Spread the love

ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲରେ
ଜାତୀୟ ବୈଜ୍ଞାନିକ ସମ୍ମିଳନୀ ଅବସରରେ
ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର
୨୫ ନଭେମ୍ବର ୨୦୨୬ ରଜତ କୁମାର ମହାପାତ୍ର ଦର୍ଶନ ସମୀକ୍ଷା

ନମସ୍କାର।
ଆଜିର ଏହି ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହି ସମ୍ମିଳନୀର ଗରିମା ଓ ଗୁରୁତ୍ୱ ବୃଦ୍ଧି କରିଛି । ଏହି ଅବସରରେ ମୁଁ ମହାମହିମ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରୁଛି ।

It is my great pleasure to welcome the delegates, scientists and doctors to this conference.

ବନ୍ଧୁଗଣ,
ହୋମିଓପାଥି ଚିକିତ୍ସା ପଦ୍ଧତି ଆମ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ, କିନ୍ତୁ ଏହାକୁ ଉପଯୁକ୍ତ ସମ୍ମାନ ମିଳିନଥିଲା । ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ନରେନ୍ଦ୍ର ମୋଦୀଜୀ ୯ ନଭେମ୍ବର ୨୦୧୪ ମସିହାରେ ଆୟୁଷକୁ ଏକ ସ୍ଵତନ୍ତ୍ର ମନ୍ତ୍ରାଳୟ ଭାବେ ଉନ୍ନୀତ କରିଥିଲେ, ଯାହାଫଳରେ ଭାରତୀୟ ଚିକିତ୍ସା ବିଜ୍ଞାନ ସହିତ ହୋମିଓପାଥିକୁ ଏକ ସ୍ଵତନ୍ତ୍ର ସ୍ଥାନ ଓ ସମ୍ମାନ ମିଳିଥିଲା।

Oplus_131072

ଏଲୋପାଥିକ ଓ ଆୟୁର୍ବେଦିକ୍ ସହିତ ହୋମିଓପାଥି ଚିକିତ୍ସା ମଧ୍ୟ ଆମ ଦେଶରେ ଏବଂ ଓଡ଼ିଶାରେ ଖୁବ୍ ଲୋକପ୍ରିୟ । ତେବେ, ଏଥିରେ ଶିକ୍ଷା, ଗବେଷଣା ସହିତ ଏହାର ଗୁଣାତ୍ମକ ବିକାଶ ପାଇଁ ଆମକୁ ନିରନ୍ତର ପ୍ରୟାସ କରିବାକୁ ହେବ । ବିଶେଷକରି ଗବେଷଣାର ମାନ, ଚିକିତ୍ସାର ସୁରକ୍ଷା, କ୍ଲିନିକାଲ୍ ଅଧ୍ୟୟନ ଓ ବୈଜ୍ଞାନିକ ପ୍ରମାଣର ଗୁରୁତ୍ୱକୁ ଆମେ ସର୍ବାଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ ।

ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍‌ପିଟାଲ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶର ଏକ ମର୍ଯ୍ୟାଦାଜନକ ସ୍ୱାସ୍ଥ୍ୟ ଶିକ୍ଷା ଓ ଚିକିତ୍ସା ଅନୁଷ୍ଠାନ।

ବନ୍ଧୁଗଣ,
ହୋମିଓପାଥିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଆମ ସରକାର କାର୍ଯ୍ୟକରୁଛନ୍ତି। ରାଜ୍ୟରେ ବର୍ତ୍ତମାନ ୪ଟି ସରକାରୀ ହୋମିଓପାଥିକ ମେଡିକାଲ କଲେଜ ଅଛି। ଆମ ସରକାର ନୂଆପଡ଼ା ଓ ନୟାଗଡ଼ରେ ୨ଟି ନୂଆ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
ଢେଙ୍କାନାଳ ଓ ବ୍ରହ୍ମପୁରଠାରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ଖୁବ୍‌ଶୀଘ୍ର ସେଠାରେ ସେବା ପ୍ରଦାନ ଆରମ୍ଭ କରାଯିବ। ବାଲେଶ୍ୱରଠାରେ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଜାରି ରହିଛି।

