Spread the love

ଅପ୍ରିୟ କଥା !
ଭୋଟର ଖୋଜା ଚାଲିଛି !
ଫଟୋ ବି କଥା କହେ ..

ଜୟ ଶ୍ରୀରାମ !
ଜୟ ଜଗନ୍ନାଥ !
ଆସ୍ଥାର ପ୍ରତୀକ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଓ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ । ଦଶ ଅବତାରରେ ଭଗବାନ ବିଷ୍ଣୁଙ୍କର ସପ୍ତମ ଅବତାରରେ ପ୍ରଭୁ ଶ୍ରୀରାମ ତ୍ରେତୟା ଯୁଗରେ ଧର୍ମ ରକ୍ଷା ନିମନ୍ତେ ମାନବୀୟ ଲୀଳା କରି ମୁନି ଋଷିଙ୍କୁ ସୁରକ୍ଷା ଦେଇ ଅନେକ ଦୁଷ୍ଟ ଅସୁରଙ୍କୁ ସଂହାର କରି ରାମ ରାଜ୍ୟ ପ୍ରତିଷ୍ଠା କରିଥିଲେ । ରାଜ ସିଂହାସନରେ ଗୁରୁ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ପିତୃସତ୍ୟ ପାଳନ କରି ଆଦର୍ଶର ପ୍ରମାଣ ଦେଇ ବନବାସକୁ ଆଜ୍ଞା ରୂପେ ଗ୍ରହଣ କରିଥିଲେ । ସୂର୍ଯ୍ୟବଂଶ ରାଜ ପରିବାର କ୍ଷତ୍ରିୟ କୂଳରେ ଜନ୍ମ ହୋଇ ଅଛୁଆଁ ଜାତିର ସମ୍ମାନ ରକ୍ଷା କରିବା ପାଇଁ କୈବର୍ତ୍ତ ଓ ଶବରୀର ଭକ୍ତି ପ୍ରେମରେ ଅନ୍ଧ ହୋଇ ବାନ୍ଧି ହୋଇ ଯାଇଥିଲେ ।ରାମାୟଣରେ ପିତୃଭକ୍ତି,ମାତୃଭକ୍ତି, ଭାତୃପ୍ରେମ,ପତିବ୍ରତା,ପ୍ରଜାବତ୍ସଳ,ଜାତି ଭେଦ ପ୍ରଥା ଉଚ୍ଛେଦ,ଗୁରୁକୂଳ ଶିକ୍ଷାର ପ୍ରଚାର ପ୍ରସାର,ମୁନିଋଷିଙ୍କୁ ଭକ୍ତିକରିବା ସହିତ ଯଜ୍ଞରେ ଆସୁରିକ ବିଘ୍ନ ଦୂର କରିବା,ପଶୁ ପକ୍ଷୀଙ୍କ ପ୍ରେମ ବନ୍ଧନରେ ବାନ୍ଧି ହେବା …..ଅନେକ ଆଧ୍ୟାତ୍ମିକ ଜ୍ଞାନ ଉପରେ ଶିକ୍ଷା ଦେଇଥାଏ ।

କଳି ଯୁଗରେ ଭଗବାନ ବିଷ୍ଣୁଙ୍କର ଦଶମ ଅବତାର କଳ୍କୀ ଅବତାର ପ୍ରକଟ ପୁରାଣ ଶାସ୍ତ୍ରରେ ବର୍ଣିତ ରହିଛି । ପଞ୍ଚ ସଖା ମହାପୁରୁଷ ଗଣ ଭବିଷ୍ୟତ ମାଳିକା ରଚନା କରି ଆଗତ ଭବିଷ୍ୟତ ଗାଣିତିକ ଠାର ଓ ଗାରରେ ଲିପିବଦ୍ଧ କରି ସୂଚେଇ ଦେଇଛନ୍ତି ।ମହାପ୍ରଭୁ ଜଗନ୍ନାଥଙ୍କ ମାନବୀୟ ଲୀଳା ଭଗବାନ୍ କଳ୍କୀ ଅବତାରରେ ସମ୍ପନ୍ନ ହେବାର ଶାସ୍ତ୍ର ମତରେ ପୂଷ୍ଟି କରା ଯାଇଛି ।ଭଗବାନ୍ ଜଗନ୍ନାଥ ପୂର୍ବରୁ ଦ୍ଵାପର ଯୁଗରେ ବିଷ୍ଣୁଙ୍କର ଅଷ୍ଟମ ଅବତାର ଶ୍ରୀକୃଷ୍ଣ ରୂପରେ ଆଜି ବି ଦାରୁବ୍ରହ୍ମ ରୂପରେ ବିଦ୍ୟମାନ ।ଅହଙ୍କାରୀ କୌରବଙ୍କ ଅନ୍ୟାୟ ବିରୁଦ୍ଧରେ ଠିଆ ହୋଇ ନ୍ୟାୟ ପାଇଁ ମହାଭାରତ ଯୁଦ୍ଧରେ ମାନବ ସମାଜକୁ ଅର୍ଜୁନ ମାଧ୍ୟମରେ ଗୀତା ଜ୍ଞାନ ପ୍ରଦାନ କରିଥିଲେ ।ବିଦୁର ଘରେ ଆତିଥ୍ୟ,ଗରୀବ ସୁଦାମା ସହିତ ବନ୍ଧୁତ୍ୱ ମାନବିକତାର ପ୍ରମାଣ ଦିଏ । କଳି ଯୁଗରେ ମାଣିକ ଗୌଡୁଣୀ ହାତର ଦହି,ବନ୍ଧୁ ମହାନ୍ତି ଓ ଦାସିଆ ବାଉରୀ ହାତର ନଡ଼ିଆ ଅନେକ କିଛି ପ୍ରମାଣ କରେ ।କାଞ୍ଚି ବିଜୟ ପରେ ରାଜାଙ୍କୁ ଅଛୁଆଁ ଝାଡୁ ବାଲା କହି ଅପମାନିତ କରିଥିବା କାଞ୍ଚି ରାଜାଙ୍କୁ ପରାସ୍ତ କରିବା ପାଇଁ ଉତ୍କଳ ରାଜାଙ୍କର ସୈନିକ ସାଜିଥିଲେ କଳା ଓ ଧଳା ଘୋଡାରେ ଯାତ୍ରା କରି ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ।ଜଙ୍ଗଲ ରାଜ ବିଶ୍ଵାବସୁ ଶବର ହାତରୁ ପ୍ରସାଦ ଗ୍ରହଣ କରିବା ପ୍ରମାଣ ଦିଏ ଛୁଆଁ ଅଛୁଆଁ ,ଉଚ୍ଚନୀଚ୍ଚ ତଥା ଜାତି ବାଦ ଉପରେ ଥିଲେ ଆମର ଭଗବାନ୍ ।ଭକ୍ତଙ୍କ ପାଇଁ ଭଗବାନ୍ ।

