Spread the love

ଗଜପତିରେ ସ୍ୱାସ୍ଥ୍ୟସେବା ବିପଦଜନ୍ନକ….. ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ତାଲା

ପାରଳାଖେମୁଣ୍ଡି, 18/5(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା

ଗଜପତିରେ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ବିପଦଜନ୍ନକ ସ୍ଥିତିରେ ରହିଥିବା ଦେଖିବାକୁ ମିଳିଛି. ସାଧାରଣଙ୍କ ସ୍ୱାସ୍ଥ୍ୟସେବା ପାଇଁ ରହିଥିବା ସରକାରୀ ଡାକ୍ତରଖାନାରେ ତାଲା ପଡ଼ିଥିବା ଯୋଗୁଁ ଜରୁରୀ ଚିକିତ୍ସା ପାଇଁ ଆସିଥିବା ରୋଗୀ ଡାକ୍ତରଖାନା ବାହାରେ ବର୍ତ୍ତମାନର ଖରାଦିନର ପ୍ରଚଣ୍ଡ ଉତ୍ତାପରେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ତଥା ପ୍ରାଥମିକ ଚିକିତ୍ସାଳୟରେ ଡାକ୍ତର କିମ୍ବା କର୍ମଚାରୀ ନଥିବା ଯୋଗୁଁ ଚିକିତ୍ସାଳୟରେ ତାଲା ଝୁଲୁଥିବାର ଦେଖିବାକୁମିଳୁଛି । ଚିକିତ୍ସା ପାଇଁ ଆସୁଥିବା ରୋଗୀମାନେ କୌଣସି ରାସ୍ତା ନ ପାଇ ପଡୋଶୀ ଆନ୍ଧ୍ରର ଘରୋଇ ଚିକିତ୍ସାଳୟକୁ ଯାଇ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ଗତକାଲି ଅପରାହ୍ନ ପ୍ରାୟ 3.30 ସମୟରେ ରୋଗୀ ଜଣକ ଚିକିତ୍ସା ପାଇଁ ଆସିଥିଲେ ହେଁ ତାଲା ପଡିଥିବା ଯୋଗୁଁ ଫାଟକ ନିକଟରେ ଶୋଇଥିବାର ବିକଳ ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ଗାରାବନ୍ଧ ପଞ୍ଚାୟତ ଅନ୍ତର୍ଗତ ବାଲାଜୀପୁର ଗ୍ରାମର ପି.ଗଣେଶ ନାମକ ଜଣେ ବ୍ୟକ୍ତି ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ତାଙ୍କ ପରିବାର ଲୋକେ ଏକ ଅଟୋ ଯୋଗେ ଏହି ଡାକ୍ତରଖାନାକୁ ଆଣିଥିଲେ. ହେଲେ ତାଲା ପଡିଥିବାର ଦେଖି ଉପାୟ ଶୂନ୍ୟ ହୋଇଯାଇଥିଲେ । ଅତ୍ୟାଧିକ ଉତ୍ତାପ ସାଙ୍ଗକୁ ଗୁରୁତର ଅବସ୍ଥାରେ ସେହି ଫାଟକ ନିକଟରେ ହିଁ ଶୋଇ ରହିଥିଲେ । ତାଙ୍କ ପରିବାର ଲୋକେ ତାଙ୍କ ସେବା ଶୁଶ୍ର କରି ଡାକ୍ତର କିମ୍ବା କର୍ମଚାରୀ ଆସିବେ ବୋଲି ବହୁ ସମୟ ଧରି ଅପେକ୍ଷା କରିଥିଲେ । ସେପଟେ ଗଣେଶଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିବାରୁ ତାଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ନେଇଥିଲେ ପରିବାର ଲୋକେ । ତେବେ ଏପରି ଅବସ୍ଥା ଦିନେକି ଦୁଇ ଦିନ ନୁହେଁ ଦୀର୍ଘ 8 ମାସରୁ ଅଧିକା ସମୟ ଧରି ଏହି ଚିକିତ୍ସାଳୟରେ ଏପରି ତାଲା ଝୁଲୁଥିବା ଅବସ୍ଥା ଦେଖିବାକୁ ମିଳୁଛି ବୋଲି ଗ୍ରାମବାସୀ କହିଛନ୍ତି । 8 ମାସ ପୂର୍ବେ ଏହି ଚିକିତ୍ସାଳୟର ଫାର୍ମାସିଷ୍ଟଙ୍କ ଅବସର ଗ୍ରହଣ ପରେ ଏହି ପଦବୀ ଖାଲି ପଡିଥିବା ବେଳେ ଦାୟିତ୍ୱରେ ଥିବା ଜଣେ ଅବସରପ୍ରାପ୍ତ ଡାକ୍ତର ମଧ୍ୟ ଏହି ଡାକ୍ତରଖାନା ଛାଡି ଅନ୍ୟତ୍ର ଚାଲିଯାଇଥିଲେ । ହେଲେ ବିଗତ ମାସରେ ପୁଣି ସେହି ଡାକ୍ତରଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସକ ପୁନଃ ଅବସ୍ଥାପିତ କରିଛନ୍ତି । ତେବେ ଡାକ୍ତର ଜଣକଙ୍କ ଅତ୍ୟାଧିକ ବୟସ ହୋଇଥିବାରୁ ସେ ଅଧିକା ସମୟ ଦେଇପାରୁ ନାହାନ୍ତି । ଏପରି ସ୍ଥଳେ ଏଲୋପଥି ଚିକିତ୍ସା ପ୍ରଭାବିତ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେଣୁ ଏଠାରେ ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ତୁରନ୍ତ ନିଯୁକ୍ତି କରାଯାଉ ବୋଲି ଦାବୀ ହୋଇଛି।
