ପୁରାଣରେ ଯେଉଁସବୁ ଦେବଦେବୀଙ୍କ କଥା ବର୍ଣ୍ଣନା କରାଯାଇଛି, ସେମାନଙ୍କ ମଧ୍ୟରେ ସୂର୍ଯ୍ୟ ଅନ୍ୟତମ । ଋକ୍ବେଦର ଅନ୍ୟତମ ପ୍ରଧାନ ଦେବତା ହେଉଛନ୍ତି ସୂର୍ଯ୍ୟ । ଗୁଣ, କର୍ମ ଓ ଅବସ୍ଥା ଭେଦରେ ସୂର୍ଯ୍ୟଙ୍କର ସବିତା, ବରୁଣ, ବିଷ୍ଣୁ, ପୁଷା, ଅର୍ଯମା, ମାତରିଶ୍ୱା, ଭଗ, ମିତ୍ର, ତ୍ୱଷ୍ଟା ପ୍ରଭୃତି ଭିନ୍ନ ଭିନ୍ନ ନାମ ରହିଛି । ଋକ୍ବେଦ ଅନୁଯାୟୀ ସୂର୍ଯ୍ୟ ହେଉଛନ୍ତି ତେଜ।
ଓ ପ୍ରାଣଶକ୍ତି ସ୍ୱରୂପ । ସେ ଚରାଚର ସମଗ୍ର ବିଶ୍ୱର ଆତ୍ମା । ତାଙ୍କ ବିନା ସଂସାର ତିଷ୍ଠି ରହିବା ସମ୍ଭବ ନୁହେଁ। ସେଥିପାଇଁ ସୂର୍ଯ୍ୟଙ୍କୁ ଦେବତା ଭାବରେ ଗ୍ରହଣ କରାଯାଇଛି । ପୁରାଣମାନଙ୍କରେ ଥିବା ଉଲ୍ଲେଖ ଅନୁଯାୟୀ ସୂର୍ଯ୍ୟଦେବତା ଅଜନ୍ମା, ଅର୍ଥାତ୍ ତାଙ୍କର ଜନ୍ମ କି ମୃତ୍ୟୁ ନାହିଁ । ତଥାପି ବି ଗୋଟିଏ ପ୍ରଶ୍ନ ମନରେ ଉଠେ ଯେ ସେ କିପରି ସୃଷ୍ଟି ହେଲେ? ସୂର୍ଯ୍ୟ ଯଦି ଭଗବାନ ବିଷ୍ଣୁଙ୍କ ପରି ପରଂବ୍ରହ୍ମ, ତେବେ ଭଗବାନ ବିଷ୍ଣୁଙ୍କର ଯେପରି ବିଭିନ୍ନ ଅବତାର ରହିଛି, ସୂର୍ଯ୍ୟଙ୍କର କ’ଣ ସେପରି ଅବତାର ରହିଛି? ଏ ସମ୍ପର୍କରେ ପୁରାଣରେ ଗୋଟିଏ କାହାଣୀ ମିଳେ । କାହାଣୀଟି ହେଉଛି:-
ଥରେ ଦେବତା ଓ ଅସୁରମାନଙ୍କ ଭିତରେ ଘୋର ଯୁଦ୍ଧ ହେଲା । ସେହି ଯୁଦ୍ଧରେ ଦୈତ୍ୟ ଓ ଦାନବମାନେ ମିଶି ଯୁଦ୍ଧ କଲେ । ଫଳରେ ଦେବତାମାନେ ଯୁଦ୍ଧରେ ହାରିଗଲେ । ସେମାନଙ୍କୁ ଭାରି ଅପମାନ ହେଲା । ଲାଜରେ ସେମାନେ ଯାଇ ଯେ ଯେଉଁଠି ପାରିଲେ ଲୁଚିଲେ । ସେହି ଘଟଣାରେ ଦେବତାମାନଙ୍କ ମାତା ଅଦିତି ଖୁବ୍ ଦୁଃଖିତ ହେଲେ । ସେହି ଦୁଃସ୍ଥିତିରୁ ଦେବତାମାନଙ୍କୁ ଉଦ୍ଧାର କରିବା ପାଇଁ ସେ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରି କହିଲେ, ହେ ଭଗବାନ ସୂର୍ଯ୍ୟଦେବ, ଆପଣ ଗୋପ ବା କିରଣମାନଙ୍କର ପ୍ରଭୁ । କେବଳ ମୁଁ ନୁହେଁ, ମୋର ପୁତ୍ର ଦେବତାମାନେ ମଧ୍ୟ ଆପଣଙ୍କର ଭକ୍ତ । ଆପଣଙ୍କର ଶୁଭ ଦୃଷ୍ଟି ନ ହେଲେ ସେମାନଙ୍କର ସୌଭାଗ୍ୟ ଫେରିବ ନାହିଁ । ଦେବତାମାନଙ୍କର ରାଜ୍ୟ ଓ ଯଜ୍ଞଭାଗ ଦୈତ୍ୟ ଓ ଦାନବମାନେ ଛଡ଼ାଇ ନେଇଛନ୍ତି । ଏଣୁ ଆପଣ ମୋର ଗର୍ଭରୁ ମୋର ପୁତ୍ରରୂପେ ପ୍ରକଟ ହୋଇ ଦୈତ୍ୟ ଓ ଦାନବମାନଙ୍କ ପ୍ରକୋପରୁ ଦେବତାମାନଙ୍କୁ ରକ୍ଷା କରନ୍ତୁ।*
ଅଦିତିଙ୍କର ସେହି ପ୍ରାର୍ଥନାରେ ସୂର୍ଯ୍ୟଦେବତା ପ୍ରସନ୍ନ ହେଲେ । କହିଲେ, ‘ହେ ଦେବମାତା ଅଦିତି ! ମୁଁ ସହସ୍ର ଅଂଶରେ ତୁମର ଗର୍ଭରୁ ପ୍ରକଟ ହେବି ଏବଂ ଦେବତାମାନଙ୍କୁ ଏହି ବିପଦରୁ ରକ୍ଷା କରିବି।’ ଏହା କହି ସୂର୍ଯ୍ୟ ଅନ୍ତର୍ଦ୍ଧାନ ହୋଇଗଲେ।
ସୂର୍ଯ୍ୟଦେବ ପ୍ରସନ୍ନ ହୋଇ ଅଦିତିଙ୍କ ଗର୍ଭରୁ ପ୍ରକଟ ହେବା ପାଇଁ ସମ୍ମତ ହୋଇଛନ୍ତି, ଏ ଖବର ଜାଣି ଦେବପିତା କଶ୍ୟପ ଆନନ୍ଦିତ ହେଲେ । ଯଥା ସମୟରେ ଅଦିତି ଓ କଶ୍ୟପଙ୍କ ଗର୍ଭରୁ ସୂର୍ଯ୍ୟଦେବ ଜନ୍ମ ହେଲେ । ସୂର୍ଯ୍ୟଙ୍କର ସେହି ଅବତାର ମାର୍ତ୍ତଣ୍ଡ ନାମରେ ପ୍ରସିଦ୍ଧ ।