Spread the love

ପହିଲିଭୋଗ

ଅରବିନ୍ଦ ଦାସ

– ପହିଲିଭୋଗ ଖାଇବାକୁ ବହୁତ ଇଛା ହେଉଛି। ଚାଲ କାଲି ପୁରୀ ଯାଇ ପହିଲିଭୋଗ ପ୍ରସାଦ ପାଇବା।”

ସ୍ତ୍ରୀ ଦୀପା କଥା ଶୁଣି ବିବେକ ଟିକେ ଆଶ୍ଚର୍ଯ୍ୟ ହୋଇ କହିଲା,
– କାଲି ଯିବ ? କିନ୍ତୁ ଏବେ ତ ପୁରୀରେ ବହୁତ ଭିଡ ଓ ଦର୍ଶନ ପାଇଁ ବହୁତ ଅସୁବିଧା। ଭିଡ କମିଲେ ବରଂ ଯିବା।”

ଚିଡିଲା ସ୍ବରରେ ଦୀପା କହିଲା,
– ପୁରୀରେ ଭିଡ କେତେବେଳେ କମ୍ ଯେ ? ତା’ ଛଡା ପହିଲିଭୋଗ ତ ଏଇ ଗୋଟିଏ ମାସ ମିଳିବ। ପରେ ଆଉ କେବେ ଯିବ ?”

ପାଖରେ ବସିଥିବା ପୁଅ ଚିକୁ ପଚାରିଲା,
– ପାପା,ପହିଲିଭୋଗ କଣ ?”

ବିବେକ କିଛି କହିବା ପୂର୍ବରୁ ଦୀପା ‘ପୁଅ ଉଦ୍ଦେଶ୍ୟରେ’ କହିଲା,
– ଖାଇଥିଲେ ସିନା ତୁ ଜାଣିଥାନ୍ତୁ। ତୋ ପାପାଙ୍କୁ ତ ଆମକୁ ବାହାରକୁ ବୁଲାଇ ନେଇ ଖୁଆଇବା ପାଇଁ ବହୁତ କଷ୍ଟ। ପ୍ରାୟ ସବୁବେଳେ ଘରେ ରାନ୍ଧ,ଖାଅ। ଛାଡ ସେକଥା, *ଡିସେମ୍ବର ମାସରେ ପଡ଼ୁଥିବା ଧନୁସଂକ୍ରାନ୍ତି ଠାରୁ ଜାନୁଆରୀ ମାସରେ ପଡ଼ୁଥିବା ମକର ସଂକ୍ରାନ୍ତି ଯାଏଁ* ଗୋଟିଏ ମାସ,ପୁରୀ ଶ୍ରୀମନ୍ଦିରରେ ସକାଳୁ ସକାଳୁ ମିଳୁଥିବା ପ୍ରସାଦକୁ ପହିଲିଭୋଗ କୁହାଯାଏ। ଏଇପହିଲି ଭୋଗରେ ମହାପ୍ରଭୁଙ୍କ ପାଇଁ *ବଡଝିଲି,ଆରିଶା,ମୁଗେ଼ଇ,ଲଡୁ,ବିରିବଡ଼ି,ବଡବଡା,ଗଇଁଠା,ଖଇରଚୂଳ,*
*ଚୂଡାଖୁଆ,କାକରା,ଚଢ଼େଇନଦା, ସାନବଡା,ମଣ୍ଡା* ଇତ୍ୟାଦି *ଅଠେଇଶି ପ୍ରକାର ସୁସ୍ଵାଦୁ ବ୍ୟଞ୍ଜନ* ପ୍ରସ୍ତୁତ ହୋଇ ଲାଗିହୁଏ। ଭାଗ୍ୟରେ ଥିଲେ ଏଇ ପହିଲିଭୋଗ ମିଳେ।”

– ୱା,ପାପା ଚାଲ ପହିଲିଭୋଗ ଖାଇବା।”

ଟିକେ ଚିନ୍ତା କରି ବିବେକ କହିଲା,
– ଠିକ୍ ଅଛି,ଆଜି ଆମେ ଗାଁକୁ ଯାଇ, କାଲି ବୋଉକୁ ନେଇ ପୁରୀ ଯିବା। ‘ଧାନ ଅମଳ ସରିଲେ ଫେରିବ’,ବୋଲି ବୋଉ କହୁଥିଲା।”

ଚିକୁ କହିଲା,
– ବଢିଆ ହେବ। ଆଗରୁ ନ ଜଣାଇ ଗାଁକୁ ଯାଇ ଜେଜେମାଙ୍କୁ ସରପ୍ରାଇଜ୍ ଦେବା।”

ବେଡରୁମକୁ ଯାଉଯାଉ ଦୀପା କହିଲା,
– ଏ ଭିଡ଼ରେ ବୋଉଙ୍କୁ ନେଇ ଯିବ ?”

