ଢ଼େଙ୍କାନାଳରେ ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ । ୭୭ ଜଣ ମେଧାବୀ ଛାତ୍ରଛାତ୍ରୀ ଓ ୨୧ ଜଣ କ୍ରୀଡାବିତ୍ ସମ୍ବର୍ଦ୍ଧିତ ।
ଢ଼େଙ୍କାନାଳ, ତା. ୧୯.୫.୨୦୨୬ – (ଦର୍ଶନ ସମୀକ୍ଷା)
ଆଜି ପୂର୍ବାହ୍ନରେ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବରେ ମୁଖ୍ଯ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ ।

ଭାରତବର୍ଷ ଜ୍ଞାନୀଗୁଣୀଙ୍କ ଦେଶ, ଢେଙ୍କାନାଳ ଜ୍ଞାନର ମାଟି ବୋଲି ଅଭିହିତ କରି ଜ୍ଞାନ କୌଶଳ ଯୋଗୁଁ ଆମ ଦେଶ ସୁରକ୍ଷିତ ଅଛି ବୋଲି ପ୍ରକାଶ କରିଥିଲେ । ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ଭୂୟସୀ ପ୍ରଶଂସା କରି ସମାଜର ନେତୃତ୍ଵ ନେଇ ଦେଶର ସାମଗ୍ରିକ ବିକାଶ ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ ଯୋଗ ଦେଇ, ପରିଶ୍ରମର ଫଳ ନିଶ୍ଚିତ ମିଳିଥାଏ, ଏଣୁ ପିଲାମାନେ ଅଧିକ ପରିଶ୍ରମ କରିବା ସହିତ ଭଲ ମଣିଷ ହେବା , ସମାଜର ସେବା କରିବା ସମସ୍ତଙ୍କର ପ୍ରଥମ ଲକ୍ଷ୍ୟ ହେବା ଉଚ଼ିତ ବୋଲି ସେ ପ୍ରକାଶ କରିଥିଲେ । ସ୍ୱତନ୍ତ୍ର ଆକାଂକ୍ଷା ଶିକ୍ଷାଦାନ କାର୍ଯ୍ୟକ୍ରମ ଯୋଗୁଁ A-1 ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ଯା ପ୍ରାୟ ଦ୍ୱିଗୁଣିତ ହୋଇପାରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯାଇ ଆଗାମୀ ବର୍ଷରେ ଅଧିକରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ସୃଷ୍ଟି କରାଯିବ ବୋଲି ସେ କହିଥିଲେ ।

ପ୍ରାରମ୍ଭରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର ସ୍ୱାଗତ ଭାଷଣ ଦେଇ ଚ଼ଳିତ ବର୍ଷ ଆକାଂକ୍ଷା କାର୍ଯ୍ୟକ୍ରମରେ ୧୯ଟି କେନ୍ଦ୍ର ମାଧ୍ୟମରେ ବିଶେଷ ଶିକ୍ଷାଦାନ ଯୋଗୁଁ, ୨୦୨୫ ମସିହାରେ ୩୯ ଜଣ A-1 ଗ୍ରେଡ୍ ପାଇଥିବା ବେଳେ ୨୦୨୬ ରେ ୭୭ ଜଣ A-1 ଗ୍ରେଡ୍ ପାଇଛନ୍ତି ବୋଲି ସୂଚନା ଦେଇଛନ୍ତି I ଏହି ସମାରୋହରେ, ମାଟ୍ରିକ୍ ପରୀକ୍ଷାରେ ଜିଲ୍ଲାର A-1 ଗ୍ରେଡରେ ଉତ୍ତିନ୍ନ ହୋଇଥିବା ୭୭ ଜଣ ମେଧାବୀ ଛାତ୍ରଛାତ୍ରୀ ଓ ଜାତୀୟ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ୨୧ ଜଣ କ୍ରୀଡ଼ାବିତ୍ ଙ୍କୁ ଅତିଥି ମାନେ ସମ୍ମାନିତ କରିଥିଲେ । ଉତ୍ସବରେ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ମନୋରଂଜନ ଦଳେଇ, ଶ୍ରୀମତୀ ବ୍ରହ୍ମୋତ୍ରୀ ବିଶ୍ୱାଳ, ଶ୍ରୀମତୀ ସୌମ୍ୟାଶ୍ରୀ ପଣ୍ଡା, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଶ୍ରୀମତୀ ସୁଜାତା ପଟ୍ଟନାୟକ, ପି.ଏମ. ଶ୍ରୀ ଜବାହାର ନିବୋଦୟ ବିଦ୍ୟାଳୟ (ସରାଙ୍ଗ) ର ଅଧ୍ୟକ୍ଷା ଡକ୍ଟର ପ୍ରତିମା ମିଶ୍ର ପ୍ରମୂଖ ଯୋଗ ଦେଇଥିଲେ । ଜିଲ୍ଲା ବିଜ୍ଞାନ ସୁପରଭାଇଜ ଶ୍ରୀ ଲକ୍ଷ୍ମୀଧର ମହନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।












Leave a Reply