*ବିଶ୍ଵାସେ ମିଳଇ ହରି….*
ଚୋର ଟିଏ। ଚୋରି କରି ପେଟ ପୋଷେ। ସନ୍ଧ୍ୟା ରତ ରତ। ଗୋଟିଏ ଘର ଭିତରକୁ ପଶି ଗଲା ଚୋରି କରିବା ପାଇଁ।
ତାର ଦୁର୍ଭାଗ୍ୟକୁ ଘର ଭିତରେ ଜଣେ ବ୍ରାହ୍ମଣ ପଣ୍ଡିତ ଶାସ୍ତ୍ର ଟିଏ ପଢି ଶୁଣାଉ ଥାଆନ୍ତି। ତାଙ୍କ ଚାରି ପାଖରେ ଘର ର ସମସ୍ତେ ଘେରି ବସି ଥାଆନ୍ତି। ବିଚରା ଫସି ଗଲା।
ନା, ବାହାରକୁ ପଳାଇ ପାରୁଛି ନା କୌଣସି ଜିନିଷ ପତ୍ର ଚୋରି କରି ପାରୁଛି! ବାଧ୍ୟ ହୋଇ ଧାନ ପୋଟଳି ଟିଏର ପଛ ଆଡ଼େ ଲୁଚି ବସିଲା।
ବ୍ରାହ୍ମଣ ଭାଗବତ ପାଠ କରୁଥାନ୍ତି।
ମାତା ଯଶୋଦା ବାଳକ କୃଷ୍ଣ ଙ୍କୁ ଭଳି କି ଭଳି ସୁଆଦିଆ ଖାଦ୍ୟ ଖୁଆଇଲେ।
ଏହାପରେ ସୁନା, ରୁପା, ମୋତି, ମାଣିକ୍ୟ, ହୀରା, ନୀଳା, ବୈଦୂର୍ଯ୍ୟ ଆଦି ରତ୍ନ ର ଅଳଙ୍କାର ରେ ସଜେଇ ବଡ଼ଭାଇ ବଳରାମ ସାଥିରେ ଗାଈ ଚରାଇବା ପାଇଁ ଯମୁନା କୂଳ କୁ ପଠାଇ ଦେଉଛନ୍ତି। ପଣ୍ଡିତ ତାଙ୍କର ଲଳିତ ସ୍ୱର ରେ ଏ କଥା ବର୍ଣ୍ଣନା କରୁଥାନ୍ତି। ଶୁଣୁ ଶୁଣୁ ଚୋର ର ମନରେ ଲୋଭ ଲାଗି ଗଲାଣି।
ଏମିତି ଛୋଟ ମୋଟ ଚୋରି କରି ସାରା ଟା ଜୀବନ କଟିଗଲେ ମଧ୍ଯ କେତେ ବା ସମ୍ପତ୍ତି ଠୁଳ କରି ପାରିବ ସେ! ସେହି ବାଳକଟିକୁ ଯଦି ପାଖରେ ପା’ନ୍ତା, ଏକା ଥରକେ ଏତେ ବେଶି ଗହଣା ଗାଣ୍ଠି ହାତରେ ଲାଗି ଯାଆନ୍ତା ଯେ ତାକୁ ଆଉ ଘର ଘର ବୁଲି ଚୋରି କରିବା ପାଇଁ ପଡନ୍ତା ନାହିଁ।
ଆଉ ଚୋରି କରିବ କଣ! ଘର ଭିତରୁ ଚୁପ୍ ଚାପ୍ ବାହାରି ଯାଇ ଅନ୍ଧାରୁଆ ଜାଗା ଟିଏ ଦେଖି ସେଠାରେ ସେହି ପଣ୍ଡିତ ଙ୍କ ଆସିବାକୁ ଅପେକ୍ଷା କରି ବସି ରହିଲା।
