Spread the love


କାହାଣୀ କ୍ରମିକ ସଂଖ୍ୟା : ୧୫୧୦୩

“କଅଣ…ତମକୁ ଏକୁଟିଆ ଏକୁଟିଆ ଲାଗୁଛି ଏଇଠି ନା ଡର ଲାଗୁଛି..”
ବୃଦ୍ଧ ଶାନ୍ତନୁ ବାବୁଙ୍କ ପ୍ରଶ୍ନ ରେ ଶାନ୍ତି ଦେବୀ କହିଲେ……

“ନାଇଁ ଡର ଲାଗୁନି କି ଏକୁଟିଆ ଲାଗୁନି…..ଥକ୍କା ଥକ୍କା ଲାଗୁଛି….

ବହୁତ ଆଗକୁ ଚାଲି ଆସିଲେଣି……ପିଲାଦିନୁ ବାପା ମାଆ ଭାଇ ଭଉଣି ସାଇ ପଡିଶା ବନ୍ଧୁବାନ୍ଧବ ଆଉ ସାଙ୍ଗ ସାଥି ଏଇମାନଙ୍କ ଗହଣରେ କଟିଗଲା…..ତାପରେ ଶାଶୁ ଶ୍ୱଶୁର ଦିଅର ଦେଢଶୁର ଜା ପୁତୁରା ଝିଆରୀ ବନ୍ଧୁବାନ୍ଧବ….ସହର କୁ ଆସି ଆମ ପିଲା ମାନେ ନୂଆ ସାଙ୍ଗ ନୂଆ ବନ୍ଧୁ ପିଲାଙ୍କ ସ୍କୁଲ କଲେଜ ଘରର ଜଞ୍ଜାଳ ଇତ୍ୟାଦି….ତାପରେ ପିଲା ମାନଙ୍କ ବାହାଚୁଡ଼ା ପୁଣି ନୂଆ ବନ୍ଧୁ ନୂଆ କୁଣିଆ ମଇତ୍ର ନୂଆ ଘର ……ସବୁ ସରିଗଲା……ଆଉ କିଛି ବାକି ନାହିଁ….ଆମେ ବଞ୍ଚି ଥାଉ ଥାଉ ପିଲାମାନେ ମଧ୍ୟ ସେମାନଙ୍କର ପ୍ରାୟ ସବୁ ଦାୟିତ୍ଵ ତୁଟେଇ ସାରିଲେଣି….ନିଜ ନିଜର ଆଶ୍ରୟ କରି ସେମାନଙ୍କ ପରିଧି ବଢ଼େଇବାରେ ଲାଗିଲେ ପିଲାମାନେ….
ଆମ ମୁଣ୍ଡରେ ଆଉ କୌଣସି ପ୍ରକାରର ଦାୟିତ୍ଵ ନାହିଁ….କେତେ କଥା ସବୁ ପଛରେ ଛାଡ଼ି ଆସିଲେ……

ସେଇ କଥା ମୁଁ ଭାବୁଛି…..କୁଆଡେ ସବୁ ଗଲା…..ପିଲାଦିନୁ ଏତେ ଜଣାଶୁଣା ମୁହଁ ମାନଙ୍କ ଗହଣରେ ବଢ଼ି ଆସିବା ବେଳେ ହଠାତ୍ ଜଣେ ଅଜଣା ଅଶୁଣା ଲୋକଟା ସାଙ୍ଗରେ ଏତେ ଦୂର ଆସିଗଲି କେମିତି…..
କୁଆଡେ ଗଲେ ସମସ୍ତେ……”ଶାନ୍ତି ଦେବୀଙ୍କ ଉତ୍ତର ରେ ଶାନ୍ତନୁ ବାବୁ କହିଲେ…

“…..ବୁଝିଲ… ବର୍ତ୍ତମାନର ପରିଧି ଭିତରେ ଅତୀତର ଅସ୍ତିତ୍ବ କୁ ଖୋଜିଲେ ଆମର ବାକିଥିବା ଜୀବନଟା ଆମକୁ ବୋଝ ଲାଗିବ….ସେ ସବୁ କିଛି ପଛରେ ଛାଡ଼ି ଆସିବା ବୋଲି ତ ଏଠିକି ଆସିଲେ…..ପୁଣି କାହିଁ ସେ କଥା ଭାଳି ହଉଛ…. ମୁଁ ଆସିଲି ତମ ଜୀବନରେ ଆଉ ତମେ ଆସିଲ ମିଶିକି ଆଉ ଏକ ନୂଆ ପରିବାରର କଳେବର ବଢେଇବାକୁ।…..ପରିବାର ବଢିଲା…ନୂଆ ନୂଆ ଅତିଥି ଆସିଲେ, କୋଳାହଳ ବଢିଲା ।ଆମେ ଯେତିକି କରିବା କଥା ସେତିକି ଯତ୍ନ କଲେ ନିଜ ପରିବାରର ସୁରକ୍ଷା ଆଉ ସମୃଦ୍ଧି କୁ ଦୃଷ୍ଟିରେ ରଖି ।ଧୀରେ ଧୀରେ ଆମ ସଂସାର ସହ ଆଉରି ଅନେକ ସଂସାର ଯୋଡ଼ି ହୋଇ କଳେବର ଆଉରି ବଢି ବଢି ଚାଲିଲା ।ପୁରୁଣା ସମ୍ପର୍କ ଛିଡି ଛିଡି ଗଲା ନୂଆଁ ନୂଆଁ ବନ୍ଧୁ ଯୋଡ଼ିହେଇଗଲେ ।……..
ସବୁ ଠିକ୍ ହେଲା ଯେ……

ପିଲାମାନେ ଏବେ ନିଜେ ନିଜ ସଂସାର କଥା ବୁଝିବେ…..ନିଜ ନିଜର ନିଷ୍ପତ୍ତି ନେବେ…..କାହିଁକି ଆଉ ଆମେ ଆଉ ସେ ଭିତରେ ଘାଣ୍ଟି ହବା ବୋଲି ତ ଏଇଠି ଆସି ନିରୋଳା ରେ ରହିବା ବୋଲି ନିଷ୍ପତ୍ତି ନେଲେ….
ଆଉ ଏବେ କାହିଁକି ଆଉ ଭାବପ୍ରବଣ ହେଉଛ।”

“…. ମୁଁ ଭାବପ୍ରବଣ ହେଉନି ଶରୀର ଟା ବୁଢ଼ା ହେବା ସାଙ୍ଗକୁ ମନଟା ବି କାହିଁ ବୁଢ଼ା ହଉନି ସେଇ କଥା ଭାବୁଛି ।” ବନ୍ଧା ବନ୍ଧି କରି ଆଣିଥିବା ସବୁ ଜିନିଷ ପତ୍ରକୁ ନୂଆଁ ଘରେ ସଜାଡି ରଖିବା ଭିତରେ ଶାନ୍ତି ଦେବୀ କହୁଥିଲେ ।
ଏ ସହର ତାଙ୍କ ପାଇଁ ଅପରିଚିତ ନୁହେଁ କିନ୍ତୁ ରହିବା ପାଇଁ ଯେଉଁ ଜାଗାରେ ଘର ଖଣ୍ଡିଏ ମିଳିଲା ସେ ଅଞ୍ଚଳ ଓ ପାରିପାର୍ଶ୍ବିକ ପରିସ୍ଥିତି ଶାନ୍ତନୁ ବାବୁ ଓ ଶାନ୍ତି ଦେବୀଙ୍କ ପାଇଁ ସମ୍ପୂର୍ଣ ନୂଆ ଓ ଅଜଣା ଥିଲା।

