ସକାଳର ଭକ୍ତି ଅର୍ଘ୍ୟ
ଏମନ୍ତେ ପ୍ରଭୁ ନରହରି। ବତ୍ସାବାଳକ ରୂପ ଧରି।
ଯେତେ ବାଛୁରୀ ଗୋପସୁତ। କୃଷ୍ଣ ଦେହରୁ ହେଲେ ଜାତ।
ଯାହାର ଯେମନ୍ତ ସ୍ଵଭାବ। ମାୟାଭିଆଣ ପଦ୍ମନାଭ।
ବିବିଧମତେ କାଛା ପିନ୍ଧି। ଚୂଳେ ମୟୂରପୁଚ୍ଛ ବାନ୍ଧି।
ଗୁଞ୍ଜରାପାଟି ଫୁଲମାଳେ। ରତ୍ନକୁଣ୍ଡଳ ଗଣ୍ଡସ୍ଥଳେ।
କର ପୟର ଶିକା ଡାଳି। କଣ୍ଠେ ମୁକୁତା ବିଦମାଳୀ।
ବେଣୁ କଠାଉ ଶିଙ୍ଗା ବେତ। ଯାହାର ସ୍ଵରୂପ ଯେମନ୍ତ।
ଯାହାର ବଚନ ଯେମନ୍ତ। ରୂପ ବୟସ ସେହିମତ।
ଯେ ଯେତେ ଉଚ୍ଚ ସଞ୍ଚ ସ୍ଥୂଳ। ଯାହାର ଯେମନ୍ତ କୁନ୍ତଳ।
ଓଁକାରୁ ଯେହ୍ନେ ବେଦ କ୍ଷରି। ସର୍ବ- ସ୍ଵରୂପ ନରହରି।
ରୁପୁଁ ଅନେକ ରୂପ କଲେ। ବିଶ୍ଵ-ପ୍ରପଞ୍ଚ ଦେଖାଇଲେ।
( ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଓଡ଼ିଆ ଭାଗବତ , ଦଶମ ସ୍କନ୍ଧ, ଚତୁର୍ଦ୍ଦଶ ଅଧ୍ୟାୟ )
ପ୍ରସଙ୍ଗ – ବ୍ରହ୍ମାଙ୍କର ଗର୍ବଗଞ୍ଜନ
ଅର୍ଥ – ମହାମୁନି ଶୁକଦେବ କହିଲେ , ହେ ମହାରାଜା ପରୀକ୍ଷିତ ! ଏହିପରି ଭାବରେ ସ୍ଵୟଂ ସର୍ବାତ୍ମା ଭଗବାନ ଶ୍ରୀକୃଷ୍ଣ ବତ୍ସା ଓ ଗୋପବାଳକମାନଙ୍କ ରୂପ ଧାରଣ କଲେ। ଗୋପପୁରରୁ ଯେତେ ସଂଖ୍ୟକ ବତ୍ସା ଓ ବାଳକ ବନକୁ ଶ୍ରୀକୃଷ୍ଣଙ୍କ ସହିତ ଆସିଥିଲେ ସେତିକି ସଂଖ୍ୟକ ବତ୍ସା ଓ ବାଳକ ଭଗବାନ ଶ୍ରୀକୃଷ୍ଣ ତାଙ୍କ ଶରୀରରୁ ସୃଷ୍ଟି କଲେ। ଯେଉଁ ବାଳକ ଓ ବତ୍ସାଙ୍କର ସ୍ଵଭାବ ଯେପରି ଥିଲା , ଯେଉଁ ବାଳକ ଯେଉଁପରି କାଛା ପିନ୍ଧିଥିଲା , ଯିଏ ଚୂଳରେ ଯେପରି ମୟୂରପୁଚ୍ଛ ଖୋସିଥିଲା , ଯିଏ ଯେପରି ଗୁଞ୍ଜରାପାଟି ଲଗାଇଥିଲା , ଯିଏ ଯେଉଁପରି ଫୁଲମାଳ ବେକରେ ପକାଇଥିଲା , ଯାହାର ଗଣ୍ଡସ୍ଥଳରେ ଯେପରି ରତ୍ନକୁଣ୍ଡଳ ଶୋଭା ପାଉଥିଲା , ଯିଏ ଗଳାରେ ଯେପରି ମୁକ୍ତାମାଳ ପିନ୍ଧିଥିଲା , ଯାହାର ହାତ ଓ ପାଦ ଯେପରି ହୋଇଥିଲା , ଯାହା ପାଖରେ ଯେପରି ଶିକା , ପତ୍ର , ବେଣୁ , କଠାଉ , ଶିଙ୍ଗା ଓ ବେତ ଥିଲା , ଯାହାର ରୂପ ଯେପରି ଥିଲା , ଯାହାର ବୟସ ଯେତିକି ଥିଲା , ଯିଏ ଯେପରି କଥା କହୁଥିଲା , ଯିଏ ଯେତିକି ଉଚ୍ଚା ଥିଲା , ଯିଏ ଯେତିକି ସୁନ୍ଦର ଓ ହୃଷ୍ଟପୁଷ୍ଟ ଥିଲା , ଯାହାର ଯେପରି କେଶ ଥିଲା , ଓଁକାରରୁ ବେଦ କ୍ଷରିବା ପରି ସର୍ବସ୍ଵରୂପ ଭଗବାନ ଶ୍ରୀକୃଷ୍ଣ ସେହି ସେହି ପ୍ରକାରର ସେତିକି ବାଳକ ଓ ବତ୍ସାଙ୍କର ରୂପ ଧାରଣ କଲେ। ଭଗବାନ ଶ୍ରୀକୃଷ୍ଣ ନିଜ ସ୍ଵରୂପରୁ ଅନେକ ସ୍ଵରୂପ ପ୍ରକଟିତ କରି ସମଗ୍ର ବିଶ୍ଵ ଯେ ତାଙ୍କର ସ୍ଵରୂପ ଏକଥାକୁ ପ୍ରମାଣିତ କଲେ।
ଭାବାର୍ଥ – ଭଗବାନ ଶ୍ରୀକୃଷ୍ଣ ନିଜ ସ୍ଵରୂପରୁ ଅନେକ ସ୍ଵରୂପ ପ୍ରକଟିତ କରି ସମଗ୍ର ବିଶ୍ଵ ଯେ ତାଙ୍କର ସ୍ଵରୂପ ଏକଥାକୁ ପ୍ରମାଣିତ କଲେ।
ଉପସ୍ଥାପନା – ଗୁରୁ ଚରଣାଶ୍ରିତ ବିଶ୍ଵନାଥ ନାୟକ
୧୯୨୫