ଆୟୁର୍ବେଦିକ ଓ ହୋମିଓପାଥି ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ପାଇଁ ରାଜ୍ୟ ସରକାର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜର PG ଛାତ୍ରଛାତ୍ରୀ ଓ ହାଉସ୍‌ ସର୍ଜନ ମାନଙ୍କ ଷ୍ଟାଇପେଣ୍ଡ୍ ବୃଦ୍ଧି କରିଛନ୍ତି ।

ଓଡ଼ିଶା ହୋମିଓପାଥିକ ମେଡିକାଲ ସର୍ଭିସ୍ କ୍ୟାଡର, ଆୟୁର୍ବେଦିକ ମେଡିକାଲ ସର୍ଭିସ୍ କ୍ୟାଡର ଏବଂ ଆୟୁଷ ସହାୟକ କ୍ୟାଡରର ପୁନର୍ଗଠନ ସହ ସେମାନଙ୍କ ବେତନ ଢାଞ୍ଚାର ସଂଶୋଧନ ମଧ୍ୟ କରାଯାଇଛି। ଚୁକ୍ତିଭିତ୍ତିକ ଅଧ୍ୟାପକ, ରିଡର୍ ଓ ପ୍ରଫେସରମାନଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି।

ଆୟୁଷ୍ମାନ ଭାରତ ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ରାଜ୍ୟର ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଉନ୍ନତିକରଣ କରାଯାଇଛି । ଏଠାରେ ଆୟୁର୍ବେଦିକ ସହିତ ହୋମିଓପାଥିକ ଚିକିତ୍ସା ମଧ୍ୟ କରାଯାଉଛି ।

ପ୍ରିୟ ଛାତ୍ରଛାତ୍ରୀବୃନ୍ଦ,
ଆପଣମାନଙ୍କ ଅନୁଷ୍ଠାନ ଏକ ସାଧାରଣ ଅନୁଷ୍ଠାନ ନୁହେଁ। ହୋମିଓପାଥି ଚିକିତ୍ସା କ୍ଷେତ୍ରରେ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲ ଏକ ଅଗ୍ରଣୀ ଅନୁଷ୍ଠାନ। ଏହାର ଭିତ୍ତିଭୂମି ତଥା ଫାକଲ୍ଟିର ବିକାଶ ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ।

ଆମର ସାମୂହିକ ପ୍ରୟାସ ହିଁ ଓଡ଼ିଶାକୁ ଚିକିତ୍ସା ଶିକ୍ଷା, ଗବେଷଣା ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ନୂତନ ଉଚ୍ଚତାକୁ ନେଇଯିବ। ସରକାର, ଶିକ୍ଷାନୁଷ୍ଠାନ, ଗବେଷକ ଓ ଚିକିତ୍ସକମାନଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ଏହି ଲକ୍ଷ୍ୟ ପୂରଣର ମୁଖ୍ୟ ଆଧାର।

ଜାତୀୟ ବୈଜ୍ଞାନିକ ସମ୍ମିଳନୀର ଆୟୋଜନ କରିବା ଯେ କୌଣସି ଅନୁଷ୍ଠାନ ପାଇଁ ଏକ ଗୌରବର ବିଷୟ। ଏହି ସୁଯୋଗ ପାଇ ଥିବାରୁ ମୁଁ ଅଭିନ୍ନ ଚନ୍ଦ୍ର ହୋମିଓପାଥିକ୍ ମେଡିକାଲ କଲେଜ ଓ ହସ୍ପିଟାଲର କର୍ତ୍ତୃପକ୍ଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ସହିତ ଶୁଭକାମନା ଜଣାଉଛି।

ଆସନ୍ତୁ, ବିଜ୍ଞାନ ଓ ଗବେଷଣାକୁ ଆଧାର କରି ଏକ ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା।

ଧନ୍ୟବାଦ ।