‘ସତ କହିବାକୁ କିଆଁ ଡରିବି,
ସତ କହି ମଲେ ପଛେ ମରିବି।’
ଏହି ବାକ୍ୟକୁ ମନ ପ୍ରାଣରେ ଶକ୍ତି ସ୍ଵରୂପ ଭରି ଦେବାକୁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା ଯେ ଏତିକି ସେ ଶିଖାଇ ଦିଅନ୍ତୁ।
ଅଶୋକ ସ୍ତମ୍ଭ ଚିହ୍ନ ତଳେ ‘ସତ୍ୟମେଵ ଜୟତେ’ ର ଅର୍ଥ ହେଉଛି କେବଳ ସତ୍ୟର ଜୟ ହୁଏ। ମୁଣ୍ଡକ ଉପନିଷଦର ଏହି ମନ୍ତ୍ରର ଦ୍ଵିତୀୟ ଧାଡ଼ି କହନ୍ତି ଯେ ଏହି ପଥରେ ଗତି କଲେ ଈଶ୍ବରଙ୍କ ପରମ ଧାମରେ ପହଞ୍ଚିବ।
‘ଧନ ଜନ ଲୋଡ଼ା ନାହିଁ’ – ଗୌତମ ବୁଦ୍ଧ ଗୃହତ୍ୟାଗ ଦ୍ଵାରା ଜୀବନରେ ଦର୍ଶାଇ ଆଜି ଭଗବାନ ରୂପେ ପୂଜିତ। ଏହା ବେଦାନ୍ତ ତତ୍ତ୍ଵର ମୂଳ ଭିତ୍ତି- ପ୍ରଥମ ମାନ୍ୟତା ପ୍ରାପ୍ତ ‘ ଈଶ ଉପନିଷଦ’ ର ପ୍ରଥମ ମନ୍ତ୍ର- ‘ ତେନ ତ୍ୟକ୍ତେନ ଭୁଞ୍ଜିଥା’। ସନାତନ ଧର୍ମର ମୂଳଦୁଆ ପକେଇଥିବା ସହସ୍ର ସହସ୍ର ମୁନିଋଷି ସମସ୍ତେ ତ୍ୟାଗୀ ବୈରାଗୀ।
‘ଆହେ ଦୟାମୟ ବିଶ୍ବବିହାରୀ’ ପ୍ରାର୍ଥନା ଶବ୍ଦମାନ ସନାତନ ଚେତନାର ଉପନିଷଦୀୟ ବାର୍ତ୍ତାରେ ପରିପୂର୍ଣ୍ଣ- ‘ ଜଳ ସ୍ଥଳ ବନ ଗିରି ଆକାଶ ‘ – ଶବ୍ଦମାନ ଋଗବେଦ ଓ ଶ୍ରୀମଦ୍ଭାଗବତରେ ବିଶ୍ଳେଷିତ, ଯାହା ଈଶ୍ବରଙ୍କ ନିଜ ରୂପ।
ଯେଉଁମାନେ ମନ, ବୁଦ୍ଧି, ଚିତ୍ତ ଓ ହୃଦୟର ସହିତ ପ୍ରାର୍ଥନାର ଶବ୍ଦାର୍ଥମାନ ଆତ୍ମାରେ ପ୍ରବିଷ୍ଟ କରାଇଛନ୍ତି, ସେମାନେ ଆଧ୍ୟାତ୍ମିକତାର ଅମୃତମୟ ପଥରେ ଗତି କରିଛନ୍ତି।