Spread the love

ଓଡ଼ିଶା ଅର୍ଥନୀତିରେ ଅହିଂସା ଦର୍ଶନ

ନିରନ୍ତର ବିକାଶର ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ ପାଇଁ ଆମ ଚାରିପାଖେ ଘଟୁଥିବା ସାମାଜିକ, ଅର୍ଥନୈତିକ ଓ ପରିବେଶଗତ ସମସ୍ୟାର ସମାଧାନ ନିହାତି ଆବଶ୍ୟକ। ବିଶ୍ୱ ପାଇଁ ବିକାଶ ଏକ ସମାବେଶୀ ନୁହେଁ, ବରଂ ଏକ ପ୍ରତିଯୋଗିତା। ଆଧୁନିକ ବିକାଶର ଉପାଦାନ ଯେପରିକି ନୂତନ ବିଶ୍ୱ ଅର୍ଥନୈତିକ ବ୍ୟବସ୍ଥା, ଉପଭୋକ୍ତାବାଦ ଏବଂ ଅସୀମ ଇଚ୍ଛା ଇତ୍ୟାଦି ହିଂସା ଏବଂ ସମ୍ୱଳର ଅତ୍ୟଧିକ ବିନିଯୋଗ ଉପରେ ନିର୍ଭରଶୀଳ। ସାରା ବିଶ୍ୱ ସମ୍ପ୍ରତି ଯୁଦ୍ଧମୟ ଓ ହିଂସାରେ ପୀଡ଼ିତ। ଏଭଳି ପରିସ୍ଥିତିରେ ଶାନ୍ତି ଓ ସହଯୋଗକୁ ପ୍ରାଥମିକତା ଦେଉଥିବା ଅର୍ଥନୈତିକ ବ୍ୟବସ୍ଥା ସମଗ୍ର ବିଶ୍ୱ ପାଇଁ କେବଳ ଏକ ବିକଳ୍ପ ନୁହେଁ; ବରଂ ଅପରିହାର୍ଯ୍ୟ। ଏହାର ସମାଧାନ ଗାନ୍ଧୀବାଦୀ ଅର୍ଥନୈତିକ ବ୍ୟବସ୍ଥା ଭିତରେ ଖୋଜିବାକୁ ହେବ। ସତ୍ୟ ଓ ଅହିଂସା ଉପରେ ଆଧାରିତ ଅର୍ଥନୈତିକ ବ୍ୟବସ୍ଥା ହିଁ ଗାନ୍ଧୀ ଅର୍ଥନୀତିର ଆଦର୍ଶ। ଏହା ଶିଳ୍ପାୟନ ଓ କେନ୍ଦ୍ରୀକୃତ ସାମୂହିକ ଉତ୍ପାଦନରୁ ହେଉଥିବା ଶୋଷଣ ଏବଂ ହିଂସାର ବିଭିନ୍ନ ଉତ୍ସକୁ ଦୂର କରିବାର ଏକ ପ୍ରୟାସ। ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରିବା ସହ ରାଷ୍ଟ୍ର ଏବଂ ସମ୍ପ୍ରଦାୟ ମଧ୍ୟରେ ସୌହାର୍ଦ୍ଦ ବଢ଼଼ାଇବା ହିଁ ଅହିଂସ ଅର୍ଥନୀତି ବା ‘ନନଭାଓଲେଣ୍ଟ ଇକୋନୋମି’।