ଗଜପତି ଛାତ୍ରଛାତ୍ରୀଙ୍କ ସଫଳତା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ 10 ଗୋଟି ସ୍ଥାନରେ ଶ୍ରୀଭେଙ୍କଟେଶ୍ଵର ସ୍ନାତକ କଲେଜର ଛାତ୍ରଛାତ୍ରୀ ପାରଳାଖେମୁଣ୍ଡି, 18/5 (ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ଏକ ବଡ଼ ଧରଣର ସଫଳତା ଦେଖିବାକୁ ମିଳିଛି. ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ 10 ଗୋଟି ସ୍ଥାନରେ ଗଜପତି ଜିଲ୍ଲାର କାଶୀନଗର ଠାରେ ଥିବା ଶ୍ରୀଭେଙ୍କଟେଶ୍ଵର ସ୍ନାତକ କଲେଜର ଛାତ୍ରଛାତ୍ରୀମାନେ କୃତିତ୍ବର ସହ ସ୍ଥାନ ପାଇଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ସଦର ମହକୁମାରେ ଅବସ୍ଥିତ ଶ୍ରୀଭେଙ୍କଟେଶ୍ଵର ସ୍ନାତକ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ଆୟୋଜିତ ସ୍ନାତକ ପରୀକ୍ଷାରେ କୃତିତ୍ୱ ହାସଲ କରି ଶ୍ରେଷ୍ଠ ଓ ପ୍ରଥମ ଦଶଗୋଟି ସ୍ଥାନ ହାସଲ କରି ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଏବଂ ଗଜପତି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି । ଭୂଗୋଳ ବିଭାଗରୁ ଅନେଶ୍ଵର ନାଇକା ଏବଂ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ବିଭାଗରୁ ଏସ୍. ଭବାନୀ, ତୁଳସୀରାମ ନାୟକ, ତୁଷାରକାନ୍ତ ପଣ୍ଡା, ମହାପାତ୍ର ଶ୍ରୀଧର, ସନ୍ତୋଷ କୁମାର ଗୌଡ, ଜିସିରିଲ ଶବର ପ୍ରମୁଖ କୃତିତ୍ୱ ହାସଲ କରିଥିବା ଜଣାଯାଇଛି. ଛାତ୍ରଛାତ୍ରୀମାନଙ୍କର ଏହି ସଫଳତା ପଛରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୀପ୍ତିରଞ୍ଜନ ପଟନାୟକଙ୍କ ସହ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧ୍ୟାପକ ରୋକ୍ଟମ୍ ରାଜେଶ କୁମାର ଓ ଭୂଗୋଳ ଅଧ୍ୟାପକ ଗୋପାଳ ଶବରଙ୍କର ବିଶେଷ ଅବଦାନ ରହିଥିବା ମହାବିଦ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ଜନସାଧାରଣ, ଅଭିଭାବକ ଓ ଅଧ୍ୟାପିକା ସୁଶ୍ରୀ ଅଞ୍ଜନା ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି ।
ଗଜପତିର ଗୁମ୍ମା ବ୍ଲକରେ ତେଲ ଟାଙ୍କି ନାହିଁ, ମାତ୍ର 200 ଟଙ୍କାର ପେଟ୍ରୋଲ ପାଇଁ 50 କିମି ଯାତ୍ରା କରିବାକୁ ପଡୁଛି ପାରଳାଖେମୁଣ୍ଡି, 18/5(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି. ବର୍ତ୍ତମାନ ପେଟ୍ରୋଲ ଓ ଡିଜେଲର ସଙ୍କଟ ଦେଖା ଦେଇଛି. ଏଥିରେ ଗୁମ୍ମା ବ୍ଲକର ଲୋକେ ମାତ୍ର 200 ଟଙ୍କାର ପେଟ୍ରୋଲ ପାଇଁ 50 ରୁ ଉର୍ଦ୍ଧ କିମି ଯାତ୍ରା କରିବାକୁ ପଡୁଥିବା ଜଣା ପଡିଛି. କାରଣ ଜିଲ୍ଲାର ସବୁ ବ୍ଲକ୍‌ରେ ପେଟ୍ରୋଲ ପମ୍ପ ରହିଥ‌ିବା ବେଳେ ଗୁମ୍ମା ବ୍ଲକ୍‌ରେ ଗୋଟିଏ ମଧ୍ଯ ପେଟ୍ରୋଲ ପମ୍ପ ନାହିଁ। ମୋଟର ସାଇକେଲରୁ ଆରମ୍ଭ କରି ବଡ଼ ଗାଡି ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ପେଟ୍ରୋଲ ପମ୍ପ୍ ଉପରେ ହିଁ ନିର୍ଭର କରିଥାନ୍ତି। ହେଲେ କିଛି ଦିନ ହେଲା ପାରଳାଖେମୁଣ୍ଡି ପେଟ୍ରୋଲ୍ ପମ୍ପ ଗୁଡିକରେ ତେଲ ଅଭାବ ଯୋଗୁଁ ସୀମିତ ଭାବରେ ତେଲ ଦିଆଯାଉଛି, ଯାହା ବାଇକ୍‌କୁ ୨୦୦ ଟଙ୍କାର ଓ କାର ଆଦିକୁ ୧୦୦୦ ଟଙ୍କାର ତେଲ ଦିଆ ଯାଉଛି। ବିଡ଼ମ୍ବନାର ବିଷୟ ଜଣେ ବାଇକ ଚାଳକ ୨୦୦ ଟଙ୍କାର ପେଟ୍ରୋଲ ପାଇଁ ୫୦ କିମି ଯିବାକୁ ପଡ଼ୁଥିବା ଅଞ୍ଚଳବାସୀ ପ୍ରକାଶ କରି କହିଛନ୍ତି ଏହି 50 କିମି ରାସ୍ତା ଯିବା ଆସିବାରେ 1 ଲିଟର ଅର୍ଥାତ 100 ଟଙ୍କାର ପେଟ୍ରୋଲ ଖର୍ଚ୍ଚ ହେଉଛି. ଏପରିସ୍ଥଳେ ଗୁମ୍ମା ବ୍ଲକ ଅଞ୍ଚଳରେ କିପରି ଭାବେ ଜୀବନଜୀବିକା ନିର୍ବାହ କରିବୁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି।
ଗଜପତିରେ ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ ସଜା

