Spread the love

ଆଜିର ଗୀତା ପାଠ

ଯେଉଁ ବୁଦ୍ଧିହୀନ ସଂକଳ୍ପ ଦ୍ୱାରା ବ୍ୟକ୍ତି ଅବାସ୍ତବ କଳ୍ପନା କରିବା, ଭୟଭୀତ ହେବା, ଶୋକାକୁଳ ହେବା, ଅଶାନ୍ତ ରହିବା, ବିଷାଦ ଏବଂ କପଟକୁ ତ୍ୟାଗ କରି ପାରେ ନାହିଁ , ତାହାକୁ ତାମସିକ ସଂକଳ୍ପ କୁହାଯାଏ ॥୧୮/୩୫॥

ବ୍ୟାଖ୍ୟା :

କେହି ଏପରି ବୁଝିବା ଉଚିତ୍ ନୁହେଁ ଯେ ଏକ ସତ୍ତ୍ବଗୁଣାଧୀନ ବ୍ୟକ୍ତି ସ୍ଵପ୍ନ ଦେଖେ ନାହିଁ । ଏଠାରେ ସ୍ଵପ୍ନର ଅର୍ଥ – ଅତ୍ୟଧିକ ନିଦ୍ରା । ସ୍ବପ୍ନ ସର୍ବଦା ଅଛି ; ସାତ୍ତ୍ଵିକ ହେଉ , ରାଜସିକ ହେଉ ବା ତାମସିକ ହେଉ , ସ୍ବପ୍ନ ବରାବର ଅଛି ।ଏହା ସ୍ଵାଭାବିକ ଅଟେ । କିନ୍ତୁ ଯେଉଁମାନେ ଅତ୍ୟଧିକ ନିଦ୍ରା ପରିହାର କରିପାରନ୍ତି ନାହିଁ , ଯେଉଁମାନେ ଭୂତପ୍ରକୃତିକୁ ଉପଭୋଗ କରିବାର ସ୍ପର୍ଦ୍ଧା ପରିହାର କରିପାରନ୍ତି ନାହିଁ ଏବଂ ଯେଉଁମାନେ ସର୍ବଦା ଏ ଭୌତିକ ଜଗତ ଉପରେ ଆଧିପତ୍ୟ ବିସ୍ତାର କରିବାକୁ ସ୍ବପ୍ନ ଦେଖୁଥା’ନ୍ତି ; ଯେଉଁମାନଙ୍କର ମନ , ପ୍ରାଣ ଓ ଇନ୍ଦ୍ରିୟଗଣ ସେହିପ୍ରକାର କର୍ମରେ ନିଯୁକ୍ତ ହୋଇଥା’ନ୍ତି , ସେମାନେ ତମୋଗୁଣାଧୀନ ବୋଲି ବୁଝିବାକୁ ପଡ଼ିବ । ବୁଦ୍ଧିହୀନ ଏବଂ ମୁର୍ଖମାନଙ୍କ ଠାରେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଦେଖାଯାଇଥାଏ । କିନ୍ତୁ ଏହା ଭୟ, ଅଶାନ୍ତି ଏବଂ ଅହଂକାରରୁ ଉତ୍ପନ୍ନ ଜିଦ୍‌ଖୋର ମନୋବୃତ୍ତି ଅଟେ । ଉଦାହରଣ ସ୍ୱରୂପ, କେତେକ ବ୍ୟକ୍ତି ଭୟ-ମନୋଭାବର ଶୀକାର ହୋଇଥାନ୍ତି ଏବଂ ଆଶ୍ଚର୍ଯ୍ୟର ବିଷୟ ଏହା ଯେ ନିଜ ବ୍ୟକ୍ତିତ୍ୱର ଏକ ଅବିଚ୍ଛେଦ୍ୟ ଅଙ୍ଗ ପରି, ସେମାନେ ତାକୁ ଦୃଢ଼ ଭାବରେ ଧରି ରଖିଥାନ୍ତି । ଆଉ କେତେଜଣ ଅଛନ୍ତି, ଯେଉଁମାନେ ଅତୀତରେ ଘଟିଥିବା କିଛି ଅଘଟଣକୁ ଦୃଢ଼ତାର ସହ ସ୍ମୃତିରେ ଧାରଣ କରି ନିଜ ଜୀବନକୁ ନର୍କରେ ପରିଣତ କରିଥାନ୍ତି । ଏହାର ବିନାଶକାରୀ ପ୍ରଭାବ ତାଙ୍କ ଉପରେ ପଡ଼ୁଥିବାର ଲକ୍ଷ୍ୟ କରି ମଧ୍ୟ ସେମାନେ ଏହାକୁ ତ୍ୟାଗ କରନ୍ତି ନାହିଁ । ଅନ୍ୟମାନେ, ଯିଏ ତାଙ୍କର ଅହଂକାରକୁ ଏବଂ ନିଜ ସମ୍ବନ୍ଧରେ ତାଙ୍କର କଳ୍ପିତ ଧାରଣାକୁ ଆହତ କରନ୍ତି, ସେମାନଙ୍କ ସହିତ କଳହରେ ଲିପ୍ତ ରହନ୍ତି । ଏହିପରି ନିଷ୍ଫଳ ଭାବନାକୁ ଜିଦ୍ ପୂର୍ବକ ଦୃଢ଼ ଭାବରେ ଧରି ରଖିବାର ସଂକଳ୍ପକୁ, ଶ୍ରୀକୃଷ୍ଣ ତାମସିକ ଗୁଣଯୁକ୍ତ ଭାବରେ ଅଭିହିତ କରିଛନ୍ତି ।

Related Post

Leave a Reply

Your email address will not be published. Required fields are marked *