Spread the love

ଗଜପତିରେ ବିନା ସୂଚନା ଫଳକ, ଚୋରା ପାଣି ଓ ବିଦ୍ୟୁତରେ ନିର୍ମାଣ ଚାଲିଛି ବହୁତଳ କୋଠା, ସାଧାରଣରେ ତୀବ୍ର ଅସନ୍ତୋଷ

ପାରଳାଖେମୁଣ୍ଡି, 25/11(ତାରିଣୀ ପ୍ରସାଦ ପଣ୍ଡା) :

ଗଜପତି ଜିଲ୍ଲାରେ ବିନା ସୂଚନା ଫଳକ, ଚୋରା ପାଣି ଓ ବିଦ୍ୟୁତରେ ନିର୍ମାଣ ଚାଲିଛି ଏକ ବହୁତଳ କୋଠା. ଏଥିନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅନ୍ତର୍ଗତ କଇଁପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଭିତରେ ଚାଲିଥିବା ଏକ ବହୁତଳ କୋଠା ନିର୍ମାଣ କାର୍ଯ୍ୟକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଓ ସନ୍ଦେହ ପ୍ରକାଶ ପାଇଛି। ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ବିନା ସୂଚନା ଫଳକରେ ଏହି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏଥିରେ ଚୋରା ବିଦ୍ୟୁତ୍ ଏବଂ ଡାକ୍ତରଖାନାର ସରକାରୀ ପାଣି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, କଇଁପୁର ଡାକ୍ତରଖାନା ପାଚେରୀ ଭିତରେ ଏକ କୋଠା ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ତେବେ ସରକାରୀ ନିୟମ ଅନୁସାରେ ଯେକୌଣସି ନିର୍ମାଣ ସ୍ଥଳରେ କାର୍ଯ୍ୟର ନାମ, ଅଟକଳ ମୂଲ୍ୟ, କାର୍ଯ୍ୟ ଆରମ୍ଭ ଓ ଶେଷ ତାରିଖ ଏବଂ ଠିକାଦାରଙ୍କ ବିବରଣୀ ସମ୍ବଳିତ ‘ସୂଚନା ଫଳକ’ ଲଗାଇବା ବାଧ୍ୟତାମୂଳକ ଅଟେ। ମାତ୍ର ଏଠାରେ କୌଣସି ସୂଚନା ଫଳକ ଲଗାଯାଇ ନଥିବାରୁ ଏହା କେଉଁ ବିଭାଗ ଦ୍ୱାରା ଓ କେତେ ଟଙ୍କା ବ୍ୟୟରେ ନିର୍ମାଣ ହେଉଛି, ତାହା ସାଧାରଣ ଲୋକଙ୍କୁ ଅଛପା ରହିଛି।
ଅନ୍ୟପକ୍ଷରେ, ଏହି ନିର୍ମାଣ କାର୍ଯ୍ୟ ପାଇଁ କୌଣସି ବୈଧ ବିଦ୍ୟୁତ୍ ମିଟର ନଥାଇ ଅବୈଧ ଭାବେ ହୁକିଂ କରି ଚୋରା ବିଦ୍ୟୁତ୍ ବ୍ୟବହାର କରାଯାଉଥିବା ଅଭିଯୋଗ ଉଠିଛି। କେବଳ ସେତିକି ନୁହେଁ, ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ୟବହାର ପାଇଁ ଥିବା ସରକାରୀ ଜଳ ଯୋଗାଣ ପ୍ରକଳ୍ପରୁ ପାଣି ନେଇ କୋଠା ନିର୍ମାଣ କାର୍ଯ୍ୟରେ ଲଗାଯାଉଛି। ଏହାଦ୍ୱାରା ଡାକ୍ତରଖାନାରେ ଜଳସଙ୍କଟ ଦେଖାଦେବା ସହ ସରକାରୀ ରାଜସ୍ୱର କ୍ଷତି ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।
ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗଜପତି ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ରାୟଗଡ଼ ବିଡିଓ ଏବଂ TPSODL ବିଦ୍ୟୁତ୍ ବିଭାଗର ପ୍ରବର୍ତ୍ତନ ଦଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ତଦନ୍ତ ପରେ ଦୋଷୀ ଠିକାଦାର ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଗଜପତିର ବିଶିଷ୍ଟ ସମାଜସେବୀ ଈଶ୍ବର ମହାନ୍ତିଙ୍କ ପରଲୋକ
ପାରଳାଖେମୁଣ୍ଡି, ୨୫/୧୧ ( ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ବିଶିଷ୍ଟ ସମାଜସେବୀ ଈଶ୍ୱର ମହାନ୍ତିଙ୍କ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ପରଲୋକ ଗମନ କରିଛନ୍ତି।ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ।

