Spread the love

🥀ମାଆ କାଳିଜାଇ🥀

ଚିଲିକାର ଅପରୂପ ଶୋଭାରାଶିକୁ ସନ୍ଦର୍ଶନ କରି ଦିନେ କବିବର ରାଧାନାଥ ଗାଇ ଉଠିଥିଲେ :-

    ଉତ୍କଳ କମଳା ବିଳାସ ଦୀର୍ଘିକା l
    ମରାଳମାଳିନୀ ନୀଳାମ୍ବୁ ଚିଲିକା ll 

ଉତ୍କଳ ଲକ୍ଷ୍ମୀଙ୍କ ବିଳାଶ ଦିର୍ଘିକା ସ୍ବରୁପେ ଉତ୍କଳ ବକ୍ଷରେ ବିରାଜମାନ କରୁଛି ମରାଳମାଳ,ନୀଳ ଜଳରାଶି ପରିବେଷ୍ଟିତ ଚିଲିକା ହ୍ରଦ l ଚିଲିକାର ନୈସର୍ଗିକ ଶୋଭା ଦେଖିଲେ ଭାବୁକ କ୍ଷଣକେ ହୁଏ ଆନ ମନା l ଚିଲିକାର ଉତ୍ପତ୍ତି ସମ୍ବନ୍ଧରେ ଶାରଳା ମହାଭାରତର ବନ ପର୍ବରେ ଲେଖା ହୋଇଛି :-

ନଗ୍ର ନାମ ଯାଇ ହେଲା ତାଳେକ ଗଭୀର l
ତହିଁର ମଧ୍ୟରେ ପୂର୍ଣ୍ଣ ହୋଇ ଗଲା ନୀର ll
କହନ୍ତି ଅଗସ୍ତି ଶୁଣ ରାଜା ତୋଷ ମନେ l
ସେ ଚିଲିକା ହେଲା ମହାଉଦଧି ଦକ୍ଷିଣେ ll

ଚିଲିକା ମଝିରେ ଏକ ଅନୁଚ୍ଚ ପାହାଡ଼ କାଳିଜାଇ ଦ୍ବୀପ l ଏଇଠି ବସତି କରିଛନ୍ତି ମାଆ କାଳିଜାଇ l ରାଧାନାଥଙ୍କ ବର୍ଣ୍ଣନା ଅନୁସାରେ :-

   ସାନ୍ନିଧ୍ୟ ଲଭିଣ ଭଗବତୀଙ୍କର l
   ତୋଳିଛନ୍ତି ଗୁଳ୍ମ ଜଟିଳ ଶିଖର ll
   ଦେଉଳକିରୀଟୀ କାଳୀଜାଈ ଗିରି l
   ମାରକତ ସେତୁ ପ୍ରାୟେ ଯାର ଶିରୀ l

ଦ୍ବୀପଟି କ୍ଷୁଦ୍ର, ଅଥଚ ମାଆ କାଳିଜାଇଙ୍କ ଅପାର ମହିମାରେ ମଣ୍ଡିତ l ଦେବୀ କାଳିଜାଈ,ନୀଳହ୍ରଦ ବାସିନୀ,ବହୁ କିମ୍ବଦନ୍ତୀର ଗନ୍ତାଘର lଏହି ଛୋଟ ଦ୍ବୀପର କ୍ଷେତ୍ରଫଳ ପ୍ରାୟ ଏକବର୍ଗ କିଲୋମିଟର l କାଳିଜାଇ ଦ୍ବୀପରେ ପହଞ୍ଚିବାକୁ ହେଲେ ବାଲୁଗାଁ, ବରକୁଳ,ପଥରା କିମ୍ବା ରମ୍ଭା ଆଦି ଘାଟମାନଙ୍କରୁ ଜଳଯାତ୍ରାରେ ଯାଇହେବ l ବରକୂଳରୁ କାଳିଜାଇ ଦ୍ବୀପର ଦୂରତ୍ବ ପ୍ରାୟ ୧୨ କିଲୋମିଟର l ବାଲୁଗାଁ ଠାରୁ ୧୬ ଓ ରମ୍ଭାଠାରୁ ୨୫ କିଲୋମିଟରର ଜଳ ଯାତ୍ରା l

