ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାଙ୍କ ବାଜିଚୌକସ୍ଥିତ ଆହାର କେନ୍ଦ୍ର ପରିଦର୍ଶନ, ଦୁର୍ଗନ୍ଧମୟ ପରିସରର ଦୂରାବସ୍ଥା, ଡାଲମା ସ୍ୱାଦିଷ୍ଟ ହେବା ଉଚିତ
ଢେଙ୍କାନାଳ :ଦର୍ଶନ ସମୀକ୍ଷା
ଆମ୍ ଆଦମୀ ପାର୍ଟି କର୍ମକର୍ତ୍ତାଙ୍କ ଢେଙ୍କାନାଳ ସହର ବାଜିଚୌକସ୍ଥିତ ଆହାର କେନ୍ଦ୍ର ମଙ୍ଗଳବାର ଦିନ ପୂର୍ବାହ୍ନରେ ପରିଦର୍ଶନ କରିଥିଲେ l ଏହି ଆହାର କେନ୍ଦ୍ର ଜନସାଧାରଣଙ୍କ ପାଇଁ ପାଞ୍ଚ ଟଙ୍କାରେ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ବେଳେ ପୌରସଂସ୍ଥାର ଅବହେଳା ଯୋଗୁଁ ଏହି ଆହାର କେନ୍ଦ୍ର ପରିସରରେ ପଚା ସଢ଼ା ଅଳିଆ ଆବର୍ଜ୍ଜନା ପଡ଼ି ରହୁଛି। ଚତୁଃପାର୍ଶ୍ଵରେ ଲଟିବୁଦା ପରିପୂର୍ଣ୍ଣ ସାଙ୍ଗକୁ ମଳ ମୂତ୍ର ଗନ୍ଧରେ ନାକ ଫାଟି ପଡୁଛି। ଏପରି ପରିବେଶରେ ଲୋକମାନେ ଭୋଜନ କରୁଛନ୍ତି । ଏହା ଦ୍ବାରା ଝାଡ଼ା ବାନ୍ତି ଓ ହଇଜା ପରି ସଂକ୍ରମଣ ରୋଗ ବ୍ଯାପିବାର ସଂମ୍ଭାବନା ରହିଛି। ନିୟମ ଅନୁସାରେ ପୌରସଂସ୍ଥା ପ୍ରତିଦିନ ଆହାର କେନ୍ଦ୍ର ପରିସର ପରିଷ୍କାର ପରିଚ୍ଛନ୍ନ କରିବା ସହ ବ୍ଲିଚିଙ୍ଗ ପାଉଡର ପକାଇ ସଫା କରିବା ଉଚିତ । ଆହାର କେନ୍ଦ୍ର ପରିଚାଳନା କରୁଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସ୍ବଚ୍ଛସାଥୀଙ୍କୁ ଅଭିଯୋଗ କରି ଆସୁଛନ୍ତି, ମାତ୍ର କେବେ ବ୍ଲିଚିଙ୍ଗ ପାଉଡର ପକାଇ ବିଶୋଧନ କରନ୍ତି ନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏହି ପରିସରରେ ଥିବା ପରିସ୍ରାଗାର ଅପରିଷ୍କାର ଯୋଗୁଁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ । ଚତୁଃପାର୍ଶ୍ଵରେ ଘାସ ବୁଦା ଘେରି ରହିଛି। ଝାଡା ବାନ୍ତି ହଇଜା ପରି ସଂକ୍ରମଣ ରୋଗ ଢେଙ୍କାନାଳ ଜିଲ୍ଲାର ଦୁଇଟି ବ୍ଲକରେ ଚଳିତ ବର୍ଷ ଦେଖିବାକୁ ମିଳିଥିଲା। ଏହା ସତ୍ତ୍ୱେ ମଧ୍ଯ ପୌରସଂସ୍ଥା ସହରର ଗଳି କନ୍ଧି ଏବଂ ପାଣି ଜମିରହୁଥିବା ସ୍ଥାନରେ ବ୍ଲିଚିଙ୍ଗ ପକାଇ ବିଶୋଧନ କରିବା ବା ବର୍ଷା ଦିନେ ମଶା ଧୂଆଁ ଦେବାର କେବେ ଦେଖିବାକୁ ମିଳୁ ନାହିଁ ବୋଲି ଆମ୍ ଆଦମୀ ପାର୍ଟିର ଢେଙ୍କାନାଳ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ପ୍ରକାଶ କରିଛନ୍ତି l ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଭୋଜନ କରୁଥିବା ବ୍ୟକ୍ତି ମାନଙ୍କୁ ଖାଦ୍ୟର ଗୁଣବତ୍ତା ସମ୍ପର୍ରେ ପଚାରି ବୁଝିଥିଲେ l ଡାଲମା ଆଉ ଟିକେ ସ୍ୱାଦିଷ୍ଟ ହେବା ଉଚିତ ବୋଲି ଲୋକମାନେ ପ୍ରକାଶ କରିଥିଲେ l ଢେଙ୍କାନାଳ ଜିଲ୍ଲାରେ ଥିବା ସମସ୍ତ ଆହାର କେନ୍ଦ୍ର ଗୁଡିକ ସଫାସୁତୁରା ରଖିବା ଏବଂ ଡାଲମାର ସ୍ୱାଦ ବଢ଼ାଇବା ପାଇଁ ଆମ୍ ଆଦମୀ ପାର୍ଟି ପ୍ରଶାସନକୁ ଅନୁରୋଧ କରିଛି।
Leave a Reply