ଆନ୍ଧ୍ରର ସ୍ୱାର୍ଥ ପାଇଁ ପ୍ରସ୍ତାବିତ ନେରେଡି ବ୍ୟାରେଜ ଯୁଗ୍ମ ଅନୁଧ୍ୟାନ କମିଟିକୁ ଅଞ୍ଚଳବାସୀଙ୍କ ବିରୋଧ…..
ଅନୁଧ୍ୟାନ ନକରି ଫେରିଗଲେ ଆନ୍ଧ୍ର ଅଧିକାରୀ
ପାରଳାଖେମୁଣ୍ଡି,5/10(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଆନ୍ଧ୍ରପ୍ରଦେଶର ସ୍ୱାର୍ଥ ପାଇଁ ପ୍ରସ୍ତାବିତ ନେରେଡି ବ୍ୟାରେଜ ନିର୍ମାଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ଆସିଥିବା ଯୁଗ୍ମ ଅନୁଧ୍ୟାନ କମିଟିକୁ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ ଯୋଗୁଁ ଅନୁଧ୍ୟାନ ନକରି ଆନ୍ଧ୍ରରୁ ଆସିଥିବା ସମସ୍ତ ଆନ୍ଧ୍ର ଅଧିକାରୀ ଫେରି ଯାଇଥିବା ସୂଚନା ମିଳିଛି. ବଂଶଧାରା ନଦୀରେ

ଆନ୍ଧ୍ରପ୍ରଦେଶ ପକ୍ଷରୁ ପ୍ରସ୍ତାବିତ ନେରେଡି ବ୍ୟାରେଜ୍ ନିର୍ମାଣକୁ ନେଇ ପୁଣି ଗଜପତି ଜିଲ୍ଲାର କାଶୀନଗର ବ୍ଲକ ସୀମାବର୍ତ୍ତୀ ଅଞ୍ଚଳର ଚାଷୀ ଓ ଜନ ସାଧାରଣଙ୍କ ଠାରେ ପୁଣି ବିରୋଧ ତେଜିଛି। ଏହି ବ୍ୟାରେଜ୍ ନିର୍ମାଣସ୍ଥଳ ଅନୁଧ୍ୟାନ ପାଇଁ ଗତକାଲି ଅପରାହ୍ନରେ କାଶୀନଗର ବ୍ଲକର ବଂଶଧାରା ନଦୀ କୂଳରେ ଥିବା ଆନ୍ଧ୍ର -ଓଡ଼ିଶା ଯୁଗ୍ମ କମିଟିର ସମସ୍ତ ଅଧିକାରୀମାନଙ୍କୁ ଅଞ୍ଚଳବାସୀ ପ୍ରବେଶ କରାଇ ନ ଦେବାରୁ ସମସ୍ତ ଅଧିକାରୀ ସେଠାରୁ ଫେରିଯାଇଥିବା ଜଣାପଡ଼ିଛି। ଉଭୟ ଆନ୍ଧ୍ର ଓ ଓଡ଼ିଶା ପ୍ରଶାସନିକ ଅଧୂକାରୀଙ୍କ ଯୁଗ୍ମ ଅନୁଧ୍ୟାନକୁ ସ୍ଥାନୀୟ ଲୋକଙ୍କ ଏହି ତୀବ୍ର ବିରୋଧ ଆଗାମୀ ଦିନରେ କେଉଁ ରୂପ ଧାରଣ କରିବ ସେ ନେଇ ବିଭିନ୍ନ ଆଶଙ୍କା ପ୍ରକାଶ ପାଉଛି. ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଞ୍ଚଳରେ ଗ୍ରାମସଭା ଓ ପଲ୍ଲୀସଭାର ମତାମତକୁ କୌଣସି ଭାବେ ଗୁରୁତ୍ୱ ଦିଆ ନ ଯାଇ କେବଳ ଆନ୍ଧ୍ରର ସ୍ୱାର୍ଥ ପାଇଁ ଏକତରଫା ଭାବେ ନେରେଡି ବ୍ୟାରେଜ ନିର୍ମାଣ ନିଷ୍ପତ୍ତି ଯୋଗୁଁ ଓଡ଼ିଶାର ଗଜପତି ଜିଲ୍ଲା ଚାଷୀଙ୍କ ବିଶେଷ କ୍ଷତି ହେବ ବୋଲି କାଶୀନଗର ଅଞ୍ଚଳବାସୀ ଅଭିଯୋଗ କରି କହିଛନ୍ତି ଏହି ନେରେଡି ବ୍ୟାରେଜ ପାଇଁ ଓଡିଶାର 106 ଏକର ଚାଷ ଜମି ଅଧିଗ୍ରହଣ ପାଇଁ ଆନ୍ଧ୍ର ଷଡ଼ଯନ୍ତ୍ର କରିଛି. ଏହାଛଡା ଏହି ବ୍ୟାରେଜରେ ସଂରକ୍ଷିତ ଜଳ ଉପରେ ମଧ୍ୟ ଓଡିଶାର କାଶୀନଗର ଅଞ୍ଚଳର ଚାଷୀମାନଙ୍କ ସେପରି ଅଧିକାର ରହିବ ନାହିଁ. କେବଳ ଆନ୍ଧ୍ରର ସ୍ୱାର୍ଥ ଲାଗି କାଶୀନଗର ଅଞ୍ଚଳର ଚାଷୀଙ୍କ ବହୁ କ୍ଷତି ଘଟିବ.ତେଣୁ ଏହି ନେରେଡି ବ୍ୟାରେଜ ନିର୍ମାଣକୁ ବର୍ତ୍ତମାନ ଭଳି ଆଗାମୀ ଦିନରେ ମଧ୍ୟ ବିରୋଧ ଜାରି ରହିବ ବୋଲି କାଶୀନଗର ବ୍ଲକର ବଂଶଧାରା ନଦୀ ତଟର ଚାଷୀ ଏବଂ ଅଞ୍ଚଳବାସୀମାନେ ଏକତ୍ରିତ ଭାବେ ମତପୋଷଣ କରିଛନ୍ତି.
ଗଜପତି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସକାଶେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ
ପାରଳାଖେମୁଣ୍ଡି, 5/10(ତାରିଣୀ ପ୍ରସାଦ ପଣ୍ଡା):
ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗଜପତି ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ସକାଶେ ଚିଠି ଲେଖିଛନ୍ତି। ଏହା ଭିତରେ ପାରଳାଖେମୁଣ୍ଡି ସହରର ବିକାଶ ପାଇଁ ୨୦୦ ଦୋକାନ ବିଶିଷ୍ଟ ଗୋଟିଏ ବଡ ଆଧୁନିକ ମାର୍କେଟ କମ୍ପ୍ଲେକ୍ସ , ରିଙ୍ଗ ରୋଡ ଓ ବାଇପାସ୍ ରୋଡ୍ , ରାମସାଗର , ସୀତା ସାଗର ଓ କୃଷ୍ଣସାଗରର ଉନ୍ନତିକରଣ , ସର୍ବପୁରାତନ ଗଜପତି ରାଜବାଟୀର ପୁନରୁଦ୍ଧାର ଓ ପୁନର୍ନିର୍ମାଣ , ପାରଳାଖେମୁଣ୍ଡି ରେଳଷ୍ଟେସନକୁ ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ନାମରେ ନାମକରଣ ଏବଂ ପାରଳାଖେମୁଣ୍ଡି ପୌରପରିଷଦରେ ଖାଲିଥିବା ଇଂଜିନିୟରିଂ ବିଭାଗର ପଦବୀ ସମ୍ପୂର୍ଣ୍ଣ କରିବାପାଇଁ ଲେଖିଛନ୍ତି।