ପଣ୍ଡିତେ ଯେମିତି ସେଠାରେ ପହଞ୍ଚିଲେ ପଛ ଆଡ଼ୁ ତାଙ୍କ ଉପରକୁ ଝପଟି ପଡିଲା। ପଣ୍ଡିତ ଙ୍କର ତ ଅକଲ ଗୁଡୁମ୍। ଖନିମରା ପାଟି ରେ କହୁଥାନ୍ତି,”ଆରେ ମୁଁ ଗରିବ ଲୋକ। ମୋ ପାଖରୁ କଣ ଅବା ପାଇବୁ? ଏଇ ଯାହା କିଛି ଦକ୍ଷିଣା ପାଇଛି ନେ ଆଉ ମୋତେ ଛାଡ଼ି ଦେ।”
ଚୋର ଟି ବ୍ରାହ୍ମଣ ଙ୍କ ପାଟି ବନ୍ଦ୍ କରି ନେଇ କହିଲା,
” ପଣ୍ଡିତେ ଆଜ୍ଞା, ମୁଁ ତମର କିଛି କ୍ଷତି କରିବି ନାହିଁ ବା ତମ ପାଖରୁ କିଛି ଚୋରି କରିବି ନାହିଁ। ମୋତେ ଖାଲି ସେଇ ଦୁଇ ଭାଇ ଙ୍କ ଠିକଣା ବତେଇ ଦିଅ ଯେଉଁମାନେ ଯମୁନା କୂଳ କୁ ନିଇତି ଗାଈ ଚରେଇବା ପାଇଁ ଯାଆନ୍ତି।”
ପଣ୍ଡିତେ ଦେଖିଲେ ୟା ପାଖରୁ ବର୍ତ୍ତିବାକୁ ହେଲେ ଏଣୁତେଣୁ କିଛି କହି ଖସି ଯିବା ହିଁ ଉଚିତ ହେବ।
“ସେ ବାଳକ ଦୁହିଁଙ୍କୁ ବୃନ୍ଦାବନ ର ଯମୁନା ନଦୀ କୂଳରେ ପ୍ରତିଦିନ ସକାଳ ବେଳା ପାଇବ। ଦୁହିଁଙ୍କ ଭିତରୁ ଜଣେ ଗାଢ଼ କୃଷ୍ଣ ବର୍ଣ୍ଣ ର, ହାତରେ ବଇଁଶୀ ଟିଏ ଥିବ। ସେଇ ବାଳକ ଦେହରେ ହିଁ ବେଶି ଆୟ ଅଳଙ୍କାର ଥିବ। ଆର ଜଣଙ୍କ ତାର ବଡ଼ଭାଇ। ସେ ଦେଖିବାକୁ ତୋଫା ଗୋରା।
ସେମାନେ ଯମୁନା କୂଳର ଶାଗୁଆ ଘାସ ପଡ଼ିଆରେ ଗାଈ ମାନଙ୍କୁ ଚରାଇବା ପାଇଁ ନିଇତି ଆସନ୍ତି।”
ଏତିକି କହି ପଣ୍ଡିତେ ଚୋର ପାଖରୁ ଖସି ଡିଆଁ ମାରିଲେ।
ଚୋର ର ତ ମନ ଲାଗି ଯାଇଛି।
ତା ପର ଦିନ ଘର ଛାଡ଼ି ଏକମୁହାଁ ହୋଇ ବୃନ୍ଦାବନ ଆଡ଼େ ଆଗେଇ ଚାଲିଲା। ରାସ୍ତାରେ ଯେତେ ବାଧାବିଘ୍ନ ଆସିଲେ ମଧ୍ଯ ସେଥି ପ୍ରତି ଖାତିର ନ କରି ମାଡ଼ି ଚାଲିଲା।
ଶେଷରେ ବୃନ୍ଦାବନ ର ଯମୁନା ନଦୀ କୂଳରେ ଥିବା ଶାଗୁଆ ଘାସ ପଡ଼ିଆ ଟିଏ ପାଖରେ ପହଞ୍ଚି ଟିକିଏ ନିଶ୍ବାସ ନେଲା ଓ ପର ଦିନ ସକାଳ ହେବାକୁ ଅପେକ୍ଷା କରି ରହିଲା।
ଗୋଟିଏ ଗଛ ଉପରେ ଚଢ଼ି ଦୁଇ ଭାଇ ଙ୍କୁ ଅପେକ୍ଷା କରି ବସିଥାଏ।
ବେଶ୍ କିଛି ସମୟ ଅପେକ୍ଷା କଲା ପରେ ଦୂରରୁ ବଇଁଶୀ ର ସୁମଧୁର ଶବ୍ଦ ଶୁଣି ସେ ବିଚଳିତ ହୋଇ ପଡ଼ିଲା।
ଧିରେ ଧିରେ ଶଦ୍ଦ ଟି ନିକଟତର ହେଲା ଓ ଦୁଇ ଜଣ ସୁଦର୍ଶନ ବାଳକ ସେଠାରେ ଆସି ପହଞ୍ଚିଲେ।
ଚୋର ଜଣକ ଗଛ ଉପରୁ ତଳକୁ ଓହ୍ଲେଇ ଆସ
କୃଷ୍ଣ ବର୍ଣ୍ଣ ର ବାଳକ ଟି ସତରେ କେତେ କେତେ ଅଳଙ୍କାର ପିନ୍ଧି ଝଟକୁଛି ଯେମିତି। ଚୋର ଟି ବାଳକ ର ହାତ ଜୋର୍ କରି ଧରି ପକାଇଲା।
କିନ୍ତୁ ବାଳକ ଟିର ସୁନ୍ଦରତା ରେ ଏମିତି ଯାଦୁ ଥିଲା ଯେ ସେ ଚୋରି କରିବ କଣ ତାର ମୁହଁ କୁ ଅନେଇ ଛିଡ଼ା ହୋଇ ରହିଗଲା।
ପ୍ରକୃତ ରେ ଭଗବାନ କୃଷ୍ଣ ଙ୍କ ସ୍ପର୍ଶ ମାତ୍ରକେ ତାର ସମ୍ପୂର୍ଣ୍ଣ ଗ୍ଲାନି ଧୋଇ ହୋଇ ଯାଇଥିଲା।
କିନ୍ତୁ ତାର ପାପ ର ଫଳ ତାର ମୁହଁ କୁ ବିକୃତ କରି ଦେଇଥାଏ।
ବାଳକ କୃଷ୍ଣ ତାକୁ ହଲେଇ ଦେଇ କହୁଥାନ୍ତି, “ମୋତେ ଛାଡ଼, ତୁମ ମୁହଁ ଦେଖି ମୋତେ ବହୁତ ଭୟ ଲାଗୁଛି।”
ଚୋର ଜଣକ ର ତ ସେତେ ବେଳକୁ ଜ୍ଞାନ ଉଦୟ ହେଲାଣି। ସେ ଜାଣି ପାରୁଥାଏ ଯେ ତାର ପାପ ର କାଳିମା ତା’ ମୁଁହ ଉପରେ ପ୍ରତିଫଳିତ ହେଉଛି।
ସେ ବାଳକୃଷ୍ଣ ଙ୍କ ହାତ ଛାଡ଼ି ଦେଇ ମନ୍ତ୍ରମୁଗ୍ଧ ହୋଇ ଛିଡ଼ା ହୋଇ ରହିଥାଏ।
କୃଷ୍ଣ ତାକୁ ହଲେଇ ଦେଲେ।
କହିଲେ ତୁମେ କଣ ପାଇଁ ଆସିଥିଲ ଭୁଲି ଗଲଣି କି?