ଓପରଓଳି ଗାଁରେ ପିଲାଙ୍କୁ ପହଞ୍ଚିବାର ଦେଖି ଖୁସିରେ ଗଦଗଦ ହୋଇଗଲେ ସୁମିତ୍ରା।

ଶାଶୁଙ୍କୁ ମୁଣ୍ଡିଆ ମାରୁମାରୁ ଦୀପା କହିଲା,
– ମୁଁ ୟାଙ୍କୁ ବାରମ୍ବାର କହିଲି,ଶୀତରେ ବୋଉ ଆମ ପାଇଁ ହଇରାଣ ହେବେ ବୋଲି।”

ନାତିକୁ କୋଳକୁ ନେଉ ନେଉ ସୁମିତ୍ରା କହିଲେ,
– ଗାଁ ପାଣି ପବନରେ ବଢ଼ିଥିବା ଆମ ଭଳି ମଣିଷକୁ ଶୀତ କ’ଣ ଡରାଇବ ? ତା’ ଛଡ଼ା ପିଲାଙ୍କ ପାଇଁ କେଉଁ ମା’ କଣ କେବେ ହଇରାଣ ହୁଏ ?”

ଚିକୁ କହିଲା,
– ଜେଜେମା,ଆମେ ପହିଲିଭୋଗ ଖାଇବାକୁ ପୁରୀ ଯିବା ପାଇଁ ମମି ପ୍ଲାନ ବନାଇଛି। ତୁମେ ପହିଲିଭୋଗ ଖାଇଛ ? ୟା ନାଁ ପହିଲିଭୋଗ କାହିଁକି ହୋଇଛି ?”

ନାତି କପାଳରେ ସ୍ନେହର ଚୁମା ଦେଇ ସୁମିତ୍ରା କହିଲେ,
– କୁହନ୍ତି *’ପୁଷ ମାସରେ ବଡି ଭୋରରୁ କାଉ କା’ କହିଲା ବେଳକୁ ଠାକୁରଙ୍କୁ ପ୍ରଥମ ଭୋଗ ଅର୍ପଣ କରାଯାଏ’,ବୋଲି ତା ନାଁ ‘ପହିଲିଭୋଗ’।* ହଁ,ମୁଁ ଅନେକଥର ଖାଇଛି ପହିଲିଭୋଗ। ଚାଲ ଆଗେ ଧୁଆ ଧୋଇ ହୋଇ ଆସ,କିଛି ପାଟିରେ ପକା।”

ରାତିରେ ଖାଇ ବସିଲାବେଲେ ଅଗଣାରେ ହୋଇଥିବା କାଠ ଚୁଲିକୁ ଦେଖି ଚିକୁ କହିଲା,
– ତମେ ଗ୍ୟାସ ଚୁଲିରେ ନ ରାନ୍ଧି ଏଇ କାଠ,କୁଟା,ପତ୍ରରେ କାହିଁକି ରାନ୍ଧୁଛ ? ତା’ଛଡ଼ା ଟିକେ ଦୂରରେ ଆହୁରି ଦୁଇଟା ବଡ ଚୁଲି କାହିଁକି ହୋଇଛି ?”

ସୁମିତ୍ରା କହିଲେ,
– ପୁରୁଣା ଅଭ୍ୟାସ କ’ଣ ସହଜରେ ଛାଡି ହେଉଛି ? ସେଇ ବଡ ଦୁଇଟା ଚୁଲିରେ ପରା ବଡ ବଡ ଲୁହା କଡ଼େଇ ବସାଇ ‘ଧାନ-ଉଁଶା’ ହେଉଛି। ଗ୍ୟାସରେ ସେସବୁ ହୋଇ ପାରିବନି।”

ବିବେକ କହିଲା,
– ଚୁଲି ରୋଷେଇରେ ସୁଆଦ ଅଲଗା। ‘ଏଇନା ଆମେ ଖାଉଥିବା ସବୁ ଆଇଟମ୍ ବି ଏଇ ଚୁଲିରେ ରନ୍ଧା ହୋଇଛି’,ବୋଲି ଅଲଗା ବାସ୍ନା। ଏଇ ଶୀତ ଦିନରେ ପରା, ଆମେ ସ୍କୁଲ ଗଲା ବେଳକୁ ବୋଉ ପହିଲିଭୋଗ ରାନ୍ଧି ଆମକୁ ଖାଇବାକୁ ଦିଏ। ଅମୃତ ଠାରୁ ଅଧିକ ସୁଆଦିଆ ସେ ପହିଲିଭୋଗ।”

ଚିକୁ କହିଲା,
– ଜେଜେମା,’ତୁମେ ପାପାଙ୍କୁ ପହିଲିଭୋଗ ବନେଇକି ଦେଉଥିଲ’,ବୋଲି ତ କେବେ କହିନ ? କାଲି ସକାଳେ ମୋ ପାଇଁ ଟିକେ ବନେଇ ଦିଅ।”

ଦୀପା ଅବାକ୍ ହୋଇ କହିଲା,
– ବୋଉ ରାନ୍ଧନ୍ତି ପହିଲିଭୋଗ !”

ମୁରୁକି ହସୁଥିଲେ ସୁମିତ୍ରା।
ରାତିରେ ଶୋଇଲାବେଳେ ଦୀପା , ସ୍ୱାମୀକୁ ପଚାରିଲା,
– ବୋଉଙ୍କୁ ସତରେ ପହିଲିଭୋଗ ରାନ୍ଧି ଆସେ ?”

– ବୋଉମାନଙ୍କୁ କ’ଣ ନ ଆସେ ? *କେବଳ ଜଣେ ‘ବୋଉ’ ହିଁ ରାନ୍ଧି ପାରେ ପହିଲିଭୋଗ।* କାଲି ସକାଳୁ ଦେଖିବ ନିଜ ଆଖିରେ।”

ରାତିରେ ନିଦ ଆସୁ ନ ଥିଲା ଦୀପାକୁ।
ସକାଳୁ ଉଠି ସେ ଶାଶୁଙ୍କୁ କହିଲା,
– ବୋଉ,ଆପଣ କେମିତି ରାନ୍ଧନ୍ତି ପହିଲିଭୋଗ ମୋତେ ଟିକେ ଶିଖାଇ ଦିଅନ୍ତୁ।”

ଚୁଲିରେ କ୍ଷୀର ବସି ଗରମ ହେଉଥିଲା।

ହସିଦେଇ ସୁମିତ୍ରା ନିଜ ହାତରେ ଧରିଥିବା ଗୋଟେ ଛୋଟ ମାଟିହାଣ୍ଡି ଦେଖାଇ କହିଲେ,
– ଆମ ପିଲାବେଳେ ଶୀତ ଦିନରେ ସକାଳୁ ସ୍କୁଲ ବାହାରିଲା ବେଳେ ଆମ ବୋଉ, *ଚୁଲିରେ ଭାତ-ପାଣି ବସାଇ,ଏଇ ଛୋଟ ହାଣ୍ଡିରେ ଦୁଇ ତିନି ମୁଠା ଖୁଦଚାଉଳ, ଗୋଟେ ମୁଠା ମୁଗଡାଲି ମାପରେ ଦେଇ ସେଥିରେ ଅନୁମାନରେ ଦୁଇଗୁଣ ପାଣି ଦେଇ ସେଥିରେ ଲୁଣ-ହଳଦୀ ପକାଇ, ସେଇ ହାଣ୍ଡିରେ ଗୋଟେ ଦୁଇଟା ଆଳୁ ପକାଇ ଚୁଲିମୁହଁରେ ବସାଇ ଦିଏ।* ଗୋଟାଏ ଚୁଲିରେ ଦୁଇଟା ଆଇଟମ୍। *ଚୁଲି ମୁହଁରେ ବସିଥିବା ସେଇ କୁନି ହାଣ୍ଡିରେ ଭାତ ଫୁଟି ଆସିଲା ବେଳକୁ,ସେଥିରୁ ଆଳୁ ବାହାରକୁ କାଢି,ହାଣ୍ଡିରେ ଚାମୁଚେ ଦୁଇ ଚାମୁଚ ଘର ତିଆରି ଗୁଆଘିଅ ପକେଇ,କଦଳୀ ପତ୍ରରେ ଗରମ-ଗରମ ବାଢ଼ିଦିଏ ସେଇ ‘ମୁଗ ଡାଲି ମିଶା ଭାତ’।* ‘ବଢ଼ା-ଭାତ’ ବୋଲି ଗାଁରେ କହୁ ଆମେ ତାକୁ ; ସାଙ୍ଗରେ ଆଳୁ ଚକଟା।”

ଚୁଲିରେ ସେଇ ଛୋଟ ମାଟି ହାଣ୍ଡିରେ ଚାଉଳ ଡାଲି ପକାଇ ଚୁଲି ମୁହଁରେ ବସାଇଲା ବେଳେ ବିବେକ ପାଖକୁ ଆସି କହିଲା,
– ଶୀତୁଆ ସକାଳେ ଗରମା ଗରମା ଏଇ *’ବଢ଼ା-ଭାତ’* ସହ ଆଳୁ-ଚକଟା ଏକଦମ ସିମ୍ପଲ ; ଅଥଚ *ଅସାଧାରଣ କମ୍ବିନେସନ।* ପାଦରେ ଚାଲି ଚାଲି ଚାରି ପାଞ୍ଚ କିଲୋମିଟର ସ୍କୁଲ ଯାଇ ଦିନ ଦୁଇଟା ବେଳକୁ ଫେରିଲା ବେଳକୁ ବି ଭୋକ ହେବନି। ସ୍ୱାସ୍ଥ୍ୟକର ବି। *ଆଜିକାଲି ଛୁଆ ଦୁଇ-ମିନିଟ୍’ରେ ତିଆରି ହେଉଥିବା ନୁଡୁଲ, ସ୍ୟାଣ୍ଡଉଇଚ ଖାଇ ସ୍କୁଲ ଯାଉଛନ୍ତି ; ଯାହା ଦେହ ପାଇଁ ଭଲ ନୁହେଁ।”*