ଏଥିସହ ଗଜପତି ଜିଲ୍ଲାର ସାର୍ବଜନୀନ ବିକାଶମୂଳକ ଭିତରେ ଗୁମ୍ମା ବ୍ଲକର ତରଂଗଡା ପଂଚାୟତର ଅମ୍ୱାଜରୀ ଠାରୁ ତୁମୁଲସିଂ ରାସ୍ତା ନିର୍ମାଣ , ଗୁମ୍ମା ବ୍ଲକର ଅନୁକୁଣ୍ଡାଗୁଡା ପଂଚାୟତର ନାମନଗଡ ଠାରୁ ସୁରାଙ୍ଗି ଆରଡି ରାସ୍ତା ନିର୍ମାଣ , ଗୁମ୍ମା ବ୍ଲକର ତରଭା ପଂଚାୟତର ଆଶ୍ରୟ ଗଡ ଠାରୁ ବିନୁମୁଡା ବିଟି ରାସ୍ତା ନିର୍ମାଣ , ଗୋଷାଣି ବ୍ଲକର କେରାଣ୍ଡି ପଂଚାୟତର କେରାଣ୍ଡି ଗ୍ରାମରୁ ବସନ୍ତ ନିବାସ ବିଟି ରାସ୍ତା ନିର୍ମାଣ , ବଡକତ୍ତୁରୁ ପଂଚାୟତର ବଡକତ୍ତୁରୁ ଗ୍ରାମରେ ରାସ୍ତା ନିର୍ମାଣ , ରାୟଗଡ ବ୍ଲକର ଡମ୍ୱାଳ ପଂଚାୟତର ଜଲାଂଗ , କଡମାତାଳ ଠାରୁ ଡମ୍ୱାଳ ହାଇସ୍କୁଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ଗୁମ୍ମା ବ୍ଲକର ଗାଇବା ପଂଚାୟତର ପଦାସାହି ଠାରୁ କିଡିସାର ରାସ୍ତା ନିର୍ମାଣ , ରାୟଗଡ ବ୍ଲକର ଗଣ୍ଡାହାତୀ ପଂଚାୟତର ଗଣ୍ଡାହାତୀ ଆରଡି ରାସ୍ତା ଠାରୁ ସିଂଗିପୁର ଗ୍ରାମ ଦେଇ କୃଷ୍ଣସାଗର ଆରଡି ରୋଡ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ଉକ୍ତ ବ୍ଲକର ମାର୍ଲବା ପଂଚାୟତର ତବାରସିଂ ଠାରୁ ଲିମରସିଂ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ରାଇଡା ଠାରୁ ସିଣ୍ଡିସିଂ ରାସ୍ତା ନିର୍ମାଣ , ମାର୍ଲବା ଠାରୁ ଦାବାସାହି ଦେଇ ରାଇଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ପୋତ୍ତାର ପଂଚାୟତର ପିଡବ୍ଲୁଡି ରୋଡ ଠାରୁ ସାନକରଂଜସାହି ରାସ୍ତା ନିର୍ମାଣ , ଡମ୍ୱାଳ ପଂଚାୟତର ତୁବୁରସିଂ ଠାରୁ ଉପର ରାଇସିନା ରାସ୍ତା ନିର୍ମାଣ , କାଶୀନଗର ବ୍ଲକର ଖାରଡା ପଂଚାୟତର ଧୋବାପୁର ଠାରୁ ଗୋକୁଳ ରାସ୍ତା ନିର୍ମାଣ , ରାୟଗଡ ବ୍ଲକର ତଳ ସାଂକୁରୁଡା ଠାରୁ କରଣସାହି ରାସ୍ତା ନିର୍ମାଣ , ଗୁମ୍ମା ବ୍ଲକର ତରଂଗଡା ପଂଚାୟତର ତାମସିଂ ଠାରୁ ତଳ ତାମସିଂ(ପାଣ୍ଡରଂଗ ଦେଇ)ରାସ୍ତା ନିର୍ମାଣ,ଅଜୟଗଡ ପଂଚାୟତର ଅଜୟଗଡ ଠାରୁ ବାରାବାର ପର୍ଯ୍ୟନ୍ତ ବୁଢୀ ଘାଟି ଦେଇ ରାସ୍ତା ନିର୍ମାଣ , ତରଭା ପଂଚାୟତର ଲିଙ୍ଗା ଆରଡି ରୋଡ ଠାରୁ ପାରସିକ ରାସ୍ତା ନିର୍ମାଣ , ଗାଇବା ପଂଚାୟତର ତଣ୍ଡରଂଗ ଠାରୁ ବୁରୁସିଂ ଭାୟା ଗାଇବା ରାସ୍ତା ନିର୍ମାଣ , କାଶୀନଗର ବ୍ଲକର ଖାଣ୍ଡବା ପଂଚାୟତର ଆରଡି ଠାରୁ ପାଲସିଂ ରାସ୍ତା ନିର୍ମାଣ , ରାୟଗଡ ବ୍ଲକର କରଡାସିଂ ପଂଚାୟତର ଠାରୁ ସରଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , ମାର୍ଲବା ପଂଚାୟତର କାକଲୁଂଗା ନାଳ ଉପରେ କଲଭେର୍ଟ ରୋଡ ନିର୍ମାଣ , କାଶୀନଗର ବ୍ଲକର ପାର୍ତଡା ପଂଚାୟତର ଜଡୁରୁ ଠାରୁ ଗରବା ଭାୟା ଲିଂଗା ରାସ୍ତା ନିର୍ମାଣ , ରାୟଗଡ ବ୍ଲକର ଜଲାଂଗ ପଂଚାୟତର ଜଲାଂଗ-କଡମାତାଳ ଭାୟା ଜାମ୍ୱସାହି ଡମ୍ୱାଳ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ , କେରାଣ୍ଡି ପଂଚାୟତର ଆରଡି ରୋଡ ଭାୟା ଗଙ୍ଗାବାଡ କେରାଣ୍ଡି ରାସ୍ତା ନିର୍ମାଣ , ଜଲାଂଗ ନାଳ ଠାରୁ ଭାଲିଆସାହି ହାଇ ଲେଭେଲ ବ୍ରିଜ ନିର୍ମାଣ , ଅଂଚଳ ମହେନ୍ଦ୍ରତନୟା ନଦୀ ଉପରେ ବ୍ରିଜ ନିର୍ମାଣ ଇତ୍ୟାଦି ପ୍ରସ୍ତାବ ରଖିଛନ୍ତି।ଗଜପତି ଜିଲ୍ଲାର ଏହିସବୁ ବିକାଶମୂଳକ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ପ୍ରାଧାନ୍ଯ ଦେବାପାଇଁ ଅନୁରୋଧ କରିଛନ୍ତି।
70 ତମ ବକ୍ସିଂ ଚମ୍ପିୟାନସିପରେ କୃତିତ୍ବ ହାସଲ କରିଥିବା ଗଜପତିର ବକ୍ସରମାନେ ଜିଲ୍ଲାପାଳ ସମ୍ମାନୀତ କଲେ
ପାରଳାଖେମୁଣ୍ଡି, 5/10(ତାରିଣୀ ପ୍ରସାଦ ପଣ୍ଡା): 70 ତମ ରାଜ୍ୟସ୍ତରୀୟ ବକ୍ସିଂ ଚମ୍ପିୟାନସିପ 2026-27 ରେ ଗଜପତିର ବକ୍ସରମାନେ ଉତ୍ତମ ପ୍ରଦଶନ କରି ଉଲ୍ଲେଖନୀୟ ସଫଳତା ଯଥା 4 ଗୋଟି ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ କାଂଶ୍ୟ ପଦକରେ ଜିତି ଗଜପତି ଜିଲ୍ଲା ପାଇଁ ଗୌରବର କାରଣ ହୋଇପାରିଛନ୍ତି. ଏହି ବକ୍ସରମାନଙ୍କ ସଫଳତାକୁ ପ୍ରଶଂସା କରି ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଫୁଲ ତୋଡ଼ା ଦେଇ ସମ୍ମାନୀତ କରିଛନ୍ତି.