ଚୋର ଭିତରେ ସେତେବଳକୁ ଆଉ ଚୋରି କରିବା ର ମାନସିକତା ନ ଥାଏ।
କିନ୍ତୁ ଦରଦୀ ଭଗବାନ ଭକ୍ତ ର ମନ ଚିହ୍ନନ୍ତି।
ସେ କହି ଉଠିଲେ, ” ଲାଜ କର ନାହିଁ। ତୁମେ ତ କେବଳ ଛୋଟ ଚୋର ଟିଏ। ମୁଁ ପରା ସବୁ ଠାରୁ ବଡ ଚୋର। ମୁଁ ଲୋକଙ୍କ ମନ ଚୋରି କରି ନିଏ। ସେଥି ପାଇଁ ଲୋକେ ମୋତେ ଚିତ୍ତଚୋର ବୋଲି କହନ୍ତି।ଏଇ ଦେଖ ମୁଁ ତୁମ ମନ ମଧ୍ୟ ଚୋରି କରି ନେଲିଣି।
ଏଇ ଅଳଙ୍କାର ତକ ନିଅ। ତୁମ ସଂସାର ଚଳାଇବା ପାଇଁ ଏହା ଯଥେଷ୍ଟ ହେବ। ଆଜି ଠାରୁ ତୁମକୁ ଆଉ ଚୋରି କରିବା ପାଇଁ ପଡ଼ିବ ନାହିଁ।”
ଚୋର ଜଣକ ପ୍ରକୃତିସ୍ଥ ହେବା ବେଳକୁ ସେଠାରେ ଆଉ କେହି ନାହାନ୍ତି।
ଚୋର ର କାନ୍ଧରେ ଝୁଲୁ ଥାଏ ଗୋଟିଏ ବ୍ୟାଗ୍ ଭର୍ତ୍ତି ଅଳଙ୍କାର।
ଏଥର ଚୋର ଜଣକ ଘରକୁ ଫେରି ପଣ୍ଡିତ ଙ୍କୁ ଧନ୍ୟବାଦ୍ ଦେବା ପାଇଁ ତାଙ୍କ ଘରକୁ ଗଲା ଓ ଯାହା ଘଟି ଥିଲା ସବୁ ଗୋଟି ଗୋଟି କରି କହିଗଲା।
ବ୍ରାହ୍ମଣ ଙ୍କର ତା କଥାରେ ବିଶ୍ବାସ ହେଲା ନାହିଁ।
ବୃନ୍ଦାବନ ର ସେହି ସ୍ଥାନ କୁ ନେଇ ସେହି ଦୁଇ ଭାଇ ଙ୍କୁ ଦେଖାଇ ଦେବା ପାଇଁ ଚୋର ପାଖରେ ଅନୁରୋଧ କଲେ ସେ।
ଚୋର ଜଣକ ପଣ୍ଡିତ ଙ୍କୁ ନେଇ ବୃନ୍ଦାବନ ର ଯମୁନା କୂଳ ର ସେହି ଗଛ ଉପରେ ଅପେକ୍ଷା କରି ରହିଲା।
ପରଦିନ ସକାଳ ହେଲା।
ଚୋର ଜଣକ ଦୂରରୁ ବଇଁଶୀ ର ସ୍ୱର ଶୁଣି ପାରି ବ୍ରାହ୍ମଣ ଙ୍କୁ କାନ ଡେରି ଶୁଣିବା ପାଇଁ କହିଲା।
ବ୍ରାହ୍ମଣ କିଛି ଶୁଣି ପାରିଲେ ନାହିଁ।
କିଛି ସମୟ ପରେ ଚୋର ଜଣକ ପାଟି କରି କହି ଉଠିଲା,” ହେଇ ଦେଖ ଗୋସାଇଁ, ଦୁଇ ଭାଇ କେମିତି ଧୂଳି ଉଡ଼ାଇ ଉଡ଼ାଇ ଗାଈ ମାନଙ୍କୁ ନେଇ ଏ ଆଡ଼କୁ ଆଗେଇ ଆସୁଛନ୍ତି!”
