ସାଧାରଣ ନିର୍ବାଚନ-୨୦୨୪କୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
କଟକ ତା ୧୭.୦୩.୨୦୨୪ରିଖ – ସାଧାରଣ ନିର୍ବାଚନ ୨୦୨୪ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଆସନ୍ତା ମେ ୨୫ ଓ ଜୁନ୍ ୧ ତାରିଖରେ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାର ତିନିଟି ସଂସଦୀୟ ନିର୍ବାଚନ ମଣ୍ଡଳୀ ଅଧିନରେ ୯ଟି ବିଧାସଭା ନିର୍ବାଚନ ମଣ୍ଡଳୀ ରହିଛି । ଜିଲ୍ଲାରେ ମୋଟ ୨୧,୪୧,୯୦୪ଜଣ ଭୋଟର ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧୦,୪୧,୬୧୯ ଓ ଅନ୍ୟାନ୍ୟ ଭୋଟର ସଂଖ୍ୟା ୨୬୪ । ପ୍ରଥମ ଥର ଭୋଟ୍ ଦେଉଥିବା ଭୋଟରଙ୍କ ସଂଖ୍ୟା ୪୫,୨୧୮ ରହିଥିବାବେେଳେ ଶହେ ବର୍ଷରୁ ଅଧିକ ଭୋଟରଙ୍କ ସଂଖ୍ୟା ରହିଛି ୮୨୯ ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୪୧,୯୯୨ । ପ୍ରକାଶ ଥାଉକି ସମଗ୍ର ଦେଶରେ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଓଡ଼ିଶାରେ ଚାରିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।
ଚଳିତ ଥର ପ୍ରଥମ ଥର ପାଇଁ ୮୫ ବର୍ଷରୁ ଅଧିକ ବୟସର ଭୋଟର ଓ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ଭୋଟରମାନଙ୍କ ନିମନ୍ତେ ଘରେ ବସି ଭୋଟିଂ ବ୍ୟବସ୍ଥା କରାଯାଇଛି । ଘରେ ବସି ଭୋଟ୍ ଦେବା ପାଇଁ ଆବେଦନ କରିଥିବା ଭୋଟର ମାନେ ହିଁ କେବଳ ଏହି ବ୍ୟବସ୍ଥାର ଲାଭ ଉଠାଇପାରିବେ ।
ନିର୍ବାଚନକୁ ସ୍ୱଚ୍ଛ, ମୁକ୍ତ ଓ ଅବାଧ କରିବା ପାଇଁ ଜିଲ୍ଲାର ଷାଠିଏ ପ୍ରତିଶତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯାଇଥିବାବେଳେ ବିଭିନ୍ନ ବୁଥରେ ସିସିଟିଭି ଲଗାଯାଇଛି ଏବଂ ମାଇକ୍ରୋ ଅବଜରଭରମାନଙ୍କୁ ନିୟୋଜିତ କରାଯାଇଛି । ନିର୍ବାଚନ ଅନିୟମିତତା ସମ୍ପର୍କିତ କୌଣସି ଅଭିଯୋଗର ପଞ୍ଜିକରଣ ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସମନ୍ୱିତ କଂଟ୍ରୋଲ ରୁମ୍ ଖୋଲାଯାଇଛି । ଏଥିସହ ୧୯୫୦ ଟୋଲ ଫ୍ରି ନମ୍ବର କିମ୍ବା ସି-ଭିଜିଲ୍ ଆପ୍ ମାଧ୍ୟମରେ ମଧ୍ୟ ଜନସାଧାରଣ ଅନିୟମିତତା ସମ୍ପର୍କିତ ଅଭିଯୋଗ କରିପାରିବେ ।
ଚଳିତ ଥର ନିର୍ବାଚନ ଅନୁଷ୍ଠିତ ହେବାର ଗୋଟିଏ ଦିନ ପୂର୍ବରୁ ପୋଲିଂ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ପୋଲିଂ ବୁଥଗୁଡିକୁ ପଠାଯିବାର ବ୍ୟବସ୍ଥା କରାଯାଇଛି ।
ଜିଲ୍ଲାର ସମସ୍ତ ବୁଥରେ ଭୋଟରମାନଙ୍କ ସୁବିଧା ନିମନ୍ତେ ର୍ୟାମ୍ପ, ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା ଆଦି ଉପଲବଧ କରାଯାଇଛି । ଏଥିସହ ଜିଲ୍ଲାରେ ୨୭୮ଟି ମହିଳା ବୁଥ୍ କରାଯାଇଛି । ଏହି ବୁଥଗୁଡିକରେ ସମସ୍ତ ଅଧିକାରୀ ଓ କର୍ମକର୍ତା ମହିଳା ନିୟୋଜିତ ରହିବେ ।
ଚଳିତ ନିର୍ବାଚନ ପ୍ରକ୍ରିୟାରେ ଗଣମାଧ୍ୟମ ରଚନାତ୍ମକ ଭୂମିକା ନିର୍ବାହ କରି ପ୍ରଶାସନକୁ ସଫଳତାର ସହ ଏହି ପ୍ରକ୍ରିୟା ଶେଷ କରିବାରେ ସହଯୋଗ କରିବେ ବୋଲି ଜିଲ୍ଲାପାଳ ଆଶାପ୍ରକାଶ କରିଛନ୍ତି ।
ବୈଠକରେ ଅତିରିକ୍ତ ଜିଲ୍ଳାପାଳ (ରାଜସ୍ୱ) ଶ୍ରୀ ଉମାକାନ୍ତ ରାଜ, ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ଶ୍ରୀ ଶିବ ଟପୋ, ଅତିରିକ୍ତ ଜିଲ୍ଳାପାଳ (ଉନ୍ନୟନ) ଶ୍ରୀ ଦିବ୍ୟଲୋଚନ ମହାନ୍ତି, ମୁଖ୍ୟ ଉନ୍ନୟନ ତଥା ମୁଖ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଟକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତିଶଙ୍କର ରାୟ, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀ ଦେବାଶିଷ ମହାପାତ୍ର, ସହକାରୀ ଜିଲ୍ଲାପାଳ ଶ୍ରୀ ଶ୍ରୀକାନ୍ତ ବେହେରା, ଡେପୁଟି କଲେକ୍ଟର ଶ୍ରୀମତୀ ଜ୍ୟୋତ୍ସା ନାୟକ ଓ ନିଷ୍ଠା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
