ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ଦ୍ୱାରା ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ -ରଜତ ମହାପାତ୍ର ଭୁବନେଶ୍ୱର ଦର୍ଶନ ସମୀକ୍ଷା

Spread the love

ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ, ଓଡ଼ିଶା ଦ୍ୱାରା ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ ପାଳିତ

  • ଶିଶୁ ଶ୍ରମ ନିଷେଧ ସମ୍ବନ୍ଧୀୟ ପୋଷ୍ଟର ଉନ୍ମୋଚନ ଓ ‘ଶିଶୁ ଶ୍ରମ ନିରାକରଣ ରଥ’ର ଶୁଭାରମ୍ଭ

ଭୁବନେଶ୍ୱର, ୧୨ ଜୁନ ୨୦୨୬: (ଦର୍ଶନ ସମୀକ୍ଷା)

ଆଜି ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ (ୱାର୍ଲ୍ଡ ଡେ ଅଗେନ୍‌ଷ୍ଟ ଚାଇଲ୍ଡ ଲେବର୍) ଅବସରରେ, ଖାରବେଳ ନଗରସ୍ଥିତ ଶ୍ରମ ନିର୍ଦ୍ଦେଶାଳୟ ପରିସରରେ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଶ୍ରୀମତୀ ଚିତ୍ରା ଅରୁମୁଗମ୍, ଏକ ଶିଶୁ ଶ୍ରମ ବିରୋଧୀ ପୋଷ୍ଟରର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଏକ ପକ୍ଷବ୍ୟାପୀ ଶିଶୁ ଶ୍ରମ ବିରୋଧୀ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରାଯାଇଛି, ଯାହା ୨୬ ଜୁନ ୨୦୨୬ ପର୍ଯ୍ୟନ୍ତ ଚାଲିବ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାଙ୍କ ବକ୍ତବ୍ୟରେ ଶିଶୁ ଓ କିଶୋର ଶ୍ରମ (ନିଷେଧ ଓ ନିୟନ୍ତ୍ରଣ) ଆଇନ, ୧୯୮୬ର କଡ଼ାକଡ଼ି କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ ଯେ ଶିଶୁ ଶ୍ରମିକ ପ୍ରଥା ଦୂରୀକରଣ ଏକ ବହୁ-ସ୍ତରୀୟ ପ୍ରୟାସ, ତେଣୁ ଏଥିପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଆବଶ୍ୟକ। ଶିଶୁ ଅଧିକାର ସୁରକ୍ଷା ଓ ପ୍ରୋତ୍ସାହନ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହିତ ସମନ୍ୱୟକୁ ଆହୁରି ସୁଦୃଢ଼ କରାଯାଇଛି। ଶେଷରେ, ସେ ଓଡ଼ିଶାକୁ ଶିଶୁ ଶ୍ରମ ମୁକ୍ତ କରିବା ପାଇଁ ସମସ୍ତଙ୍କୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତା ବୃଦ୍ଧି କରିବା ପାଇଁ ଏକ ‘ଶିଶୁ ଶ୍ରମ ନିରାକରଣ ରଥ’ର ମଧ୍ୟ ଶୁଭାରମ୍ଭ କରାଯାଇଛି। ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ଶ୍ରମ କମିଶନର, ଓଡ଼ିଶା ଏହି ଅଭିଯାନର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେ ଜିଲ୍ଲା ସ୍ତରରେ ରାଲି, ପ୍ରବର୍ତ୍ତନ ଅଧିକାରୀ ମାନଙ୍କ ବୈଠକ, ଚଢ଼ାଉ ଓ ଉଦ୍ଧାର କାର୍ଯ୍ୟ ଏବଂ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ଶ୍ରମ ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସଚେତନ କରିବା ଭଳି କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ଏହି ସଚେତନତା ଅଭିଯାନକୁ ସଫଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବିଶୟରେ ଅବଗତ କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ପିପୁଲ୍ସ କଲ୍ଚରାଲ୍ ସେଣ୍ଟର, କମ୍ୟୁନିଟି ରେଡିଓ ଆସୋସିଏସନ୍, ଇଣ୍ଟରନ୍ୟାସନାଲ୍ ଜଷ୍ଟିସ୍ ମିଶନ୍, ରୁଚିକା ସୋସିଆଲ୍ ସର୍ଭିସ୍ ଅର୍ଗାନାଇଜେସନ୍ ଏବଂ କ୍ୟାମ୍ପେନ୍ ଅଗେନ୍‌ଷ୍ଟ ଚାଇଲ୍ଡ ଲେବର୍ (ସିଏସିଏଲ୍) ର ପ୍ରତିନିଧିମାନଙ୍କ ସହ ଶ୍ରମ ନିର୍ଦ୍ଦେଶାଳୟ ଏବଂ ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ, ଖୋର୍ଦ୍ଧାର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ସ୍ନିଗ୍ଧା ମାଧୁରୀ
ଲୋକସମ୍ପର୍କ ଅଧିକାରୀ

Leave a Reply

Your email address will not be published. Required fields are marked *