ବ୍ରାହ୍ମଣ ଆଖିରୁ ମଇଳା ସଫାକରି ନିରେଖି ନିରେଖି ଦେଖିଲେ।
ତଥାପି କିଛି ଦେଖି ପାରୁ ନ ଥାନ୍ତି।
ଏଥର ଆହୁରି ପାଖକୁ ଆସି ଗଲେଣି ବୋଲି କହି ଚୋର ଟି ତର ତର ହୋଇ ତଳକୁ ଓହ୍ଲେଇ ଆସିଲା। ତା ପଛେ ପଛେ ପଣ୍ଡିତ।
ଚୋର ଆନନ୍ଦ ରେ ଫାଟି ପଡୁଥାଏ। ଯେମିତି ଅତି ପରିଚିତ କାହା ସାଙ୍ଗରେ ଅତି ଖୁସି ହୋଇ କିଛି କଥା ହେଉଛି। କିନ୍ତୁ ପଣ୍ଡିତେ ଚୋର ଜଣକୁ ଛାଡ଼ି ଆଉ କାହାକୁ ଦେଖି ପାରୁ ନ ଥାନ୍ତି।
ପଣ୍ଡିତେ ଏଥର କାନ୍ଦି ଉଠିଲେ।
“ତୁମର କି ନ୍ୟାୟ ହେ ଭଗବାନ। ମୁଁ ସାରା ଟା ଜୀବନ ତୁମର ଗୁଣ କିର୍ତ୍ତନ କଲି। ଏ ଚୋର ଜଣକ ପର ଘରୁ ଚୋରି କରି ପେଟ ପୋଷିଲା। ତାକୁ ଦେଖା ଦେଲ, ଅଥଚ ମୋତେ ଦର୍ଶନ ଦେଲ ନାହିଁ?”
ଭଗବାନ ଙ୍କ ହୃଦୟ ରେ ଦୟା ହେଲା।
ସେ ବ୍ରାହ୍ମଣ ର ସନ୍ଦେହ ଦୂର କରିବା ପାଇଁ ଆବିର୍ଭାବ ହେଲେ ଓ କହିଲେ,”ତୁମେ ପୋଥି ପାଠ କରି ମୋ ବିଷୟ ରେ ଯାହା ସବୁ ବର୍ଣ୍ଣନା କରୁଥିଲ, ସେଥିରେ ତୁମେ ନିଜେ ବିଶ୍ଵାସ କରୁ ନ ଥିଲ। ଗୋଟିଏ ଗପ ବୋଲି ଭାବୁଥିଲ।
ଅଥଚ ଏ ସରଳ ବିଶ୍ୱାସୀ ଚୋର ତୁମ କଥାରେ ବିଶ୍ବାସ କରି ମୋତେ ଖୋଜି ଖୋଜି ଆସି ବୃନ୍ଦାବନ ପହଞ୍ଚି ଗଲା। ମୁଁ ବିଶ୍ୱାସ ରେ ବାସ କରେ। ଅବିଶ୍ବାସୀ ଠାରୁ ମୁଁ ଅନେକ ଦୂର ରେ ଥାଏ।”
ଏତକ କହି ସାରିବା ପରେ ସେ ଅନ୍ତର୍ଦ୍ଧାନ ହୋଇ ଗଲେ।
ଦୁଇ ଜଣଙ୍କ ଆଖିରୁ ବୋହି ଗଲା ଧାର ଧାର ଲୁହ ର ଧାର।
ଯମୁନା ନଦୀ କୂଳର ସେଇ ଶାଗୁଆ ଘାସ ପଡ଼ିଆରେ ଦମକାଏ ପବନ ବହିଗଲା।
ଚାରିଆଡ଼ର ବାତାବରଣ ଶୁନଶାନ।
ଆକାଶ ମଧ୍ଯ ସ୍ତବ୍ଧ ହୋଇ ଯାଇ ଥିଲା।