ମା’କାଳିଜାଇଙ୍କ ମନ୍ଦିର ଚିଲିକା ନୀଳ ଜଳରାଶି ପରିବୃତ ଏକ ପବିତ୍ର ସ୍ଥାନ ଏବଂ ଓଡ଼ିଶାର ଏକ ମୁଖ୍ୟ ପର୍ଯ୍ୟଟନସ୍ଥଳୀ lପ୍ରାୟ ୨୯ଏକର ପରିମିତ ପାହାଡପୂର୍ଣ୍ଣ ଏ ଦ୍ୱୀପରେ ମା’ କାଳିଜାଇ ପୂଜିତା l ମା’ କାଳିଜାଇ ଚିଲିକାର ଏକ ସ୍ୱତନ୍ତ୍ର ଆକର୍ଷଣ l ପ୍ରତିବର୍ଷ ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଏଠାକୁ ମା’ଙ୍କ ଦର୍ଶନ ପାଇଁ ଆସିଥନ୍ତି l ମକର ସଂକ୍ରାନ୍ତିରେ କାଳିଜାଇ ପୀଠରେ ପ୍ରସିଦ୍ଧ ମକର ମେଳା ଅନୁଷ୍ଠିତ ହୁଏ l ପର୍ବରେ ଲକ୍ଷାଧିକ ଭକ୍ତ ଏଠାରେ ରୁଣ୍ଡ ହୁଅନ୍ତି l ଚିଲିକା ବିହାରୀ ଧୀବର ମାନେ ମା’କାଳିଜାଇଙ୍କୁ ଦେବୀ ଗଙ୍ଗା, ମାନ୍ୟ କରି ପୂଜାର୍ଚ୍ଚନା କରିଥାନ୍ତି l

କିମ୍ବଦନ୍ତୀ ଅନୁସାରେ କାଳି ଓ ଜାଇ, ମାଆଙ୍କର ଦୁଇଟି ରୂପ l କାଳି ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଦେବୀ ହୋଇଥିବା ବେଳେ ଜାଇ ଜଣେ ସ୍ଥାନୀୟ ଝିଅ l ସେହି ଝିଅ କୈାଣସି ସମୟରେ ଚିଲିକା ଗଭୀର ଗଣ୍ଡ ମଧ୍ୟରେ ଜଳ ସମାଧି ପ୍ରାପ୍ତ ହୋଇ ଥିଲା l ଘଟଣାର କିଛି ଦିନ ପରେ ସେ ବାଟ ଦେଇ ଯାଉ ଥିବା ନାବିକମାନେ ଝିଅ ଜାଇର କ୍ରନ୍ଦନ ଶୁଣିବାକୁ ପାଇଲେ l ତାଙ୍କୁ ଦେବୀଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ l ସେଇଠୁ ପ୍ରସିଦ୍ଧ ହେଲେ ଦେବୀ କାଳିଜାଇ ନାମରେ l

ଐତିହାସିକ ତଥ୍ୟ ଅନୁସାରେ ମା’ କାଳିଜାଇଙ୍କ ମନ୍ଦିର ପ୍ରାୟ ୧୭୧୭ ମସିହାରେ ପାରିକୁଦ ରାଜା ଶ୍ରୀ ଜଗନ୍ନାଥ ମାନସିଂହଙ୍କ ଦ୍ୱାରା ନିର୍ମିତ l ଏହା ପରଠୁ ମା’ ସେଠାରେ ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି l ବହୁ ଲୋକ ଚିଲିକା ହ୍ରଦ ଉପରେ ଜୀବିକା ନିର୍ବାହପାଇଁ ନିର୍ଭର କରିଥାନ୍ତି l ମାଛ,କଙ୍କଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ସଂଗ୍ରହପାଇଁ ପ୍ରତିଦିନ ସେମାନଙ୍କୁ ଚିଲିକାର ଗଭୀର ଜଳରାଶି ମଧ୍ୟକୁ ଯିବାକୁପଡ଼ିଥାଏ l ବିଶ୍ୱାସ କରାଯାଏ ଏହି ଧୀବର ମାନଙ୍କୁ ମା’ କାଳିଜାଇ ବିପଦଆପଦରେ ସାହା ହୋଇଥାନ୍ତି l ତେଣୁ ଚିଲିକାର ମତ୍ସ୍ୟଜୀବୀ ଧୀବରମାନେ ତାଙ୍କୁ ଇଷ୍ଟଦେବୀ ରୂପେ ପୂଜାକରି ଥାନ୍ତି l

