ଓଡ଼ିଶାରେ ଜାତୀୟତାର କାଳାଂଶ
ପ୍ରଦୀପ କୁମାର ପଣ୍ଡା
ଦର୍ଶନ ସମୀକ୍ଷା, ଭୁବନେଶ୍ୱର
ଓଡ଼ିଶାରେ ଜାତୀୟତାର ଉନ୍ମେଷକୁ ଯଦି ଦୁଇ କାଳାଂଶରେ ବିଭକ୍ତ କରାଯାଏ, ତେବେ ଉତ୍କଳ ସମ୍ମିଳନୀର ଆରମ୍ଭ ଅର୍ଥାତ୍ ୧୯୦୩ ଯାକେ ହେବ ପ୍ରଥମ ପର୍ଯ୍ୟାୟ ଏବଂ ୧୯୦୩ରୁ ୧୯୨୦ ଯାକେ ହେବ ଦ୍ୱିତୀୟ ପର୍ଯ୍ୟାୟ । ୧୯୨୦ ମସିହାରେ ଅସହଯୋଗ ଆନ୍ଦୋଳନର ଆରମ୍ଭ ହେଲା ଏବଂ ସମଗ୍ର ଭାରତରେ ସ୍ୱାଧୀନତା ସଂଗ୍ରାମର ସ୍ୱରୂପ ବଦଳିଲା । ସେହି ବର୍ଷ ଉତ୍କଳ ସମ୍ମିଳନୀ ଜାତୀୟ କଂଗ୍ରେସରେ ସାମିଲ ହେଲା । ଅର୍ଥାତ ଆନୁଷ୍ଠାନିକ ଭାବରେ କଂଗ୍ରେସର ଶାଖା ଭାବରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟିର ସ୍ଥାପନା ହେଲା । ୧୯୨୦ର ନାଗପୁର କଂଗ୍ରେସରେ ଭାଷା ଭିତ୍ତିରେ କଂଗ୍ରେସର ଶାଖା ଗଠନ କରିବାକୁ ନିଷ୍ପତ୍ତି ନିଆହେଲା ପରେ ଉତ୍କଳ ସମ୍ମିଳନୀର ପ୍ରମୁଖ ଲକ୍ଷ୍ୟ – ଭାଷାଭିତ୍ତିକ ପ୍ରଦେଶ ଗଠନକୁ – କଂଗ୍ରେସର ସମର୍ଥନ ମିଳିଲା । ଓଡ଼ିଶା ଜାତୀୟତା ଯେହେତୁ ଏକ ଓଡ଼ିଆ ଜାତିର ଅସ୍ମିତାନିମନ୍ତେ ଆନ୍ଦୋଳନ, ତାକୁ ସରକାରୀ ମାନ୍ୟତା ମିଳିବା ପୂର୍ବରୁ ସର୍ବଭାରତୀୟ ଲୋକ ସ୍ତରରେ ମାନ୍ୟତା ମିଳିଗଲା । ଅନ୍ୟ ଶବ୍ଦରେ କହିଲେ, ୧୯୦୩ରେ ମାଡ୍ରାସ କଂଗ୍ରେସରେ ଓଡ଼ିଆ ଭାଷା-ଭାଷୀ କ୍ଷେତ୍ରର ଏକତ୍ରୀକରଣକୁ ପ୍ରକାରାନ୍ତରେ ବିରୋଧ କରି କଂଗ୍ରେସ ନେତୃବର୍ଗ ଓଡ଼ିଶାର ଜାତୀୟତାବାଦୀଙ୍କ ସଂଗେ ଯେଉଁ ମନାନ୍ତର ସୃଷ୍ଟି କରିଥିଲେ, ତାହା ୧୯୨୦ରେ ଏକ ରକମରେ ଶେଷ ହେଲା, କାରଣ ନାଗପୁର କଂଗ୍ରେସ ଓଡ଼ିଶା ଭାଷାଭିତ୍ତିକ ପ୍ରଦେଶ ଗଠନର ଲକ୍ଷ୍ୟକୁ ସ୍ୱାଗତ କଲା ଏବଂ ସରକାରୀ ମାନ୍ୟତା ମିଳିବାର ୧୬ ବର୍ଷ ପୂର୍ବରୁ ତାକୁ ସ୍ୱୀକୃତି ଦେଇଦେଲା । ମାତ୍ର ଏହି ଯେଉଁ ପ୍ରାୟ ଦୁଇ ଦଶନ୍ଧି କାଳ (୧୯୦୩ରୁ ୧୯୨୦), ତାକୁ ଶାନ୍ତ ସମୟ ବୋଲି କୁହାଯାଇ ନପାରେ । ଗୋଟାଏ ଦୃଷ୍ଟିରୁ ଏହି କାଳାଂଶରେ ଜାତୀୟତାର ବିଚାରଧାରା ପରିପକ୍ୱ ହେଲା । କିନ୍ତୁ ଅନ୍ୟ ଦିଗରୁ ଦେଖିଲେ, ଏହି କାଳାଂଶରେ ତିନିଟି ଯାକ ଜାତୀୟତାବାଦୀ ଗୋଷ୍ଠୀ ସ୍ୱ-ସ୍ୱ ମତାଦର୍ଶକୁ ସ୍ଥାପନ କରିବା ସକାଶେ ତ୍ରିପକ୍ଷ ତିଆରିଲେ, ଯାହା ଫଳରେ ଓଡ଼ିଶା ଜାତୀୟତାବାଦୀ ରାଜନୀତିରେ ତୀବ୍ର