Spread the love

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡିଶା

ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସରଙ୍କ ସହ
ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଇନଫ୍ଲୁଏନ୍ସରମାନେ ହେଉଛନ୍ତି ସମୃଦ୍ଧ ଓଡ଼ିଶାର
ଶକ୍ତିଶାଳୀ ଡିଜିଟାଲ୍ ଆମ୍ବାସଡର

ଶସ୍ତା ଏବଂ ନକରାତ୍ମକ କଣ୍ଟେଣ୍ଟରୁ ଦୂରେଇ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ରାଷ୍ଟ୍ର ସର୍ବୋପରି; ସରକାରଙ୍କୁ ସମାଲୋଚନା କରନ୍ତୁ, କିନ୍ତୁ ଦେଶକୁ ଅସମ୍ମାନ ଗ୍ରହଣୀୟ ନୁହେଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ରଜତ ମହାପାତ୍ର (ଦର୍ଶନ ସମୀକ୍ଷା)ଭୁବନେଶ୍ୱର
୧୨ ଜୁନ ୨୦୨୬

ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ସେଣ୍ଟରରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ଡିଜିଟାଲ୍ କ୍ରିଏଟରମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଡିଜିଟାଲ୍ କ୍ରିଏଟରମାନଙ୍କୁ ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶାର ସବୁଠାରୁ ଶକ୍ତିଶାଳୀ ‘ଡିଜିଟାଲ୍ ଆମ୍ବାସଡରସ୍’ ଏବଂ ଭବିଷ୍ୟତର ‘ଓପିନିଅନ ଲିଡରସ୍’ ବୋଲି କହିଛନ୍ତି।

ଡିଜିଟାଲ କ୍ରିଏଟର ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯିଏ ଯେଉଁ ଚିନ୍ତାଧାରାର ସମର୍ଥକ ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ପାଇଁ ‘ରାଷ୍ଟ୍ର ସର୍ବୋପରି’ ହେବା ଉଚିତ। ‘ଦେଶ’ ଏବଂ ‘ସରକାର’ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ ସେ କହିଥିଲେ, ଆପଣ ସରକାରଙ୍କୁ ସମାଲୋଚନା କରି ପାରିବେ, କିନ୍ତୁ ସରକାରଙ୍କୁ ସମାଲୋଚନା କରିବା ଆଳରେ ‘ଦେଶକୁ’ ଅସମ୍ମାନ କରିବା କେବେ ବି ଗ୍ରହଣୀୟ ନୁହେଁ । ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟିଂ ଯୋଗୁଁ ଯୁବପିଢ଼ି ଯେଭଳି ବିବାଦରେ ଛନ୍ଦି ହୋଇ ନିଜ ଭବିଷ୍ୟତ ନଷ୍ଟ ନକରନ୍ତି, ସେଥିପ୍ରତି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସତର୍କ କରାଇ ଦେଇଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀ ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣ କାର୍ଯ୍ୟକ୍ରମ ଗୁଡିକୁ କଣ୍ଟେଣ୍ଟ ମାଧ୍ୟମରେ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଆବଶ୍ୟକ ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ, ଆପଣମାନଙ୍କ କଣ୍ଟେଣ୍ଟର ଉଦ୍ଦେଶ୍ୟ କେବଳ ‘ଭିଉଜ୍’ (Views) ବଢ଼ାଇବା କିମ୍ବା କିଛି ସେକେଣ୍ଡର ମନୋରଞ୍ଜନ ମଧ୍ୟରେ ସୀମିତ ନରହି, ସମାଜ ପାଇଁ ଏକ ସୁସ୍ଥ ବାର୍ତ୍ତା ବହନ କରିବା ଆବଶ୍ୟକ। ‘କ୍ଲିକ୍‌ବେଟ୍’ ଏବଂ ଶସ୍ତା ପ୍ରସିଦ୍ଧିର ମୋହରୁ ଦୂରେଇ ରଖି ‘Purpose-Driven Content’ ବା ମହତ ଉଦ୍ଦେଶ୍ୟ ଭିତ୍ତିକ ସୃଜନଶୀଳତା ଆଡ଼କୁ ଆକର୍ଷିତ କରିବାକୁ ସେ କଣ୍ଟେଣ୍ଟ କ୍ରିଏଟର ମାନଙ୍କୁ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆଜିର ‘ଜେନ୍-ଜି’ (Gen-Z) ବା ନୂତନ ପିଢ଼ିର ମାନସିକ ସ୍ଥିତି ଉପରେ ଚିନ୍ତା ପ୍ରକଟ କରି କହିଥିଲେ ଯେ, ଏହି ପିଢ଼ି ଖୁବ୍ ସ୍ମାର୍ଟ ଓ ସୃଜନଶୀଳ ହୋଇଥିଲେ ମଧ୍ୟ ସୂଚନାର ଅତିରିକ୍ତ ବୋଝ, ଆତ୍ମପରିଚୟର ସଂଘର୍ଷ, ମାନସିକ ଚାପ ଏବଂ ସାଇବର ଜଗତର ନକାରାତ୍ମକତା ଯୋଗୁଁ ବେଳେବେଳେ ବିଭ୍ରାନ୍ତ ହେଉଛନ୍ତି। ଏଭଳି ସ୍ଥିତିରେ ଇନଫ୍ଲୁଏନ୍ସରମାନଙ୍କର ଗୋଟିଏ ‘ରିଲ୍’ କିମ୍ବା ‘ଭିଡିଓ’ ହଜାର ହଜାର ଯୁବପିଢ଼ିଙ୍କ ମନୋଭାବକୁ ବଦଳାଇ ଦେଇପାରେ।

ସୋସିଆଲ ମିଡିଆର ବ୍ୟବହାର ଓ ସଂଯମତା ରକ୍ଷା ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ହେଉଛି ଜଗନ୍ନାଥ ସଂସ୍କୃତିର ପବିତ୍ର ଭୂମି, ଯେଉଁଠି ‘ବସୁଧୈବ କୁଟୁମ୍ବକମ୍’ର ଶିକ୍ଷା ଦିଆଯାଇଥାଏ। ତେଣୁ କେବଳ ଟିଆରପି (TRP) ପାଇଁ କୌଣସି ବିପଦଜନକ ଷ୍ଟଣ୍ଟ୍, କ୍ଷତିକାରକ ଆହ୍ୱାନ କିମ୍ବା ଜାତି, ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ବିବାଦ ସୃଷ୍ଟି କରୁଥିବା ବିଷୟବସ୍ତୁ ପ୍ରସ୍ତୁତ କରିବା ଉଚିତ ନୁହେଁ। ସେହିପରି ଗୁଜବ ଓ ମିଥ୍ୟା ଖବର (Fake News) ବିରୋଧରେ ସଜାଗ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।

ସୂଚନା ଓ ଲୋକସମ୍ପର୍କ ବିଭାଗଦ୍ବାରା ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ଓଡିଶାର ଖ୍ୟାତି ସମ୍ପନ୍ନ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ସ୍ବାସ୍ଥ୍ୟ ବିଶେଷଜ୍ଞ, କଳା ଏବଂ ସାହିତ୍ୟ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ସମେତ ସୋସିଆଲ ମିଡିଆର ବହୁ ଇନ୍‌ଫ୍ଲୁଏନ୍‌ସର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଇଥିଲେ।
କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକଙ୍କ ସହିତ ବରିଷ୍ଠ ବିଭାଗୀୟ ଅଧିକାରୀ ଓ ବିଭିନ୍ନ ବିଭାଗର ଲୋକସମ୍ପର୍କ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସୂଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *