ଜବରଦଖଲ ଉଚ୍ଛେଦକୁ ନେଇ ଜଟଣୀରେ ଉତ୍ତେଜନା
ପ୍ରଶ୍ନ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ
ଜଟଣୀ :(ଦର୍ଶନ ସମୀକ୍ଷା) ଜଟଣୀରେ ସୀମା ଟପିଛି ଜିଲ୍ଲା ପ୍ରଶାସନ। ଜବରଦଖଲ ଉଛେଦକୁ ନେଇ ପ୍ରଶ୍ନ କରିବାରୁ ଗଣମାଧ୍ୟମ ପ୍ରତିନିଧି ଏବଂ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ କରିବାକୁ ମଧ୍ୟ ପଛାଇନି ପ୍ରଶାସନ। ଏପରିକି ଜଟଣୀ ତହସିଲଦାର ଓ ଶ୍ରୀମନ୍ଦିର ପ୍ରଶାସନ ତହସିଲଦାରଙ୍କ ଉପସ୍ଥିତିରେ ସାମ୍ବାଦିକଙ୍କ ଉପରେ ଜେସିବି ଚଢ଼ାଇ ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ମଧ୍ୟାହ୍ନରେ ଜଟଣୀ କୁସୁମାଟି ମୌଜାରେ ଏପରି ଘଟଣା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ଉଭୟ ତହସିଲଦାର ସେଠାରୁ ଫେରିଆସିଛନ୍ତି।

ଘଟଣାରୁ ପ୍ରକାଶ ଯେ, ବିନା କୌଣସି ସୂଚନା ଆଧାରରେ ଗୁରୁବାର ସକାଳେ ଜଟଣୀ ତହସିଲଦାର ଓ ଶ୍ରୀ ମନ୍ଦିର ପ୍ରଶାସନ ତହସିଲଦାର ଜେସିବି ଧରି କୁସୁମାଟି ମୌଜାରେ ପହଞ୍ଚି ସେଠାରେ ଲୋକେ ରହୁଥିବା ଘର ଭାଙ୍ଗିବା ଆରମ୍ଭ କରିଥିଲେ। ବିନା ଆଲୋଚନା କିମ୍ବା ପୂର୍ବ ସୂଚନା ନଥାଇ ଉଚ୍ଛେଦକୁ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଲୋକମାନଙ୍କ ବିରୋଧ ସତ୍ତ୍ବେ ପ୍ରଶାସନ ନିଜ ଜିଦ୍ରେ ଅଟଳ ରହିବା ସହ ଉଛେଦ ପୂର୍ବରୁ ଘରୁ ଆସବାବପତ୍ର ବାହାର କରିବାକୁ ମଧ୍ୟ ଲୋକମାନଙ୍କୁ ସମୟ ଦେଇ ନ ଥିଲେ। ଏପରିକି ଲୋକମାନେ କିଛି ସମୟ ମାଗିଥିଲେ ମଧ୍ୟ ଉଭୟ ତହସିଲଦାର ସେଥିପ୍ରତି ଦୃଷ୍ଟି ନ ଦେଇ ଜେସିବି ଡ୍ରାଇଭରକୁ ଘର ଭାଙ୍ଗିବାକୁ ନିର୍ଦେଶ ଦେଇଥିଲେ। ସେଠାରେ ଘର କରି ରହୁଥିବା କୃଷ୍ଣଚନ୍ଦ୍ର ପାଢୀ ନାମକ ଜନୈକ ବ୍ୟକ୍ତି ସରକାରଙ୍କ ଏହି ଉଚ୍ଛେଦକୁ ବିରୋଧ କରି ନିଜ ଦେହରେ ପେଟ୍ରୋଲି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିସହ ଘଟଣା ସମ୍ପର୍କରେ ଖବର ପାଇଁ ସେଠାରେ ପହଞ୍ଚିଥିବା ସାମ୍ବାଦିକ ଶେଖ୍ ରିଆଜ ମହମ୍ମଦ ତହସିଲଦାରଙ୍କୁ ଉଚ୍ଛେଦ ସମ୍ପର୍କରେ ପ୍ରଶ୍ନ କରିଥିଲେ। କାହା ଆଦେଶରେ ଉଚ୍ଛେଦ କରାଯାଉଛି ବୋଲି ପଚାରିବାରୁ ଅଧିକାରୀ ଜଣକ କ୍ରୋଧିତ ହୋଇ ଉଚ୍ଛେଦ ହେବ ବୋଲି କହିଥିଲେ। ଏହାପରେ ସେଠାରେ ଥିବା ଜେସିବି ମାଡ଼ି ଆସିବାରୁ ଶ୍ରୀ ମହମ୍ମଦ ତଳେ ପଡିଯାଇଥିଲେ। ତାଙ୍କ ମୁଣ୍ଡ, ଛାତି ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା ଗୁରୁତର ଅବସ୍ଥାରେ ଶ୍ରୀ ମହମ୍ମଦଙ୍କୁ ପ୍ରଥମେ ଷଣ୍ଢପୁର ଡାକ୍ତରଖାନା ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଏହାପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇବାରୁ ଉଭୟ ତହସିଲଦାର ସଦଳବଳେ ଘଟଣାସ୍ଥଳରୁ ପଳାଇଯାଇଥିଲେ।
ଏଠାରେ ସୂଚନାଯୋଗ୍ୟ, ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତିରେ ବସବାସ କରୁଥିବା ଲୋକଙ୍କ ନାମରେ ଜମି ହସ୍ତାନ୍ତର କରିବା ଲାଗି ପଦକ୍ଷେପ ନିଆଯିବା ନେଇ ବାରମ୍ବାର ସରକାର କହୁଥିବା ବେଳେ ଲୋକମାନଙ୍କୁ ସୂଚୀତ ନ କରି ଉଭୟ ତହସିଲଦାର ଲୋକମାନଙ୍କ ଘର ଭାଙ୍ଗିବା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। କେତେକ କୁଚକ୍ରୀ ଗୋଷ୍ଠୀଙ୍କ ପ୍ରରୋଚନା କିମ୍ବା ଆକ୍ରୋଶମୂଳକ ଭାବରେ ଲୋକମାନଙ୍କୁ ବାସଚ୍ୟୁତ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।