ବୈଚାରିକ ସଂଘର୍ଷ ଆରମ୍ଭ ହେଲା । ୧୯୨୦ର ଘଟଣାବଳୀ ସିଦ୍ଧ କରିଦେଲା ଯେ, ଏଣିକି ନରମପନ୍ଥୀ ଜାତୀୟତାବଦୀ ଓଡ଼ିଶା ରାଜନୀତିର ନେତୃତ୍ୱ ନେବେ ଏବଂ ଅନ୍ୟମାନେ ତାଙ୍କ ନେତୃତ୍ୱକୁ ସ୍ୱୀକାର କରିବେ । ଶେଷରେ ଉଦାରପନ୍ଥୀ ମଧୁବାବୁ ମଧ୍ୟ୧୯୨୪ରେ କଂଗ୍ରେସର ସଭ୍ୟ ହେଲେ । ଅନ୍ୟ ପକ୍ଷରେ ବ୍ରିଟିଶ ଅନୁଗତ ରାଜା-ରାଜୁଡ଼ା ଗୋଷ୍ଠୀ ଜାତୀୟତାବାଦୀ ରାଜନୀତିରୁ ଦୂରେଇ ଗଲେ । ମଧୁସୂଦନ ଦାସ ଆଦିଙ୍କ ନେତୃତ୍ୱରେ ପରିଚାଳିତ ଲିବରାଲ ଗୋଷ୍ଠୀ ଥିଲେ ପ୍ରଥମ ପିଢ଼ିର ଆଧୁିନିକ ଜାତୀୟତାବାଦୀ । ସେମାନେ ଆଗରୁ ଦେଖିଥିବା ରାଜନୈତିକ ପରଂପରାରେ ରାଜା- ଜମିଦାରଙ୍କର ହିିଁ ପ୍ରଭୁତ୍ୱ ରହୁଥିଲା । ଉଦାହରଣ ସ୍ୱରୂପ, ସେମାନଙ୍କ ମଧ୍ୟରୁ ଅନେକ (ଯଥା- ଫକୀର ମୋହନ, ରାଧାନାଥ, ମଧୁସୂଦନ ଦାସ, ମଧୁସୂଦନ ରାଓ ଆଦି)ଙ୍କର ଜନ୍ମ ୧୮୫୭ର ଗଣ ବିଦ୍ରୋହ ବେଳକୁ ହୋଇ ସାରିଥିଲା, ଯେଉଁଥିରେ ସିପାହୀମାନେ ମୁଖ୍ୟକର୍ତ୍ତା ହେବା ସତ୍ତ୍ୱେ ନେତୃତ୍ୱ ରହିଥିଲା ରାଜା-ଜମିଦାରଙ୍କ ହାତରେ । ତେଣୁ, ଏହି ବୁଦ୍ଧିଜୀବୀ ବର୍ଗ ରାଜନୀତିକୁ ରାଜଦ୍ୱାରରୁ ଜନପଥକୁ ଆଣିବା ବେଳେ ଯେ ସାମନ୍ତବର୍ଗ ପ୍ରତି ଅତି ଉଦାସୀନ ହୋଇପାରିବେ ନାହିିଁ, ତାହା ଅନସ୍ୱୀକାର୍ଯ୍ୟ । ତା’ଛଡ଼ା, ଆନ୍ଦୋଳନର ସଂଯୋଜନାପାଇଁ ଆବଶ୍ୟକ ପାଣ୍ଠିିନିମିତ୍ତ ପ୍ରାୟତଃ ବୁଦ୍ଧିଜୀବୀ ଗୋଷ୍ଠୀ ସାମନ୍ତବର୍ଗ ପାଖରେ ହାତ ପତାଉଥିଲେ । ପୁଣି, ଫକୀର ମୋହନଙ୍କୁ ଗଡ଼ଜାତର ଦେଓ୍ୱାନ ଭାବରେ ନିଯୁକ୍ତି ଦେଇ ହେଉ ବା ମଧୁସୂଦନଙ୍କୁ ରାଜଓକିଲ ନିଯୁକ୍ତ କରି ହେଉ ବା ରାଧାନାଥଙ୍କ ପୁସ୍ତକ ପ୍ରକାଶନ ନିମନ୍ତେ ସାହାଯ୍ୟ ପ୍ରଦାନ କରି ହେଉ, ସାମନ୍ତବର୍ଗ ଲିବରାଲ ଗୋଷ୍ଠୀକୁ ନିଜ କର୍ତ୍ତୃତ୍ୱରେ ରଖି ପାରିଥିଲେ । ଜାତୀୟତାର ଏହି ଉନ୍ମେଷ କାଳରେ କଂଗ୍ରେସର ନେତୃତ୍ୱରେ ଥିବା କେତେକ ନେତା ମଧ୍ୟ ଆଞ୍ଚଳିକତାରୁ ଊର୍ଦ୍ଧ୍ୱକୁ ଉଠି ପାରି ନଥିଲେ । ଓଡ଼ିଶାର ଆଞ୍ଚଳିକ ଅସ୍ମିତା ପ୍ରଶ୍ନକୁ ଏହି ନେତାମାନେ ଯଥୋଚିତ ମହତ୍ତ୍ୱ ଦେଉ ନଥିଲେ । ଉଦାହରଣ ସ୍ୱରୂପ ‘ବଙ୍ଗଭଙ୍ଗ’ ହେଲେ ବଙ୍ଗ ପ୍ରଦେଶ ଭାଗ ଭାଗ ହୋଇଯିବାର ଯେଉଁ ଆଶଙ୍କା ସୃଷ୍ଟି ହେଲା, ତା’ର ବହୁ ପୂର୍ବରୁ ପ୍ରାକୃତିକ ଓଡ଼ିଶା ଖଣ୍ଡ ବିଖଣ୍ଡିତ ହୋଇ ସାରିଥିଲା । ଏବଂ ତା’ର ଏକତ୍ରୀକରଣଲାଗି ‘ଉତ୍କଳ ସମ୍ମିଳନୀ’ ପ୍ରୟାସ କରୁଥିଲା । ଏହି ପ୍ରୟାସକୁ ଉକ୍ତ ନେତାମାନେ ଆବଶ୍ୟକ ସମ୍ମାନ ଦେଉ ନାହାନ୍ତି ବୋଲି ମଧୁବାବୁ ଓ ଉତ୍କଳର ଅନ୍ୟାନ୍ୟ ଲିବରାଲ୍ ନେତୃବର୍ଗ ଅଭିଯୋଗ କରୁଥିଲେ । ଏହିସବୁ କାରଣରୁ ରାଜା-ରାଜୁଡ଼ାଙ୍କ ସରକାରୀ ଆନୁଗତ୍ୟ ରହିଛି ଜାଣି ସୁଦ୍ଧା ସେମାନଙ୍କଠାରୁ ଲିବରାଲମାନେ ବିଚ୍ଛିନ୍ନ ହୋଇ ଜାତୀୟତାବାଦୀ ରାଜନୀତିକୁ ଆଗେଇ ନେବା ନିମନ୍ତେ ସାହସ କରିପାରୁ ନଥିଲେ । ଫଳରେ ଓଡ଼ିଶା ଆନ୍ଦୋଳନରେ ସାମନ୍ତୀ ପ୍ରଭାବପାଇଁ ବାଟ ସହଜ ହେଲା । ସାମନ୍ତୀ ପ୍ରଭାବର ନିଦର୍ଶନ ସ୍ୱରୂପ ରାଜା-ଜମିଦାରଙ୍କୁ ବାଦ ଦେଲେ ଉତ୍କଳ ସମ୍ମିଳନୀର ସଭାପତି ପଦରେ ଅନ୍ୟ କାହାକୁ ଆରମ୍ଭରେ ମନୋନୀତ କରାଯାଉ ନଥିଲା । ୧୯୧୭ରେ ପ୍ରଥମ କରି ଫକୀର ମୋହନଙ୍କ ଭଳି ଜଣେ ମଧ୍ୟବର୍ଗୀୟଙ୍କୁ ସଭାପତି ମନୋନୀତ କରାଯାଇଥିଲା । ଲିବରାଲ ଗୋଷ୍ଠୀର ଅନ୍ୟ ଏକ ବୈଶିଷ୍ଟ୍ୟ ହେଲା ଯେ, ଏହା ସତ୍ୟବାଦୀ ଗୋଷ୍ଠୀର ନରମପନ୍ଥୀ ଜାତୀୟତା ସହ ତାଳ ମିଳାଇ ପାରିଲା ନାହିିଁ । ଦ୍ୱିତୀୟ ପିଢ଼ିର ଆଧୁିନିକ ବୁଦ୍ଧିଜୀବୀ ଭାବରେ ଯେତେବେଳେ ନରମପନ୍ଥୀ ଜାତୀୟତାବାଦୀମାନେ ବ୍ରିଟିଶ ବିରୋଧତାକୁ ତୀବ୍ର କଲେ ବା ସାମନ୍ତୀ ପ୍ରଭାବକୁ ଅବଜ୍ଞା କଲେ, ଆଗ୍ରହ ଥିବା ସତ୍ତ୍ୱେ ତାକୁ ଲିବରାଲମାନେ ସହଜରେ ଗ୍ରହଣ କରିପାରିଲେ ନାହିିଁ । ଉଦାହରଣ ସ୍ୱରୂପ, ୧୯୧୨ରେ ବିହାର ଓ ଓଡ଼ିଶା ପ୍ରଦେଶ ଗଠନ ହେଲା ଉତ୍ତାରୁ ଓଡ଼ିଶାର ସ୍ୱତନ୍ତ୍ର ପ୍ରଦେଶ ହେବାର ଆଶା ମଉଳିଗଲା ଏବଂ ସରକାରଠାରେ ଓଡ଼ିଶା ଜାତୀୟତାବାଦୀଙ୍କ ଥିବା ଆସ୍ଥା ବହୁ ମାତ୍ରାରେ ହ୍ରାସ ପାଇଲା । ସେତେବେଳେ ମଧୁସୂଦନ ସରକାର ଉପରେ ଚାପ ପକାଇବାପାଇଁ ଗଣ ଆନ୍ଦୋଳନର ଲକ୍ଷ୍ୟ ନେଇ କଟକରେ ‘ପ୍ରଜା ପ୍ରତିିନିଧି ସଭା’ ଗଠନ କଲେ । ସଭା ଚଉକିଦାରୀ କର ଉଚ୍ଛେଦ ସମେତ ଗଞ୍ଜାମର ଓଡ଼ିଶା ସହ ଏକତ୍ରୀକରଣ ଦାବି କଲା । ମାତ୍ର ଗଣ ଆନ୍ଦୋଳନର ଲକ୍ଷ୍ୟ ନେଇ ଯେତେବେଳେ ‘ଉତ୍କଳ ସମ୍ମିଳନୀ’ର ଜତୀୟ କଂଗ୍ରେସରେ ମିଳିତ ହେବାର କଥା ପଡ଼ିଲା, ମଧୁବାବୁ ତାହା ସହଜରେ ଗ୍ରହଣ କରି ପାରିଲେ ନାହିିଁ । ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ନରମପନ୍ଥୀ ଜାତୀୟତାବାଦୀମାନେ ଉତ୍କଳ ସମ୍ମିଳନୀର ୧୯୨୦ରେ ଅନୁଷ୍ଠିତ ହେବାକୁ ଥିବା ଅଧିବେଶନକୁ ନିଜ ନିୟନ୍ତ୍ରଣାଧୀନ କରିନେବେ ବୋଲି ଆଶଙ୍କା କରି ମଧୁବାବୁ ତହିିଁରେ ଯୋଗ ସୁଦ୍ଧା ଦେଲେ ନାହିିଁ ।
