କିଏ ଏହି ୪ ସର୍ବକନିଷ୍ଠ ସାଂସଦ ?୨୫ ବର୍ଷରେ ଯିବେ ଲୋକସଭା
୪ ସର୍ବକନିଷ୍ଠ ସାଂସଦ। ମାତ୍ର ୨୫ ବର୍ଷ ବୟସରେ ଯିବେ ଲୋକସଭା । ଚଳିତ ନିର୍ବାଚନରେ ଏମାନେ ବାଜିମାତ କରିବା ସହ ସର୍ବକନିଷ୍ଠ ସାଂସଦ ହେବାର ରେକର୍ଡ କରିଛନ୍ତି ।
ସଂଜନା ଜାତଭ,ରାଜସ୍ଥାନର ଭରତପୁର ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି । ୨୫ ବର୍ଷୀୟ ଏହି ଯୁବତୀ କଂଗ୍ରେସ ଟିକେଟରୁ ଲଢି ବିଜେପିର ରାମସ୍ବରୂପ କୋଲିଙ୍କୁ ୫୧ ହଜାର ୯୮୩ଟି ଭୋଟ୍ରେ ହରାଇଛନ୍ତି । ସଂଜନା ୨୦୨୩ରେ ବିଧାନସଭା ନିର୍ବାଚନ ଲଢିଥିଲେ । କିନ୍ତୁ ବିଜେପିର ରମେଶ ଖେଡିଙ୍କ ଠାରୁ ମାତ୍ର ୪୦୯ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ । ସେ ରାଜସ୍ଥାନ ପୋଲିସର କନେଷ୍ଟବଳ ଭାବରେ କାମ କରୁଥିବା କପତାନ ସିଂଙ୍କୁ ମ୍ୟାରେଜ କରିଛନ୍ତି ।
ବିଜେପି ସାଂସଦ ଭୋଳାନାଥଙ୍କ ବିପକ୍ଷରେ ସମାଜବାଦୀ ପାର୍ଟି ଟିକେଟରୁ ଲଢି ବିଜୟର ବାନା ଉଡାଇଛନ୍ତି ପ୍ରିୟା ସରୋଜ । ଚଳିତ ଥର ମଚ୍ଛିଲସର ଆସନରେ ଚମତ୍କାର ପ୍ରଦର୍ଶନ କରି ଭୋଳାନାଥଙ୍କୁ ମାତ୍ ଦେଇଛନ୍ତି ପ୍ରିୟା । ପ୍ରିୟା ୩ଥରର ସାଂସଦ ତୋଫାନି ସରୋଜଙ୍କ ଝିଅ । ଶମ୍ଭାବୀ ଚୌଧୁରୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କ୍ୟାବିନେଟ୍ରେ ଥିବା ଅଶୋକ ଚୌଧୁରୀଙ୍କ ଝିଅ । ସେ ସମସ୍ତିପୁର ଲୋକସଭା ଆସନରେ ଏଲ୍ଜେପି ପ୍ରାର୍ଥୀ ଭାବରେ କଂଗ୍ରେସର ସନ୍ନି ହାଜାରିଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି । ସନ୍ନି ହେଉଛନ୍ତି ଜେଡିୟୁ ମନ୍ତ୍ରୀ ମହେଶ୍ବର ହଜାରିଙ୍କ ପୁଅ । ତେବେ ରାଜନୈତିକ ମତପାର୍ଥକ୍ୟ ପାଇଁ ମହେଶ୍ବର ପୁଅ ପାଇଁ ପ୍ରଚାର କରିନଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏନ୍ଡିଏର ସର୍ବକନିଷ୍ଠ ସାଂସଦ ପ୍ରାର୍ଥୀ ଶମ୍ଭାବୀଙ୍କୁ ପ୍ରଶଂସା କରିଥିଲେ ।
ସେହିପରି ପୁଷ୍ପେନ୍ଦ୍ର ସରୋଜ,ବିଜେପି ଦଖଲରେ ଥିବା ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ କୌଶମ୍ଭୀ ସିଟ୍ରୁ ପୁଷ୍ପେନ୍ଦ୍ର ସପା ଟିକେଟରେ ନିର୍ବାଚନ ଲଢିଥିଲେ । ବିଜେପି ସାଂସଦ ବିନୋଦ କୁମାରଙ୍କୁ ୧ ଲକ୍ଷ ୩ହଜାର ୯୪୪ ଭୋଟ୍ରେ ହରାଇଛନ୍ତି । ୟୁପିର ୫ ଥରର ବିଧାୟକ ଇନ୍ଦ୍ରଜିତ ସରୋଜଙ୍କ ପୁଅ ପୁଷ୍ପେନ୍ଦ୍ର ।