ପୁରୀ ନରେନ୍ଦ୍ର ପୋଖରୀ କୋଣରୁ ଯେଉଁ ରାସ୍ତାଟି ବ୍ରହ୍ମଗିରି ଆଡ଼କୁ ଯାଇଛି ସେଇ ରାସ୍ତାର କିଛି ଦୂରରେ ଗୋଟେ ନୂଆକରି ଗଢ଼ିଉଠିଥିବା ପଡ଼ା ଭିତରେ ମଝା ମଝି ଥିଲା ତାଙ୍କ ଘରଟି……..ଗ୍ରିଲ ଆବଦ୍ଧ ବାରଣ୍ଡା ସହିତ ଗୋଟେ ବଡ଼ ଶୋଇବା ଘର ସାଙ୍ଗକୁ ଗାଧୁଆ ଘର ପାଇଖାନା ଓ ରୋଷେଇ ଘର ଥିଲା ସେଇ ଆବାସ ରେ ।

ଶାନ୍ତି ଦେବୀଙ୍କ ପ୍ରିୟ ବାଡି ବଗିଚା ପାଇଁ ନିଜର ଛୋଟ ଜାଗା ଖଣ୍ଡିଏ ବି ଥିଲା ।

ଚାକିରିରୁ ଅବସର ନେଲାପରେ ନିଜର ପୈତୃକ ଜାଗା ଉପରେ ନିଜର ଘର ତୋଳି ରହିଲା ପରେ ପିଲାମାନଙ୍କ ବାହା ପୂଆଣି ଇତ୍ୟାଦି ସବୁ ଦାୟିତ୍ଵ ତୁଲେଇ ସାରି ସ୍ଵାମୀ ସ୍ତ୍ରୀ ଦୁଇ ପ୍ରାଣୀ ଏବେ କିଛି ଦିନ ହବ ଏକାହିଁ
ରହି ଆସୁଥିଲେ ତାଙ୍କ ଘରେ ।

ଦୁଇ ପୁଅ ଜଣେ ଝିଅ, ସମସ୍ତେ ନିଜ ନିଜ ପରିବାର ସହ ଓଡ଼ିଶା ବାହାର ରାଜ୍ୟ ମାନଙ୍କରେ ଅବସ୍ଥାପିତ । ଯେତେ ବେଳେ ଭଡ଼ାଘରେ ରହୁଥିଲେ ପ୍ରାୟ ସମୟରେ ବାପା ମାଆଙ୍କ ପାଖକୁ ନିଜ ପରିବାର ସହ ଆସୁଥିଲେ…..
ସେମାନେ ସେମାନଙ୍କ ନିଜ ନିଜ ଘର କିଣି ସାରିଲା ପରେ ଯିବା ଆସିବା ପ୍ରାୟ ବନ୍ଦ ହେଇଗଲାଣି……..ଶାନ୍ତନୁ ବାବୁବି ଆଉ ବେଶି ପିଲାମାନଙ୍କ ପାଖକୁ ଏତେ ଏତେ ଦୂର ବେଶି ଯିବା ଆସିବା କରିପାରୁନଥିଲେ ।

ପଡିଶା ଘରେ ରହୁଥିବା ନିଜର ବଡ ଭାଇ ଓ ସାନ ଭାଇ ମାନଙ୍କ ପିଲା ମାନେ ମଧ୍ୟ ବାହାରେ ରୁହନ୍ତି କିନ୍ତୁ ପ୍ରାୟ ସମୟରେ ବାପା ମାଆ ଙ୍କ ପାଖକୁ ଆସି ଗହଳି ଚହଳି କରି ଯାଆନ୍ତି ।

“ତମେତ ଆଗରୁ ଏମିତି ନଥିଲ…..ଏବେ କାହିଁକି ଏମିତି ହଉଛ….କାହାର ଟିକେ ଖୁସି ଦେଖିଲେ କାହିଁକି ଏତେ ଅସହିଷ୍ଣୁ ହେଇଯାଉଛ……ଆମ ପିଲା ମାନେ ତ ସେମାନଙ୍କ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଥାଉଛନ୍ତି ତମକୁ ଖୁସିରେ ରଖିବାକୁ ତଥାପି ତମେ କାହିଁକି ସେମାନଙ୍କ ଉପରେ ଅଶାନ୍ତି ହଉଥାଉଛ…।”

