ପାରିବାରିକ କଳହରୁ ପତ୍ନୀଙ୍କୁ ପିଟିପିଟି ହତ୍ୟା !
ତା-14-07-2025
ଦର୍ଶନ ସମୀକ୍ଷା ବଡ଼ବିଲ
ବଡ଼ବିଲ ରେ
ପାରିବାରିକ କଳହରୁ ପତ୍ନୀଙ୍କୁ ପିଟିପିଟି ହତ୍ୟା ସନ୍ଦେହ । ଏହି ଖବର ଆସିଛି ବଡ଼ବିଲ ରୁଙ୍ଗଟା ମାଇନ୍ସ କଲୋନୀରୁ । ମୃତକ ହେଉଛନ୍ତି ରୁଙ୍ଗଟା କମ୍ପାନୀର ଆସିଷ୍ଟାଣ୍ଟ ମ୍ୟାନେଜର ନୀଲ ପ୍ରସାଦ ଶର୍ମାଙ୍କ ପତ୍ନୀ ନିର୍ମଳା ଶର୍ମା । ଆଜି ସକାଳୁ କଲୋନୀ କ୍ୱାଟରରେ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ନିର୍ମଳାଙ୍କୁ ଆମ୍ବୁଲାନ୍ସରେ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନିର୍ମଳାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ମରାଯାଇଥିବା ଚିହ୍ନ ସ୍ପଷ୍ଟ ଭାବେ ଦେଖାଯାଉଛି ।

ଅଭିଯୁକ୍ତ ସ୍ଵାମୀ ନୀଲ ପ୍ରସାଦ ଶର୍ମାଙ୍କୁ ବଡ଼ବିଲ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ୍ । ନୀଲ ପ୍ରସାଦ ଏବଂ ନିର୍ମଳାଙ୍କ ଦୁଇ ସନ୍ତାନ ରହିଥିବା ବେଳେ, ଝିଅ ବଡ଼ ଓ ସେ ଭୁବନେଶ୍ୱରରେ ରହି ଉଚ୍ଚଶିକ୍ଷା ଗ୍ରହଣ କରୁଛନ୍ତି । ପୁଅ ବାପା ମା’ଙ୍କ ସହ ରହି ବଡ଼ବିଲର ଏକ ଘରୋଇ ସ୍କୁଲର ଦଶମ ଶ୍ରେଣୀରେ ପାଠପଢନ୍ତି । ତେବେ ଗତ ରାତିରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ କ’ଣ ଏମିତି ଘଟିଲା, ସେନେଇ ପୋଲିସ୍ ଖୋଳତାଡ଼ ଜାରୀ ରଖିଛି । ମୃତକଙ୍କ ଝିଅ ଆସିଲାପରେ ଯାଇ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
Leave a Reply