ଓଡ଼ିଶାର ‘ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬’ ମଡେଲକୁ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରଶଂସା।
ଭୁବନେଶ୍ୱରରେ ଅଗ୍ରଗତିର ସମୀକ୍ଷା କଲେ ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ଶ୍ରୀ ଏସ ବି ଯୋଶୀ।
ଭୁବନେଶ୍ୱର,୧୯ ଜୁନ ରଜତ ମହାପାତ୍ର (ଦର୍ଶନ ସମୀକ୍ଷା)
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ଶ୍ରୀ ଏସ. ବି. ଯୋଶୀଙ୍କ ଅଧ୍ୟକ୍ଷତାରେ ଅ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଅପରପକ୍ଷରେ,ଓଡ଼ିଶାରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ପ୍ରକ୍ରିୟା ଏକ ସଫଳ ମଡେଲ ଭାବେ ଉଭା ହୋଇଛି। ଓଡ଼ିଶାର ଏହି ଅଭିନବ ତଥା ସର୍ବୋତ୍ତମ ପ୍ରଣାଳୀଗୁଡ଼ିକୁ ଅନୁଧ୍ୟାନ କରିବା ପାଇଁ ଆଜି ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଏସ୍. ଚୋକଲିଙ୍ଗମ୍ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେଇଛନ୍ତି।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଜାରି ରହିଥିବା ସଂଶୋଧନ କାର୍ଯ୍ୟର ଅଗ୍ରଗତି ନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରମୁଖ ସଚିବ ଶ୍ରୀ ଏସ. ବି. ଯୋଶୀ ସମୀକ୍ଷା କରିଛନ୍ତି। ଏକ ସଠିକ୍, ସମାବେଶୀ ଏବଂ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତ କରିବା ଏହି ବୈଠକର ମୂଳ ଲକ୍ଷ୍ୟ ଥିଲା।
ପ୍ରମୁଖ ସଚିବ ଶ୍ରୀ ଏସ୍. ବି. ଯୋଶୀ, ସମ୍ପୃକ୍ତ ନିର୍ବାଚନମଣ୍ଡଳୀ ର ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଏବଂ ସହକାରୀ ନିର୍ବାଚନ ମଣ୍ଡଳୀ ପଞ୍ଜୀକରଣ ଅଧିକାରୀ ମାନଙ୍କ ସହ ୧୧୨, ୧୧୩ ଏବଂ ୧୧୪ ନମ୍ବର ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକଳାପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।
ଏହି ବୈଠକରେ ପରିଗଣନା ଫର୍ମ ବଣ୍ଟନ, ଡିଜିଟାଇଜେସନ ପ୍ରକ୍ରିୟା ଏବଂ କ୍ଷେତ୍ର କର୍ମଚାରୀଙ୍କ କାର୍ଯ୍ୟର ଅନୁଧ୍ୟାନ କରାଯାଇଥିଲା। କୌଣସି ବି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି, ସେଥିପାଇଁ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସୁଦୃଢ଼ କରିବା ସହ ନିଶ୍ଚିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ସମୀକ୍ଷା ବୈଠକରେ ବିଏମସି କମିଶନର ଶ୍ରୀ ଚଞ୍ଚଳ ରାଣା, ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଡେ଼ପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ, କୈଳାଶ ଚନ୍ଦ୍ର ଦାସ ଏବଂ ସମସ୍ତ ନିର୍ବାଚକ ପଞ୍ଜୀକରଣ ଅଧିକାରୀମାନେ ଉପସ୍ଥିତ ଥିଲେ।
ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍. ଏସ୍. ଗୋପାଲନଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଏସ୍. ଚୋକଲିଙ୍ଗମ୍ ଯୋଗ ଦେଇ ଓଡ଼ିଶାରେ ‘ସ୍ୱତନ୍ତ୍ର ସଘନ ସଂଶୋଧନ’ କୁ ସଫଳ କରିବା ପାଇଁ ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ସମସ୍ତ ପଦକ୍ଷେପ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।
କ୍ଷେତ୍ର ସ୍ତରରେ କରାଯାଇଥିବା ବ୍ୟବସ୍ଥା, ଭୋଟରଙ୍କ ପାଖରେ ସହଜରେ ପରିଗଣନା ଫର୍ମ ପହଞ୍ଚାଇବା ଓ ସଂଗ୍ରହ କରିବା ପ୍ରକ୍ରିୟା, ସଂଗୃହିତ ତଥ୍ୟର ଡିଜିଟାଇଜେସନ୍ ଏବଂ ଅତ୍ୟାଧୁନିକ ମନିଟରିଂ ବ୍ୟବସ୍ଥାକୁ ମହାରାଷ୍ଟ୍ର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଚୋକଲିଙ୍ଗମ୍ ବେଶ୍ ପ୍ରଶଂସା କରିଛନ୍ତି।
ସେହିପରି ରାଜ୍ୟରେ ଆଜି ସୁଦ୍ଧା ୯୯.୪୪ ପ୍ରତିଶତ ଅର୍ଥାତ ୩କୋଟି ୩୨ଲକ୍ଷ ୧୩ହଜାର ୩୯୩ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ ହୋଇଥିବାବେଳେ ସେଥି ମଧ୍ୟରୁ ୬୬.୦୫ପ୍ରତିଶତ ଅର୍ଥାତ ୨କୋଟି ୨୦ଲକ୍ଷ ୬୧ହଜାର ୭୩୯ ଭୋଟରଙ୍କର ତଥ୍ୟ ଡିଜିଟାଇଜେସନ କରାଯାଇଛି।
ଏହି ସର୍ବୋତ୍ତମ ଜ୍ଞାନକୌଶଳ ଆଗାମୀ ଦିନରେ ଅନ୍ୟ ନିର୍ବାଚନୀ ପ୍ରକ୍ରିୟାରେ ବେଶ୍ ସହାୟକ ହେବ ବୋଲି ମତପ୍ରକାଶ ପାଇଛି। ଏହି ବୈଠକରେ ଅତିରିକ୍ତ ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର, ଯୁଗ୍ମ ସିଇଓ ଶ୍ରୀ ଗୋପୀନାଥ କୁଅଁର, ବିତ୍ତ ପରାମର୍ଶଦାତା ଶ୍ରୀ ସଞ୍ଜୟ କୁମାର ଲୁଗୁନ, ଡେ଼ପୁଟି ସିଇଓ ଶ୍ରୀମତୀ ଅନାମିକା ସିଂ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ବିଜୟାନନ୍ଦ ମଲ୍ଲିକ
ଲୋକସମ୍ପର୍କ ଅଧିକାରୀ












Leave a Reply