ନିଜ ଘରେ ଥିବା ବେଳେ ଥରେ ଏକ ଅଶାନ୍ତ ମୁହୂର୍ତ୍ତରେ ଶାନ୍ତି ଦେବୀ ପଚାରିଥିଲେ ଶାନ୍ତନୁ ବାବୁଙ୍କୁ ।

“ନାଇଁ… ମୁଁ ଅନ୍ୟମାନଙ୍କ ଖୁସି ରେ ଅଶାନ୍ତି ହଉନି ବରଂ ଜୀବନର ସବୁ ମୂଲ୍ୟବାନ ସମୟ ଗୁଡାକ ଚାଲିଗଲା ପରେ ଏବେ ଭାବୁଛି ସେ ସମୟ ଗୁଡାକ କେମିତି ଶସ୍ତାରେ ଶସ୍ତାରେ ଖର୍ଚ୍ଚ କରିଦେଲି…….ନିଜ ଉପରେ ନିଜେ ମୁଁ ଅଶାନ୍ତି ହଉଛି, ଆଉ କିଛି ନୁହେଁ ।…..”ଶାନ୍ତନୁ ବାବୁ କିଛି ସମୟ ନିରବ ରହି ପୁଣି କହିଲେ….

“ପିଲା ମାନଙ୍କର ନିଜ ନିଜ ସଂସାରର ଜଞ୍ଜାଳ ଭିତରେ ଘାଣ୍ଟି ହବା ଆରମ୍ଭ ହେଇଗଲାଣି…ଆମ ମାନଙ୍କୁ ଆଉ ସମୟ ବି ଦେଇ ପାରୁ ନାହାଁନ୍ତି।ସେମାନେ ନିଜ ନିଜର ନୂଆ ବନ୍ଧୁ ମାନଙ୍କୁ ଅଧିକ ସମୟ ଦେବାଟାକୁ ଅଧିକ ଶ୍ରେୟ ଦେଉଛନ୍ତି ବୋଲି ଆମ ଦୁଇ ଜଣଙ୍କ ଦୃଢ଼ ଧାରଣା ହେଇ ଆସିଲାଣି…ଯଦିଓ ଆମକୁ ପ୍ରକୃତ ସତ୍ୟାସତ୍ୟ ଜଣା ନାହିଁ । ଭାଇ ମାନଙ୍କ ସାଙ୍ଗରେ ଉପରେ ଉପରେ ଭଲ ସମ୍ପର୍କ ଥିଲେ ମଧ୍ୟ ଭିତରେ ଭିତରେ କିଛି ନା କିଛି କଥାରେ ଅସହିଷ୍ଣୁତା ଓ ଅଶାନ୍ତି ର ଅନ୍ତଃସ୍ତ୍ରୋତ୍ର ପ୍ରବାହିତ ହେଇ ଥାଉଛି ।…..

ତେଣୁ ମୁଁ ଭାବୁଛି ଗୋଟେ ନୂଆଁ ପରିବେଶରେ ନୂଆଁ ସଂସାର ଆରମ୍ଭ କରିବା…… ଏ ସବୁ ଦୟତ୍ଵ ରୁ ମୁକ୍ତ ହେଇ ବାକି ଥିବା ଅଳ୍ପ କିଛି ଜୀବନ ନୂଆ କରି ଆରମ୍ଭ କରିବା……….ମୁଁ ଗୋଟେ ଘର ଠିକ୍ କରିଛି, ଚାଲି ଯିବା ସେଠିକି…. ଏଯାଏଁ ବହୁତ୍ କିଛି ଦେଖିଲେଣି…ଆଉରି କିଛି ଆଗକୁ ଦେଖିବା ।କଅଣ କହୁଛ…”

