ବାରବାଟୀ ଷ୍ଟାଡିୟମକୁ ନ ଭାଙ୍ଗି ସଂପ୍ରସାରଣ କରାଯାଉ – ବିଧାୟକ ମହମ୍ମଦ ମୋକିମ
କଟକ ଓଡିଶା କ୍ରିକେଟ ଆସୋସିଏସନ ଦୀର୍ଘ ୨୨ବର୍ଷ ମଧ୍ୟରେ ଓଡିଶାରୁ ଗୋଟିଏ ହେଲେ କ୍ରିକେଟ ଖେଳାଳୀକୁ ଜାତୀୟ ଦଳରେ ମନୋନୀତ କରିପାରିନାହିଁ। ୧୯୯୦ ଦଶକରେ ଓଡିଶାରୁ ଦୁଇଜଣ ଖେଳାଳୀ ଶିବସୁନ୍ଦର ଦାସ ଓ ଦେବାଶିଷ ମହାନ୍ତି ଭାରତୀୟ କ୍ରିକେଟ ଦଳରେ ସାମିଲ ହୋଇଥିଲେ। ଏହା ପରେ ଦୀର୍ଘ ୨୨ବର୍ଷ ମଧ୍ୟରେ ଓଡିଶାର କୌଣସି କ୍ରିକେଟ ଖେଳାଳୀ ଜାତୀୟ ଦଳକୁ ମନୋନୀତ ନ ହେବା ସବୁଠାରୁ ଦୁର୍ଭାଗ୍ୟଜନକ। ସେହିଭଳି ରଣଜୀ ଟ୍ରଫି ମ୍ୟାଚରେ ଓଡିଶା ଦଳର ଖେଳ ନୈରାଶ୍ୟଜନକ। ତେଣୁ ରାଜ୍ୟ ସରକାର କଟକ ତଥା ଓଡିଶାର ଐତିହ୍ୟ ବାରବାଟୀ ଷ୍ଟାଡିୟମକୁ ନ ଭାଙ୍ଗି ଆଉ ଏକ ସ୍ଥାନରେ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରି କ୍ରିକେଟ ଖେଳ ଉପରେ ଗୁରୁତ୍ଵ ଦେବା ପାଇଁ କଟକ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ ଆଜି ଆହ୍ଵାନ ଦେଇଛନ୍ତି। ସେଲଟର ଛକ ସ୍ଥିତ ବିଧାୟକଙ୍କର ଆବାସିକ କାର୍ଯ୍ଯାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ମହମ୍ମଦ ମୋକିମ କହିଲେ ବାରବାଟୀ ଷ୍ଟାଡିୟମକୁ ଭାଙ୍ଗି ଏକ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ଗତ ୨୦ ତାରିଖ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ନୂଆ ଷ୍ଟାଡିୟମରେ ୬୦ ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା ରହିବ ଓ ଏହାକୁ ବିଶ୍ଵସ୍ତରୀୟ କରାଯିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବାରବାଟୀ ଷ୍ଟାଡିୟମ ହେଉଛି କଟକର ଐତିହ୍ୟ ଏବଂ ବିଶ୍ବରେ ଏହି ଷ୍ଟାଡିୟମଟି କଟକର ପରିଚୟ କରାଇଛି। ଏହି ଷ୍ଟାଡିୟମଟି କଟକ ସମେତ ରାଜ୍ୟବାସୀଙ୍କର ଭାବଧାରା ସହ ଜଡିତ। ଅତୀତରେ ଏହି ଷ୍ଟାଡିୟମରେ ବହୁ ଜାତୀୟ ଓ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହୋଇ ଉଚ୍ଚପ୍ରଶଂସିତ ହୋଇଆସିଛି। ବାରବାଟୀ ଷ୍ଟାଡିୟମ ଓଡିଶା ଅଲିମ୍ପିକ ଆସୋସିଏସନର। ରାଜ୍ୟ ସରକାର ଷ୍ଟାଡିୟମ ନିର୍ମାଣ ପାଇଁ ଅଲିମ୍ପିକ ଆସୋସିଏସନକୁ ରାଜ୍ୟର ବିଭିନ୍ନ ପ୍ରକାର ଖେଳ କସରତର ପ୍ରଚାର ଓ ପ୍ରସାର ପାଇଁ ଏବଂ ଓଡିଶାର ଖେଳାଳିମାନଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବାର ଲକ୍ଷ୍ୟ ରଖି ଜମି ପ୍ରଦାନ କରିଥିଲେ। ସ୍ବର୍ଗତଃ ହରେକୃଷ୍ଣ ମହତାବ, ଭୈରବ ମହାନ୍ତି, ବିଜୁ ପଟ୍ଟନାୟକ ପ୍ରମୁଖଙ୍କର ନିଷ୍ଠାପର ଉଦ୍ୟମ ଯୋଗୁ ବାରବାଟୀ ଷ୍ଟାଡିୟମଟି ଗଢିଉଠି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବେଶ ସୁନାମ କରିପାରିଥିଲା। ଏବେ ଷ୍ଟାଡିୟମଟିକୁ ଭଙ୍ଗା ନ ଯାଇ ଏହାର ସଂପ୍ରସାରଣ କରାଯାଉ। ବାରବାଟୀ ଷ୍ଟାଡିୟମରେ ସବୁ କ୍ରୀଡା ସଂଗଠନର ସମାନ ଅଧିକାର ରହିଛି। କେବଳ କ୍ରିକେଟ ସଂଗଠନର ଏକଚାଟିଆ ଅଧିକାର ରହିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ତେଣୁ ସରକାର ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରି ବାରବାଟୀ ଷ୍ଟାଡିୟମକୁ ନ ଭାଙ୍ଗି ଏହାର ସଂପ୍ରସାରଣ କରନ୍ତୁ। ବାରବାଟୀ ଷ୍ଟାଡିୟମ ଭଙ୍ଗାଗଲେ କଟକ ସମେତ ରାଜ୍ୟବାସୀ ଆଗାମୀ ଦିନରେ ଏହାର ଉଚିତ ଜବାବ ଦେବେ। ବର୍ତ୍ତମାନର ସ୍ଥିତି ଯାହା ରହିଛି ତାହା ଜାତୀୟ ଓ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ଯଥେଷ୍ଟ। ଏହାକୁ ଭାଙ୍ଗିବାର ଆଦୌ ଯଥାର୍ଥତା ନାହିଁ ବୋଲି ବିଧାୟକ ମହମ୍ମଦ ମୋକିମ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ଗିରିବାଳା ବେହେରା, ସନ୍ତୋଷ କୁମାର ଭୋଳ ଏବଂ କେତେକ କ୍ରୀଡା ସଂଗଠନର କର୍ମକର୍ତ୍ତା ଓ କ୍ରୀଡାପ୍ରେମୀମାନେ ଉପସ୍ଥିତ ଥିଲେ।