Spread the love

ତିଖିରି ସରପଞ୍ଚ ଚାମେଲୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଗଜପତି ସରପଞ୍ଚ ସଂଘ ତରଫରୁ ଧାରଣା ଓ ବିକ୍ଷୋଭ
ପାରଳାଖେମୁଣ୍ଡି, 19/6(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ସରପଞ୍ଚ ସଂଘ ତରଫରୁ କେନ୍ଦ୍ରାପଡ଼ା ଜିଲାର ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଦୁର୍ବ୍ଯବହାର ଏବଂ ତାଙ୍କୁ ମିଥ୍ୟା ମାମଲାରେ ଗିରଫ କରାଯାଇଥିବା ଘଟଣାର ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରପଞ୍ଚ ସଂଘର ଆହ୍ୱାନକ୍ରମେ ଆୟୋଜିତ ଏହି ବିକ୍ଷୋଭରେ ଗଜପତି ଜିଲାର ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ସାମିଲ ହୋଇଥିଲେ। ଗଜପତି ଜିଲା ସରପଞ୍ଚ ସଂଘ ସଭାପତି ସଂଘମିତ୍ରା ଶବରଙ୍କ ନେତୃତ୍ବରେ ସରପଞ୍ଚମାନେ ଏକତ୍ରିତ ହୋଇ ଘଟଣାର ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେଲେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଜିଲାର ୧୪୯ ପଞ୍ଚାୟତର ସରପଞ୍ଚମାନେ ଅସହଯୋଗ କରିବେ ବୋଲି ଗଜପତି ସରପଞ୍ଚ ସଂଘ ଚେତାବନୀ ଦେଇଛି।
ମହେନ୍ଦ୍ରଗିରି ଠାରେ ସାମୁହିକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି, 19/6(ତାରିଣୀ ପ୍ରସାଦ ପଣ୍ଡା):

ଗଜପତି ଜିଲ୍ଲାର ମୁକୁଟ ତଥା ପୁରାଣ ପ୍ରସିଦ୍ଧ ଶୈବପୀଠ ମହେନ୍ଦ୍ରଗିରି ଠାରେ ସାମୁହିକ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ଯୋଗଦେଇ, ସାମୁହିକ ସ୍ୱଚ୍ଛତା ଅଭିଯାନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମ ପ୍ରଥମେ ବୁରୁକୁତୁ ଛକ ଠାରୁ ଆରମ୍ଭ କରାଯାଇ ପରେ ମହେନ୍ଦ୍ରଗିରି ପାହାଡ ଶିଖରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. ଏଇ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ଜିଲ୍ଲାପାଳ ସୁନୀଲ ଅଗ୍ରୱାଲ, ବନବିଭାଗ ଅଧିକାରୀ କେ. ନାଗରାଜୁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ, ସରକାରୀ କର୍ମଚାରୀ ଓ ସ୍ୱେଚ୍ଛାସେବୀ ଅଂଶ ଗ୍ରହଣ କରି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ବିଭିନ୍ନ ସଫେଇ କରିବା ସହ ମହେନ୍ଦ୍ରଗିରି ପର୍ବତର ପରିବେଶକୁ ପରିଷ୍କାର କରିଥିଲେ.
ଜମ୍ମୁରେ ଶହୀଦ ହୋଇଥିବା ଗଜପତିର ଯବାନ ଦେବେନ୍ଦ୍ରଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ଅନ୍ତେଷ୍ଟିକ୍ରିୟା ସମାପନ କରାଗଲା

ପାରଳାଖେମୁଣ୍ଡି, 19/6(ତାରିଣୀ ପ୍ରସାଦ ପଣ୍ଡା):