ମହାତ୍ମା ଗାନ୍ଧୀଙ୍କ ଅର୍ଥନୈତିକ ବ୍ୟବସ୍ଥାର ଦୃଷ୍ଟିକୋଣରୁ ଅନୁପ୍ରାଣିତ ଅହିଂସ ଅର୍ଥନୀତି ହେଉଛି ଭବିଷ୍ୟତ ଅର୍ଥନୈତିକ ବିକାଶର ଏକ ମଡେଲ। ଆଶା କରାଯାଉଛି ଯେ ଏଭଳି ଏକ ମଡେଲ ଯଦି ପ୍ରୟୋଗ କରାଯାଏ ତେବେ ବିଶ୍ୱର ଅନେକ ସମସ୍ୟା ଯେପରିକି ଦାରିଦ୍ର୍ୟ, ଅସମାନତା, ଶ୍ରେଣୀସଙ୍ଘର୍ଷ ଏବଂ ପରିବେଶର ଅବକ୍ଷୟ ଇତ୍ୟାଦିକୁ ଦୂର କରିହେବ। ଅହିଂସ ଅର୍ଥନୀତି ମାନବ ଜାତି ଓ ପୃଥିବୀର ଭବିଷ୍ୟତ ପାଇଁ ଏକ ଆବଶ୍ୟକତା। ସମ୍ମାନ, କରୁଣା, ନ୍ୟାୟ ଏବଂ ସଂହତି ଭଳି ମାନବିକ ଆବେଗ ଥିବା ଏକ ଆର୍ଥିକ ବିକାଶର ମଡେଲ। ଅହିଂସାର ମୂଲ୍ୟବୋଧ ଏବଂ ନୀତି ସହିତ ଯୋଡ଼ି ହୋଇଥିବା ଏକ ସାମାଜିକ-ଅର୍ଥନୈତିକ ଚିନ୍ତାଧାରା।

ଅହିଂସ-ଅର୍ଥନୀତି ଉପରେ ଅର୍ଥନୀତିଜ୍ଞଙ୍କ ମତ ଭିନ୍ନ ଭିନ୍ନ। କିଛି ଅର୍ଥଶାସ୍ତ୍ରୀ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତ ଅର୍ଥନୈତିକ ଅଭ୍ୟାସ ଉପରେ ଗୁରୁତ୍ୱ ଦେଉଥିବା ବେଳେ ଆଧୁନିକ ଅର୍ଥନୀତିଜ୍ଞମାନେ ଅର୍ଥନୈତିକ ସ୍ଥିରତା ବଢ଼଼ାଇବାରେ ଅହିଂସା, ଶିକ୍ଷା ଓ କୂଟନୀତିର ସାମୂହିକ ଭୂମିକା ଉପରେ ଗୁରୁତ୍ୱ ଦିଅନ୍ତି। ଆୟଭିତ୍ତିକ ଅସମାନତା ଦୂରୀକରଣ ସହ ସାମାଜିକ ନ୍ୟାୟକୁ ତ୍ୱରାନ୍ୱିତ କରିବା ଏବଂ ଅର୍ଥନୀତିରେ ପରିବେଶ ସ୍ଥାୟିତ୍ୱକୁ ସମନ୍ୱିତ କରିବାକୁ ମଧ୍ୟ ଅନ୍ୟ ଏକ ଅର୍ଥନୀତି ବିଶାରଦ ଗୋଷ୍ଠୀ ସମର୍ଥନ କରନ୍ତି। ମୋଟ ଉପରେ କହିବାକୁ ଗଲେ, ଅହିଂସ-ଅର୍ଥନୀତି ଏକ ବିବିଧ ଓ ବ୍ୟାପକ କ୍ଷେତ୍ର। ଏହା ଏକ ଶାନ୍ତିପୂର୍ଣ୍ଣ ଏବଂ ସମାନ ଅର୍ଥନୈତିକ ବ୍ୟବସ୍ଥା ଗଠନ ପାଇଁ ଏକ ବାସ୍ତବିକ ଦୀର୍ଘମିଆଦୀ ଯୋଜନା।