ପାରଳାଖେମୁଣ୍ଡି, 18/5(ତାରିଣୀ ପ୍ରସାଦ ପଣ୍ଡା ):

୨୦୨୩ ମସିହାରେ ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ବହୁ ଚର୍ଚ୍ଚିତ ଚାଞ୍ଚଲ୍ୟକର ତଥା ବିଭତ୍ସ ହତ୍ୟାକାଣ୍ଡ ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ମାନ୍ୟବର ଗଜପତି ଜିଲ୍ଲା ଦୌରା ଜଜ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୦୨ରେ କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ମୁଖ୍ୟ ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ଜି ଓରଫ ମୁନା (୩୯ବର୍ଷ)ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୧୫ହଜାର ଟଙ୍କା ଜୋରିମାନାର ସଜା ଶୁଣାଇଛନ୍ତି ତଥା ପ୍ରମାଣ ନଷ୍ଟ କରିବା ଅପରାଧରେ ଧାରା ୨୦୧ ଅନୁଯାୟୀ ଦୁଇ ବର୍ଷର ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିବା ସହ ଜୋରିମାନା ଅନାଦେୟ ହେଲେ ଆହୁରି ଦୁଇ ମାସ ସଶ୍ରମ ଜେଲଦଣ୍ଡ ଭୋଗ କରିବାକୁ ପଡିବ ବୋଲି ମାନ୍ୟବର ନ୍ୟାୟାଧୀଶ ନିଜର ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏହି ମାମଲାର ପରିଚାଳନା କରୁଥିବା ବେଳେ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଏମ୍ ଲୋକନାଦମ, ଗୌରହରି କରସୁଧା ପଟ୍ଟନାୟକ ତାଙ୍କୁ ଏହି ମାମଲାରେ ଯଥାର୍ଥ ସହଯୋଗର ହାତ ବଢାଇଥିବାର ସୂଚନା ଶ୍ରୀ ମିଶ୍ର ଦେଇଛନ୍ତି।