ନିଜ ଘରୁ ବାହାରି ଆସିବା ବେଳକୁ ଯାହାବି କିଛି ଆସବାବ ପତ୍ର ଘରୁ ଧରି ଆସିଥିଲେ ତା ସହିତ ନିଜର କାରଟିକୁ ମଧ୍ୟ ନିଜେ ଚଲେଇ ନେଇ ଆସିଥିଲେ । ପ୍ରଥମ ଦିନାକେତେ କାର୍ ନେଇ ଶ୍ରୀ ମନ୍ଦିର ଯାଇ ଦର୍ଶନ କରିଆସିବା ପରେ ଧିରେ ଧିରେ ପ୍ରାୟ ଦିନ ସନ୍ଧ୍ୟା ବେଳେ ଟିକେ ଦୂର ପଡ଼ିଲେବି ସମୁଦ୍ର କୂଳରେ ଢେର ସମୟ କାଟୁଥିଲେ।

ଘରୁ ଆଣିଥିବା କିଛି ଫୁଲ କୁଣ୍ଡ ଓ ଫୁଲ ଗଛର ଯତ୍ନ ନେବାରେ ସମୟ କଟିଯାଉଥିଲା ଶାନ୍ତି ଦେବୀଙ୍କ…… ବେସ୍ କିଛି ଦିନ ଦୁଇ ପ୍ରାଣୀଙ୍କ ନରୋଳାରେ ଏକାଏକା କାଟିବା ପରେ ଧିରେ ଧିରେ କିଛି ସାଙ୍ଗ ସୁଖ କରିବା ଆରମ୍ଭ କଲେ।

ଯେତେ ଯାହାହେଲେ ସାମାଜିକ ପ୍ରାଣୀ ସେମାନେ…ସମାଜ ଭିତରେହିଁ ରହିବାକୁ ପଡିବ….ଖାଲି ନିଜର ପାରିବାରିକ ବନ୍ଧନ ଭିତରୁ ମୁକ୍ତ ହେବାକୁ ଚାହିଁଥିଲେ ।

ସେଇ ସାଇ ଭିତରେ କେତେ ପୁତୁରା ଝିଆରୀ ନାତି ନାତୁଣୀ ଭାଇ ଭାଇବୋହୁ ସମ୍ପର୍କ ଗଢ଼ି ଉଠିଲା ଅଳ୍ପ କିଛି ଦିନ ଭିତରେ ।

ଏପଟେ ନିଜର ପିଲା ମାନେ ମଧ୍ୟ ଅନେକଥର ଫୋନ୍ କରି ନିଜ ପାଖକୁ ଡାକୁଥିଲେ । ସମସ୍ତେ ସେ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଚିନ୍ତାରେ ଚିନ୍ତା ବ୍ୟକ୍ତ କରୁଥିଲେ। ସବୁ ପିଲାମାନଙ୍କୁ ଭଲରେ ଭଲରେ ବୁଝାସୁଝା କରି ନୂଆ ସମ୍ପର୍କର ଡୋରି ଭିତରେ ବାନ୍ଧି ହେଇ ରହିଗଲେ ସେଇ ନୂଆ ପରିବେଶରେ ।

ମଝିରେ ମଝିରେ ଶରୀର ଅସୁସ୍ଥତା ଦେଖାଦେଲେ ପ୍ରଥମେ ପ୍ରଥମେ ଦୁଇ ପ୍ରାଣୀ ନିଜେ ନିଜେ ଯାଇ ପୁରୀ ସହରର ଡାକ୍ତରଖାନା ରେ ଦେଖେଇ ଆସୁଥିଲେ ,ପଛକୁ ପଛ ସାଇପଡିଶାର ନୂଆ ବନ୍ଧୁ ବାନ୍ଧବ ମାନେ ସେବା ଶୁଶ୍ରୁଷା କରିବା ଆରମ୍ଭ କଲେ ।

