Spread the love

ସରୋଜ କୁମାର ଶତପଥୀଙ୍କୁ “ବ୍ୟଙ୍ଗମଣୀ” ସମ୍ମାନ
ଭୁବନେଶ୍ୱର, ତା ୨୬. ୧୨. ୨୦୨୫

(ଦର୍ଶନ ସମୀକ୍ଷା)

  ଓଡ଼ିଆ ସାହିତ୍ୟର ବ୍ୟଙ୍ଗ ଧାରାକୁ ନୂତନ ଦିଶା, ସମୟୋଚିତ ସଚେତନତା ଓ ସାର୍ଥକ ରମ୍ୟତାରେ ସମୃଦ୍ଧ କରିଥିବା ବ୍ୟଙ୍ଗ କବି ସରୋଜ କୁମାର ଶତପଥୀ ଚଳିତ ବର୍ଷ “ଆଜ୍ଞା ନମସ୍କାର” ପତ୍ରିକା ତରଫରୁ ପ୍ରଦତ୍ତ ଗରିମାମୟ ‘ବ୍ୟଙ୍ଗମଣୀ’ ସମ୍ମାନରେ ଭୂଷିତ ହୋଇଛନ୍ତି। ଓଡ଼ିଆ ବ୍ୟଙ୍ଗ ସାହିତ୍ୟ କ୍ଷେତ୍ରରେ ନିଜସ୍ୱ ଶୈଳୀ, ସାମାଜିକ ସଚେତନତା ଓ ଶାଣିତ ବ୍ୟଙ୍ଗ ଲେଖନୀ ପାଇଁ  ବ୍ୟଙ୍ଗ କବି ସରୋଜ କୁମାର ଶତପଥୀ ବେଶ ପରିଚିତ। ଦୁଇ ଦିନ ଧରି ଅନୁଷ୍ଠିତ କୋରାଇ ମଣ୍ଡଳ ସାହିତ୍ୟ ସଂସଦର ୪୩ତମ ବାର୍ଷିକୋତ୍ସବ ଓ ଅଷ୍ଟାଦଶ କୋରାଇ ମହୋତ୍ସବ–୨୦୨୫ ଅବସରରେ ଏହି ସମ୍ମାନ ଶ୍ରୀ ଶତପଥୀଙ୍କୁ ପ୍ରଦାନ କରାଯାଇଛି।
ସମାରୋହରେ ବର୍ଷୀୟାନ ସାହିତ୍ୟିକ ନନ୍ଦକିଶୋର ସିଂହ, ବିଶିଷ୍ଟ ଶ୍ରମିକ ନେତା ତଥା ପ୍ରାବନ୍ଧିକ ମାୟାଧର ନାୟକ, ପ୍ରାକ୍ତନ ରାଜ୍ୟସଭା ସାଂସଦ ଡ଼. ରାମ ଚନ୍ଦ୍ର ଖୁଣ୍ଟିଆ ଏବଂ ଉତ୍କଳ ସାହିତ୍ୟ ସମାଜର ସଭାପତି ଡ଼ ଗୋବିନ୍ଦ ଚନ୍ଦ୍ର ଚାନ୍ଦ ପ୍ରମୁଖ ଶ୍ରୀ ଶତପଥୀଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।
ସମ୍ମାନ ପ୍ରଦାନ ସମାରୋହରେ ସଂସଦର ସଭାପତି, ସମ୍ପାଦକ ସହ ଅନେକ ପ୍ରତିଷ୍ଠିତ ସାହିତ୍ୟିକ, କବି, ସମାଲୋଚକ ଓ ସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ। ବକ୍ତାମାନେ ତାଙ୍କର ବ୍ୟଙ୍ଗ ରଚନାରେ ସମାଜର ବିସଙ୍ଗତି, ବିରୋଧାଭାସ ଓ ଅନ୍ୟାୟକୁ ସରଳ କିନ୍ତୁ ତୀକ୍ଷ୍ଣ ଭାବେ ଉପସ୍ଥାପନ କରିବା କୌଶଳକୁ ଉଚ୍ଚ ପ୍ରଶଂସା କରିଥିଲେ।
         ଶ୍ରୀ ଶତପଥୀ ଦୀର୍ଘ ବର୍ଷ ଧରି ବ୍ୟଙ୍ଗ କବିତା, ବ୍ୟଙ୍ଗ ଗଳ୍ପ ଓ ରମ୍ୟ ରଚନା ମାଧ୍ୟମରେ ପାଠକମାନଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଆସିଛନ୍ତି। ତାଙ୍କ ବ୍ୟଙ୍ଗ ଲେଖନୀ କେବଳ ମନୋରଞ୍ଜନରେ ସୀମିତ ନୁହେଁ; ସେଥିରେ ସମାଜର ବିସଙ୍ଗତି, ମାନବୀୟ ଦୁର୍ବଳତା ଓ ସାମୟିକ ବିରୋଧାଭାସ ଉପରେ ଗଭୀର ଦୃଷ୍ଟିପାତ ରହିଛି। ତାଙ୍କ ଦ୍ୱାରା ରଚିତ ୩ଟି ବ୍ୟଙ୍ଗ କବିତା ସଂକଳନ, ୨ଟି ରମ୍ୟ ଗଳ୍ପ ସଂକଳନ ଓ ୧ଟି ଅନୁବାଦ ବ୍ୟଙ୍ଗ ସଂଗ୍ରହ ତାଙ୍କର ବ୍ୟଙ୍ଗ ସାହିତ୍ୟ ପ୍ରତି ଗଭୀର ଅନୁରାଗ, ନିଷ୍ଠା ଓ ସାଧନାର ସ୍ପଷ୍ଟ ପ୍ରମାଣ ବୋଲି ସାହିତ୍ୟ ମହଲରେ ସ୍ୱୀକୃତ। ଏହି “ବ୍ୟଙ୍ଗମଣୀ” ସମ୍ମାନ ତାଙ୍କର ସାହିତ୍ୟିକ ସାଧନା ଓ ବ୍ୟଙ୍ଗ ଲେଖନୀ ପ୍ରତି ଏକ ଗରିମାମୟ ସ୍ୱୀକୃତି ବୋଲି ସାହିତ୍ୟ ପ୍ରେମୀମାନେ ମତ ପ୍ରକାଶ କରିଛନ୍ତି।
        ସମ୍ମାନ ଗ୍ରହଣ କରିବା ସମୟରେ ଶ୍ରୀ ଶତପଥୀ କହିଥିଲେ ଯେ, ଏହି ‘ବ୍ୟଙ୍ଗମଣୀ’ ସମ୍ମାନ ତାଙ୍କ ପାଇଁ କେବଳ ଏକ ପୁରସ୍କାର ନୁହେଁ; ଏହା ତାଙ୍କୁ ଆଗାମୀ ଦିନରେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟକୁ ଆହୁରି ସମୃଦ୍ଧ, ସଜାଗ ଓ ସମାଜମୁଖୀ କରିବା ପାଇଁ ନୂତନ ପ୍ରେରଣା ଦେବ।

Leave a Reply

Your email address will not be published. Required fields are marked *