ଏସଏସ୍ଆଇ ପକ୍ଷରୁ ୧୫୦ ଯୁବ ଆଥ୍ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ପ୍ରଥମ ବୋନ୍ ମିନେରାଲ ଡେନ୍ସିଟି କ୍ୟାମ୍ପ ଆୟୋଜିତ
ଭୁବନେଶ୍ୱର: (ଦର୍ଶନ ସମୀକ୍ଷା) ଯୁବ ଆଥ୍ଲେଟମାନଙ୍କ ପାଇଁ ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍ରେ ବିନା ମୂଲ୍ୟରେ ବୋନ୍ ମିନେରାଲ ଡେନ୍ସିଟି ଯାଞ୍ଚ ଶିବିର ଶନିବାର ଆୟୋଜନ କରାଯାଇଥିଲା । ସମ୍ପ୍ରତି କଳିଙ୍ଗ ଷ୍ଟାଡିୟମ୍ରେ ତାଲିମ ନେଉଥିବା ରାଜ୍ୟସ୍ତରର ୧୫୦ ଜଣ ଉଦୀୟମାନ ଆଥ୍ଲେଟଙ୍କ ଠାରେ ଯୁବାବସ୍ଥାରେ ସମ୍ଭାବ୍ୟ ଅସ୍ଥି ସମ୍ପର୍କିତ ଅଭାବ ଠାବ କରିବା ଏହି ପ୍ରୟାସର ଉଦେ୍ଦଶ୍ୟ ଥିଲା । ଆଦ୍ୟ ନିରୂପଣ ଦ୍ୱାରା ତାହା କ୍ରୀଡାବିତ୍ଙ୍କ ମଧ୍ୟରେ ଆଘାତ ନିବାରଣରେ ସହାୟକ ହୋଇଥାଏ ।
ଏହି ଶିବିର କ୍ରୀଡା ବିଜ୍ଞାନ ବିଶାରଦ ଏବଂ ସର୍ଜନ ଡା.ସାର୍ଥକ ପଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ସ୍ପୋର୍ଟସ୍ ସାଇନ୍ସ ଇଣ୍ଡିଆ (ଏସ୍ଏସଆଇ) ଦ୍ୱାରା ଆୟୋଜିତ ହୋଇଥିଲା । ଶିବିରରେ ଡେକ୍ସା-ଭିତ୍ତିକ ସ୍ଥାନାନ୍ତରଯୋଗ୍ୟ ସ୍କାନର୍ ବ୍ୟବହାର କରି ଆଥ୍ଲେଟମାନଙ୍କର ଅସ୍ଥି ସ୍ୱାସ୍ଥ୍ୟ ଆକଳନ ଉପରେ ଦୃଷ୍ଟିନିବଦ୍ଧ କରାଯାଇଥିଲା । ବିନା କଟାକଟିରେ ଏହି ପରୀକ୍ଷା ନିରୀକ୍ଷା ଅସ୍ଥିର ସାମର୍ଥ୍ୟ ଓ ଖଣିଜ ସ୍ତର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲା । ଏହା କୋଚ ଏବଂ ଫିଜିଓଥେରାପିଷ୍ଟମାନଙ୍କୁ ପ୍ରତ୍ୟେକ ଆଥ୍ଲେଟଙ୍କର ଉଚ୍ଚ ପ୍ରଦର୍ଶନ ଆଧାରିତ ତାଲିମ ନିମନ୍ତେ ଶାରୀରିକ ଗଠନମୂଳକ ପ୍ରସ୍ତୁତି ସମ୍ପର୍କରେ ବୁଝିବାରେ ସହାୟକ ହୋଇଥିଲା । “ ଆମର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରର କ୍ରୀଡାକୁ ପ୍ରୋତ୍ସାହିତ କରିବା ଏବଂ ଏହି ଧରଣର ପରୀକ୍ଷା ନିରୀକ୍ଷା ସମଗ୍ର ରାଜ୍ୟରେ ମଜଭୁତ, ଆଘାତ-ପ୍ରତିରୋଧୀ ଆଥ୍ଲେଟଙ୍କୁ ପ୍ରସ୍ତୁତ କରିବା ନିମନ୍ତେ ନିତାନ୍ତ ଜରୁରୀ,” ବୋଲି ଡା. ପଟନାୟକ କହିଥିଲେ ।
