♾️⭕⭕♾️
ଶତେକ ପତ୍ନୀ ତାର ଥିଲେ। ସ୍ଵାମୀର ମରଣ ଜାଣିଲେ।
ଶ୍ରୀହରି ମହିମା ଜାଣନ୍ତି। ନାମ ଜପନ୍ତି ଦିବାରାତି।
ସୁତ ଦୁହିତା ଆଗ କରି। କରେ ଘେନିଲେ ଅର୍ଘ୍ୟଥାଳୀ।
ଗନ୍ଧ ଚନ୍ଦନ ନାନାମଣି। ନିର୍ମଳ ପଦ୍ମମାଳ ଘେନି।
ଶ୍ରୀକୃଷ୍ଣ ନିକଟେ ମିଳିଲେ। ବାଳକ ତଳେ ଶୁଆଇଲେ।
ପାଦେ ପଡ଼ିଲେ ସର୍ବବାଳୀ। ଦେଖି ସାନନ୍ଦ ବନମାଳୀ।
କେଶ ବସନ ଅସମ୍ଭାଳ। ନୟନୁ ଝରେ ଅଶ୍ରୁଜଳ।
ଉଠି କରନ୍ତି ଜୟେ ଜୟେ। ସ୍ଵର୍ଗେ ଦେଖନ୍ତି ଦେବତାୟେ।
ବୋଲନ୍ତି ଶରଣ ତୋହର। ତ୍ରାହି କରିବା ଚକ୍ରଧର।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ସପ୍ତଦଶ ଅଧ୍ୟାୟ)
ପ୍ରସଙ୍ଗ – କାଳୀୟ ନାଗର ଗର୍ବ ଗଞ୍ଜନ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! କାଳୀୟ ନାଗର ଏକଶହ ପତ୍ନୀ ଥିଲେ। ସେମାନେ ସମସ୍ତେ ଭଗବାନଙ୍କର ମହିମା ଜାଣି ନିରନ୍ତର ତାଙ୍କୁ ଚିନ୍ତନ କରିଥାନ୍ତି। କାଳୀୟ ନାଗର ମୃତ୍ୟୁ ଆସନ୍ନ ବୋଲି ଜାଣିବା ପରେ ସେମାନେ ହାତରେ ଅର୍ଘ୍ୟଥାଳୀ ଧରି ନିଜର ପୁତ୍ର କନ୍ୟାମାନଙ୍କ ସହିତ ଶରଣ ବତ୍ସଳ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ଉପସ୍ଥିତ ହେଲେ। ସେମାନେ ଗନ୍ଧ , ଚନ୍ଦନ ଓ ପଦ୍ମମାଳ ସହିତ ଉପହାର ରୂପରେ ନାନା ପ୍ରକାର ମଣି ଧରି କାଳୀୟ ନାଗର ମୁକ୍ତି ନିମନ୍ତେ ପ୍ରାର୍ଥନା କରିବାକୁ ଭଗବାନ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହେଲେ। ସେମାନେ ସମସ୍ତେ ନିଜ ନିଜର ପୁତ୍ର କନ୍ୟାମାନଙ୍କୁ ଭଗବାନଙ୍କର ପାଦତଳେ ଭୂମିଷ୍ଠ ପ୍ରଣାମ କରାଇବା ସହିତ ନିଜେ ଭଗବାନଙ୍କର ପାଦତଳେ ପଡ଼ି ସାଷ୍ଟାଙ୍ଗ ପ୍ରଣିପାତ କଲେ। ଦୁଃଖ ଓ ଶୋକରେ ଆତୁର ହୋଇ ସେମାନଙ୍କର ମଥାର ବନ୍ଧା ହୋଇଥିବା କେଶ ମୁକୁଳା ହୋଇ ଯାଇଥିଲା , ସେମାନଙ୍କର ପିନ୍ଧା ବସନ ଅସଜଡ଼ା ହୋଇ ଯାଇଥିଲା ଓ ସେମାନଙ୍କ ନୟନରୁ ଅବିରତ ଲୁହ ଝରୁଥିଲା। ଭଗବାନ ଶ୍ରୀକୃଷ୍ଣଙ୍କ ପାଦତଳେ ଭୂମିଷ୍ଠ ପ୍ରଣାମ କରିବା ପରେ ସେମାନେ ଉଠି ପ୍ରଭୁଙ୍କର ଜୟ ଜୟକାର କଲେ। କାଳୀୟ ନାଗର ପତ୍ନୀମାନେ ଭଗବାନଙ୍କର ଶରଣାପନ୍ନ ହେବା ଦେଖି ଭଗବାନ ଶ୍ରୀକୃଷ୍ଣ ସେମାନଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହେଲେ। ସ୍ଵର୍ଗରେ ରହି ଦେବତାମାନେ ଏହି ଦୃଶ୍ୟକୁ ଦେଖୁଥିଲେ। କାଳୀୟ ନାଗର ପତ୍ନୀମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରି କହିଲେ , ହେ ପ୍ରଭୁ ! ଆମ୍ଭେମାନେ ଆପଣଙ୍କର ଶରଣାପନ୍ନ ହେଉଛୁ। ଆପଣ ଆମ୍ଭ ସ୍ବାମୀଙ୍କର ଅପରାଧ କ୍ଷମା କରି ତାଙ୍କୁ ଏ ଦଣ୍ଡରୁ ମୁକ୍ତ କରି ଦିଅନ୍ତୁ।
ଭାବାର୍ଥ – କାଳୀୟ ନାଗର ପତ୍ନୀମାନେ ଭଗବାନ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ହୋଇ କାଳୀୟ ନାଗକୁ ଦଣ୍ଡରୁ ମୁକ୍ତି ଦେବା ନିମନ୍ତେ ତାଙ୍କୁ ପ୍ରାର୍ଥନା କଲେ।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୯୭୧
ଦୋଷୀକୁ ଦଣ୍ଡିବା ଯୁକତ। ଭାରା ନିବାରେ ତୁହି ଜାତ।
ତୋହର ଶତ୍ରୁ ମିତ୍ର ନାହିଁ। ତୋର ଭିଆଣ ସର୍ବଦେହୀ।
ଭକତି କରନ୍ତି ଯେ ତୋତେ। ଯେ ଅବା ଭଜେ ଶତ୍ରୁମତେ।
ଦୁହିଁଙ୍କୁ ଦେଉ ଏକଗତି। ଦୟାସାଗର ଦାଶରଥି।
ଆମ୍ଭଙ୍କୁ କଲେ ଅନୁଗ୍ରହ। ହେଳେ ନାଶିଲୁ ଦମ୍ଭ ମୋହ।
ସର୍ପ ହୋଇଲା ପାପକାରୀ। ତୋତେ ପାଇଲା ନରହରି।
ଏହାରେ ତରିଲୁ ସକଳ। ବନ୍ଧୁ ବାନ୍ଧବ ନାଗକୁଳ।
ପୂର୍ବେ ଏ କେତେ ତପ କଲା। ଅନେକ ଅନ୍ନ ଦାନ ଦେଲା।
ଜଳ ଦେଉଳ ନାନାମତେ। ପ୍ରାଣୀଙ୍କି ଦୟା ହୃଦଗତେ।
ତୋ ନାମ-କୀର୍ତ୍ତନେ ଆନନ୍ଦ। ତେଣୁ ପାଇଲା ପଦ୍ମପାଦ।
କେତେ ବା ଅଛି ତପ କରି। ତୋ ପାଦରଜ ଶିରେ ଧରି।
ଯାହା ପାଇଲା ବଳି ପୁଣି। ତପ କରଇ କମଳିନୀ।
ଯାହା ପାଇବେ ବୋଲି ପୁଣି। ତପ କରନ୍ତି ସୁରମୁନି।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ , ସପ୍ତଦଶ ଅଧ୍ୟାୟ )
ପ୍ରସଙ୍ଗ – କାଳୀୟ ନାଗର ପତ୍ନୀ ମାନଙ୍କର ଭଗବାନଙ୍କୁ ସ୍ତୁତି
ଅର୍ଥ – ମହାମୁନି ଶୁକଦେବ କହିଲେ ହେ ମହାରାଜା ପରୀକ୍ଷିତ ! କାଳୀୟ ନାଗର ପତ୍ନୀମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ତୁତି କରି କହିଲେ , ହେ ପ୍ରଭୁ ! ଦୁଷ୍ଟଜନମାନଙ୍କୁ ଦଣ୍ଡ ଦେଇ ପୃଥିବୀର ଭାରାଭାର ହରଣ ନିମନ୍ତେ ଆପଣ ଏହି ପୃଥିବୀରେ ମାନବ ରୂପରେ ଅବତୀର୍ଣ୍ଣ ହୋଇଛନ୍ତି। ତେଣୁ ଆପଣଙ୍କ ଚରଣରେ ଅପରାଧ କରିଥିବା ଆମ୍ଭର ସ୍ଵାମୀଙ୍କୁ ଆପଣଙ୍କର ଦଣ୍ଡ ଦେବା ନ୍ୟାୟ ସଙ୍ଗତ ଅଟେ। ଆପଣ ତ ସକଳ ପ୍ରାଣୀମାନଙ୍କର ସ୍ରଷ୍ଟା ଅଟନ୍ତି। ତେଣୁ ଆପଣଙ୍କର କେହି ଶତ୍ରୁ ନୁହଁନ୍ତି କି କେହି ମିତ୍ର ନୁହଁନ୍ତି। ହେ ପ୍ରଭୁ ଦୟାସାଗର ! ଆପଣଙ୍କ ଠାରେ ଯିଏ ଭକ୍ତିଭାବ ରଖନ୍ତି ଓ ଆପଣଙ୍କ ପ୍ରତି ଯିଏ ଶତ୍ରୁଭାବ ପୋଷଣ କରନ୍ତି ଏ ଉଭୟଙ୍କୁ ଆପଣ ସମାନଗତି ପ୍ରଦାନ କରିଥାନ୍ତି। ଆମ୍ଭମାନଙ୍କ ଉପରେ ଅନୁଗ୍ରହ କରି ଆପଣ ଆମ୍ଭ ସ୍ଵାମୀଙ୍କର ଦମ୍ଭ ଓ ଅହଙ୍କାର ନାଶ କଲେ। ଆମ୍ଭର ସ୍ଵାମୀ ଆପଣଙ୍କ ଚରଣରେ ଅପରାଧ କରି ମଧ୍ୟ ଆପଣଙ୍କର ଚରଣ କମଳର ସ୍ପର୍ଶ ଲାଭ କଲେ। ଆମ୍ଭ ସ୍ଵାମୀଙ୍କ ଉପରେ ଆପଣଙ୍କର ଏହି କୃପା ଯୋଗୁ ବନ୍ଧୁ ବାନ୍ଧବ ସହିତ ଆମ୍ଭେ ସକଳ ନାଗକୁଳ ନିସ୍ତାର ଲାଭ କଲୁ। ପୂର୍ବଜନ୍ମରେ ଆମ୍ଭ ସ୍ଵାମୀ ନିଶ୍ଚୟ ଅନେକ ତପସ୍ୟା କରିଥିଲେ , ନିଶ୍ଚୟ ଅନେକ ଅନ୍ନଦାନ କରିଥିଲେ , ନିଶ୍ଚୟ ଅନେକ ମନ୍ଦିର ତୋଳାଇଥିଲେ , ନିଶ୍ଚୟ ଅନେକ ଜଳଦାନ କରିଥିଲେ , ନିଶ୍ଚୟ ଜୀବମାନଙ୍କ ପ୍ରତି ଦୟାଭାବ ରଖିଥିଲେ , ନିଶ୍ଚୟ ଆପଣଙ୍କର ନାମ କୀର୍ତ୍ତନ କରି ଆନନ୍ଦ ଲାଭ କରୁଥିଲେ , ଯାହାର ଫଳ ସ୍ୱରୂପ ଆଜି ସେ ଆପଣଙ୍କ ଚରଣକମଳର ସ୍ପର୍ଶ ଲାଭ କରିବାର ସୌଭାଗ୍ୟ ଅର୍ଜନ କଲେ। ଆପଣଙ୍କ କୃପାରୁ ଆପଣଙ୍କର ଯେଉଁ ଚରଣଧୂଳି ଦାନବ ରାଜା ବଳି ପ୍ରାପ୍ତ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି , ଆପଣଙ୍କର ଯେଉଁ ଚରଣଧୂଳି ଲାଭ କରିବା ନିମନ୍ତେ ଆପଣଙ୍କର ପତ୍ନୀ ମହାଲକ୍ଷ୍ମୀଙ୍କୁ ମଧ୍ୟ କଠିନ ତପସ୍ୟା କରିବାକୁ ହୋଇଛି , ଆପଣଙ୍କର ଯେଉଁ ଚରଣଧୂଳି ଲାଭ କରିବା ନିମନ୍ତେ ଦେବତା ଓ ମୁନିଗଣ ନିରନ୍ତର ତପ ସାଧନା କରନ୍ତି , ଆମ୍ଭ ସ୍ଵାମୀ କେତେ ତପସ୍ୟା କରିଥିଲେ ଯେ ଯାହା ଫଳରେ କି ଆପଣଙ୍କର ସେହି ଦୁର୍ଲ୍ଲଭ ଚରଣଧୂଳିକୁ ସେ ଶିରରେ ଧାରଣ କରିବାର ସୌଭାଗ୍ୟ ପ୍ରାପ୍ତ ହେଲେ !
ଭାବାର୍ଥ – ଏଠାରେ କାଳୀୟ ନାଗର ପତ୍ନୀମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ତୁତି କରି ଅଛନ୍ତି।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୯୭୨
ଜୟ ଜଗନ୍ନାଥ