୍ରେୟ କେବଳ ନବୀନଙ୍କୁ ଦେବାକୁ ଏହି ଗୋଷ୍ଠୀ ନାରାଜ। ପୁଣି ଥରେ ପାଣ୍ଡିଆନଙ୍କୁ ମହାନାୟକ ଭାବେ ଉପସ୍ଥାପିତ କରିବାକୁ ଏହି ଗୋଷ୍ଠୀ ବେଶ୍ ସକ୍ରିୟ ହୋଇପଡ଼ିଛନ୍ତି। ବିଜେଡିର ବହୁ ଯୁବ ଓ ଛାତ୍ର ନେତା ଏହାକୁ ସେୟାର କରୁଥିବା ଦେଖିବାକୁ ମିଳୁଛି।

ଏହାକୁ ନେଇ ଦଳ ଭିତରେ ଯୋଉ ଅସନ୍ତୋଷ ଥିଲା ତାହା ପ୍ରାୟତଃ କମି କମି ଆସିଲାଣି.ଯାହା ବର୍ତମାନ ଗାଁ ମଫସଲ ନେତା କର୍ମୀ ମାନଙ୍କ ମଧ୍ୟରେ ପାଣ୍ଡିଆନ ଙ୍କୁ ଖୋଜିବାକୁ ତଳ ସ୍ତରୀୟ କର୍ମୀ ଚାହିଁଲେଣି । କିଛି ନେତା ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଗତ ନିର୍ବାଚନରେ ଏସବୁ କାର୍ଯ୍ୟର ପରାଭବ ଭୋଗିବାକୁ ପଡ଼ିଲା। ବିଜେଡି ମାଟି କାମୁଡ଼ିଲା। ନବୀନଙ୍କ ନାମରେ ଭୋଟ୍ ଅଛି ବୋଲି ସମସ୍ତେ ଜାଣୁଥିଲେ ହେଁ ଜବରଦସ୍ତ ପାଣ୍ଡିଆନଙ୍କୁ ତାଙ୍କ ସହ ଯୋଡ଼ି ସବୁ କାମର ଶ୍ରେୟ ଦେବାକୁ ସେତେବେଳେ ଉଦ୍ୟମ କରାଗଲା। ସେଥି ପାଇଁ ହିଁ ବିଜେଡି ବିରୋଧରେ ବିଜେପିର ଓଡ଼ିଆ ଅସ୍ମିତା ନାରା ଲୋକଙ୍କୁ ଛୁଇଁଗଲା। ଏମିତିରେ ବି ଯେତେବେଳେ ରାଜ୍ୟରେ ଯେଉଁ ଭଲ କାମ ହୁଏ, ତାହାର ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ଯିବା ସ୍ବାଭାବିକ। କିନ୍ତୁ ସେଥିରେ ପାଣ୍ଡିଆନଙ୍କ ନାମ ଯୋଡ଼ି ବିଜେଡିର ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦଳକୁ ତଳିତଳାନ୍ତ କରିଦେଲେ ବୋଲି ଯାହା କହିଥିଲେ ଆଉ ସେପରି କିଛି ଶୁଣାଯାଉନି । ନବୀନ-ପାଣ୍ଡିଆନ ଯୁଗର ସଫଳତାକୁ ବଖାଣି ନବୀନଙ୍କ ଗୁରୁତ୍ବ ବଢାଇବା ପ୍ରୟାସ ଆରମ୍ଭ କରାଯାଉଛି ବୋଲି ମତପ୍ରକାଶ ପାଉଛି। ତାଙ୍କ ନାମରେ ଫ୍ୟାନ୍ କ୍ଲବ ଚାଲିଛି, ସେ ସଂପର୍କରେ ପାଣ୍ଡିଆନ ଯେ ଜାଣି ନଥିବେ, ଏକଥା ଦଳୀୟ ନେତା ବିଶ୍ବାସ କରିବାକୁ ନାରାଜ। କାରଣ ବେଶ୍ ଯୋଜନାବଦ୍ଧ ଭାବେ ବିଭିନ୍ନ ଫଟୋ ଓ ଭିଡିଓଗୁଡ଼ିକୁ ନିୟମିତ ଭାବେ ଏଥିରେ ପୋଷ୍ଟ କରାଯାଉଛି। ହେଲେ କମେଣ୍ଟ ବକ୍ସରେ ଲୋକଙ୍କ ପ୍ରତିକ୍ରିୟାର ଧାରା ଭିନ୍ନ।

ଅନ୍ୟପଟରେ ପୁଣି ଥରେ ପାଣ୍ଡିଆନଙ୍କୁ ସବୁ ସମର୍ପି ଦେଇ ନବୀନ କି ବାର୍ତ୍ତା ଦେବାକୁ ଚାହୁଛନ୍ତି, ତାହା ବି ଦଳୀୟ ନେତାଙ୍କ ପାଇଁ ଅବୁଝା ରହିଛି। ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ ହେଉଛି, ଏହା ସମସ୍ତେ ଭଲ ଭାବେ ଜାଣନ୍ତି ଯେ ସର୍ବସାଧାରଣରେ ପାଣ୍ଡିଆନଙ୍କୁ ନେତା ଭାବେ କେହି ଗ୍ରହଣ କରିନାହାନ୍ତି। ତାଙ୍କରି ଯୋଗୁ ହିଁ ବିଜେଡି ଅପ୍ରତ୍ୟାଶିତ ପରାଜୟର ସାମ୍ନା କଲା। ପରବର୍ତ୍ତୀ ସମୟରେ ପାଣ୍ଡିଆନଙ୍କ ଦୁଇ ଘନିଷ୍ଠ ସହଯୋଗୀ କେନ୍ଦ୍ରୀୟ ଡେପୁଟେସନରେ ଯିବା ଏବଂ ଦୁଇ ଜଣ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିକୁ ଯିବା; ଉଭୟ ଘଟଣା ସନ୍ଦେହମୁକ୍ତ ନୁହେଁ। କେନ୍ଦ୍ର ସହିତ ସଂପର୍କ ପ୍ରସଙ୍ଗକୁ ନେଇ ଆଲୋଚନା ଥମିନି। ଠିକ୍ ଏମିତି ସମୟରେ ଦଳରେ ପାଣ୍ଡିଆନଙ୍କ ଦବ୍‌ଦବା ବୃଦ୍ଧି ବିଜେଡିକୁ ସଶକ୍ତ କରିବ ନା ବିଜେପିକୁ କ୍ଷେତ୍ର ପ୍ରସାର ପାଇଁ ସୁଯୋଗ ଦେବ, ତାହା ଉପରେ ନଜର ରହିଛି।

Related Post

Leave a Reply

Your email address will not be published. Required fields are marked *

You Missed