ମଦ୍ୟପାନ କରି ସାଧାରଣରେ ଉପଦ୍ରଵ ସୃଷ୍ଟି କରିଥିବା 4 ଜଣ ଯୁବକ ପାରଳା ପୋଲିସ ଦ୍ଵାରା ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଗତକାଲି ରାତ୍ରିରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ନିୟମିତ ରାତ୍ରି ପାଟ୍ରୋଲିଂ ସମୟରେ ରାଣୀପେଣ୍ଠ ଜଙ୍କସନ୍ ମୁଖ୍ୟ ରାସ୍ତାର ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ଜନସାଧାରଣଙ୍କ ପାଇଁ ଉପଦ୍ରବ ସୃଷ୍ଟି କରୁଥିବା ଅବସ୍ଥାରେ କେ. ୟାଦଗିରି (୨୩), କେ. ପବନ (୨୪), ଏସ୍. ଶିବା କୁମାର (୨୭) ଓ ପି. ଦିଲୀପ କୁମାର (୨୫), ପ୍ରମୁଖ 4 ଜଣଙ୍କୁ ଗିରଫ କରାଯାଇଛି. ସମସ୍ତେ ରାଣୀପେଣ୍ଠ ଗ୍ରାମ ଅଟନ୍ତି. ପାରଳାଖେମୁଣ୍ଡି ପୋଲିସ ଏହି ୪ ଜଣଙ୍କୁ ଅଟକ ରଖି ସମସ୍ତଙ୍କର ଡାକ୍ତରୀ ପରୀକ୍ଷା ଓ ବ୍ରେଥ୍ ଆନାଲାଇଜର୍ ପରୀକ୍ଷା କରାଯାଇ ସେମାନେ ମଦ୍ୟପାନ କରିଥିବା ନିଶ୍ଚିତ ହୋଇଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ଠାରୁ ବ୍ୟକ୍ତିଗତ ବଣ୍ଡ ନିଆଯାଇ ଧାରା ୨୯୨ ବିଏନଏସଏସ ଅନୁଯାୟୀ ସକ୍ଷମ ଅଦାଲତରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୋସିକ୍ୟୁସନ୍ ରିପୋର୍ଟ ଦାଖଲ କରାଯାଇଛି। ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରି ଶାନ୍ତିଶୃଙ୍ଖଳା ଭଙ୍ଗ କରିବା ଓ ଜନସାଧାରଣଙ୍କୁ ଅସୁବିଧା ସୃଷ୍ଟି କରିବା ବିରୋଧରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରହିବ ଏବଂ ସହରର ପ୍ରମୁଖ ଛକ ଓ ସର୍ବସାଧାରଣ ସ୍ଥାନଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଓ ନଜରଦାରି ଜାରି ରହିବ।
ଗଜପତି ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଗଜପତି ପକ୍ଷରୁ ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କର ନାମ ପଞ୍ଜୀକରଣ କରାଯିବା ସହ ଯୋଗଗୁରୁଙ୍କ ତତ୍ତ୍ୱାବଧାନରେ ଯୋଗାଭ୍ୟାସ କରାଯାଇଥିଲା। ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ବିଭିନ୍ନ ବିଶେଷଜ୍ଞ ଡାକ୍ତର ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ବିତରଣ କରିଥିଲେ। କାର୍ଯ୍ୟକ୍ରମରେ ମୋଟ ୧୫୩ ଜଣ ବରିଷ୍ଠ ନାଗରିକ ଯୋଗଦେଇଥିବା ବେଳେ ୮୨ ଜଣଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ ବ୍ରହ୍ମପୁର ଡଃ.ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିରଞ୍ଚି ବାଗ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଜପତି ଶ୍ରୀ ଦୟାମୟ ପାଢୀ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ. ପ୍ରଦୀପ କୁମାର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜଙ୍କ ସମେତ ବରିଷ୍ଠ ନାଗରିକ ମଞ୍ଚ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ପ୍ରତିନିଧିମାନେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇଥିଲେ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଶ୍ରୀ ଉତ୍ସର୍ଗୀତା ବଡରଇତ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ବରିଷ୍ଠ ନାଗରିକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଶ୍ରୀ ଅଶୋକ କୁମାର ଦାଶ, ଶ୍ରୀ ଅର୍ଜୁନ ଦଳାଇ ଓ ଶ୍ରୀ ସୂର୍ଯ୍ୟକାନ୍ତ ପଟ୍ଟନାୟକଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।
ଏଥିସହ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର କଳାକାରମାନଙ୍କ ଦ୍ୱାରା ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏଲ୍. ସନ୍ତୋଷ କୁମାର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ଏବଂ ଆଶ୍ରା ଜରାଶ୍ରମର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।
ଗଜପତିରେ ଥମୁନି ଦାଦନ ଯାତନା
ପୁଣି କୋଏମ୍ବାଟୁରରେ ଗଜପତି ଶ୍ରମିକଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, 2/10(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାରେ ଥମୁନି ଦାଦନ ଶ୍ରମିକଙ୍କ ଯାତନା. ଗତ 2 ମାସ ମଧ୍ୟରେ ଏହି ଜିଲ୍ଲାର 5 ଜଣ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ତାମିଲନାଡୁର କୋଏମ୍ବାଟୁର ଠାରେ ଗଜପତିର ଅନ୍ୟଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଆର. ଉଦୟଗିରି ଗ୍ରାମର ଖ୍ରୀଷ୍ଟିଆନ ସାହିର ଆଭାସ ମାଛ (31) ଦରିଦ୍ରତା ଯୋଗୁଁ ପରିବାର ପରିପୋଷଣ ପାଇଁ ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ହାତୀପାଲେମ ଠାରେ ଗତ 2 ବର୍ଷ ଧରି ଶ୍ରମିକ ଭାବେ ଖଟି ପରିବାର ପରିପୋଷଣ କରି ଆସୁଥିଲେ.

ବର୍ତ୍ତମାନ ଗତ 3 ଦିନ ତଳେ ତାଙ୍କର ମୃତ୍ୟୁ ଘଟିଥିବା ଖବର ପାଇ ପରିଵାର ଲୋକେ ଭାଙ୍ଗି ପଡିଛନ୍ତି. ମୃତ ଶ୍ରମିକ ଆଭାସଙ୍କ ପିତା ରୋଗାଗ୍ରସ୍ତ ଯୋଗୁଁ ଦୀର୍ଘ ବର୍ଷ ହେଲା ଶଯ୍ୟାଶାୟୀ ଅବସ୍ଥାରେ ରହିଛନ୍ତି. ଘରର ଏକମାତ୍ର ରୋଜଗାରିଆ ପୁଅର ଏଭଳି ଶୋଚନୀୟ ମୃତ୍ୟୁ ପରେ କେମିତି ବଂଚିବେ ସେନେଇ ପରିବାରରେ ଉଦବେଗ ପ୍ରକାଶ ପାଇଛି. ମୃତ ଆଭାସଙ୍କ ମର ଶରୀରକୁ ତାମିଲନାଡୁରୁ ଆଣିବା ଏହି ଗରିବ ପରିବାର ଦ୍ୱାରା ଅସମ୍ଭବ. ତେଣୁ ଗ୍ରାମବାସୀ ଆର. ଉଦୟଗିରି ତହସିଲଦାରଙ୍କ ମଧ୍ୟମରେ ମର ଶରୀରକୁ ଆର. ଉଦୟଗିରିକୁ ଆଣିବା ପାଇଁ ଅନୁରୋଧ ଜଣାଇବା ସହ ଏହି ଗରିବ ପରିବାର ପରିପୋଷଣ ପାଇଁ ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି.
ଗଜପତିରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର…..