ବିଡ଼ମ୍ବନାର ବିଷୟ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାକୁ ରାଜନୀତି ଦର୍ପଣରେ ଦେଖୁଛନ୍ତି ଆଜିର ରାଜନୈତିକ ଶକ୍ତି ମାନେ ।ସତେ ଯେମିତି ପ୍ରତିଯୋଗିତା ଚାଲିଛି ମନ୍ଦିର ପ୍ରତିଷ୍ଠା ଓ ପରିକ୍ରମା ମାର୍ଗର ପ୍ରକଳ୍ପ ସମାରୋହ କୁ ନେଇ । ଶାସନ ଓ ଶାସକର ସଂଜ୍ଞା ବଦଳି ଯାଇଛି ।ନୈତିକତା ଉପରେ ପ୍ରଶ୍ନବାଚୀ ?କେନ୍ଦ୍ର ସରକାରଙ୍କ ଅଯୋଧ୍ୟା ଧାମରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ପ୍ରତିଷ୍ଠାକୁ ଆଖିରେ ରଖି ରାଜ୍ୟ ସରକାର ଶ୍ରୀକ୍ଷେତ୍ର ଧାମରେ ମହାପ୍ରଭୁ ଜଗନ୍ନାଥଙ୍କ ସୁନ୍ଦର ପରିକ୍ରମା ମାର୍ଗ ଉପରେ ନଜର ଦେଉଛନ୍ତି ।ପ୍ରଚ୍ଛଦ ପଟ୍ଟରେ ଉଦ୍ଦେଶ୍ୟ କିନ୍ତୁ ଅଲଗା ।ଭୋଟରଙ୍କୁ କେହି ହାତ ଛଡ଼ା କରିବାକୁ ଚାହାନ୍ତି ନାହିଁ ।ନିର୍ବାଚନକୁ ଆଖି ଆଗରେ ରଖି ଆଧ୍ୟାତ୍ମିକ ଡୋରୀରେ ଭୋଟରଙ୍କୁ ବାନ୍ଧିବାର ପ୍ରୟାସ ଚାଲିଛି ।ଉଭୟଙ୍କୁ ସ୍ଵାଗତ ।ପ୍ରଭୁଙ୍କ ନାମ ନେଇ ଶରଣାଗତ ରାଜନୈତିକ ବଡ ପଣ୍ଡା ମାନେ ।କିଛି ନହେଲେ ଏ କଳି ଯୁଗରେ ମନ୍ଦିର ଓ ପରିକ୍ରମା ବାହାନାରେ ପ୍ରଭୁଙ୍କ ନାମ ଜପୁଛନ୍ତି ଏମାନେ ।ଯିଏ ଯେମିତି ଦୃଷ୍ଟିରେ ଦେଖନ୍ତୁ,ମୁଁ କିନ୍ତୁ ଆଧ୍ୟାତ୍ମିକ ଭାବନା ସହିତ ଯୋଡ଼ି ଦେଖେ ଉଭୟ ଦଳର ପ୍ରାୟସକୁ ।ରାଜନୀତି ବ୍ୟକ୍ତିଙ୍କୁ ଅନୁରୋଧ ଭଗବାନ ଶ୍ରୀରାମ ଓ ଭଗବାନ୍ ଜଗନ୍ନାଥଙ୍କ ଆଦର୍ଶକୁ ମାନି କାର୍ଯ୍ୟ କରନ୍ତୁ ।ଭୋଟରଙ୍କ ଉପରେ ନଜର ରଖି ଆଦର୍ଶର ଅବମାନନା ନକଲେ ଭଲ ହୁଅନ୍ତା ।ଭଗବାନ୍ ସମଗ୍ର ବିଶ୍ଵ ବାସୀଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତୁ ।
ଜୟ ଶ୍ରୀରାମ !
ଜୟ ଜଗନ୍ନାଥ !🙏🙏

Leave a Reply

Your email address will not be published. Required fields are marked *