ବ୍ରହ୍ମପୁରର ମହାତ୍ମାଗାନ୍ଧୀ ଷ୍ଟାଡିୟମଠାରେ ହୋଇଥିବା ରାଜ୍ୟ ବିଦ୍ୟାଳୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ଚମ୍ପିୟାନ ହୋଇଛି। ଏହି ୧୪ ବର୍ଷରୁ କମ୍ ପ୍ରତିଯୋଗୀତାରେ ପାରଳାଖେମୁଣ୍ଡିର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ଦିବ୍ୟ ବେଣିଆ (୪୮କିଲୋ) , ପିଏମଶ୍ରୀ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ଆର୍.ରୋହିତ (୪୬କିଲୋ) , ବିନୋଦିନୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପଦ୍ମପୁରର ସାଗର ମଣ୍ଡଳ (୫୦କିଲୋ) , ଏସକେସିଜି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଗୁରାଣ୍ଡିର ଚନ୍ଦନ ଗୟା (୫୪କିଲୋ) ଓ ଜଗନ ବେଣିଆ (୫୭କିଲୋ) , ପିଏମଶ୍ରୀ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟର ଗଗନ ବେଣିଆ (୭୫ କିଲୋ) ବିଜୟ ହାସଲ କରିଛନ୍ତି।
ଏହି ବିରଳ କୃତିତ୍ୱ ପାଇଁ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରଓ୍ୱାଲ, ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ, ବିନୋଦିନୀ କଲେଜର ଅଧକ୍ଷ ମନୋଜ ପଟ୍ଟନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କ୍ରୀଡା ଦାୟିତ୍ୱରେ ଥିବା ସୁରେନ୍ଦ୍ର ପାତ୍ର ଶୁଭେଚ୍ଛା ଜଣାଇଛନ୍ତି। ଏହାସହ ସେମାନଙ୍କର ଏହି କୃତିତ୍ୱ ପାଇଁ ତାଲିମଦାତା ରାମକୃଷ୍ଣ ବେଣିଆ ଓ ମ୍ୟାନେଜର ଦିଲ୍ଲେଶ୍ୱର ଟ୍ରୁନାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।
ଗଜପତିରେ ହାଇୱା ଧକ୍କା ଯୋଗୁଁ 2 ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର, 3 ଆହତ
ପାରଳାଖେମୁଣ୍ଡି, 6/10(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତ୍ତର

ଅନ୍ୟ ତିନି ଜଣ ଆହତ ଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୂଯାୟୀ ଉକ୍ତ ବଡ଼ଗାଁ ରାସ୍ତା କଡରେ ଏକ ଦୋକାନ ସମ୍ମୁଖରେ ଗୋଟିଏ ଅଟୋ ସେଠାରେ ଅଟକି ରହି ସାନିଟାରୀ ସାମଗ୍ରୀ ଗୁଡିକୁ ବିକ୍ରି କରୁଥିବାବେଳେ ଅନ୍ୟ କିଛି ଲୋକ ଉକ୍ତ ରାସ୍ତା କଡ଼ରେ ହିଁ ରହିଥିଲେ। ଏହି ସମୟରେ ଦ୍ରୁତଗତିରେ ଆସୁଥିବା od 20 e 1105 ନମ୍ବର ଯୁକ୍ତ ଏକ ହାଇୱା ଅଟୋ ଟିକୁ ଧକ୍କା ଦେଇଥିଲା। ଯାହା ଫଳରେ ଅଟୋଟି ଛିଟିକି ହୋଇ ରାସ୍ତା କଡ଼ରୁ କିଛି ଦୂରରେ ଯାଇ ପଡିଥିଲା. ଏହି ଦୁର୍ଘଟଣାରେ ସିବାଲା ବେଣୁ ଗୋପାଲ ଏବଂ ବି, ସମ୍ମୁଖ ରାଓ ଙ୍କ ମୃତ୍ୟୁ ଘଟି ଥିବା ବେଳେ ଜଣେ ଗୁରୁତ୍ତର ଅନ୍ୟ ଦୁଇ ଜଣ ଆହତ ହୋଇଥିବା ଜାଣିବାକୁ ମିଳିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁଇ ମୃତ୍ତକଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଯାଇଛି। ଅନ୍ୟ ଗୁରୁତ୍ତର ଜଣଙ୍କ ବାହାରକୁ ଚିକିତ୍ସା ପାଇଁ ପଠା ଯାଇଥିବା ସୂଚନା ରହିଛି। ଏହି ଘଟଣା ଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ବି ଦେଖିବାକୁ ମିଳିଛି। ଏହି ବାଲି ବୋଝାଇ ହାଇୱାର ଡ୍ରାଇଭର ମନମୁଖି ଭାବେ ଅତ୍ୟନ୍ତ ଦ୍ରୁତଗତିରେ ଗାଡି ଚଲାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହୋଇଛି.