ବାପା ମାଆଙ୍କ ଆକଟ ସତ୍ବେ ନିଜ ପିଲାମାନେ ମଝିରେ ମଝିରେ ଫୋନ୍ କରି ସେମାନଙ୍କ ପାଖକୁ ଯିବାକୁ ବହୁତ୍ ଚେଷ୍ଠା କଲେ କିନ୍ତୁ ଶାନ୍ତନୁ ବାବୁଙ୍କ କଡ଼ା ତାଗିଦା ଯୋଗୁ କେହି ଯିବା ପାଇଁ ସାହସ କରିପାରିଲେନି ।
ପାଖାପାଖି ବର୍ଷେ ଉପରେ ବିତିଯାଇଥିଲା ଏ ଭିତରେ ଶାନ୍ତନୁ ବାବୁଙ୍କ ସେଇ ନୂଆ ଘରେ….।

ଧୀରେ ଧୀରେ ନୂଆ ବନ୍ଧୁ ବାନ୍ଧବ ମାନଙ୍କ ସହିତ କିଛି କିଛି ମନୋମାଳିନ୍ୟ ହବା ଆରମ୍ଭ କରୁଥିବାରୁ ସ୍ବାମୀ ସ୍ତ୍ରୀ ଉଭୟଙ୍କ ମନ ପ୍ରାୟ ସମୟରେ ଟିକେ ଭଲ ରହୁନଥିଲା ।…..

“ବଡ଼ ଭାଇନାର ଦେହ ପା ଭଲରେ ଥିବ ତ….କେତେବେଳେ କେମିତି କଥା କଟାକଟି ହେଲେବି ଆଖି ଆଗରେ ସବୁଦିନ ତାକୁ ଦେଖୁଥିଲେ…କେତେ ବେଳେ କେମିତି ଭଲ ମନ୍ଦ କଥା ବାର୍ତ୍ତା ହେଉଥିଲି…ଅନେକ ଦିନ ହେଇଗଲା କିଛି ଖବର ଅନ୍ତର ନାହିଁତ ମନଟା କାହିଁ ଘାଣ୍ଟିଚକଟି ହଉଛି ।”
କିଛିଟା ଭାବ ପ୍ରବଣ ହେଇ ଶାନ୍ତି ଦେବୀଙ୍କୁ ଏତିକି କହି ମୁଁହ ତଳକୁ କରି ଚୁପ ଚାପ୍ ବସିରହିଲେ ଶାନ୍ତନୁ ବାବୁ ।

“…..ନାତି ନାତୁଣୀ ଗୁଡାକ ମନେ ପଡ଼ୁ ନାହାନ୍ତି!!!..କୋଉ ଅକାଳେ ସକାଳେ ଆସିଲେ ମଧ୍ୟ ,ଆସୁଥିଲେ ତ…..ମୋ ଫୁଲ ଗଛ ସବୁ ଶୁଖିଲା କାଠ ହେଇ ଯିବେଣି….କାମବାଲୀଟାକୁ କହିଥିଲି ମଝିରେ ମଝିରେ କେତେବେଳେ ପାଣି ପକେଇ ଦେଉଥିବାକୁ… ପକଉଥିବ କି ନାହିଁ କେଜାଣି…..

ଏଠିକି ଆସିକି ସେ କମଳା ର ଝିଅ ମାଳତୀ ର ବାହାଘର ପୁରା ତୁଲାଇଥିଲେ….ଖର୍ଚ୍ଚବାର୍ଚ୍ଚ ଆଉ ସ୍ନେହ ଆଦର ରେ କୌଣସି ପ୍ରକାରେ କମ୍ କରି ନଥିଲେ…ତଥାପି ଏବେ ପୁରା ପଡ଼ା ଟା ଯାକ ବୁଲି ବୁଲି କେତେ କଥା କହୁଥାଉଛନ୍ତି ସେ ସ୍ବାମୀ ସ୍ତ୍ରୀ ହଳ ଟା ଯାକ ……।