ନରମପନ୍ଥୀ ଜାତୀୟତାବାଦୀଙ୍କୁ ଓଡ଼ିଶା ରାଜନୀତିରେ ବଳ ମିଳିଲା , ଯେତେବେଳେ ବଙ୍ଗରେ ୧୯୦୫-୦୬ରେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ ହେଲା ଏବଂ ତାର ପ୍ରଭାବ ଅନ୍ୟ ଅଞ୍ଚଳମାନଙ୍କରେ ବି ପଡ଼ିଲା । ଓଡ଼ିଶାରେ ନୀଳକଣ୍ଠ ଦାସ, ଗୋପବନ୍ଧୁ ଦାସ ଆଦି ଯୁବଗୋଷ୍ଠୀ ତାର ସମର୍ଥନ କଲେ । ୧୯୧୨ରେ ସ୍ୱତନ୍ତ୍ର ବିହାର ପ୍ରଦେଶରେ ଓଡ଼ିଶାକୁ ସାମିଲ କରିଦିଆଗଲା ପରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଦାବିକୁ ସରକାର ଉପେକ୍ଷା କଲେ ବୋଲି ପ୍ରତୀତ ହେଲା । ଏହି ଘଟଣା ଜାତୀୟତାବାଦୀଙ୍କ ମନରେ ସରକାରଙ୍କ ପ୍ରତି ଥିବା ମୋହ ଭାବକୁ ଅନେକ ମାତ୍ରାରେ ଭଙ୍ଗ କଲା । ଏହାର ଲାଭ ମିଳିଲା ନରମପନ୍ଥୀ ଜାତୀୟତାବାଦୀଙ୍କୁ । ବିହାର ଓ ଓଡ଼ିଶା ପ୍ରଦେଶ ଗଠନର ତିିନି ବର୍ଷ ପୂର୍ବରୁ ୧୯୦୯ରେ ସାକ୍ଷୀଗୋପାଳଠାରେ ସତ୍ୟବାଦୀ ପ୍ରତିଷ୍ଠା କରି ସେମାନେ ସିଦ୍ଧ କରି ସାରିଥିଲେ ଯେ, ଅନୁଷ୍ଠାନ ଗଢ଼ିବାରେ ଏବଂ ତାର ସଫଳତା ନିମିତ୍ତ ରାଜା-ରାଜୁଡ଼ାଙ୍କ ଅର୍ଥ ସାହାଯ୍ୟ ଏବଂ ସରକାରୀ ଅନୁଦାନ ବଦଳରେ ବେଶି ଆବଶ୍ୟକ ଆନ୍ତରିକ ଇଚ୍ଛାଶକ୍ତିର, ସମୂହପାଇଁ ବ୍ୟକ୍ତି ସ୍ୱାର୍ଥ ତ୍ୟାଗ କରିବାର ମନୋବୃତ୍ତିର । ୧୯୧୯ରେ ଯେତେବେଳେ ମଣ୍ଟେଗୁ ଚେମ୍ସଫୋର୍ଡ଼ ଶାସନ ସଂସ୍କାର ପରେ ମଧ୍ୟ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଲା ନାହିିଁ, ଲୋକଙ୍କ ମନରେ ସରକାର ପ୍ରତି ଥିବା ସମସ୍ତ ମୋହ ଭଙ୍ଗ ହେଲା । ଫଳରେ ଓଡ଼ିଶା ରାଜନୀତିରେ ଯୁବ ନରମପନ୍ଥୀ ଜାତୀୟତାବାଦୀଙ୍କ ପ୍ରଭାବ ବୃଦ୍ଧି ପାଇଲା । ଏହା ସହିତ ଓଡ଼ିଶା ଜାତୀୟତାର ଏକ ନୂଆ ସୋପାନକୁ ଚଢ଼ିବାର ପ୍ରକ୍ରିୟା ଆରମ୍ଭ ହେଲା । କେବଳ ରାଜନୀତି କାହିିଁକି; ସାହିତ୍ୟ, ସଂସ୍କୃତି, କଳା, ବିଜ୍ଞାନ ପ୍ରତିଟି କ୍ଷେତ୍ରରେ ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ସମାହିତ ହେବାକୁ ପଡ଼ିବ ବୋଲି ପତ୍ର-ପତ୍ରିକାରେ ମତ ପ୍ରକାଶ ପାଇଲା । ଜାତୀୟ କଂଗ୍ରେସଠାରୁ ଦୂରତା ରଖିବା ବଦଳରେ ଓତପ୍ରୋତ ହେବା ହିିଁ ଓଡ଼ିଶାପାଇଁ ବିକଳ୍ପ ବୋଲି ବୁଦ୍ଧିଜୀବୀ ଗୋଷ୍ଠୀ ବୁଝି ପାରିଲେ । ଯେଉଁ କେତୋଟି ଘଟଣାଯୋଗୁଁ ୧୯୧୯-୨୦ ବେଳକୁ ବୁଦ୍ଧିଜୀବୀର ସରକାର ଏବଂ ସରକାରୀ ଆନୁଗତ୍ୟର ରାଜନୀତିଠାରୁ ପୂର୍ଣ୍ଣତଃ ମୋହଭଙ୍ଗ ଘଟିଲା, ତନ୍ମଧ୍ୟରେ ଏକ ପ୍ରମୁଖ ଘଟଣା ଥିଲା ପଞ୍ଜାବର ଜାଲିଆନାଓ୍ୱାଲା ବାଗ ହତ୍ୟାକାଣ୍ଡ । ଶାନ୍ତିପୂର୍ଣ୍ଣ ଉପାୟରେ ସଭା କରୁଥିବା ନିରୀହ ଜନତାଙ୍କ ଉପରେ ସେଠାରେ ଗୁଳିମାଡ଼ ହେଲା ଏବଂ ତହିିଁରେ ସହସ୍ରାଧିକ ଲୋକ ପ୍ରାଣତ୍ୟାଗ କଲେ । ତା’ଠାରୁ ବଡ଼ କଥା, ନିରୀହ ଲୋକଙ୍କର ହତ୍ୟାକାରୀଙ୍କୁ ନିନ୍ଦା କରିବା ପରିବର୍ତ୍ତେ ଅଦାଲତ ସହଯୋଗ ଦେବାପାଇଁ ଇଂଲଣ୍ଡରେ ପାଣ୍ଠି ସଂଗ୍ରହ ହେଲା । ସରକାରର ଏହି ବର୍ବରକାଣ୍ଡ ପରେ ବୁଦ୍ଧିଜୀବୀ ସ୍ଥିର ନିଶ୍ଚିତ ହେଲେ ଯେ, ବ୍ରିଟିଶମାନେ ପୈତୃକ ମନୋଭାବ ନେଇ ଭାରତରେ ଶାସନ କରୁ ନାହାନ୍ତି । ନୋହିଲେ ମା’-ବାପ ହୋଇ ସରକାର ଏଭଳି ନାରକୀୟ ଘଟଣା ଘଟିବାକୁ ଦେଇ ନଥାନ୍ତେ ବା ଦୁର୍ଭାଗ୍ୟରୁୁ ତାହା ଘଟିତ ହୋଇଥିଲେ ତାର ସମର୍ଥନ କରି ନଥାନ୍ତେ । ଏଯାଏ ସରକାର ପ୍ରତି କୋହଳ ମନୋଭାବ ରଖିଥିବା ଏବଂ ୧୯୧୮-୧୯୧୯ ପରେ ଆସ୍ଥା ହରାଇଥିବା ବୁଦ୍ଧିଜୀବୀର ବ୍ରିଟିଶ ବିରୋଧତା ଓ ଆତ୍ମବ୍ୟଥାକୁ କବି ଗଙ୍ଗାଧର ମେହେର ‘ଭାରତୀ ଭାବନା’ରେ ଖୁବ୍ ଭଲ ଭାବେ ବ୍ୟାଖ୍ୟା କରିଛନ୍ତି । ଦ୍ୱି-ଅର୍ଥ ବୋଧକ ଏହି କବିତାରେ ସେ କୃଷ୍ଣଙ୍କୁ ସମ୍ବୋଧନ କରିବା ଆଳରେ ବ୍ରିଟିଶ ପ୍ରତି କଟୂକ୍ତି କରି କହିଛନ୍ତି:
{{center block|
ଗୋଲକ ମଣ୍ଡଳ ନାଥେ ଲକ୍ଷ୍ୟ କରି
କହନ୍ତି ଭାରତୀ କିଶୋରୀ,
ଭାରତ-ମଣ୍ଡଳେ ଯାହା କଲ ନାଥ
ମନୁ ହେଉ ନାହିିଁ ପାସୋରି
ଗୋପେନ୍ଦ୍ରେ, ଛଳେ ଜାତିକୁଳ ନାଶିଲ
ଯାହା ଥିଲା ଆମ୍ଭ ନିଜତ୍ୱ ତହିିଁରେ
ନିଜ ପ୍ରଭୁତା ପ୍ରକାଶିଲ …
ଆମ୍ଭ କ୍ଷୀର ସର ଲବଣୀରେ ପୁଷ୍ଟ
ବଳକୁ ତୁମ୍ଭର ଅନାଇ
ଭୟ ଲଭି ସିନା ଜାରମଣି ବୀରେ
କରି ନ ପାରିଲେ ଲଢ଼ାଇ;
ଗୋପେନ୍ଦ୍ରେ, ଯେ କଥା କହିଥିଲ ଯାଇ,
ଜୟ ଗର୍ବେ ମାତି କେଉଁ କଥା କଲ
ପୂର୍ବ ପ୍ରତିଜ୍ଞା ଅନୁଯାୟୀ ।
ଗାନ୍ଧୀ ନିଜ କାଣ୍ଡ ଘଟାଇଲା ଦିନୁ
ସ୍ନେହ ଗଣ୍ଠି ହେଲା ଶିଥିଳ