ଯେତେବେଳେ ସଭ୍ୟ ସମାଜ ନିଜ ଅର୍ଥନୀତିକୁ ଶିକ୍ଷା, ଗବେଷଣା ଏବଂ ସାଂସ୍କୃତିକ ବିନିମୟ ଭଳି ଉପାଦାନରେ ବିନିଯୋଗ କରେ, ସେତେବେଳେ ପ୍ରଗତିକୁ ପ୍ରୋତ୍ସାହିତ କରୁଥିବା ଭଳି ଏକ ଅହିଂସ-ପରିବେଶ ସୃଷ୍ଟି ହୁଏ। ଅର୍ଥନୀତିଜ୍ଞ ରବ ହପକିନ୍ସଙ୍କ ‘ଦ ଟ୍ରାନଜିସନ୍‌‌ ହ୍ୟାଣ୍ଡବୁକ୍‌‌: ଟ୍ରାନ୍‌‌ଜିସନ୍‌‌ ଟାଉନ୍‌‌ ମୁଭମେଣ୍ଟ’ରେ ଉଲ୍ଲେଖ ଅଛି ଯେ ଗୋଷ୍ଠୀଭିତ୍ତିକ ଅର୍ଥନୀତି ପାଇଁ ଅହିଂସା ହିଁ ଏକ ମୁଖ୍ୟ ଉପକରଣ। ଅନ୍ୟଜଣେ ଅର୍ଥଶାସ୍ତ୍ରୀ ଚାର୍ଲସ ଆଇଜେନଷ୍ଟାଇନ୍‌‌ ‘ସାକ୍ରେଡ୍‌‌ ଇକୋନୋମିକସ’ ପୁସ୍ତକରେ ଏକ ଅର୍ଥନୈତିକ ବ୍ୟବସ୍ଥାର ରୂପାନ୍ତରଣକୁ ଅନୁସନ୍ଧାନ କରିଛନ୍ତି, ଯାହା ପରିବେଶ ସ୍ଥିରତା ଏବଂ ମାନବକଲ୍ୟାଣ ସହିତ ସଂଯୁକ୍ତ, ଅହିଂସାମୂଳକ ନୀତି ଉପରେ ପର୍ଯ୍ୟବସିତ।

ଓଡ଼ିଶାର ପ୍ରଗତି ପରିପ୍ରେକ୍ଷୀରେ ଅହିଂସ-ଅର୍ଥନୀତିର ଅବତାରଣା ଅତ୍ୟନ୍ତ ପ୍ରାସଙ୍ଗିକ। ଓଡ଼ିଶାରେ ଅହିଂସ-ଅର୍ଥନୀତିର ପ୍ରୟୋଗରେ ଗୋଷ୍ଠୀଭିତ୍ତିକ କୃଷି, ଆଦିବାସୀ ଓ ଜନଜାତିଙ୍କ ବିକାଶ, ନିରନ୍ତର ଓ ଦାୟିତ୍ୱସମ୍ପନ୍ନ ମତ୍ସ୍ୟ ଉତ୍ପାଦନ, ଜୈବିକ କୃଷି ଏବଂ ପରିବେଶ-ଅନୁକୂଳ ପର୍ଯ୍ୟଟନ ଅନ୍ତର୍ଭୁକ୍ତ। ଏହାବ୍ୟତୀତ ନିରପେକ୍ଷ ବାଣିଜ୍ୟ, ଶାନ୍ତିପୂର୍ଣ୍ଣ ଅର୍ଥନୈତିକ ବ୍ୟବସ୍ଥା ଏବଂ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରୁଥିବା ସମବାୟ ମଧ୍ୟ ଓଡ଼ିଶାରେ ଅହିଂସ-ଅର୍ଥନୀତିର ଉପାଦାନ। ନିରନ୍ତର ସ୍ଥାୟିତ୍ୱକୁ ପ୍ରାଥମିକତା ଦେଉଥିବା କୃଷି ଓ ଶିଳ୍ପଗୁଡ଼ିକ ହିଁ ସ୍ଥାନୀୟ ସମ୍ପ୍ରଦାୟ ଏବଂ ପରିବେଶର ଦୀର୍ଘକାଳୀନ କଲ୍ୟାଣ କରିପାରିବେ। ଉଦାହରଣ ସ୍ୱରୂପ, ଓଡ଼ିଶାର କୃଷି କ୍ଷେତ୍ରର ବିକାଶ କେବଳ ପରିବେଶ ଅନୁକୂଳ ବାତାବରଣ ଓ ସାମାଜିକ ସୁରକ୍ଷା ଦ୍ୱାରା ହିଁ ହୋଇପାରିବ। ଏଥିପାଇଁ ନବୀନ ସରକାରଙ୍କ ଦ୍ୱାରା ଗୋଷ୍ଠୀଭିତ୍ତିକ କୃଷି ସମବାୟ ସମିତି ଗଠନକୁ ସର୍ବଦା ପ୍ରୋତ୍ସାହିତ କରାଯାଇଛି। ଓଡ଼ିଶାରେ ବିଶେଷକରି ଆଦିବାସୀ ଅଞ୍ଚଳରେ ଗୋଷ୍ଠୀଭିତ୍ତିକ କୃଷି ସମବାୟ ସମିତିକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ଉଦାହରଣ ସ୍ୱରୂପ, ଓଡ଼ିଶା ମିଲେଟ୍‌‌ ମିଶନ (ଓଏମ୍‌‌ଏମ୍‌‌), ବିସ୍ତାରିତ ସମବାୟ ବିଭାଗ ଓ ଓଡ଼ିଶାର ଆଦିବାସୀ ଅଞ୍ଚଳରେ କୃଷି ଉତ୍ପାଦନ କ୍ଲଷ୍ଟର (ଏପିସି)।