ଦିନେଶ ସୁରୀ, ଚିଫ୍ ଅପରେଟିଂ ଅଫିସର, ଓଡ଼ିଶା ଆଥ୍ଲେଟିକ ପ୍ରୋଜେକ୍ଟ କହିଥିଲେ, କ୍ରୀଡା ଓ ଯୁବ ସେବା ବିଭାଗ (ଡିଏସ୍ୱାଇଏସ୍) ଦ୍ୱାରା ପରିଚାଳିତ ହୋଇ ଏହି ପ୍ରୟାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଛି, କାରଣ ଅନେକ ସମୟରେ ଯୁବ ଆଥ୍ଲେଟମାନେ ଅସ୍ଥିର ଯାଞ୍ଚ କରାନ୍ତି ନାହିଁ । “ପ୍ରତିଷ୍ଠିତ ଆଥ୍ଲେଟମାନେ ଏହିଭଳି ପରୀକ୍ଷା ନିରୀକ୍ଷା କରାଇଥାନ୍ତି । କିନ୍ତୁ ଆଦ୍ୟ ସ୍ତରରେ ଏଭଳି ଯାଞ୍ଚ କରାଯିବାର ନିଜସ୍ୱ ଫାଇଦା ରହିଛି । ନିମ୍ନସ୍ତରର ବିଏମ୍ଡିକୁ ଅନେକ ସମୟରେ ଅଣଦେଖା କରାଯାଏ, କିନ୍ତୁ ସେଥିଯୋଗୁଁ ଚାପଜନିତ ଫ୍ରାକ୍ଚର, ବିଶେଷକରି ଉଚ୍ଚ ପ୍ରଭାବୀ କ୍ରୀଡା କ୍ଷେତ୍ରରେ ଏଭଳି ସମସ୍ୟା ଦେଖାଦେବାର ଆଶଙ୍କା ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇଥାଏ । ତେଣୁ ଆମେ ଅସ୍ଥିର ସ୍ୱାସ୍ଥ୍ୟ ସମ୍ପର୍କରେ ଆଦ୍ୟାବସ୍ଥାରୁ ଆକଳନ କରିପାରିବା, ତେବେ ଆମେ ଆଥ୍ଲେଟଙ୍କ ପାଇଁ ଉନ୍ନତ ତାଲିମର ଡିଜାଇନ କରିପାରିବା,” ବୋଲି ସୁରୀ କହିଥିଲେ ।
ଏହି ପ୍ରୟାସକୁ କୋଚ୍ ଏବଂ ତାଲିମପ୍ରଦାନକାରୀଙ୍କ ମଧ୍ୟରେ ବିପୁଳ ସ୍ୱାଗତ କରାଯାଇଥିଲା । ସେମାନଙ୍କର ବିଶ୍ୱାସ ଯେ ନିୟମିତ ଭାବରେ ବିଏମ୍ଡି ଯାଞ୍ଚ କରାଗଲେ ତାହା ଓଡ଼ିଶା ଆଥ୍ଲେଟଙ୍କୁ ଅଧିକ ଭଲ ଭାବରେ ତାଲିମ ନେବା ଏବଂ ପ୍ରତିଯୋଗିତାମୂଳକ ସିଜନ୍ଗୁଡିକରେ ଆଘାତ-ମୁକ୍ତ ରହିବାରେ ସହାୟକ ହୋଇପାରିବ ।
ଆଥ୍ଲେଟଙ୍କ ପାଇଁ ବିଏମ୍ଡି ଯାଞ୍ଚ କାହିଁକି ଗୁରୁତ୍ୱପୂର୍ଣ୍ଣ?
ବୋନ୍ ମିନେରାଲ ଡେନ୍ସିଟି ଅସ୍ଥିରେ ମୁଖ୍ୟତଃ କ୍ୟାଲସିୟମ୍ ଏବଂ ଫସଫରସ୍ ଭଳି ଅତ୍ୟାବଶ୍ୟକ ଖଣିଜ ସାରର ଉପସ୍ଥିତି ପରିମାଣ ସମ୍ପର୍କରେ ସୂଚନା ଦେଇଥାଏ । ଅସ୍ଥିର ସାମର୍ଥ୍ୟ ନିମନ୍ତେ ଏହା ଏକ ମୁଖ୍ୟ ପରିମାପ ଏବଂ ଆଘାତ ଜନିତ ଆପଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଅନୁମାନକାରୀ ବିବେଚିତ ହେଉଛି ।
ଆଥ୍ଲେଟମାଙ୍କ ପାଇଁ ବିଏମ୍ଡି ଯାଞ୍ଚ କରାଯିବା କାହିଁକି ଆବଶ୍ୟକ ସେ ସମ୍ପର୍କରେ କ୍ରୀଡା ବିଜ୍ଞାନୀମାନେ ଚାରିଟି ପ୍ରମୁଖ କାରଣ ଦର୍ଶାଇଛନ୍ତି । ସେଗୁଡିକ ହେଉଛି:
ଆଘାତ ନିବାରଣ: ଏହା ନିମ୍ନ ପରିମାଣର ବିଏମ୍ଡିକୁ ଆଦ୍ୟାବସ୍ଥାରେ ଠାବ କରିଥାଏ, ଦୋ÷ଡ, ଜିମ୍ନାଷ୍ଟିକ୍ସ ଏବଂ ଅନ୍ୟ ଉଚ୍ଚ-ପ୍ରଭାବ ପକାଉଥିବା କ୍ରୀଡା ଶୃଙ୍ଖଳାଗୁଡିକରେ ଚାପଜନିତ ଫ୍ରାକ୍ଚର ହ୍ରାସ କରେ ।
ଆର୍ଇଡି-ଏସ୍ ଯାଞ୍ଚ: କ୍ରୀଡାବିତ୍ଙ୍କର ପ୍ରଦର୍ଶନ, ସୁସ୍ଥହେବା ଏବଂ ଶକ୍ତିରେ ସନ୍ତୁଳନକୁ ପ୍ରଭାବିତ କରୁଥିବା ଏକ ପ୍ରକାର ପରିସ୍ଥିତି ରିଲେଟିଭ୍ ଏନର୍ଜି ଡେଫିସିଏନ୍ସ ଇନ୍ ସ୍ପୋର୍ଟ (ଆର୍ଇଡି-ଏସ୍) ଦ୍ୱାରା ସୃଷ୍ଟି ହେଉଥିବା ଅସ୍ଥିର କ୍ଷତି ଚିହ୍ନଟ କରିବାରେ ଏହା ସହାୟତା କରିଥାଏ ।
ପ୍ରଦର୍ଶନକୁ ଶୀର୍ଷସ୍ତରରେ ପହଞ୍ଚାଇବା: ଜୋର୍ଦାର ତାଲିମ ସମୟରେ ଶକ୍ତ ଅସ୍ଥି ଉତ୍ତମ ମଜଭୁତପଣ କ୍ଷେତ୍ରରେ ଅବଦାନ ରଖିଥାଏ; ଅନେକ ସମୟରେ ଅସ୍ଥିର ଘନତ୍ୱ ବୃଦ୍ଧି କରିବା ନିମନ୍ତେ ପ୍ରତିରୋଧୀ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ।
ଗ୍ରହଣୀୟତା ନିରୀକ୍ଷଣ: ତାଲିମ ଜନିତ ବୋଝ ଏବଂ ସାମର୍ଥ୍ୟ ବୃଦ୍ଧିକାରୀ କାର୍ଯ୍ୟକ୍ରମଗୁଡିକ ସମୟକ୍ରମେ କିଭଳି ଅସ୍ଥିର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ତାହା ଉପରେ ଦୀର୍ଘକାଳୀନ ଦୃଷ୍ଟି ରଖିଥାଏ ।












Leave a Reply