ନୈତିକତା ଦୃଷ୍ଟିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ: ବିଜେଡି
ଭୁବନେଶ୍ୱର : ପ୍ରଦୀପ କୁମାର ପଣ୍ଡା (ଦର୍ଶନ ସମୀକ୍ଷା)
ବିଜେପି ସରକାରକୁ ଆସିବା ଦିନଠୁ ପ୍ରାୟ ସବୁ ପରୀକ୍ଷାରେ ପେପର ଲିକ୍ ହୋଇ ପରୀକ୍ଷା ବାତିଲ ହୋଇଛି । । ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରି ଥର ନିଟ୍ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ସିବିଏସ୍ଇ ପରୀକ୍ଷା ସହ ଅନ୍ୟାନ୍ୟ ପରୀକ୍ଷାରେ ମଧ୍ୟ ବିଭ୍ରାଟ ସୃଷ୍ଟି ହୋଇଛି । ପିଲାଙ୍କ ଭବିଷ୍ୟତ ସହିତ ଖେଳୁଥିବା ବିଜେପି ସରକାର ଉପରେ କ୍ଷୋଭ ପ୍ରକାଶ କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଓ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି, ଦେଶରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି । ନିଟ୍, ସିବିଏସ୍ଇ ପରୀକ୍ଷାରେ ବିଭାଟ ଯୋଗୁଁ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ସହିତ ଖେଳୁଥିବା ବିଜେପି ସରକାରକୁ କଡ଼ା ସମାଲୋଚନା କରିଥିଲେ ।
ଶ୍ରୀମତୀ ସୁଲତା ଦେଓ କହିଥିଲେ ଯେ, ବାରମ୍ବାର ପରୀକ୍ଷାରେ ବିଭ୍ରାଟ ହେବା ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାର ଗଭୀର ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ବର୍ଷ ବର୍ଷ ଧରି ପରିଶ୍ରମ କରି ପରୀକ୍ଷା ଦେଉଥିବା ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଉଛି । ୨୦୨୪ରେ ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ହେଲା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଦାୟିତ୍ୱରେ ଥିବା ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଥମେ ଅସ୍ୱୀକାର କଲେ ଓ ପରେ ମାନିଲେ ଯେ, କିଛି ରାଜ୍ୟରେ ପେପର ଲିକ୍ ହୋଇଛି । ଚଳିତ ବର୍ଷ ନିଟ୍, ସିବିଏସ୍ଇ, ସିୟୁଟି ପରୀକ୍ଷାରେ ବିଭ୍ରାଟ ହେବା ଯୋଗୁଁ ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ରହିଥିବା ବେଳେ କେତେକ ପିଲା ଆତ୍ମହତ୍ୟା କରିସାରିଲେଣି । ଏପରି ପରିସ୍ଥିତିରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉତ୍ତରଦାୟିତ୍ୱ ରହିଥିଲେ ମଧ୍ୟ ସେ ଏହି ପ୍ରସଙ୍ଗରେ ସନ୍ତୋଷଜନକ ସ୍ପଷ୍ଟୀକରଣ ଦେବାରେ ବିଫଳ ହୋଇଛନ୍ତି ।
ଶ୍ରୀମତୀ ଦେଓ ଆହୁରି କହିଥିଲେ, ସୋସିଆଲ ମିଡିଆରେ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ସମ୍ପର୍କରେ ବିଭିନ୍ନ ତଥ୍ୟ ଓ ଅଭିଯୋଗ ପ୍ରଚାରିତ ହେଉଛି । ଏହି ଟ୍ରଷ୍ଟ ସହ କେନ୍ଦ୍ରମନ୍ତ୍ରୀଙ୍କ ଧର୍ମପତ୍ନୀ ଶ୍ରୀମତୀ ମୃଦୁଳା ପ୍ରଧାନଙ୍କ ନାମ ଜଡିତ ଥିବାରୁ ଜନସାଧାରଣଙ୍କ ମନରେ ସନେ୍ଦହ ସୃଷ୍ଟି ହୋଇଛି । ବିଜୁ ନବୀନ ଇନ୍ସପିରେସନାଲ ଟ୍ରଷ୍ଟ ବିଷୟରେ ବିଭିନ୍ନ ସମୟରେ ଯେପରି ପ୍ରଶ୍ନ ଉଠିଥିଲା ଆମେ ସେଥିରେ ସ୍ପଷ୍ଟତା ଦେଇଥିଲୁ, ସେହିପରି ଧର୍ମେନ୍ଦ୍ର ବାବୁ ମଧ୍ୟ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ସହ ତାଙ୍କର କିମ୍ୱା ତାଙ୍କ ପରିବାରର କି ପ୍ରକାର ସମ୍ପର୍କ ରହିଛି ତାହା ସ୍ପଷ୍ଟ କରନ୍ତୁ ।
ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବିକଶତି ଭାରତର ସ୍ୱପ୍ନ ଦେଖାଇ କ୍ଷମତାକୁ ଆସିଥିଲା ଭାରତୀୟ ଜନତା ପାର୍ଟି । କିନ୍ତୁ ନିଟ୍, ସିବିଏସଇ ଏବଂ ସିୟୁଇଟି ଭଳି ଜାତୀୟ ସ୍ତରର ପରୀକ୍ଷାରେ ବାରମ୍ବାର ବିଭ୍ରାଟ ଘଟୁଥିବାରୁ ଶିକ୍ଷା ବ୍ୟବସ୍ଥା ପ୍ରତି ଲୋକଙ୍କ ରହିଥିବା ବିଶ୍ୱାସକୁ ଗଭୀର ଆଘାତ ଦେଇଛି । ଗୋଟିଏ ପରୀକ୍ଷାକୁ ସଠିକ ରୂପରେ ପରିଚାଳନା କରିବା ପାଇଁ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଦକ୍ଷତା ନାହିଁ । ପେପର ଲିକ୍ ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ବେଳେ କେନ୍ଦ୍ର ସରକାର ଏବଂ ଶିକ୍ଷା ମନ୍ତ୍ରଣାଳୟ ଏହାର ନୈତିକ ଦାୟିତ୍ୱରୁ ମୁକ୍ତ ହୋଇପାରିବେ ନାହିଁ । ବିଭିନ୍ନ ଗଣମାଧ୍ୟମ ଏବଂ ଜାତୀୟ ସମ୍ୱାଦପତ୍ରରେ ପ୍ରକାଶିତ ତଥ୍ୟ ଅନୁଯାୟୀ ପରୀକ୍ଷା ପରିଚାଳନାରେ ଗୁରୁତର ବିଫଳତା ପରିଲକ୍ଷିତ ହୋଇଛି । ଏହି ପରିସ୍ଥିତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀରବତା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଯେତେବେଳେ ଲକ୍ଷ ଲକ୍ଷ ଯୁବପିଢ଼ିଙ୍କ ଭବିଷ୍ୟତ ସମ୍ପର୍କିତ ପ୍ରସଙ୍ଗ ଆସୁଛି, ସେତେବେଳେ ସମ୍ପୃକ୍ତ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦେବା ନୈତିକ ଓ ପ୍ରଶାସନିକ ଦାୟିତ୍ୱ ଅଟେ ।
ଡ଼ ମହାନ୍ତି ଆହୁରି କହିଥିଲେ, ଆମେରିକାର ମେଲୋରସ୍ ସହରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ଯେଉଁ ଘରେ ରହି ତାଙ୍କ ଏଲ୍ଏଲ୍ଏମ୍ ଶିକ୍ଷା ଗ୍ରହଣ କରୁଥିଲେ, ସେଠାରେ ତାଙ୍କୁ ଯେଉଁମାନେ ଭେଟୁଥିଲେ ସେହି ମାନଙ୍କ ଭିତରୁ କିଛି ଲୋକଙ୍କ ଶିକ୍ଷାଜନିତ ବ୍ୟବସାୟ ଅଛି କି ନାହିଁ ଏବଂ କମ୍ପୁ୍ୟଟେକ, ଏଡୁଟେକ୍ ସଂସ୍ଥାର ନିଦେ୍ର୍ଦଶକ ରାଧାକି୍ରଷ୍ଣ ଜୟରମଣଙ୍କୁ ଆମେରିକାରେ ତାଙ୍କ ଝିଅଙ୍କ ସ୍ଥାନୀୟ ଅଭିଭାବକ ଭାବେ ଦର୍ଶାଯାଇଛି କି ନାହିଁ ତାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ କରନ୍ତୁ । ସିବିଏସ୍ଇ ପରୀକ୍ଷାର ଖାତା ଦେଖା ପାଇଁ ଏଡୁଟେକ୍ ସଂସ୍ଥାକୁ କାମ ଦେବା ପାଇଁ ତିନି ତିନି ଥର ଟର୍ମ ଆଣ୍ଡ କଣ୍ଡିସନ ଶ୍ରୀ ପ୍ରଧାନ ବଦଳାଇଥିଲେ ନା ନାହିଁ, ତାହାର ସ୍ପଷ୍ଟୀକରଣ ଦେବାର ଆବଶ୍ୟକତା ଅଛି । ନିଟ୍ ଓ ଅନ୍ୟାନ୍ୟ ପରୀକ୍ଷାରେ ଘଟିଥିବା ଅନିୟମିତତା ପାଇଁ ସ୍ୱାଧୀନ ଭାରତବର୍ଷରେ ସବୁଠୁ ବିଫଳ ଶିକ୍ଷାମନ୍ତ୍ରୀ ଭାବେ ଶ୍ରୀ ପ୍ରଧାନଙ୍କ ନାମ ଗଣାଯିବ ।












Leave a Reply