Spread the love

ଆମର ପର୍ବପର୍ବାଣୀ ବାସନ୍ତୀକ ନବରାତ୍ର
ଦିବସ- ଚୈତ୍ର ଶୁକ୍ଳ ପ୍ରତିପଦ

ଦୁର୍ଗତି ନାଶ କରନ୍ତି ବୋଲି ମା’ ଆଦ୍ୟାଶକ୍ତିଙ୍କୁ ଦୁର୍ଗା କୁହାଯାଏ। ଏ ଦୁର୍ଗତି ଦଶ ପ୍ରକାର ଯାହାକୁ ଦଶପାପ ବା ଦଶଦୋଷ ବୋଲି କୁହାଯାଏ। ଏସବୁ ହେଲା ଚୋରୀ, ହିଂସା, ପରନାରୀ ସମ୍ଭୋଗ, ନିଷ୍ଠୁର ବାକ୍ୟ ପ୍ରୟୋଗ, ଅସତ୍ୟ କଥନ, କପଟାଚରଣ, ଅସମ୍ବନ୍ଧୀ ପ୍ରଳାପ, ପରର ଅନିଷ୍ଠ ଚିନ୍ତା ଏବଂ ମିଥ୍ୟା ବା ମନ୍ଦ ଅଭିପ୍ରାୟ, ବିଷୟକ ଚିନ୍ତା। ମା’ ଏସବୁ ହରନ୍ତି ବୋଲି ତାଙ୍କୁ ଦଶହରା ବୋଲି କୁହନ୍ତି। ଆଶ୍ୱିନ ମାସରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ଓ ଚୈତ୍ର ମାସରେ ବାସନ୍ତୀ ଦୁର୍ଗୋତ୍ସବ ପାଳିତ ହୁଏ।
ବାସନ୍ତୀ ଦୁର୍ଗାପୂଜା ବୈଦିକ ଏବଂ ବହୁ ପୁରାତନ। ଏହା ହିଁ ଆଦ୍ୟଶକ୍ତିର ବାସ୍ତବ ପୂଜାଦିବସ। ‘ଦୁର୍ଗା, ମଧ୍ୟ ସମର ବା ସାମରିକ ଦେବୀ ରୂପେ ପୂଜିତା। ଭାରତୀୟ ପରମ୍ପରା ସମରାଭ୍ୟାସ ବା ସମର ଗମନ ପୂର୍ବରୁ ତାଙ୍କୁ ପୂଜନ କରାଯାଇ ଆସୁଛି। ଏଣୁ ରାମଚନ୍ଦ୍ର ଏହି ପରମ୍ପରାକୁ ଅନୁସରଣ କରି ଲଙ୍କାଗମନ ପୂର୍ବରୁ ଏ ସମର ଦେବୀଙ୍କୁ ପୂଜା କରିଥିଲେ ଚୈତ୍ର ଶୁକ୍ଲ ଦଶମୀ ଦିନ।
ହିନ୍ଦୁ ଧର୍ମରେ ବାର ମାସରେ ତେର ପର୍ବ ପାଳନ କରାଯାଏ | ସେଥିମଧ୍ୟରୁ ମା ଦୁର୍ଗା ନବରାତ୍ରି ପୂଜା ସବୁଠୁ ଭିନ୍ନ ଆଉ ନିଆରା | ଏହି ନବରାତ୍ରିକୁ ବାସନ୍ତିକ ନବରାତ୍ର ବା ଚୈତ୍ର ନବରାତ୍ର କୁହାଯାଏ। ଏହା ସାଧାରଣତଃ ମାର୍ଚ୍ଚ ବା ଏପ୍ରିଲ୍ ମାସରେ ପାଳନ କରାଯାଏ। ନବରାତ୍ରୀ ଅବସରରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଏ। ନବରାତ୍ରୀର ନଅ ଦିନ ପାଇଁ ଦେବୀ ଦୁର୍ଗାଙ୍କର ନଅ ପ୍ରକାର ପୂଜା ହୋଇଥାଏ। ମାତା ଦେବୀଙ୍କୁ ଖୁସି କରିବା ପାଇଁ ଅନେକ ଲୋକ ମଧ୍ୟ ନବରାତ୍ରୀ ସମୟରେ ଉପବାସ ପାଳନ କରନ୍ତି। ଭାରତ ବ୍ୟତୀତ ଏହା ନେପାଳରେ ମଧ୍ୟ ପାଳନ କରାଯାଏ।
ହିନ୍ଦୁ ଧର୍ମରେ ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ବସନ୍ତ ଓ ଶରତ ଋତୁରେ ଦେବୀଙ୍କୁ ଆରାଧନା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା କରାଯାଏ। ଗୋଟିଏ ବର୍ଷରେ ଚୈତ୍ର, ଆଷାଢ, ଅଶ୍ୱିନ୍ ଏବଂ ମାଘରେ ଚାରିଟି ନବରାତ୍ର ପାଳନ କରାଯାଏ। କିନ୍ତୁ, ଏସବୁ ମଧ୍ୟରେ ଚୈତ୍ର ଏବଂ ଅଶ୍ୱିନ ନବରାତ୍ରୀ ପ୍ରମୁଖ। ତେବେ ଆସନ୍ତୁ ଜାଣିନେବା ଏହି ନବଦୁର୍ଗାଙ୍କ ମହତ୍ୱ ବିଷୟରେ।
ଶୈଳପୁତ୍ରୀ:
ନବରାତ୍ରିର ପ୍ରଥମ ଦିନରେ ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ। ପୌରାଣିକ ମତର ପର୍ବତରାଜ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନାରେ ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ। ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି।
ବ୍ରହ୍ମଚାରିଣୀ:
ନବରାତ୍ରର ଦ୍ୱିତୀୟ ଦିବସରେ ବ୍ରହ୍ମଚାରିଣୀ ସ୍ୱରୂପରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମା’ଙ୍କର ଅନ୍ୟ ଦୁଇ ନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ। ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ। ଏହିଦିନ ସ୍ୱାଧିଷ୍ଠାନ ଚକ୍ରରେ ଧ୍ୟାନ ରଖି ଆରାଧନା କରାଯାଏ।
