Spread the love

ପରିଚୟ

ସମସ୍ତେ ନିଜର ପରିଚୟ ଦେବା ପାଇଁ ପ୍ରାୟ ବ୍ୟାକୁଳ ହୋଇଥାନ୍ତି । ଏଥି ନିମନ୍ତେ ପ୍ରତ୍ୟେକେ ନିଜ–ନିଜ ଢଙ୍ଗରେ ଚେଷ୍ଟା ମଧ୍ୟ କରିଥାନ୍ତି । କେହି ଧନ କୁବେର ହେବା ପାଇଁ ପ୍ରୟାସ କରିଥାଏ ତ କେହି ଉଚ୍ଚପଦ ପାଇଁ ଉପାୟ ପାଞ୍ଚିଥାଏ । କାହାର ପ୍ରୟାସ ସମ୍ମାନ ପାଇଁ ହୋଇଥାଏ ତ କେହି ଏଥିପାଇଁ ବଡ଼ ବଡ଼ ଉପାଧୁଗୁଡ଼ିକ ଏକାଠି କରିଥାଏ । ସଂକ୍ଷେପରେ କହିବାକୁ ଗଲେ ଯେତିକି ଲୋକ ସେତିକି ପ୍ରୟାସ । ଯଦ୍ୟପି ଏସବୁ ପ୍ରୟାସଗୁଡ଼ିକର ଉଦ୍ଦେଶ୍ୟ ହେଉଛି- ଅଧିକରୁ ଅଧିକ ଲୋକ ମୋତେ ଚିହ୍ନନ୍ତୁ ଏବଂ ମୋର ନିଜର ପରିଚୟ ଅନ୍ୟମାନଙ୍କ ଠାରୁ ବଢ଼ିଆ ହେଉ ।

ଏସବୁ ପ୍ରୟାସରେ ଲାଗିଥିବା ଲୋକେ ଭୁଲି ଯାଆନ୍ତି ଯେ ତାଙ୍କ ପାଖରେ ଯାହା ଅଛି ତଦ୍ବାରା ନୁହେଁ, ବରଂ ସେ ସ୍ବୟଂ କ’ଣ ! ତଦ୍ବାରା ତାଙ୍କର ସଠିକ୍ ପରିଚୟ ହୋଇଥାଏ । ବାସ୍ତବରେ ତାହା ସଚ୍ଚା ସଂପଦ ଅଟେ, ତାହା ହିଁ ତାଙ୍କର ସଠିକ୍ ପରିଚୟ । ଯିଏ ତାକୁ ସମ୍ଭାଳି ନିଏ, ସେ ସବୁ ସମ୍ଭାଳି ନିଏ ।

ଏ ସମ୍ବନ୍ଧରେ ମହାତ୍ମା କବୀରଙ୍କ ଗୋଟିଏ କଥା ପ୍ରସିଦ୍ଧ । ସେ ନିଜ ପୁଅ କମାଲକୁ ପରିଚୟର ସଠିକ୍ ପାଠ ପଢ଼ାଇବା ପାଇଁ ମଝି ରାସ୍ତାରେ ଠିଆ ହୋଇଥିଲେ । ସେ ସମୟରେ ବାନ୍ଦୋଗଡ଼ର ରାଜାଙ୍କ ଶିବିକା ବାହାରିବାର ଥିଲା । ମାର୍ଗକୁ ନିର୍ବିଘ୍ନ କରିବା ପାଇଁ କେତେକ ସୈନିକ ସେଠାକୁ ଆସିଲେ । ସେମାନେ କବୀରକୁ ଧକା ଦେଇ କହିଲେ- “ଏ ବୁଢ଼ା ! ତୋତେ ବୁଝାପଡୁ ନାହିଁକି ଏବେ ମହାରାଜଙ୍କ ପାଲିଙ୍କି
ବାହାରିବାର ଅଛି ।’’ ଏହାପରେ କବୀର ହସିହସି କହିଲେ- ‘‘ଏହି କାରଣ !’’ ପରେ ସୈନିକମାନଙ୍କର ଅଧିକାରୀ ଆସିଲା ଏବଂ କହିଲା- ‘‘ମାର୍ଗରୁ ହଟି ଯାଅ, ମହାରାଜଙ୍କ ପାଲିଙ୍କି ଆସୁ ଅଛି ।’’ କବୀର, ପୁଣି ହସି କରି କହିଲେ– ‘‘ଏହି କାରଣ ।’
ଏହାପରେ ରାଜାଙ୍କ ମନ୍ତ୍ରୀ ଆସିଲେ। ସେ କିଛି ତାଙ୍କୁ କହିଲେ ନାହିଁ ଏବଂ ତାଙ୍କୁ ବଞ୍ଚାଇ ନିଜ ଘୋଡ଼ାକୁ ନେଇଗଲେ। ଏହାପରେ କବୀର ପୁଣି ହସି କହିଲେ- ‘ଏହି କାରଣ,’’ ଆଉ ତା’ପରେ ବାନ୍ଦୋଗଡ଼ର ମହାରାଜ ନିଜେ ଆସିଲେ, ସେ ନିଜ ପାଲିଙ୍କିରୁ ଓହ୍ଲାଇ ମହାତ୍ମା କବୀରଙ୍କ ପାଦ ଛୁଇଁଲେ ଏବଂ ପୁଣି ଚାଲିଗଲେ। ଏହାପରେ କବୀର ଠୋ ଠୋ ହସିଲେ ଏବଂ କହିଲେ– ‘‘ଏହି କାରଣ !’’ ଏବେ କମାଲ ଆଉ ସମ୍ଭାଳି ରହି ପାରିଲା ନାହିଁ, ସେ ତାଙ୍କୁ ହସିବାର ଏବଂ ‘‘ଏହି କାରଣ’’ କହିବାର କାରଣ ପଚାରିଲା । ଏହାପରେ କବୀର କହିଲେ-
ମନୁଷ୍ୟର ବ୍ୟକ୍ତିତ୍ଵ ଓ ଆଚରଣ ଦ୍ଵାରା ତାଙ୍କର ପରିଚୟ ପ୍ରକଟ ହୋଇଥାଏ । ଏହି କାରଣରୁ ମନୁଷ୍ୟମାନଙ୍କ ମଧ୍ୟରେ ଭେଦ ସୃଷ୍ଟି ହୋଇଥାଏ। ଯିଏ ନିଜର ବ୍ୟକ୍ତିତ୍ଵ ଓ ଆଚରଣର ନିରନ୍ତର ସମୀକ୍ଷା କରି ଏହାକୁ ବିକଶିତ କରିନିଅନ୍ତି, ସେ ନିଜର ପରିଚୟକୁ ମଧ୍ୟ ସ୍ବତଃ ବିକଶିତ କରିଥାନ୍ତି l

ଅଖଣ୍ଡଜ୍ୟୋତି ଅଗଷ୍ଟ 2013

Related Post

Leave a Reply

Your email address will not be published. Required fields are marked *