ବଡ଼ବିଲରେ ଅଭାବନୀୟ କାଣ୍ଡ: ପାରିବାରିକ କଳହରୁ ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ ।

Spread the love

ବଡ଼ବିଲରେ ଅଭାବନୀୟ କାଣ୍ଡ: ପାରିବାରିକ କଳହରୁ ଭିଣୋଇକୁ ପିଟି ପିଟି ମାରିଦେଲା ଶାଳକ ।
ତା -03/10/2026
ଦର୍ଶନ ସମୀକ୍ଷା, ବଡ଼ବିଲ
ପାରିବାରିକ ବିବାଦର ସମାଧାନ ପାଇଁ ଆସି ଶେଷରେ ଉଗ୍ର ରୂପ ଧାରଣ କଲା କଳହ। ବଚସାରୁ କ୍ରୋଧାନ୍ୱିତ ହୋଇ ଭିଣୋଇକୁ ପିଟି ପିଟି ହତ୍ୟା କରିଛି ଶାଳକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁ ବୁରୁ ସାହିରେ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଉକ୍ତ ସାହିର ୩୦ ବର୍ଷୀୟ ବନମାଳୀ ମୁଣ୍ଡା।

ଘଟଣାରୁ ପ୍ରକାଶ ଯେ, ମୃତ ବନମାଳୀ ବିଭିନ୍ନ ସମୟରେ ତାଙ୍କ ପତ୍ନୀ ଶୁକମତିଙ୍କୁ ମାରଧର କରୁଥିଲେ। ଗତ ମଙ୍ଗଳବାର ଏକ ଟାଙ୍ଗିଆରେ ବନମାଳୀ ପତ୍ନୀଙ୍କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ଶୁକମତି ନିଜ ବାପଘର ଲୋକଙ୍କୁ ଜଣାଇବା ସହ ସ୍ୱାମୀଙ୍କୁ ବୁଝାସୁଝା କରିବା ପାଇଁ ସେମାନଙ୍କୁ ଡାକିଥିଲେ। ଖବର ପାଇ ଗତକାଲି ସନ୍ଧ୍ୟାରେ ଯୋଡ଼ା ଥାନା ଦଣ୍ଡାଗୁଟୁ ଅଞ୍ଚଳରୁ ଶୁକମତିଙ୍କ ଭାଇ ଅଜୟ ତିରିଆ ଏବଂ ମାଆ ସରସ୍ୱତୀ ତିରିଆ ଉଲିବୁରୁ ବୁରୁ ସାହିରେ ପହଞ୍ଚିଥିଲେ।

ରାତି ପ୍ରାୟ ୧୦ଟା ସମୟରେ ଅଜୟ ନିଜ ଭିଣୋଇ ବନମାଳୀଙ୍କୁ ବୁଝାଉଥିବା ବେଳେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅଜୟ ଭିଣୋଇଙ୍କୁ ଆଖିବୁଜା ବିଧା, ଗୋଇଠା ମାରିଥିଲେ। ମାଡ଼ରେ ଭାରସାମ୍ୟ ହରାଇ ବନମାଳୀଙ୍କ ମୁଣ୍ଡ ଏକ କାଠ ବନ୍ଧରେ ପିଟି ହୋଇଯିବାରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ରାତି ପ୍ରାୟ ୩ଟା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣା ପରେ ଅଭିଯୁକ୍ତ ଶାଳକ ଅଜୟ ସେଠାରୁ ଫେରାର ହୋଇଯାଇଛି।

ଆଜି ସକାଳେ ଖବର ପାଇ ବଡ଼ବିଲ ଏସଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ହତ୍ୟାକାଣ୍ଡର ଅଧିକ ତଦନ୍ତ ପାଇଁ ଫୋରେନସିକ୍ ଟିମକୁ ଡକାଯାଇଥିବା ବେଳେ ଫେରାର ଅଭିଯୁକ୍ତ ଅଜୟକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି.