Spread the love


ଏକ ସମୟରେ ବୋଧିସତ୍ୱ ମଗଧର ଗୋଟିଏ ଧନଶାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଧନିକର ସନ୍ତାନ ହୋଇଥିଲେହେଁ ସେ ବିଳାସବ୍ୟସନଠାରୁ ଦୂରରେ ରହିଥିଲେ ଓ ସକଳପ୍ରକାର କାମନା ତ୍ୟାଗ କରି ତପସ୍ୟାରେ ନିଯୁକ୍ତ ରହିଥିଲେ । ହିମାଳୟର ଏକ ଗହ୍ୱରରେ ଦୀର୍ଘକାଳ ତପସ୍ୟା କରିବା ପରେ ସେ ରାଜଗୃହକୁ ଆସି ସେଠାରେ ଗୋଟିଏ ପତ୍ରକୁଟୀର ନିର୍ମାଣ କରି ସେଥିରେ ବାସ କରିବାକୁ ଲାଗିଲେ । ଏହି କୁଟୀରଟିର ଚତୁର୍ଦ୍ଧିଗ ପରିବେଷ୍ଟିତ ଥିଲା ଓ ବାହାରକୁ ଆସିବାପାଇଁ ଗୋଟିଏ ମାତ୍ର ଅପ୍ରଶସ୍ତ ପଥ ଥିଲା ।

   ସେହି ପାର୍ବତୀୟ ଅଂଚଳରେ କେତେକ ଛାଗରକ୍ଷକ ସେମାନଙ୍କ ଛାଗଛାଗୀମାନଙ୍କୁ ଚରାଇବାକୁ ଆଣୁଥିଲେ । ସେମାନେ ଦେଖିଲେ କୁଟୀରର ଚତୁର୍ପାଶ୍ୱ ପର୍ବତବେଷ୍ଟିତ ହୋଇଥିବାରୁ ସେଠାରେ ଛାଗଦଳକୁ ରଖିବା ନିରାପଦ । ତେଣୁ ସେମାନେ ରାତ୍ରିରେ ନିଜନିଜର ଛାଗଛାଗୀମାନଙ୍କୁ ସେଠାରେ ରଖିବାକୁ ଲାଗିଲେ । ଦିନବେଳା ସେମାନଙ୍କୁ ପର୍ବତ ଉପରେ ଚରିବାକୁ ଛାଡିଦେଉଥିଲେ । କିଛିଦିନ ପରେ ଥରେ ସେମାନେ ସେ ଅଂଚଳ ତ୍ୟାଗ କରି ଅନ୍ୟତ୍ର ଯିବାକୁ ସ୍ଥିର କଲେ । ସମସ୍ତ ଛାଗ ଓ ଛାଗୀଙ୍କୁ ବାହାରକୁ ନେଲାବେଳେ ଦୈବାତ୍ ଗୋଟିଏ ଛାଗୀ ପଛରେ ରହିଗଲା ଓ ଅନ୍ୟମାନେ ଚାଲିଗଲେ । ସେହି ଛାଗୀଟି ଅନ୍ୟମାନଙ୍କର ଅନୁସରଣ କରିବା ଉଦ୍ଧେଶ୍ୟରେ ପଥଦ୍ୱାରରେ ପହଁଚିଲାବେଳକୁ ଗୋଟିଏ ହେଟାବାଘକୁ ଦେଖିପାରିଲା । ହେଟାବାଘ ଯେ ତାହାକୁ ମାରି ଖାଇବ ବୋଲି ଦ୍ୱାରଦେଶରେ ଜଗି ରହିଛି, ଏ ବିଷୟରେ ତା’ର ସନ୍ଦେହ ରହିଲାନାହିଁ । ଫେରିପଡି ପଳାଇଗଲେ ମଧ୍ୟ ତା’ର ରକ୍ଷା ପାଇବାର ଆଶା ନଥିଲା, କାରଣ ହେଟାବାଘ ପଛରୁ ଯାଇ ତାକୁ ସହଜରେ ମାରିବାର ସମ୍ଭାବନା ଥିଲା । ସେ ଚିନ୍ତାକଲା – ଆଗକୁ ଯିବାରେ ଯେପରି, ଫେରି ପଳାଇଲେ ମଧ୍ୟ ସେହିପରି ଜୀବନହାନିର ଆଶଙ୍କା ଅଛି । ଏପରି ସ୍ଥଳରେ ତାକୁ ମଧୁର କଥାରେ ସନ୍ତୁଷ୍ଟ କରି ଜୀବନରକ୍ଷାର ଉଦ୍ୟମ କରିବା ଉଚିତ୍ । ଏହା ଭାବି ସେ ହେଟାବାଘକୁ କହିଲା, “ମାମୁଁ, ତୁମର ସବୁ କୁଶଳ ତ! ମାଆ ମୋ ହାତରେ ତୁମକୁ ପ୍ରଣାମ ଜଣାଇଛନ୍ତି । ତୁମେ ଆମ ମାଆ ଝିଅଙ୍କର ଆଶ୍ରୟ ।”

   ଏହା ଶୁଣି ହେଟାବାଘ ବିଚାରିଲା, “ଏ ମୋତେ ମାମୁଁ କହି ଭୁଲାଇ ଦେବାକୁ ବସିଛି । ମୁଁ ମିଠା କଥାରେ ଭୁଲିବା ପ୍ରାଣୀ ନୁହେଁ । ମୋର ପ୍ରକୃତ ରୂପ ଏ ଦେଖିନାହିଁ ।” ଏହିପରି ବିଚାରି ସେ କହିଲା, “କିଲୋ, ତୋର ସାହସ ତ କମ୍ ନୁହେଁ? ତୁ ମୋ ଲାଞ୍ଜକୁ ଦଳିଦେଇ ଯାଉଛୁ? ତୁ ଭାବିଛୁ ଯେ ‘ମାମୁଁ’ ବୋଲି ଡାକିଦେଲେ ମୁଁ ତୋତେ ଛାଡିଦେବି?”