ରାଜ୍ୟରେ ମାଣ୍ଡିଆ ଓ ଅନ୍ୟ ପୁଷ୍ଟିଶସ୍ୟର ପୁନରୁଦ୍ଧାର ପାଇଁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ୨୦୧୭-୧୮ରେ ଆରମ୍ଭ ହୋଇଥିବା ଏକ ପ୍ରମୁଖ କାର୍ଯ୍ୟକ୍ରମ ହେଉଛି ଓଏମ୍‌‌ଏମ୍‌‌। ଏହା ରାଜ୍ୟର କୃଷିରେ ତଥା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଦୃଷ୍ଟାନ୍ତମୂଳକ ରୂପାନ୍ତରଣ। ଓଏମ୍‌‌ଏମ୍‌‌ ବ୍ଲକସ୍ତରରେ ବଜାର ସୁବିଧା ସୃଷ୍ଟି କରିବା ସହ କୃଷକଙ୍କ ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ ନିମନ୍ତେ ପାଣ୍ଠି ଯୋଗାଇଦେଉଛି। ତେବେ ଯେଉଁଠି କୃଷକ ଉତ୍ପାଦକ ସଂଗଠନ ନାହିଁ, ସେଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କୃଷକ ଉତ୍ପାଦକ ସଂଗଠନ ଭାବରେ ପଞ୍ଜୀକରଣ କରିବାକୁ ଉତ୍ସାହିତ କରାଯାଉଛି। ନିକଟରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଭୁବନେଶ୍ୱରରେ ଏକ ଅନ୍ତର୍ଜାତୀୟ ମିଲେଟ୍‌‌ ସମ୍ମିଳନୀ ଆୟୋଜନ କରିଥିଲା। ଏହି ସମ୍ମିଳନୀରେ ମାଣ୍ଡିଆର ଆଦିବାସୀ ଐତିହ୍ୟକୁ ପାଳନ କରାଯିବା ସହ ମିଲେଟ୍‌‌ ଉଦ୍ୟୋଗର ସଫଳତାର କାହାଣୀ ଉପରେ ଆଲୋକପାତ କରାଯାଇଥିଲା। ଏହା ମାଣ୍ଡିଆ ଭଳି ଅନ୍ୟ ପୁଷ୍ଟିଶସ୍ୟ ଇକୋସିଷ୍ଟମରେ ନିବେଶ ସୁଯୋଗ ଉପରେ ବିଚାର ବିମର୍ଶ କରିବା ପାଇଁ ମଧ୍ୟ ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା।

