ଡିଜିଟାଲ ଲୁଟେରା କୁ ଭଦ୍ରକରୁ ଗିରଫ କଲା ଓର୍କେଲ ପୋଲିସ
ମାଲକାନଗିରି:(ଦର୍ଶନ ସମୀକ୍ଷା)ମନୋଜ ଦେବ ପାଙ୍ଗି
ଜିଲ୍ଲା ଓର୍କେଲ ପୋଲିସ ଆଜି ଜଣେ ଡିଜିଟାଲ ଲୁଟେରା କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ମୁତାବକ ବାଲିମେଳା ଛକ ନିକଟରେ ଥିବା ଲକ୍ଷ୍ମୀ ନାରାୟଣ ଢ଼ାବା ମାଲିକ କୃଷ୍ଣ ମୋହନ ମଲ୍ଲିକ ଙ୍କୁ ଗତ ଅକ୍ଟୋବର ୨୧ ତାରିଖରୁ ଏକ ଅଜଣା ଫୋନ କଲ ବାରମ୍ବାର ତାଙ୍କ ଫୋନ କୁ ଆସୁଥିଲା। ଫୋନ କରି ବ୍ୟକ୍ତି ଜଣଙ୍କ ନିକଟରେ ୧ ହଜାର ଲିଟର ଡିଜେଲ ରହିଥିବା କହି ଲିଟର ପିଛା ୬୦ ଟଙ୍କାରେ ଡିଜେଲ ଦେବା ନେଇ ବାରମ୍ବାର କହି ଆସୁଥିଲା । ତେବେ ବାରମ୍ବାର ଢ଼ାବା ମାଲିକ କୃଷ୍ଣ ଙ୍କୁ ଫୋନ ଆସୁଥିବା ହେତୁ ଶେଷରେ ସେ ବିରକ୍ତ ହୋଇ ଚଳିତ ମାସ ୧ ତାରିଖରେ ଡିଜେଲ କେଉଁଠୁ ଆଣିବାକୁ ପଡିବ ସେ ଉକ୍ତ ଯୁବକ ଟିକୁ ପଚାରିଥିଲେ। ଯୁବକ ଜଣଙ୍କ ଅତି ଚାଲାକ ର ସହ ପୂର୍ବରୁ କିନ୍ତୁ କୋରୁକୋଣ୍ଡା ସଦର ସ୍ଥିତ ଓଁ ଫିଲିଙ୍ଗ ଷ୍ଟେସନର ମାଲିକ ଙ୍କ ସହ ଜଣେ ବ୍ୟକ୍ତି ତାଙ୍କ ତେଲ ଟାଙ୍କି କୁ ଯାଇ ୧ ହଜାର ଲିଟର ଡିଜେଲ ନେବେ ବୋଲି ଫୋନ ଯୋଗେ କହିଥିଲା। ଏପଟେ ଢ଼ାବା ମାଲିକ କୃଷ୍ଣ କୋରୁକୋଣ୍ଡା ସ୍ଥିତ ତେଲ ଟାଙ୍କି କୁ ଯିବା ପୂର୍ବରୁ ଉକ୍ତ ଯୁବକ ଜଣଙ୍କୁ ଅନଲାଇନ ଯୋଗେ ଡିଜେଲ ଲିଟର ପିଛା ୬୦ ଟଙ୍କା ହିସାବରେ ୧ ହଜାର ଲିଟର ର ମୂଲ୍ୟ ୬୦ ହଜାର ଟଙ୍କା ପଠାଇ ଦେଇ ତେଲ ଟାଙ୍କି କୁ ଯାଇଥିଲେ। କୋରୁକୋଣ୍ଡା ସ୍ଥିତ ତେଲ ଟାଙ୍କି କୁ ଯାଇ ୧ ହଜାର ଲିଟର ଡିଜେଲ ବ୍ୟାରେଲ ଯୋଗେ ଭର୍ତ୍ତି କରିବା ପରେ ଟାଙ୍କି ମାଲିକ ଡିଜେଲ ର ଟଙ୍କା କିଏ ଦେବ ବୋଲି ପଚାରିବାରୁ ସେ ଟଙ୍କା ଉକ୍ତ ଯୁବକ କୁ ପୈଠ କରିଥିବା କହିଥିଲେ। ପରେ କୃଷ୍ଣ ପୁନଃ ଉକ୍ତ ନମ୍ବର ରେ ଯୋଗାଯୋଗ କରିବା ବେଳେ ଉକ୍ତ ଯୁବକ ଜଣଙ୍କ ନିଜ ଫୋନ ସ୍ୱିଚ ଅଫ କରି ଦେଇଥିଲା। ଏନେଇ କୃଷ୍ଣ ଓର୍କେଲ ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏହାପରେ ପୋଲିସ ଘଟଣା ର ସମ୍ପୂର୍ଣ୍ଣ ତଦନ୍ତ କରି ଉକ୍ତ ବ୍ୟବହୃତ ନମ୍ବର ଟି ଭଦ୍ରକ ଅଞ୍ଚଳର ଜାଣିବାକୁ ପାଇଥିଲା। ଏହାପରେ ଏସଆଇ ମିଲନ ବରିହା ଙ୍କ ନେତୃତ୍ୱରେ ଏକ ଟିମ ସୁଦୂର ଭଦ୍ରକ ଯାଇ ଉକ୍ତ ଡିଜିଟାଲ ଲୁଟେରା କୁ ଗିରଫ କରିବାରେ ସକ୍ଷମ ହୋଇଛି। ଗିରଫ ହୋଇଥିବା ଯୁବକ ଜଣଙ୍କ ନାମ ଚନ୍ଦନ ଦାସ(୨୯) ଏବଂ ସେ ଭଦ୍ରକ ଜିଲ୍ଲା ମେରାଇନ ଧାମରା ଥାନା ଅନ୍ତର୍ଗତ ପାଇକ ସାହିର ବୋଲି ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ଚନ୍ଦନ ଠାରୁ ଏକ ଏଟିଏମ କାର୍ଡ, ନଗଦ ୫୦୦୦ ଟଙ୍କା ଏବଂ ଏକ ମୋବାଇଲ ଫୋନ ଜବତ କରାଯାଇଥିବା ବେଳେ କେସ ନଂ ୨୯୯/୨୫ ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି।












Leave a Reply