ଭୁବନେଶ୍ୱର : ସ୍ପେଶାଲ ବ୍ରାଞ୍ଚ୍ରେ ଡିଏସ୍ପି ଭାବେ କାର୍ଯ୍ୟ କରୁଥିବା ଡଃ.ଦୀପକ କୁମାର ମିଶ୍ରଙ୍କୁ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍ଡିପିଓ ଭାବେ ବଦଳି ହୋଇଛି। ଏହାକୁ ନେଇ ଶୁକ୍ରବାର ସରକାରଙ୍କ ଗୃହବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପୁରୁଷୋତ୍ତମପୁର ଅଞ୍ଚଳରେ ରହିଥିବା ଅପରାଧୀ ଓ ମଦ, ଗଞ୍ଜେଇ, ବାଲିମାଫିଆଙ୍କ ମଧ୍ୟରେ ଛନକା ପଶିଯାଇଥିବା ବେଳେ କିଛି ଅସାଧୁ କର୍ମଚାରୀ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ଯାହାକି ଦୀପକ କୁମାର ମିଶ୍ର ଗତ ୨୬.୧୦.୨୦୦୮ଠାରୁ ୧୦.୬.୨୦୦୯ ପର୍ଯ୍ୟନ୍ତ ପୁରୁଷୋତ୍ତମପୁର ଥାନାଧିକାରୀ ଭାବରେ ରହିଥିଲେ। ଏହି ସମୟ ମଧ୍ୟରେ ଏଠିକାର ମଦ, ଗଞ୍ଜେଇ ଓ ବାଲିମାଫିଆଙ୍କୁ ଦମନ କରିବା ସାଙ୍ଗକୁ ଅଞ୍ଚଳରେ ରହିଥିବା ଅପରାଧୀମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଆଣି ସାବାଡ଼ କରିବା ସହ ଚୋର ଡକାୟତିଙ୍କ ଆଡ୍ଡା ପାଲଟିଥିବା ଝରଣଛକ ଓ ଭୂତସରସିଙ୍ଗି-କୋଦଳା-ବୁଢ଼ାମ୍ବ ରାସ୍ତାକୁ ଅପରାଧ ମୁକ୍ତ କରି ଏଠାରେ ଚର୍ଚ୍ଚାକୁ ଆସିଥିଲେ। ଯାହାକି ଥାନାଧିକାରୀ ସମୟରେ ନିରୀହ ଲୋକଙ୍କ ନ୍ୟାୟ ଦେଇ ଅଞ୍ଚଳକୁ ଅପରାଧମୁକ୍ତ କରି ଲୋକଙ୍କ ପ୍ରିୟପାତ୍ର ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକେ ସେହି କାର୍ଯ୍ୟକୁ ଭୁଲି ପାରି ନ ଥିବା ବେଳେ ପୁଣି ଏସ୍ଡିପିଓ ହୋଇ ଫେରୁଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ସାଧାରଣ ଲୋକେ ତାଙ୍କ ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଅପରାଧୀ ଓ ମାଫିଆମାନେ ଚିନ୍ତାରେ ପଡ଼ିଯାଇଛନ୍ତି।”