ଜଣେବ୍ୟତିକ୍ରମୀଶିକ୍ଷକଙ୍କ_ସମ୍ପର୍କରେ…
ଲେଖାଟି ପଢ଼ିବା ପୂର୍ବରୁ ଲେଖା ସହିତ ଦିଆଯାଇଥିବା ଫଟୋଟିକୁ ପ୍ରଥମେ ଦେଖନ୍ତୁ..!
ଫଟୋଟି ବେଜିଂ ୟୁନିଭରସିଟି ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ର ସମ୍ପ୍ରତି ଅନୁଷ୍ଠିତ ହୋଇଥିବା ସମାବର୍ତ୍ତନ ଉତ୍ସବର ।
ମଞ୍ଚ ଉପରେ ଛିଡା ହୋଇ ନିଜର ଗବେଷଣା ପତ୍ର ଉପରେ ବକ୍ତବ୍ୟ ରଖୁଛନ୍ତି ଜଣେ ଛାତ୍ରୀ, ଜୀବନର ଗୋଟିଏ ଗୁରୁତ୍ବପୂର୍ଣ୍ଣ ଅଧ୍ୟାୟ ଅତିକ୍ରମ କରି ନୂତନ ଦିଗନ୍ତରେ ପାଦ ଥାପିବାର ମୁହୂର୍ତ୍ତ ଛାତ୍ରୀଙ୍କ ପାଇଁ ।
କ୍ୟାମ୍ପସର ପଡ଼ିଆରେ ଖୋଲା ଆକାଶ ତଳେ ଆୟୋଜିତ ଏହି ଉତ୍ସବରେ ହଠାତ୍ ଆରମ୍ଭ ହୋଇଗଲା ଝିପିଝିପି ବର୍ଷା । ସଙ୍ଗେ ସଙ୍ଗେ ଜଣେ ପ୍ରଫେସର, ଯିଏ ଛାତ୍ରୀଙ୍କ ଡିପାର୍ଟମେଣ୍ଟର ବିଭାଗୀୟ ମୁଖ୍ୟ, ଚୁପଚାପ୍ ଉଠିଆସି ଛାତ୍ରୀଙ୍କ ମୁଣ୍ଡ ଉପରେ ଛତାଟିଏ ମେଲି ଧରି ଛିଡା ହୋଇ ରହନ୍ତି ।
ଛାତ୍ରୀଟିର ଅସମାପ୍ତ ବକ୍ତବ୍ୟର ପ୍ରତିଟି ଶବ୍ଦ , ପ୍ରତିଟି ଶ୍ବାସ ଯେମିତି କି ଛତାତଳେ ନିରାପଦ ଆଶ୍ରୟ ଖୋଜି ପାଇଛି ।
ବକ୍ତବ୍ୟ ଶେଷ ହେବା ପର୍ଯ୍ୟନ୍ତ ଶିକ୍ଷକ ଛିଡ଼ା ହୋଇ ରହନ୍ତି, କୌଣସି ଦମ୍ଭ ନାହିଁ, କୌଣସି ଆତ୍ମ ଅହମିକା ନାହିଁ – କେବଳ ଛାତ୍ରୀଟି ପ୍ରତି ସ୍ନେହ ଓ ଭଲପାଇବା ବିଦ୍ୟମାନ ।
ଥରେ ଭାବନ୍ତୁ ତ.. ଏଭଳି ଦୃଶ୍ୟ ଆପଣ କଣ କଳ୍ପନା କରିପାରିବେ ଆମ ଦେଶର କୌଣସି ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ…?
ହୁଏତ ଏହି ଦୃଶ୍ୟ ଦେଖି ଆମେ ହସିବା ….!
କାରଣ ଆମ ଦେଶରେ ଏଭଳି ଦୃଶ୍ୟ ଅସମ୍ଭବ ।
କାରଣ, ଆମମାନଙ୍କର ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକତା ଧୀରେ ଧୀରେ କେବଳ ଗୋଟିଏ ପେଶା ପାଲଟି ଯାଇଛି, ଅନ୍ତରର ଉତ୍ସର୍ଗ ନୁହେଁ ।
ଆମ ଦେଶରେ ଶିକ୍ଷକ ମାନେ ପ୍ରଶ୍ନପତ୍ର, ସିଲାବସ, ନମ୍ବର – କିନ୍ତୁ ମଣିଷ ଗଢ଼ିବାର ଚର୍ଚ୍ଚା…?
ନିହାତି ଦୁର୍ଲଭ !