ସୂଚନାଯୋଗ୍ୟ, ତା ୨୫-୦୫-୨୦୨୩ ରିଖ ଗୁରୁବାର ଦିନ ଏତଲାକାରି ଯୁବରାଜ ସାହୁ (୬୦ ବର୍ଷ) ନିଜ ଜମିକୁ ଯାଇଥିବା ସମୟରେ ତାଙ୍କ ଝିଅ ଲାବନ୍ୟା ଘର ଆଗରେ ବସିଥିଲେ। ସେହି ସମୟରେ ଅଭିଯୁକ୍ତ ଚନ୍ଦ୍ରଶେଖର କାର୍ଜି ଓରଫ ମୁନା ଏକ ବ୍ୟାଗ ଆଣି ଲାବନ୍ୟାଙ୍କ ସମ୍ମୁଖରେ ରଖିଦେଇଥିଲେ ଓ ବ୍ୟାଗ ଖୋଲି ଦେଖିବାକୁ କହିଥିଲେ। ପରେ ଯେତେବେଳେ ଲାବନ୍ୟା ସେ ବ୍ୟାଗ ଖୋଲି ସେଥିରେ ଏକ କଟା ମୁଣ୍ଡ ଦେଖିବାକୁ ପାଇଥିଲେ, ସେତେବେଳେ ସେ ସ୍ତବ ହୋଇଯାଇଥିଲେ। ସେହି କଟାମୁଣ୍ଡଟି ଅଭିଯୁକ୍ତଙ୍କର ସ୍ତ୍ରୀ ଉର୍ମିଳା କାର୍ଜୀଙ୍କର ଥିଲା। ପରେ ସେ ବିଚଳିତ ହୋଇ ଭୟରେ ପାଟି କରି ଡାକ ପକାଇବାରୁ ଗାଁ ଲୋକ ଏକାଠି ହୋଇ ଅଭିଯୁକ୍ତଙ୍କୁ ଖୋଜିବାକୁ ଆରମ୍ଭ କରି ପରେ ତାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଅଭିଯୁକ୍ତଜଣଙ୍କ ଇତି ମଧ୍ୟରେ ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆ ଓ ବ୍ୟାଗକୁ କେଉଁଆଡ଼େ ଲୁଚାଇ ଦେଇଥିଲେ। ପରେ ଯୁବରାଜଙ୍କ ଏତଲା କ୍ରମେ କାଶୀନଗର ଥାନା ମାମଲା ନମ୍ବର ୬୦/୨୩ରେ ମାମଲା ପଞ୍ଜିକୃତ ହୋଇ ହତ୍ୟାକାଣ୍ଡର ଛାନବିନ କରିବା ସମୟରେ ଅଭିଯୁକ୍ତଜଣଙ୍କ ପୋଲିସ ହେପାଜତରେ ରହି ନିଜ ଦୋଷ ସ୍ୱୀକାର କରିବା ସହ ଲୁଚାଇ ରଖିଥିବା ରକ୍ତଲଗା ଟାଙ୍ଗିଆକୁ ପୋଲିସକୁ ଦେଖାଇଥିଲା। ସୂଚନାଯୋଗ୍ୟ, ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଏପରି କାଣ୍ଡ ଭିଆଇଥିବା କଥା ଅଭିଯୁକ୍ତଜଣଙ୍କ ଗ୍ରାମବାସୀଙ୍କ ଆଗରେ ମାନିଥିଲେ। ସେହିପରି ମାମଲାର ଗମ୍ଭୀରତାକୁ ନଜରରେ ରଖି ତତ୍କାଳୀନ ସବ ଇନ୍ସପେକ୍ଟର ସିନ୍ଧୁ ସାରକା ଉକ୍ତ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲେ। ଆଜି ୨୦ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ତଥା ଦସ୍ତାବିଜକୁ ଆଧାର କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତଙ୍କୁ ଆଜୀବନ ସଜା ଶୁଣାଇଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କର ଶୁଣାଣି ବେଳେ ମୃତ୍ୟୁ ହୋଇଯାଇଥିବାରୁ କେବଳ ମୁଖ୍ୟ ଅଭିଯୁକ୍ତଙ୍କୁ ସଜା ଶୁଣାଯାଇଥିଲା।

Leave a Reply

Your email address will not be published. Required fields are marked *