ଜାମ୍ମୁରେ କାର୍ଯ୍ୟରତ ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ତାଟିପାଟି ଗ୍ରାମର ଜଣେ ଜବାନ ସହୀଦ ହୋଇଛନ୍ତି । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରି ଜବାନଙ୍କ ଅନ୍ତେଷ୍ଟିକ୍ରିୟା ସମାପନ ହୋଇଛି. ସୂଚନାରୁ ପ୍ରକାଶଯେ, ଗଜପତି ଜିଲ୍ଲାର ତାଟିପାଟି ଗ୍ରାମର ସହୀଦ ଜବାନ ବିଏମପି ବାନ୍ଦରା ଦେବେନ୍ଦ୍ର ରାଓ 16 ରାଷ୍ଟ୍ରୀୟ ରାଇଫଲରେ ନାଏକ ପଦବୀରେ ଅଧିଷ୍ଠିତ ଥିଲେ । ଜମ୍ମୁର ସୁରାନକୋଟ ଠାରେ ଥିବା ସେନା ମୁଖ୍ୟାଳୟରେ ନିୟୋଜିତ ରହିଥିଲେ । ଗୁରୁବାର ରାତ୍ର ସେ ନିଜ ଡ୍ୟୁଟିରେ ରହିଥିବା ବେଳେ ବଡିଭୋର୍ ସମୟରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା । ଯାହାକି ସେଠାରେ ନିୟୋଜିତ ସେନା ଅଧିକାରୀମାନେ ମୃତଦେହକୁ ଉଦ୍ଧାର କରି ମୃତଦେହକୁ ଆଇନଗତ ଔପଚାରିକତା ଏବଂ ବ୍ୟବଚ୍ଛେଦ ପ୍ରକ୍ରିୟା ପାଇଁ ସ୍ଥାନୀୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ।

ଏହି ଖବର ଗ୍ରାମରେ ପ୍ରଚାରିତ ହେବା ପରେ ତାଙ୍କ ପରିବାର ଏବଂ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଆଜି ସକାଳୁ ସକାଳୁ ଦେବେନ୍ଦ୍ର ରାଓଙ୍କ ମୃତ ଶରୀରକୁ ସାଥି 16 ରାଷ୍ଟ୍ରୀୟ ରାଇଫଲର ଜବାନମାନେ ଧରି ପହଞ୍ଚିଥିଲେ । ତାଙ୍କ ମୃତ ଶରୀର ଅଣାଯିବା ବେଳେ ଗ୍ରାମ ଠାରୁ ପାଞ୍ଚକିମି ଦୂରତାରେ ଥିବା ଗୋଷାଣି ଗ୍ରାମ ଛକ ଠାରୁ ଗ୍ରାମବାସୀମାନେ ଏକ ବିରାଟ ପଟୁଆରରେ ସମ୍ମାନର ସହ ଗ୍ରାମକୁ ପାଛୋଟି ଆଣିଥିଲେ । ସହୀଦ ଜବାନଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ତାଟିପାଟି ଗ୍ରାମ ଜନସମୂଦ୍ର ପାଲଟିଯାଇଥିଲା । ଏହି ଗ୍ରାମାଞ୍ଚଳର ଆଖପାଖ ଅଞ୍ଚଳର ହଜାର ହଜାର ଲୋକଙ୍କ ସମେତ ପୂର୍ବତନ ସେନା କର୍ମଚାରୀମାନେ ମଧ୍ୟ ଯୋଗ ଦେଇଥିଲେ । ଶେଷରେ ସେନା ପକ୍ଷରୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତୋପ ସଲାମି ଦିଆଯାଇ ଅନ୍ତେଷ୍ଟ୍ରିକ୍ରିୟା ହୋଇଥିଲା । ସହୀଦ ଜବାନଙ୍କୁ ତାଙ୍କ ବଡ ଭାଇ ମୁଖାଗ୍ନି ଦେଇଥିଲେ । ସହୀଦ ଜବାନ ଦେବେନ୍ଦ୍ର ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଦୁଇଟି କୁନି କୁନି ଶିଶୁ କନ୍ୟା ଓ ଧର୍ମପତ୍ନୀ ରହିଛନ୍ତି । ଅନ୍ୟପକ୍ଷରେ ଏହି ସହୀଦ ଜବାନଙ୍କ ଅନ୍ତେଷ୍ଟିକ୍ରିୟାରେ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପ୍ରଶାସନର ଉପସ୍ଥିତି ଦେଖିବାକୁ ମିଳିନଥିଲା ।

Leave a Reply

Your email address will not be published. Required fields are marked *