ଓଡ଼ିଶାରେ ସମବାୟ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ ନବୀନ ସରକାରଙ୍କ ଦ୍ୱାରା ସମବାୟ ବିଭାଗକୁ ବିସ୍ତାରିତ କରାଯାଇଛି। ନିକଟରେ ସମବାୟ ବିଭାଗ ଏକ ନୂଆ ମଡେଲ ଗ୍ରହଣ କରିଛି, ଯେଉଁଥିରେ ପ୍ରାଥମିକ କୃଷି ଋଣ ସମିତି ସହାୟତାରେ ଦୁଗ୍ଧ, ମତ୍ସ୍ୟ ଚାଷ, ଗୋଦାମ ପ୍ରତିଷ୍ଠା, ଖାଦ୍ୟଶସ୍ୟ କ୍ରୟ, ସାର ବିକ୍ରି, ବିହନ, ଏଲପିଜି, ସିଏନ୍‌‌ଜି, ପେଟ୍ରୋଲ ଏବଂ ଡିଜେଲ ସମେତ ୨୫ରୁ ଅଧିକ ବ୍ୟବସାୟିକ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯାଇପାରିବ। ଏହାବ୍ୟତୀତ, ଓଡ଼ିଶାର ଆଦିବାସୀ ଓ ଜନଜାତିଙ୍କର ସାମଗ୍ରିକ ବିକାଶ ପାଇଁ ଚଳିତ ବର୍ଷ ରାଜ୍ୟ ସରକାର ‘ଲାଭ’(ଲଘୁ ବନଜାତ ଦ୍ରବ୍ୟ କ୍ରୟ) ଯୋଜନା ଆରମ୍ଭ କରିଛନ୍ତି। ନିରନ୍ତର ବିକାଶ ପାଇଁ ଆଦିବାସୀଙ୍କ ଭାଷା ଓ ସଂସ୍କୃତିର ସୁରକ୍ଷା ନିହାତି ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ନବୀନ ସରକାରଙ୍କ ଦ୍ୱାରା ‘ଓଡ଼ିଶା ଆଦିବାସୀ ଭାଷା ମିଶନ’ ପ୍ରତିଷ୍ଠା ହୋଇଛି। ଆଦିବାସୀ ଅଞ୍ଚଳରେ କୃଷି ଉତ୍ପାଦନ କ୍ଲଷ୍ଟର ଭଳି ପଦକ୍ଷେପକୁ ତ୍ୱରାନ୍ୱିତ କରାଯାଉଛି। ଓଡ଼ିଶାର ଆଦିବାସୀ ଅଞ୍ଚଳରେ କୃଷିର ଉତ୍ପାଦକତା, ଲାଭଦାୟକତା ଏବଂ ସ୍ଥାୟୀତ୍ୱ ବୃଦ୍ଧି ପାଇଁ ବିଭିନ୍ନ ବିଭାଗ, ସଂସ୍ଥା ଏବଂ ଅଣଲାଭକାରୀ ସଂସ୍ଥାର ଏହା ଏକ ମିଳିତ ପ୍ରୟାସ। ଏହି ପ୍ରକଳ୍ପରେ ୧୨ଟି ଜିଲ୍ଲା ଓ ୧ ଲକ୍ଷ ପରିବାରକୁ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ସ୍ଥିର କରାଯାଇଛି। ଜୀବିକାର ଉନ୍ନତିକରଣ ମାଧ୍ୟମରେ ଆଦିବାସୀଙ୍କ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ପାଇଁ ଓଡ଼ିଶା ସରକାର ନିକଟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ଆରମ୍ଭ ହୋଇଛି। ୨୦୨୩-୨୪ରୁ ପର୍ଯ୍ୟାୟକ୍ରମେ ୧୪.୫ ଲକ୍ଷ ଆଦିବାସୀ ପରିବାରକୁ ଏଥିରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଲକ୍ଷ୍ୟ ରଖିଛି। ଏ ସବୁ କେବଳ ଉତ୍ପାଦକତା ବୃଦ୍ଧି କରୁ ନାହିଁ, ବରଂ ଆମ ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ ମାଟି ଏବଂ ଜଳ ସମ୍ପଦକୁ ମଧ୍ୟ ସୁରକ୍ଷିତ କରୁଛି।

ଓଡ଼ିଶା ସରକାର ଉଭୟ ଆଭ୍ୟନ୍ତରୀଣ ଓ ସାମୁଦ୍ରିକ ମାଛଧରା ଜୀବିକା ପାଇଁ ଅନେକ ନୀତି ଓ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ଏକ ଅନ୍ତର୍ଜାତୀୟ- ଅଣଲାଭକାରୀ ଗବେଷଣା ସଂସ୍ଥା ‘ୱାର୍ଲ୍ଡଫିସ୍‌‌’, ଓଡ଼ିଶାରେ ମତ୍ସ୍ୟଚାଷକୁ ନେଇ ଏକ ଫ୍ୟାକ୍ଟସିଟ୍‌‌ ପ୍ରକାଶ କରିଛନ୍ତି। ଏଥିରେ ଓଡ଼ିଶାରେ ମତ୍ସ୍ୟଚାଷର ସକାରାତ୍ମକ ଦିଗ ଉପରେ ଆଲୋକପାତ କରାଯାଇଛି। ସେହିପରି ଜୈବିକ କୃଷିକୁ ସମର୍ଥନ ଓ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ଜୈବିକ କୃଷି ନୀତି ୨୦୧୮ ଏବଂ ଓଡ଼ିଶା କୃଷି ନୀତି ୨୦୨୦ ପ୍ରଣୟନ କରିଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାର ଓଡ଼ିଶା ଜୈବିକ ମିଶନ ପ୍ରତିଷ୍ଠା କରିଛନ୍ତି।