ଆମର ଶିକ୍ଷକମାନେ ହୁଏତ ଶ୍ରେଣୀ ଗୃହରେ ଉଚ୍ଚାସନରେ ବସି ରହିଥାନ୍ତି, କିନ୍ତୁ ଶିକ୍ଷାର୍ଥୀମାନଙ୍କ ପାଖରେ ଛିଡ଼ା ହେବା ସେମାନଙ୍କର ଅହଙ୍କାର କୁ ଆଘାତ କରିଥାଏ । ଶିକ୍ଷକ ବୋଲି ଅହଙ୍କାର ଯେତେବେଳେ ମନର କୋଣରେ ବସା ବାନ୍ଧେ, ଶିକ୍ଷକତା ସେତେବେଳେ ଆଉ ମହାନ୍ ହୋଇ ରହେ ନାହିଁ – ତାହା ପାଲଟି ଯାଏ କେବଳ ଏକ ବୃତ୍ତି ।
ଜଣେ ପ୍ରକୃତ ଶିକ୍ଷକ ଜାଣିଥାନ୍ତି ଯେ , ଶ୍ରେଷ୍ଠତା ଆସେ ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରେ ଛିଡା ହୋଇ ନୁହେଁ, ପାଖରେ ଛିଡ଼ା ହୋଇ , ସମ୍ମାନ ଓ ଆଶୀର୍ବାଦ ଦେଇ ।
ଗୋଟିଏ ଅତି ସାଧାରଣ କାମ – ଛତାଟିଏ ଧରି ଛିଡା ହେବା – ହୁଏତ କୌଣସି ସିଲାବସର ଅଂଶ ନୁହେଁ, କିନ୍ତୁ ତାହା ହୋଇଯାଏ ସମଗ୍ର ଜୀବନର ମହାନ୍ ଏକ ଶିକ୍ଷା, ଏକ ଜୀବନ୍ତ ଅନୁପ୍ରେରଣା ।
ଆଜି ଯେତେବେଳେ ଶିକ୍ଷାବ୍ୟବସ୍ଥା ଅନେକ ପରିମାଣରେ କମର୍ସିଆଲ ଲେଣଦେଣ ଫର୍ମୁଲାରେ ବନ୍ଦୀ, ସେତେବେଳେ ଏଭଳି ଜଣେ ପ୍ରଫେସର ଆମକୁ ମନେ ପକାଇ ଦିଅନ୍ତି — ମାନବିକତା, ଶ୍ରଦ୍ଧା ଓ ଦୟା ଏବେ ମଧ୍ୟ ଜଣେ ଶିକ୍ଷକଙ୍କର ଅସଲ ପରିଚୟ ହୋଇପାରେ ।
ଭାରତ ମହାନ୍ ଗୁରୁ ମାନଙ୍କର ପରମ୍ପରା ସମୃଦ୍ଧ ଦେଶ ଅଥଚ ସମ୍ପ୍ରତି ଆମଦେଶରେ ଶିକ୍ଷକ -ଶିକ୍ଷାର୍ଥୀ ସମ୍ପର୍କ ଅନେକ ସମୟରେ ହୋଇ ପଡ଼ୁଛି ଶୀତଳ, ଆନୁଷ୍ଠାନିକ, ଏପରିକି ବେଳେ ବେଳେ ଭୀତିପ୍ରଦ ।
ଅଥଚ ଜଡବାଦୀ ୟୁରୋପ – ଆମେରିକା ଭଳି ଦେଶରେ ଶିକ୍ଷକ ଅର୍ଥ ବନ୍ଧୁତ୍ୱ, ସମର୍ଥନ, ଶ୍ରଦ୍ଧା ଏବଂ ଭଲପାଇବାର ମୂର୍ତ୍ତ ପ୍ରତୀକ ହୋଇ ଉଠିଛି ।
ଛତାଟିଏ ହୁଏତ ବର୍ଷାକୁ ସମ୍ପୂର୍ଣ୍ଣ ଅଟକାଇ ନପାରେ, କିନ୍ତୁ ତାହା ହୋଇପାରେ ଏକ ମାନବିକ ଆଚରଣର ପ୍ରତୀକ , ଯାହା ସମଗ୍ର ଜୀବନ ପାଇଁ ଶିକ୍ଷାର୍ଥୀକୁ ଜଣାଇ ଦିଏ — ତୁମ ପାଇଁ ଜଣେ ଶିକ୍ଷକ ଥିଲେ, ଅଛନ୍ତି ଏବଂ ରହିଥିବେ ।
ପ୍ରକୃତ ଶିକ୍ଷକଙ୍କର ସ୍ଥାନ ଶ୍ରେଣୀକକ୍ଷରେ ନୁହେଁ, ଛାତ୍ରଛାତ୍ରୀଙ୍କ ହୃଦୟରେ..!
Leave a Reply