ଚନ୍ଦ୍ରଘଣ୍ଟା:
ଦେବୀ ଚନ୍ଦ୍ରଘଣ୍ଟା ନବରାତ୍ରର ତୃତୀୟ ଦିନରେ ପୂଜା ପାଆନ୍ତି। ଏହା ଦେବୀଙ୍କ ଉଗ୍ରରୂପ ହୋଇଥାଏ । ଦେବୀ ଦଶଭୂଜା ନେଇ ବ୍ୟାଘ୍ର କିମ୍ବା ସିଂହ ଉପରେ ବିରାଜମାନ ହୋଇଥାନ୍ତି। ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ ହୋଇଥାଏ। ଏହିଦିନ ମଣିପୁର ଚକ୍ରରେ ଧ୍ୟାନ ରଖି ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କୁ ଆରାଧନା କରାଯାଏ।
କୁଷ୍ମାଣ୍ଡା:
ପୌରାଣିକ ମତରେ ଦେବୀଙ୍କ ହସରୁ ଏ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି ହୋଇଥିଲା । ଏହି ରୂପରେ ଦେବୀ ଅଷ୍ଟଭୂଜା ହୋଇ ହାତରେ କମଣ୍ଡଳୁ, ଧନୁ, ପଦ୍ମ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି। ନବରାତ୍ରର ଚତୁର୍ଥ ଦିନରେ ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ରଖି କୁଷ୍ମାଣ୍ଡା ଦେବୀଙ୍କୁ ଆରାଧନା କରିଥାନ୍ତି।
ସ୍କନ୍ଦମାତା:
ନବରାତ୍ରର ପଞ୍ଚମ ଦିନରେ ଦେବୀଙ୍କୁ ସ୍କନ୍ଦମାତା ସ୍ୱରୂପରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମା’ ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ଦେବୀ ଚତୁର୍ଭୂଜା ରୂପ ଧାରଣ କରି ସିଂହ ଉପରେ ବିରାଜମାନ ହୋଇଥାନ୍ତି। ଏହି ରୂପରେ ମା’ ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି। ଏହି ଦିନ ବିଶୁଦ୍ଧି ଚକ୍ରରେ ଧ୍ୟାନ କଲେ ଶୁଭ ଫଳ ମିଳିଥାଏ ବୋଲି କୁହାଯାଏ।
କାତ୍ୟାୟନୀ:
ନବରାତ୍ରର ଷଷ୍ଠ ଦିବସରେ ଦେବୀଙ୍କୁ କାତ୍ୟାୟନୀ ରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ ରହିଥିଲା। ଭଗବାନ କୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ତେଣୁ ବିବାହ ହୋଇପାରୁ ନ ଥିବା କନ୍ୟାମାନେ ଏହି ଦିନ ଆଜ୍ଞାଚକ୍ରକୁ ଧ୍ୟାନ କରି ଦେବୀ ଉପାସନା କଲେ ଉତ୍ତମ ପତି ମିଳିଯାଆନ୍ତି ବୋଲି ବିଶ୍ୱାସ ରହିଛି।
କାଳରାତ୍ରୀ:
ନବରାତ୍ରର ସପ୍ତମ ଦିନରେ ଦେବୀଙ୍କୁ କାଳରାତ୍ରୀ ରୂପେ ପୂଜା କରାଯାଏ। ଏହା ଦେବୀଙ୍କ ବିକଟାଳ ରୂପ। ଏହି ରୂପରେ ଦେବୀଙ୍କ ତିନି ଆଖି, ଶରୀରର ରଙ୍ଗ ଅନ୍ଧକାର ଭଳି ଗାଢ଼ କଳା, ଚତୁର୍ଭୁଜା ଦେବୀ ଗଧ ଉପରେ ବସି ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି। ଏହି ଦିନ ଭକ୍ତମାନେ ଦେବୀଙ୍କୁ ବିନ୍ଦୁ ଚକ୍ରରେ ଧ୍ୟାନ ରଖି ଆରାଧନା କରିଥାନ୍ତି।
ମହାଗୌରୀ:
ନବରାତ୍ରର ଅଷ୍ଟମ ଦିବସରେ ଦେବୀଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ରଙ୍ଗ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି। ଧ୍ୟାନ ପାଇଁ ସହସ୍ରାହାର ଚକ୍ରର ବ୍ୟବହାର କରାଯାଏ।
ସିଦ୍ଧିଦାତ୍ରୀ:
ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ର ସମ୍ପୂର୍ଣ୍ଣ ହୋଇଥାଏ।

@Skm

Related Post

Leave a Reply

Your email address will not be published. Required fields are marked *

You Missed