ନାଇଁ….ଚାଲ…ଆମ ଘରକୁ ପଳେଇବା….।ସମୟ ପାଇବା ମାନେ ପିଲାମାନେ ଯାଉଣୁ ଆସୁଣୁ ଆମ ମାନଙ୍କ ଭଲ ମନ୍ଦ ବୁଝୁଥିଲେ….ଭାଇନା ନାନୀ ମାନେ ମଧ୍ୟ କେବେ ଶତ୍ରୁ ଭାବ ଦେଖେଇ ନାହାନ୍ତି,ତଥାପି ଆମକୁ ସେ ପରିବେଶ ଭଲ ଲାଗୁନଥିଲା ।……ଏମାନଙ୍କ ପଛରେ ଗୋଡେଇ ଗୋଡେଇ ବନ୍ଧୁ ବାନ୍ଧି ପୁଣି ପରିଶ୍ରମ ଆଉ ଅର୍ଥ ବଳ ଖର୍ଚ୍ଚ କରି ମଧ୍ୟ ଯୋଉ ପର କୁ ସେଇ ପର ହେଇ ରହିଗଲେ….।……ନାଇଁ ଆଉ ନୁହେଁ …. ସାରା ଜୀବନଟା ଯେଉଁ ନିଜର ଲୋକ ମାନଙ୍କ ଗହଣରେ କଟିଗଲା ଚାଲ ସେଇ ମାନଙ୍କ ପାଖକୁ ପଳେଇବା…..ଦେଖିବ..ଏବେ ସବୁ ଭଲ ଲାଗିବ..”
ଶାନ୍ତି ଦେବୀଙ୍କ ସେଇ ଗୋଟେ ଧାଡ଼ି କଥା””…ଦେଖିବ..ଏବେ ସବୁ ଭଲ ଲାଗିବ…”” ଶାନ୍ତନୁ ବାବୁଙ୍କୁ ଗଭୀର ଭାବରେ ଛୁଇଁଥିଲା ।
ନିଜ ଘରକୁ ଫେରି ଆସି ପ୍ରକୃତରେ ନିଜ ଘରେ ନାତି ନାତୁଣୀ ଙ୍କ ଗହଣରେ ମନ ଖୋଲା ହସ ହସି ଶାନ୍ତନୁ ବାବୁ ଆଉ ଶାନ୍ତି ଦେବୀଙ୍କୁ ସମୟ କଟେଇବାକୁ ବହୁତ୍ ଭଲ ଲାଗୁଥିଲା….।ଏବେ ଆଉ ଭବିଷ୍ୟତରେ ଏକା ରହିଲେବି କେବେ କିଛି ଅଭିଯୋଗ ମନକୁ ନ ଆସିପାରେ ସେଇ କଥା ଭାବି ଦୁହେଁ ଖୁସି ହେଉଥିଲେ।crm
“ବାପା…ସତୁରୀ ବର୍ଷ ବୟସରେ ତମେ ଏ ଦୁଃସାହସ କରିବାର ସାହସ କରିପାରିଲ କେମିତି…ଆମକୁ ଭାବିଲେ ତ ଆଶ୍ଚର୍ଯ୍ୟ ଲାଗୁଛି..ତମେ ପ୍ରମାଣ କରିଦେଲ ଯେ ତମେ ଚାହିଁଲେ ବହୁତ୍ କିଛି କରିଦେଇ ପାରିବ….
ପ୍ରକୃତରେ ବାପା ହିଁ ବାପା ହେଇଥାନ୍ତି””…

ଦେଢବର୍ଷ ର ଅନିଶ୍ଚିତତା,ଦୁଃଶ୍ଚିନ୍ତା ଓ ମାନସିକ ଗ୍ଲାନି ରୁ ମୁକୁଳି ଥିବା ବଡ଼ ପୁଅ ଆଖି ଛଳ ଛଳ କରି କହୁଥିଲା…..।

ଚିତ୍ତ ରଞ୍ଜନ ମିଶ୍ର

Related Post

Leave a Reply

Your email address will not be published. Required fields are marked *

You Missed