Spread the love

ବଡ଼ବିଲ କାରୁବାକୀ ଘାଟରେ ପାରମ୍ପାରିକ ବୋଇତ ବନ୍ଦାଣ ଉତ୍ସବ; ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଝଲକ ।
ତା -25/11/206 ଦର୍ଶନ ସମୀକ୍ଷା

ଉତ୍କଳୀୟ ସଂସ୍କୃତି ଓ ଗୌରବମୟ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ବଡ଼ବିଲସ୍ଥିତ କାରୋ ନଦୀର କାରୁବାକୀ ଘାଟରେ ପାରମ୍ପାରିକ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘କଳା କଳ୍ପନା’ ପକ୍ଷରୁ ଆୟୋଜିତ ଏହି ବିଶେଷ ଉତ୍ସବରେ ବଡ଼ବିଲ ତହସିଲଦାର ରାକେଶ କୁମାର ପଣ୍ଡା, ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ, ଥାନା ଆଇଆଇସି ଅଶୋକ କୁମାର ନାଏକ, ବଡ଼ବିଲ ରେଞ୍ଜର ସଞ୍ଜୀବ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସହର ତଥା ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ କଳାପ୍ରେମୀ ସାମିଲ ହୋଇଥିଲେ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳା କଳ୍ପନା ପକ୍ଷରୁ ବୋଇତ ନିର୍ମାଣ କଳା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନେ ନିଜ ନିଜର ନିଖୁଣ କଳାକୃତି ଓ ସୃଜନଶୀଳତାର ପରିଚୟ ଦେଇ ସୁନ୍ଦର ସୁନ୍ଦର ବୋଇତ ନିର୍ମାଣ କରିଥିଲେ। ବିଚାରକମଣ୍ଡଳୀଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ବୋଇତଗୁଡ଼ିକୁ ପୁରସ୍କାର ଓ ସାର୍ଟିଫିକେଟ୍ ପ୍ରଦାନ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରାଯାଇଥିଲା। ଲଳିତା ସାହୁ ପ୍ରଥମ, କିରଣବାଳା ସାହୁ ଦ୍ୱିତୀୟ ଏବଂ ବୈଖାନ କେତନ ମହାନ୍ତି ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ପ୍ରାଚୀନ କାଳରେ ଓଡ଼ିଆ ସାଧବ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ଯୋଗେ ଜାଭା, ସୁମାତ୍ରା, ବାଲି ଓ ବୋର୍ଣ୍ଣିଓ ଭଳି ଦୂରଦୂରାନ୍ତ ଦ୍ୱୀପକୁ ବାଣିଜ୍ୟ କରିବାକୁ ଯାଉଥିଲେ। ସେହି ମହାନ୍ ପରମ୍ପରାକୁ ସ୍ମରଣ କରି ବଡ଼ବିଲ ନୀଳାଦ୍ରି ପକ୍ଷ ରୁ ଏକ ଅତି ସୁନ୍ଦର ବୋଇତ ବନ୍ଦାଣ କରାଯଇଥିଲା ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ କାରୁବାକୀ ଘାଟରେ ଏକତ୍ରିତ ହୋଇ କାରୋ ନଦୀ ଜଳରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ବୋଇତ ଭସାଇଥିଲେ। ତିନି ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା ।

ଉତ୍ସବ ଅବସରରେ ରଙ୍ଗାରଙ୍ଗ ଆତସବାଜି ପ୍ରଦର୍ଶନ ପରିବେଶକୁ ବେଶ୍ ଆକର୍ଷଣୀୟ କରିଥିଲା। ଏହା ସହିତ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ଭକ୍ତିମୟ ଭଜନ ସମାରୋହର ମଧ୍ୟ ଆୟୋଜନ କରାଯାଇଥିଲା, ଯାହାକୁ ଉପସ୍ଥିତ ଦର୍ଶକମାନେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଉପଭୋଗ କରିଥିଲେ। କଳା କଳ୍ପନାର ଏଭଳି ପ୍ରୟାସ ନୂଆ ପିଢ଼ି ମଧ୍ୟରେ ଓଡ଼ିଆ ପରମ୍ପରା ଓ ସଂସ୍କୃତି ପ୍ରତି ଆଗ୍ରହ ସୃଷ୍ଟି କରିବାରେ ସହାୟକ ହୋଇଥିବା ସ୍ଥାନୀୟ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।