ଘରେ କାମ କରୁଥିବା ହଳିଆ ବାରିରୁ କଦଳୀପତ୍ର କାଟି,ଧୋଇକି ଆଣି ଥୋଇଲା। ସୁମିତ୍ରା ସେଇ ପତ୍ରରେ ବାଢିଦେଲେ ସେଇ ‘ବଢ଼ା-ଭାତ ଓ ପାଖରେ ଆଳୁ-ସିଝାକୁ ଚକଟି ଦେଇ ନାତିକୁ ଖୁଆଇଲା ବେଳେ ବିବେକ କହିଲା,
– ବୋଉ,ମୋତେ ବି ଏଇ *ଗରମ-ଗରମ ପହିଲିଭୋଗରୁ ଦୁଇ ଗୁଣ୍ଡା ଫୁଙ୍କିକି ଖୁଆଇଦେ* ; ଯେମିତି ପିଲାବେଳେ ଖୁଆଇ ଦେଉଥିଲୁ।”

ହସିଦେଇ ସୁମିତ୍ରା ପୁଅ ଓ ନାତିଙ୍କୁ ଖୁଆଇଦେଲେ। ବିବେକ ପୁଣି କହିଲା,
– *’ଧନୁସଂକ୍ରାନ୍ତିରେ ମା’ ଲକ୍ଷ୍ମୀ ମାସେ ପାଇଁ ବାପ ଘରକୁ ଯାଆନ୍ତି’,ବୋଲି,ମା’ ଯଶୋଦା ଏଇ ମାସଟା ପହିଲିଭୋଗ ରାନ୍ଧନ୍ତି।* ‘ନିଜ ପିଲାଙ୍କ ପେଟ-ଚିନ୍ତା ଆଗେ ମା’ କୁ ଆସେ’,ବୋଲି ବଡିଭୋରରୁ ଏଇ ପହିଲିଭୋଗ ରାନ୍ଧେ ମା’। ଶ୍ରୀ-ମନ୍ଦିରରେ ମାଟି କୁଡୁଆରେ ପ୍ରସାଦ ରନ୍ଧାହୁଏ ଓ ଘରେ ବୋଉ ଏଇ ମାଟି-ହାଣ୍ଡିରେ ରାନ୍ଧେ ‘ବଢ଼ାଭାତ’। ‘ସକାଳୁ ସକାଳୁ ବୋଉ ଏଇ ‘ବଢ଼ାଭାତ’ ଆମକୁ ପରଶେ’,ବୋଲି ମୁଁ ୟାକୁ ପହିଲିଭୋଗ କୁହେ। *ନିଆରା ଆମ ଓଡ଼ିଆ ଖାଇବା। କି ବାସ୍ନା ଓ ସୁଆଦିଆ !! ୟା ତୁଳନାରେ ଅମୃତ ବି ମୂଲ୍ୟହୀନ।* ବୋଉର ହାତ ରନ୍ଧା କ’ଣ ମନ୍ଦିର ପ୍ରସାଦଠୁ କମ୍ କି ?”

ସୁମିତ୍ରା ହସିଦେଇ କହିଲେ,
– ‘ବାଇଆ’ଟା। *ବୋଉ ହାତ ତିଆରି ସବୁ ଜିନିଷ ୟାକୁ ଅମୃତ।* ବୋହୁ ! ତୁ ଗୁଣ୍ଡେ ଚାଖୁନୁ ?”

ଶାଶୁଙ୍କ ହାତରୁ ଗୁଣ୍ଡାଏ ସେଇ *ବଢ଼ାଭାତ ସହ ଆଳୁ-ଚକଟା* ଖାଇ ହସିଦେଇ ଦୀପା କହିଲା,
-ବୋଉ, *ପୁରୀ ଆଉ ଯିବା ଦରକାର ନାହିଁ। ଏଇଠି ତ ମିଳିଗଲା ପହିଲି ଭୋଗ।”*

ସମସ୍ତେ ହସୁଥିଲେ।🙏

Related Post

Leave a Reply

Your email address will not be published. Required fields are marked *