ଗଜପତି ପୋଲିସ ଦ୍ଵାରା ଉଦ୍ଧାର ହୋଇଥିବା ୭୦ ଗୋଟିକୁ ମୋବାଇଲ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର !!!
ପାରଳାଖେମୁଣ୍ଡି, 6/10(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ହଜି ଯାଇଥିବା ଏବଂ ଚୋରି ହୋଇଥିବା ୭୦ ଗୋଟି ମୋବାଇଲକୁ ବିଭିନ୍ନ ଥାନା ଓ ସାଇବର ସେଲ୍ର ସମନ୍ୱିତ ପ୍ରୟାସରେ ଉଦ୍ଧାର କରାଯାଇଛି। ପୋଲିସ ପକ୍ଷରୁ କେନ୍ଦ୍ରୀୟ ଡାଟାବେସ ପୋର୍ଟାଲ, ବିଭିନ୍ନ ବୈଷୟିକ ଉପକରଣ ସହ କ୍ଷେତ୍ରସ୍ତରୀୟ ତଦନ୍ତ ଓ ଅନୁସରଣ ମାଧ୍ୟମରେ ମୋବାଇଲ ଗୁଡ଼ିକୁ ଚିହ୍ନଟ କରାଯାଇ ଉଦ୍ଧାର କରାଯାଇଥିଲା। ଏହା ଗଜପତି ପୋଲିସର ପ୍ରଯୁକ୍ତିଭିତ୍ତିକ ତଦନ୍ତ ଏବଂ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ପ୍ରତି ଗୁରୁତ୍ୱକୁ ପ୍ରତିଫଳିତ କରିଛି। ମୋବାଇଲ ଫୋନ ଗୁଡ଼ିକର ପ୍ରକୃତ ମାଲିକାନା ସମ୍ପର୍କିତ ଯାଞ୍ଚ ପରେ ଉଦ୍ଧାର ହୋଇଥିବା ମୋବାଇଲ ଫୋନ୍ଗୁଡ଼ିକୁ ଆଜି ଗଜପତି ଜିଲ୍ଲା ପୁଲିସ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗଜପତି ଏସ୍ପି ପ୍ରହଲ୍ଲାଦ ସହାୟ ମୀନାଙ୍କ ଉପସ୍ଥିତିରେ ପ୍ରକୃତ ମାଲିକମାନଙ୍କୁ ଫେରାଇ ଦିଆଯାଇଛି। ଏହି ଉଦ୍ଧାର ଅଭିଯାନରେ ସଂଶ୍ଳିଷ୍ଟ ସାଇବର ସେଲ୍ ଓ ବିଭିନ୍ନ ଥାନାରେ ନିୟୋଜିତ ପୁଲିସ କର୍ମଚାରୀଙ୍କ ସମନ୍ୱିତ ପ୍ରୟାସକୁ ଗଜପତି ଏସ୍ପି ପ୍ରଶଂସା କରିଥିଲେ। ପ୍ରଯୁକ୍ତିଭିତ୍ତିକ ଓ ଜନକୈନ୍ଦ୍ରିକ ପୋଲିସିଙ୍କୁ ଗୁରୁତ୍ୱ ଦେଇ ଆଗାମୀ ଦିନରେ ମଧ୍ୟ ହଜିଯାଇଥିବା ଓ ଚୋରି ମୋବାଇଲ ଫୋନ୍ ଉଦ୍ଧାର ପାଇଁ ଗଜପତି ପୁଲିସର ଅଭିଯାନ ଜାରି ରହିବ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି।