ଏହାଛଡା ଜୀବନବୀମାର ଏଜେଣ୍ଟ ଭାବେ କାମ କରୁଥିଲେ।ତାଙ୍କର ଅକାଳ ବିୟୋଗରେ ସିସିଡି ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଏ.ଜଗନ୍ନାଥ ରାଜୁ, ଏସଡବ୍ଲ୍ୟୁଡବ୍ଲ୍ୟୁଏସର ସଭାପତି ଡ.ଡି.ଜଗନ୍ନାଥ ରାଜୁ,ଭାଗବତ ପାଢୀ, ନରସିଂହନାଥ ସାହୁ,ଜୀତେନ ପାଣୀ,ଏ.ଆପ୍ପାରାଓ ପ୍ରମୁଖ ଶୋକପ୍ରକାଶ କରିଛନ୍ତି।ସେହି ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ଶୋକସନ୍ତପ୍ତ ପରିବାରବର୍ଗଂକୁ ସମବେଦନା ଜଣାଇଛନ୍ତି।

ଗଜପତିରେ ପଶୁ ଚିକିତ୍ସାର ବିକଳ ଚିତ୍ର…..ଡାକ୍ତରଙ୍କ ବଦଳରେ ଚତୁର୍ଥଶ୍ରେଣୀ କର୍ମଚାରୀ ଗାଇକୁ ଇଞ୍ଜେକସନ ଦେଲେ

ପାରଳାଖେମୁଣ୍ଡି, ୨୪/୧୧ (ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାରେ ପଶୁ ଚିକିତ୍ସାର ବିକଳ ଚିତ୍ର ନଜରକୁ ଆସିଚି।ଡାକ୍ତରଙ୍କ ବଦଳରେ ଚତୁର୍ଥଶ୍ରେଣୀ କର୍ମଚାରୀ ଗାଇକୁ ଇଞ୍ଜେକସନ ଦେଇ ଚିକିତ୍ସା ସେବା ଯୋଗାଇବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସମ୍ପୃକ୍ତ ଘଟଣାଟି ନୂଆଗଡ଼ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଘଟିଥିବା ଅଭିଯୋଗ ହୋଇଛି। ଗତକାଲି ମଙ୍ଗଳବାର ନୂଆଗଡ଼ ଗ୍ରାମର ପ୍ରକାଶ ଚନ୍ଦ୍ର ଏଡଲାଙ୍କ ଗାଈ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ନିର୍ମାଣ ପାଇଁ ଖୋଳାଯାଇଥିବା ଗର୍ଭରେ ପଡ଼ିଯାଇଥିଲା। ନୂଆଗଡ଼ ଅଗ୍ନିଶମ ବାହିନୀ ଗାଈଟିକୁ ଉଦ୍ଧାର କରିବା ପରେ ମାଲିକ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସା କେନ୍ଦ୍ରର ସହାୟତା ଲୋଡ଼ିଥିଲେ |

ମାତ୍ର ଅଭିଯୋଗ ଅନୁସାରେ, ଡାକ୍ତର ନିଜେ ଗାଈର ଚିକିତ୍ସା ପାଇଁ ନ ଆସି କାର୍ଯ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦ୍ବାରା ଗାଈକୁ ଇଞ୍ଜେକ୍ସନ ଦେବା ସହ ଚିକିତ୍ସା କରିବା ଦେଖି ଉପସ୍ଥିତ ଲୋକେ ଆଶ୍ଚାଯ୍ୟ ପ୍ରକଟ କରିଥିଲେ। ପ୍ରାଣୀ ଚିକିତ୍ସା ପାଇଁ ଏଠାରେ ସରକାର ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ଦେଇଥିଲେ ସୁଦ୍ଧା ଦୁର୍ଘଟଣା ଗ୍ରସ୍ତ ଗାଈ ର ଚିକିତ୍ସା ପାଇଁ ଡ଼ାକ୍ତର ଉପସ୍ଥିତ ଥାଇ ନ ଆସିବା ଏବଂ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଡ଼ାକ୍ତର ପଠାଇ ଇଞ୍ଜେକସନ ସହ ଚିକି୍ସା କରାଇବା କେତେ ଦୂର ଆଇନ ସମତ ଅଟେ ବୋଲି ଉପସ୍ଥିତ ଗ୍ରାମବାସୀ ମାନେ ପ୍ରଶ୍ନ କରିବା ସହ ସଂପୃକ୍ତ ଘଟଣାର ନିରପକ୍ଷ ତଦନ୍ତ ଦାବି କରିଛନ୍ତି ।