ଅହିଂସ-ଅର୍ଥନୈତିକ ପ୍ରୟୋଗରେ ମାଇକ୍ରୋଫାଇନାନ୍ସ ପଦକ୍ଷେପ ଅନ୍ତର୍ଭୁକ୍ତ। କାରଣ ଏହା ମହିଳା ଏବଂ ଅବହେଳିତ ସମୁଦାୟମାନଙ୍କୁ କ୍ଷୁଦ୍ର ବ୍ୟବସାୟ ଆରମ୍ଭ କରିବାକୁ ସଶକ୍ତ କରେ। ଅର୍ଥନୈତିକ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବା ସହ ହିଂସ୍ର ଆର୍ଥିକ ଢାଞ୍ଚା ଉପରେ ନିର୍ଭରଶୀଳତା ହ୍ରାସ କରେ। ଓଡ଼ିଶାରେ ମାଇକ୍ରୋଫାଇନାନ୍ସ ମାଧ୍ୟମରେ ଅହିଂସାତ୍ମକ ଅର୍ଥନୈତିକ ଅଭ୍ୟାସର ଦୁଇଟି ଶ୍ରେଷ୍ଠ ଉଦାହରଣ ହେଉଛି ‘ମିଶନ ଶକ୍ତି’ ଓ ‘ଓଡ଼ିଶା ଜୀବିକା ମିଶନ’। ଓଡ଼ିଶା ପରିବେଶ ପର୍ଯ୍ୟଟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ସଂରକ୍ଷଣ, ସମୁଦାୟ ଏବଂ ସମାବେଶୀର ଏକ ମିଳିତ ପ୍ରୟୋଗ। ପରିବେଶକୁ ଶୋଷଣ ନକରି କିମ୍ୱା କ୍ଷତିକାରକ ଅଭ୍ୟାସ ନ କରି ସ୍ଥାନୀୟ ସମୁଦାୟର ଅର୍ଥନୀତିରେ ସକାରାତ୍ମକ ଯୋଗଦାନ ହିଁ ଏହାର ଲକ୍ଷ୍ୟ। ଅହିଂସ-ଅର୍ଥନୀତିର ଅନ୍ୟତମ ମୂଳମନ୍ତ୍ର ହେଉଛି ନୈତିକ ବ୍ୟବସାୟ ଅଭ୍ୟାସ ଓ ବାଣିଜ୍ୟ ଅନୁକୂଳ ପରିବେଶ। ଏହାକୁ ପାଥେୟ କରି ଓଡ଼ିଶା ସରକାର ଏକ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହା କେବଳ ରାଜ୍ୟର ଖ୍ୟାତି ବୃଦ୍ଧି କରୁ ନାହିଁ, ବରଂ ଏକ ସ୍ଥାୟୀ ଏବଂ ସ୍ଥିର ଅର୍ଥନୈତିକ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରି ଦାୟିତ୍ୱବାନ ନିବେଶକମାନଙ୍କୁ ମଧ୍ୟ ଆକୃଷ୍ଟ କରୁଛି।

ମିଳିତ ସମୃଦ୍ଧିର ଭାବନାକୁ ପ୍ରୋତ୍ସାହିତ କରି ସମାଜର ସମସ୍ତ ବର୍ଗଙ୍କ ପାଖରେ ଏହାର ସୁଫଳ ପହଞ୍ଚିବା ହିଁ ଓଡ଼ିଶା ଅହିଂସ-ଅର୍ଥନୀତି ମଡେଲର ଉଦ୍ଦେଶ୍ୟ। ଗାନ୍ଧୀବାଦୀ ଅହିଂସ-ଅର୍ଥନୀତିକୁ ଆଧାର କରି ଯେ ଓଡ଼ିଶାର ବିକାଶ ଅର୍ଥପୂର୍ଣ୍ଣ ହୋଇପାରିବ ଏହା ନିଶ୍ଚିତ। ସମଗ୍ର ଭାରତ ପାଇଁ ଏକ ନୂଆ ମଡେଲ।

Leave a Reply

Your email address will not be published. Required fields are marked *