ଶିକ୍ଷକ -ଶିକ୍ଷୟିତ୍ରୀଙ୍କ ଇଚ୍ଛା ମୁତାବକ ଛୁଟି ଘୋଷଣା, ପ୍ରାଥମିକ ବିଦ୍ୟାଳୟରେ ତାଲା ପାରଳାଖେମୁଣ୍ଡି,2/10(ତାରିଣୀ ପ୍ରସାଦ ପଣ୍ଡା):
ଗଜପତି ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ସାମ୍ନାକୁ ଆସିଛି. ଶିକ୍ଷକ-ଶିକ୍ଷୟିତ୍ରୀଙ୍କ
ଇଚ୍ଛା ମୁତାବକ ଛୁଟି ଘୋଷଣା ଯୋଗୁଁ ଏକ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡିବା ଘଟଣା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି. କେନ୍ଦ୍ର ଓ ରାଜ୍ୟ ସରକାର ବିଶେଷକରି ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଶିକ୍ଷାର ନିକଟତର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ବହୁ ଯୋଜନା ହାତକୁ ନେଇଛନ୍ତି. ହେଲେ ଏସବୁର ସଫଳ ରୂପାୟନରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷାର ପ୍ରସାର ଘଟୁନାହିଁ. ଏଠାରେ ଉଲ୍ଲେଖଯୋଗ୍ୟଯେ, ସରକାରୀ ଭାବେ କୌଣସି ଛୁଟି ଦିନ ନ ଥିଲେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ନିଜ ମନମୁତାବକ ସ୍କୁଲ ଛୁଟି କରିଦେଇ ଚାଲିଯାଉଛନ୍ତି। ଏଭଳି ଏକ ଚିତ୍ର ଦେଖୁବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ କଟମ ପଞ୍ଚାୟତ ଡନିଗାଁ ପ୍ରାଥମିକ ବିଦ୍ୟାଳୟରେ। ଏହି ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ୭୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି ।

ଏମାନଙ୍କୁ ପାଠ ପଢେଇବା ପାଇଁ ୩ ଜଣ ଶିକ୍ଷକଶିକ୍ଷୟିତ୍ରୀ ନିଯୁକ୍ତି ପାଇଛନ୍ତି । ହେଲେ ଗତକାଲି ଗୁରୁବାର ଦିନ କୌଣସି ଛୁଟି ନଥିବା ବେଳେ ବିଦ୍ୟାଳୟ ଖୋଲା ନଥୁବା ବେଳେ କେହି ଜଣେ ବି ଶିକ୍ଷକଶିକ୍ଷୟିତ୍ରୀ ବିଦ୍ୟାଳୟରେ ଉପସ୍ଥିତ ନଥିଲେ | ବିଦ୍ୟାଳୟ ଫାଟକର ଗୋଟିଏ ଅଂଶ ଖୋଲା ଥିବାବେଳେ ସମସ୍ତ ଶ୍ରେଣୀ କକ୍ଷରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି । ସେହି ନିକଟବର୍ତ୍ତୀ ସମସ୍ତ ବିଦ୍ୟାଳୟ ଖୋଲା ଥିବାବେଳେ ଡନିଗାଁ ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିଥିବା ଦେଖିବାକୁ ମିଳିଥିଲା । ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ଥିଲା I ଏନେଇ ପ୍ରଧାନଶିକ୍ଷକ ରାଧାକାନ୍ତ ନାୟକଙ୍କୁ ଯୋଗାଯୋଗ କରିବାରେ ସେ କହିଥିଲେ, ଆଜି କଟାମା ଗ୍ରାମରେ ପର୍ବ ଥିବା ଯୋଗୁଁ ପିଲା କେହି ଆସିନାହାନ୍ତି I ତେଣୁ ବିଦ୍ୟାଳୟରେ ଖୋଲା ନଥିବା ସେ କହିଛନ୍ତି । ଯଦି ପର୍ବ ଥିବା ଯୋଗୁଁ ପିଲାମାନେ ବିଦ୍ୟାଳୟ ଆସିନଥିଲେ ତେବେ ଶିକ୍ଷକଶିକ୍ଷୟିତ୍ରୀ କାହିଁକି ବିଦ୍ୟାଳୟରେ ଉପସ୍ଥିତ ନରହି ତାଲ ପକାଇଦେଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I ଏନେଇ ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି କୌଣସି ଛୁଟି ନଥିବା ବେଳେ ଏଭଳି ଭାବେ ସ୍କୁଲ ବନ୍ଦ କରିବା ନେଇ ଆବଶ୍ୟକ ତଦନ୍ତ ସହ ଉଚିତ ପଦକ୍ଷେପ ଗ୍ରହଣ କରାଯିବ.











