Spread the love

ମହା ଶିବରାତ୍ରି
ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । କେତେକ ଶ୍ରୁତି ଅନୁସାରେ ପୁଣ୍ୟ ମାସ ମାଘ ମାସର ‘ମାଘସ୍ନାନ’ ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳନ କରାଯାଏ ବୋଲି ବର୍ଣ୍ଣନା ଥିଲେ ମଧ୍ୟ ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଉଥିବା ଶିବରାତ୍ରି ବ୍ରତକୁ ସର୍ବଶ୍ରେଷ୍ଠ ଭାବେ ଗ୍ରହଣ କରାଯାଏ ।[୪] ଭାରତର ବିଭିନ୍ନ ସ୍ଥାନରେ ଥିବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ରରେ ଏହି ପର୍ବ ବେଶ ଭକ୍ତି ଓ ଉଲ୍ଲାସର ସହ ପାଳିତ ହୋଇଥାଏ ।
ଦେବଦେବ ମହାଦେବଙ୍କଦ୍ୱାରା ଏଇ ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣର ଅନ୍ୟଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ ।

ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ ।

ଶିବରାତ୍ରର ମହିମା ସମ୍ପର୍କରେ ମହାଭାରତର ଶାନ୍ତିପର୍ବରେ କଥିତ ଅଛି ଯେ ପିତାମହ ଭୀଷ୍ମ ଶରଶଯ୍ୟାରେ ଥାଇ ଧର୍ମୋପଦେଶ ଦେଲାବେଳେ ମହାଶିବରାତ୍ରି ପାଳନ ସମ୍ପର୍କରେ ଇକ୍ଷାକୁ ବଂଶର ରାଜା ଚିତ୍ରଭାନୁଙ୍କ କାହାଣୀ ଉଦ୍ଧାର କରିଥିଲେ । ଜମ୍ବୁଦ୍ୱୀପର ରାଜା ଚିତ୍ରଭାନୁଙ୍କ ସ୍ତ୍ରୀ ଥରେ ଶିବରାତ୍ରି ଉପବାସ ପାଳନ କରିଥିଲେ । ସେ ସମୟରେ ଋଷି ଅଷ୍ଟବକ୍ର ରାଜଦରବାରକୁ ଆସି ରାଜାଙ୍କୁ ଏହି ଦିବସ ପାଳନର କାରଣ ପୁଚ୍ଛାକରିଥିଲେ । ରାଜା ଜାତିସ୍ମର ଥିବାରୁ ନିଜ ପୂର୍ବଜନ୍ମର କାହାଣୀ ବର୍ଣ୍ଣନା କଲେ: ପୂର୍ବଜନ୍ମରେ ସୁସ୍ୱର ନାମରେ ସେ ଜଣେ ଶିକାରୀ ଥିଲେ । ଦିନେ ବଣରେ ବୁଲୁବୁଲୁ ସନ୍ଧ୍ୟା ହେଲା । ନିଜ କୁଟୀରକୁ ଫେରି ନ ପାରି ରାତିରେ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷାପାଇବା ପାଇଁ ସେ ନିକଟରେ ଥିବା ବେଲଗଛ ଉପରକୁ ଚଢ଼ିଗଲେ । ରାତିସାରା ବେଲପତ୍ର ଛିଡ଼ାଇ ତଳକୁ ପକାଇବା ସହ ନିଜ ପରିବାର କଥା ଭାବି ଲୁହ ଝରାଇବାକୁ ଲାଗିଲେ । ତାଙ୍କ ଅଜାଣତରେ ସେହି ଲୁହ ଓ ପତ୍ର ବିଲ୍ୱ ବୃକ୍ଷର ପାଦଦେଶରେ ଥିବା ଶିବଲିଙ୍ଗ ଉପରେ ପଡୁଥାଏ । ସକାଳ ହେବାରୁ ସେ ଶିକାର ଧରି ଘରକୁ ଫେରିଲେ । ପ୍ରଥମେ ଜଣେ ଭିକ୍ଷୁକୁ କିଛି ଖାଦ୍ୟ ଦାନକରି ନିଜେ ଖାଦ୍ୟଗ୍ରହଣ କଲେ । କିଛି ବର୍ଷ ପରେ ତାଙ୍କ ମୃତ୍ୟୁ ହେବାରୁ ସେ ଶୈବଲୋକ ପ୍ରାପ୍ତ ହେଲେ । ଅଜ୍ଞାତରେ, ସେ ଶିବରାତ୍ରି ଦିନ ଉପବାସ ରହି ଶିବଲିଙ୍ଗ ଉପରେ ବେଲପତ୍ର ଓ ଲୋତକ ସମର୍ପଣ କରିଥିବାରୁ ସେ ଶିବଙ୍କ ପାଖରେ ରହିବାର ସୁଯୋଗ ଲାଭ କରି ପରଜନ୍ମରେ ଚିତ୍ରଭାନୁ ରୂପରେ ରାଜଗାଦି ଭୋଗ କଲେ ।

ହର ହର ମହାଦେବ

Leave a Reply

Your email address will not be published. Required fields are marked *

You Missed