ତହୁଁ ଜଣାଗଲା କିସ ହେଲ ତୁମ୍ଭେ
ତହିିଁ ପୂର୍ବେ ଅବା କି ଥିଲ;
ପାଞ୍ଚୋଳେ, ପରିଚୟ ହେଲା ଯାହାର,
ଯାହା ଲାଗି ହେଲା ସକଳ କଳହ
ମାନ ବଢ଼ାଇଲ ତାହାର ।
ଗଙ୍ଗାଧର ମେହେର ଯିଏ ଅତୀତରେ ‘ଭିବ୍ଧୋରିଆ ସ୍ତବ’ ଲେଖିଥିଲେ, ରାଣୀଙ୍କୁ ‘ଚିରଜୀବିନୀ’ ହୋଇ ଭାରତ ଉପରେ ଶାସନ କରିବାକୁ ସ୍ତବ କରିଥିଲେ, ସେହି କବି ପୁଣି ୧୯୨୦ ବେଳକୁ ଇଂରେଜ ସରକାରକୁ ଏତେ କଟୂକ୍ତି କରି ପାରିଲେ! ବୁଦ୍ଧିଜୀବୀଙ୍କର ଏହି ମାନସିକ ପରିବର୍ତ୍ତନ ପଛରେ କାରଣ ହେଲା ଯେ, ସରକାର ଭାରତୀୟ ମହାଜାତିର ସ୍ୱାର୍ଥକୁ ଉପେକ୍ଷା କରୁଛି । ତେଣୁ ସେମାନେ ସରକାରର ବିରୋଧ କରିବାକୁ ହେଳା କଲେ ନାହିିଁ । ତାଙ୍କ ଜାତୀୟତା ଥିଲା ଅନୁଭବ ଆଧାରିତ । ଏହି ଆଧାରରେ ୧୯୧୯-୨୦ ବେଳକୁ ନରମପନ୍ଥୀ ଜାତୀୟତାବାଦୀ ଗୋଷ୍ଠୀ ରାଜନୀତିର ମୁଖ୍ୟ ସ୍ରୋତ ହେଲୋ ଓଡ଼ିଶା ଜାତୀୟତା ଉଭୟ ଆଞ୍ଚଳିକ ପ୍ରଗତି ଏବଂ ରାଷ୍ଟ୍ରୀୟ ପ୍ରଗତିକୁ ସମପରିମାଣର ପ୍ରମୁଖତା ଦେଇ ଏଣିକି ଆନ୍ଦୋଳନ ପରିଚାଳନା କଲା । ୧୯୧୭ ମସିହା ପରଠାରୁ ଆଉ ରାଜା-ଜମିଦାରଙ୍କୁ ସମ୍ମିଳନୀର ସଭାପତି ଆସନ ସୁଦ୍ଧା ମିଳୁ ନଥିଲା । ୧୯୧୯ରେ ଚନ୍ଦ୍ରଶେଖର ବେହେରା, ଗୋପବନ୍ଧୁ ଦାସ ଏବଂ ୧୯୨୦ରେ ଜଗବନ୍ଧୁ ସିଂ ସମ୍ମିଳନୀର ସଭାପତି ଅଧିଷ୍ଠିତ ହୋଇ ଭାରତୀୟ ମହାସ୍ରୋତରେ ଓଡ଼ିଶାର ଜାତୀୟତାକୁ ମିଳିତ ହେବାକୁ ଆହ୍ୱାନ ଦେଲେ ।
ଅଧ୍ୟାୟର ଶେଷ ଦୃଶ୍ୟ ଥିଲା ଅଧିକ ନାଟକୀୟ । ଉତ୍କଳ ସମ୍ମିଳନୀର ୧୯୨୦ ମସିହାପାଇଁ ଅଧିବେଶନ ହେବାର ନିଷ୍ପତ୍ତି ହେଲା ବିଚ୍ଛିନ୍ନାଞ୍ଚଳ ଚକ୍ରଧରପୁରରେ । ଅଧିବେଶନର ବହୁ ପୂର୍ବରୁ ମଧୁବାବୁ ନରମପନ୍ଥୀ ଯୁବ ଜାତୀୟତାବାଦୀଙ୍କ ହାତରୁ ପରାଜୟ ସ୍ୱୀକାର କରି ସମ୍ମିଳନୀର ସଭାପତି ପଦ ଗ୍ରହଣ କରିବାକୁ ମନା କଲେ । ଶେଷରେ ଜଗବନ୍ଧୁ ସିଂଙ୍କ ସଭାପତିତ୍ୱରେ ଯେତେବେଳେ ଅଧିବେଶନ ଆରମ୍ଭ ହେଲା, ନାଗପୁର କଂଗ୍ରେସରେ ଅଂଶଗ୍ରହଣ କରିସାରି ଚକ୍ରଧରପୁରରେ ଯୋଗ ଦେଇଥିବା ଗୋପବନ୍ଧୁ ଦାସ ଏବଂ ତାଙ୍କର ବନ୍ଧୁମାନେ ସମ୍ମିଳନୀକୁ ଜାତୀୟ କଂଗ୍ରେସରେ ସାମିଲ କରିବାକୁ ପ୍ରସ୍ତାବ ଦେଲେ । ଉଦାରବାଦୀ ବା ଲିବରାଲ ବିଶ୍ୱନାଥ କର, ବ୍ରଜସୁନ୍ଦର ଦାସ ଏବଂ ଶ୍ରୀଚନ୍ଦନ ଘୋଷ ଆଦି ଗୋପବନ୍ଧୁଙ୍କ ପ୍ରସ୍ତାବର ବିରୋଧ କଲେ । ଆଲୋଚନା ପରେ ପ୍ରସ୍ତାବଟି ଉପରେ ଭୋଟ ନିଆଗଲା । ସପକ୍ଷରେ ମିଳିଲା ୧୨୭ଟି ମତ ଏବଂ ବିପକ୍ଷରେ ମିଳିଲା ମାତ୍ର ଷୋହଳଟି ମତ । ଆନୁଷ୍ଠାନିକ ଭାବରେ ଏଣିକି ଉତ୍କଳ ସମ୍ମିଳନୀ ଜାତୀୟ କଂଗ୍ରେସର ଅଙ୍ଗ ହେଲା ଏବଂ ଓଡ଼ିଶାରେ କଂଗ୍ରେସର ଶାଖା ଗଠନ ହେଲା । ଅସହଯୋଗର ଡାକରାକୁ ସାକାର କରିବା ହେଲା ଏଣିକି ଓଡ଼ିଶା ଜାତୀୟତାର ମୁଖ୍ୟ ଉଦ୍ଦେଶ୍ୟ । ଉପସଂହାରରେ ଏତିକି କହିବା ଯଥେଷ୍ଟ ହେବ ଯେ, ୧୮୬୫-୬୬ର ନଅଙ୍କ ଦୁର୍ଭିକ୍ଷଜନିତ ସାମାଜିକ ସଂକଟରୁ ଓଡ଼ିଶାରେ ଜାତୀୟତାର ଉନ୍ମେଷ ଆରମ୍ଭ ହେଲା । ଆଧୁିନିକ ଶିକ୍ଷିତ ବୁଦ୍ଧିଜୀବୀ ଏହାକୁ ନେତୃତ୍ୱ ଦେଲେ । ସ୍ଥାନୀୟ ଭାଷାରେ ପତ୍ର-ପତ୍ରିକାମାନ ପ୍ରକାଶନ କରି ତଥା ଆଞ୍ଚଳିକ ସ୍ତରରେ ସଭା-ସମିତିମାନ ଆୟୋଜନ କରି ସେମାନେ ଜାତୀୟତାର ବିଚାରଧାରାକୁ ଏକ ଠୋସ ରଙ୍ଗରୂପ ଦେଲେ । ସେମାନଙ୍କ ଦୃଷ୍ଟିକୋଣରେ ଉଭୟ ରାଷ୍ଟ୍ରୀୟ ଓ ଆଞ୍ଚଳିକ ପ୍ରଗତି ପ୍ରମୁଖତା ପାଇଲା । ଗଞ୍ଜାମର ଓଡ଼ିଶା ଡିଭିଜନରେ ମିଶିବା ପ୍ରସ୍ତାବକୁ କଂଗ୍ରେସ ଅନ୍ୟ କାରଣରୁ ଅସ୍ୱୀକାର କରିବାରୁ ଓଡ଼ିଶାର ବୁଦ୍ଧିଜୀବୀ ସ୍ଥାନୀୟ ସମସ୍ୟାର ଆଲୋଚନା ପାଇଁ ଏକ ସ୍ୱତନ୍ତ୍ର ମଞ୍ଚ କଥା ଚିନ୍ତା କଲେ । ଫଳରେ ୧୯୦୩ରେ ‘ଉତ୍କଳ ସମ୍ମିଳନୀ’ ଗଠିତ ହେଲା । ଏହା ଜାତୀୟତାଭିତ୍ତିକ ଆଞ୍ଚଳିକ ସଭା-ସମିତିଗୁଡ଼ିକୁ ଏକ ପ୍ରାଦେଶିକ ମଞ୍ଚ ପ୍ରଦାନ କଲା । ବିଂଶ ଶତାବ୍ଦୀର ଆରମ୍ଭ ଦଶକରେ ଓଡ଼ିଶାର ବୁଦ୍ଧିଜୀବୀଙ୍କ ମଧ୍ୟରେ ତିନିଟି ଗୋଷ୍ଠୀ ଦେଖିବାକୁ ମିଳେ । ପ୍ରଥମ ଗୋଷ୍ଠୀ ହେଲେ ପ୍ରଥମ ପିଢ଼ିର ମଧ୍ୟବର୍ଗୀୟ ବୁଦ୍ଧିଜୀବୀ, ଯାହାଙ୍କୁ ଉଦାରବାଦୀ ବୋଲି ଏଠାରେ ଉଲ୍ଲେଖ କରାଯାଇଛି; ଦ୍ୱିତୀୟ ଗୋଷ୍ଠୀ ହେଲେ ସାମନ୍ତବର୍ଗର ଆଧୁନିକ ଶିକ୍ଷିତ ବର୍ଗ । ସେମାନେ ସରକାରଠାରେ ପୂର୍ଣ୍ଣ ଆନୁଗତ୍ୟ ରଖି ସାମାଜିକ ପ୍ରଗତି କଥା କହୁଥିଲେ । ଇଂରେଜ ସରକାରର ଜନବିରୋଧୀ ସ୍ୱଭାବ ସ୍ପଷ୍ଟ ହେବା ସହିତ ଏହି ଗୋଷ୍ଠୀ ଜାତୀୟତାବାଦୀ ରାଜନୀତିରେ ନିଜ ପ୍ରାଧାନ୍ୟ ହରାଇବା ଆରମ୍ଭ କଲେ । ତୃତୀୟ ଗୋଷ୍ଠୀ ହେଲେ ଦ୍ୱିତୀୟ ପିଢ଼ିର ମଧ୍ୟ ବର୍ଗୀୟ ଶିକ୍ଷିତ ଯୁବ ସମାଜ । ଏହି ଗୋଷ୍ଠୀ ଇଂରେଜ ଆନୁଗତ୍ୟର ତୀବ୍ର ବିରୋଧ କଲେ ଏବଂ ଓଡ଼ିଶାର ଜାତୀୟତା