   ଛାଗୀ ଭୀତ ହୋଇ କହିଲା, “ମୁଁ ତୁମ ଲାଞ୍ଜ ଉପରେ ପାଦ ପକାଇଲି କିପରି? ତୁମେ ମୋ ଆଗରେ ରହିଛ । ତୁମ ଲାଞ୍ଜ ତୁମ ପଛରେ ଅଛି । ତୁମ ଲାଞ୍ଜ ଉପରେ ମୋର ପାଦ ପଡିବା ଅସମ୍ଭବ ।”

   ହେଟାବାଘ କହିଲା, “ତୁ କଅଣ କହିଲୁ? ପୃଥିବୀରେ ଯେକୌଣସି ଜାଗାରେ ମୋର ଲାଞ୍ଜ ରହିପାରେ । ପୃଥିବୀରେ ଯେତେ ରାଜ୍ୟ ଅଛି, ଯେତେ ପାହାଡ ପର୍ବତ ଅଛି, ଯେତେ ସମୁଦ୍ର ଅଛି, ସେ ସବୁଠାରେ ମୋର ଲାଞ୍ଜ ଅଛି । ତୁ ଯେଉଁଠାରେ ପାଦ ପକାଇଲେ, ମୋ ଲାଞ୍ଜ ଉପରେ ତାହା ପଡିବ ।”

   ଏହାଶୁଣି ଛାଗୀ ବିଚାରିଲା, ‘ଏ ଦୁଷ୍ଟ ସହିତ ଯୁକ୍ତି କରିବା ବୃଥା । ମଧୁର କଥା କହି ଏହାର ମନ ବଦଳାଇ ହେବନାହିଁ । ମୁଁ ଜାଣିଥିଲି, ସେ ମୋର ଶତ୍ରୁ; ମୋର ପ୍ରାଣନେବା ତା’ର ଇଚ୍ଛା । ତେଣୁ ତାକୁ ଶତ୍ରୁ ପରି ବ୍ୟବହାର ଦେଖାଇବା ଉଚିତ୍ । ଫଳ ଯାହା ହେବାର ହେଉ ।’ ଏହା ଚିନ୍ତା କରି ସେ କହିଲା, “ତୋ ଭଳି ଦୁଷ୍ଟର ଲାଞ୍ଜ ଯେ ପୃଥିବୀଯାକ ବ୍ୟାପିଥିବ, ସେକଥା ମୋତେ ଜଣା । ମୋର ବାପାମାଆ ମୋତେ ଏ ବିଷୟରେ ସାବଧାନ କରିଦେଇଛନ୍ତି । ସେଥିପାଇଁ ମୁଁ ଆକାଶରେ ଉଡି ଉଡି ଆସିଛି ।”

   ହେଟାବାଘ କହିଲା, “ହଁ, ତୁ ଉଡି ଉଡି ଆସିଛୁ ମୁଁ ସେକଥା ଜାଣେ; କିନ୍ତୁ ତୋର ଏଇ ଉଡିଆସିବା ଯୋଗେ ମୋର ଆହାର ନଷ୍ଟ ହୋଇଯାଇଛି । ତୁ ଆକାଶରେ ଉଡିଆସିଲାବେଳେ ପଲେ ହରିଣ ତୋତେ ଦେଖି ପଳାଇଗଲେ । ମୁଁ ସେମାନଙ୍କୁ ଖାଇଥାନ୍ତି । ତେଣୁ ତୁ ମୋର ଆହାର ନଷ୍ଟ କରିଦେଇଛୁ ।”

   ଛାଗୀ ଆଉ କଅଣ କହିବ, ଭାବିପାରିଲାନାହିଁ । ପ୍ରାଣଭୟରେ କାତର ହୋଇ କହିଲା, “ମାମୁଁ, ଦୟାକରି ମୋତେ ମାରନାହିଁ । ମୋତେ ଛାଡିଦିଅ ।”

   ହେଟାବାଘ ଛାଗୀର କରୁଣ ପ୍ରାର୍ଥନା ଶୁଣିଲାନାହିଁ । ସେ ତାକୁ ମାଡିବସି ଖାଇଦେଲା । ଦୁଷ୍ଟ କି ତା’ର ପ୍ରକୃତି ଛାଡିପାରେ?

ସଂଗ୍ରାହକ ଶ୍ରୀ କୃଷ୍ଣ ଚନ୍ଦ୍ର ସାହୁ. ଭୋଳାସିଙ୍ଗ

Related Post

Leave a Reply

Your email address will not be published. Required fields are marked *

You Missed