ସ୍ୱଭାବକୁ ମହାଭାରତୀୟ ସ୍ରୋତ ଅର୍ଥାତ ଜାତୀୟ କଂଗ୍ରେସରେ ସମ୍ମିଶ୍ରିତ କରିବାକୁ ପ୍ରୟାସ କଲେ । ପ୍ରଥମ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଇତିହାସରେ ଏମିତି ଅନେକ ଘଟଣା ଘଟିଲା, ଯାହା ଇଂରେଜ ଉପନିବେଶବାଦର ଲୋକ ବିରୋଧୀ ସ୍ୱରୂପକୁ ଅଧିକରୁ ଅଧିକ ସ୍ପଷ୍ଟ କଲା । ଉଦାହରଣ ସ୍ୱରୂପ, ବିଶ୍ୱଯୁଦ୍ଧ ପରେ ଜାତୀୟତାବାଦୀ ଆଶା କରିଥିଲେ, ଇଂରେଜମାନେ ଜାତୀୟତାବାଦକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ତଥା ଗାଣତାନ୍ତ୍ରିକତାକୁ ପ୍ରାଧାନ୍ୟ ଦେଇ ଅନେକ ନୂଆ ସୁବିଧା ସୁଯୋଗ ଦେବେ । ମାତ୍ର ଯୁଦ୍ଧ ପରେ ଫଳ ଓଲଟା ହେଲା । ମଣ୍ଟେଗୁଚେମ୍ସଫୋର୍ଡ଼ ଶାସନ ସଂସ୍କାର ଓଡ଼ିଶାର ଭାଷା ଭିତ୍ତିରେ ପ୍ରଦେଶ ଗଠନ ଦାବିକୁ ସ୍ୱୀକୃତି ଦେଲା ନାହିଁ । ୧୯୧୯ରେ ଜାଲିଆନାଓ୍ୱାଲା ବାଗରେ ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କରୁଥିବା ନିରୀହ ଜନତା ଉପରେ ଗୁଳିମାଡ଼ ହେଲା । ଏହିସବୁ ଘଟଣାରୁ ସିଦ୍ଧ ହେଲା ଯେ, ଭାରତରେ ଗାଣତାନ୍ତ୍ରିକତାର ପ୍ରତିଷ୍ଠା ଇଂରେଜ ସରକାରର ଉଦ୍ଦେଶ୍ୟ ନୁହୋଁ ଏହା ଅନୁଭବ କଲା ପରେ ଇଂରେଜର ଆନୁଗତ୍ୟରେ ଆସ୍ଥା ରଖିଥିବା ସାମନ୍ତ ବୁଦ୍ଧିଜୀବୀ ଗୋଷ୍ଠୀ ଓଡ଼ିଶା ରାଜନୀତିରେ ନିଜ ପ୍ରଭୁତା ପୂର୍ଣ୍ଣ ରୂପେ ହରାଇଲେ । ଉଦାରବାଦୀ ଗୋଷ୍ଠୀର ଇଂରେଜ ପ୍ରତି ମୃଦୁ ସମାଲୋଚନାକୁ ମଧ୍ୟ ପରିବର୍ତ୍ତିତ ପରିସ୍ଥିତିରେ ଲୋକ ସମର୍ଥନ ମିଳିଲା ନାହିିଁ । ଲୋକ ଚାହିିଁଲେ ବିରୋଧ ତୀବ୍ର ହେଉ । ଏହି କାରଣରୁ ୧୯୨୦ରେ ନରମପନ୍ଥୀ ଜାତୀୟତାବାଦୀ ଓଡ଼ିଶା ରାଜନୀତିର ମୁଖ୍ୟସ୍ରୋତ ହେଲେ ଏବଂ ସେମାନଙ୍କ ନେତୃତ୍ୱରେ ‘ଉତ୍କଳ ସମ୍ମିଳନୀ’ ଜାତୀୟ କଂଗ୍ରେସରେ ସାମିଲ ହେଲା । ଅନ୍ୟ ଦୁଇଗୋଷ୍ଠୀ ନିଜ ରାଜନୈତିକ ମହତ୍ତ୍ୱ ହରାଇଲେ । ଆଞ୍ଚଳିକ ଏବଂ ରାଷ୍ଟ୍ରୀୟ ଅସ୍ମିତାକୁ ମୂଳ ଉଦ୍ଦେଶ୍ୟ କରି ଊନବିଂଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ଯେଉଁ ଜାତୀୟତାର ଉନ୍ମେଷ ଆରମ୍ଭ ହୋଇଥିଲା, ତାହା ୧୯୨୦ ମସିହା ଅସହଯୋଗ ଆନ୍ଦୋଳନର ଡାକରାରେ ପରିପକ୍ୱ ହେଲା । ଏଣିକି ଓଡ଼ିଶାରେ ଜାତୀୟତା ଆନ୍ଦୋଳନ ତୀବ୍ରରୁ ତୀବ୍ରତର ରୂପ ଧାରଣ କଲା ।