ମାଆଙ୍କ ବିଗ୍ରହ ପୂଜା ପାଉଥିବା ମୁଖ୍ୟ ଦେଉଳଟି ପ୍ରାୟ ୨୦ ଫୁଟ ଉଚ୍ଚ l ଏହାର ସମ୍ମୁଖରେ ଛୋଟ ମଣ୍ଡପଟିଏ ଅଛି l ମନ୍ଦିର ଗର୍ଭଗୃହରେ ପୂଜାପାଉ ଛନ୍ତି ମା’କାଳିଜାଈ l ମାଆଙ୍କ ବିଗ୍ରହ ସମ୍ପୂର୍ଣ୍ଣରୂପେ ସିନ୍ଦୂର ପ୍ରଲେପିତ l ଦେବୀଙ୍କ ମସ୍ତକରେ ଶୋଭା ପାଉଛି ଏକ ରୁପାର କିରୀଟ l ବିଗ୍ରହର ଉପରିସ୍ଥ ଭାଗରେ ଖଞ୍ଜା ଯାଇଛି ଆଉ ଏକ ରୁପା ମୁକୁଟ l

ଦେବୀଙ୍କ ଡାହାଣ ପଟେ ତାଙ୍କରି ରୂପ ଭଳି ଏକ ଅପେକ୍ଷାକୃତ ସାନ ବିଗ୍ରହ ରହିଛି ଯାହାକୁ କେହି କେହି କାଳିଜାଈ ବୋଲି ଅଭିହିତ କରନ୍ତି l ବାମ ଭାଗରେ ଗୋଟିଏ ଚତୁର୍ଭୁଜା ମୂର୍ତ୍ତୀ ରହିଛି lଏହା ମହିଷାମର୍ଦ୍ଦିନୀ ଦୁର୍ଗାମୂର୍ତ୍ତୀ l ପୂଜକମାନେ ଏହାଙ୍କୁ ରାମଚଣ୍ଡୀ ବୋଲି କୁହନ୍ତି l

ନିତି ଦିନିଆ ଭାବରେ ଦିନକୁ ତିନିଥର ଦେବୀଙ୍କୁ ଭୋଗ ଲାଗିହୋଇଥାଏ lପ୍ରାତଃ ବଲ୍ଲଭଭୋଗରେ ମାଆଙ୍କୁ ଲାଗି ହୁଏ ଉଖୁଡା l ଅନ୍ନ,ଡାଲି, ସାଧା ତରକାରି ଏବଂ ଦିନେ ଦିନେ ମାଛ ବେସର ଲାଗି ହୁଏ ମଧ୍ୟାହ୍ନଭୋଗ ଭାବେ lସନ୍ଧ୍ୟାକାଳୀନ ଭୋଗ ହିସାବରେ ତାଙ୍କୁ ପୁଣି ଅର୍ପଣ କରାଯାଏ ଉଖୁଡାl ମାଆଙ୍କୁ ଦର୍ଶନ କରୁଥିବା ଶ୍ରଦ୍ଧାଳୁ ମାନେ ମାଆଙ୍କୁ ସାଧାରଣତଃ ଗଜାମୁଆଁ, ନଡିଆ, କଦଳୀ ଆଦି ଭୋଗ ଲଗାନ୍ତି l ଦେବୀଙ୍କ ଆଭୂଷଣ ରୂପେ କଳା ଚୁଡି,କଳାଶାଢ଼ୀ,ସିନ୍ଦୁର ଓ ରୁପାଚକ୍ଷୁ ଭକ୍ତମାନେ ଦାନ କରିଥାନ୍ତି l
ଚିଲିକାର ଅପରୂପ ଶୋଭାକୁ ଯେପରି ରାଧାନାଥ ତାଙ୍କ କାବ୍ୟିକ ବର୍ଣ୍ଣନାରେ ଅମର କରିଯାଇଛନ୍ତି l କାଳିଜାଇ କିମ୍ବଦନ୍ତୀକୁ ବାଣୀ ପୀଠ ବାଣପୁରର କବି ଗୋଦାବରୀଶ ମିଶ୍ର ମଧ୍ୟ ଠିକ ସେମିତି ତାଙ୍କ ଲେଖନୀ ମୁନରେ ଅମର କରି ଯାଇଛନ୍ତି l ରାଧାନାଥ ଚିଲିକା କାବ୍ୟରେ କହିଛନ୍ତି କାଳିଜାଇ ନିଜର ତ୍ରିଶୁଳ ଚିଲିକାକୁ ପ୍ରଦାନକରି ରକ୍ତବାହୁକୁ ନିଧନରେ ସାହାଯ୍ୟ କରିଛନ୍ତି l ଆଉ ଜଣେ କବି ଡକ୍ଟର ରାଧାଚରଣ ପଣ୍ଡା ପୁଣି କହିଛନ୍ତି ପାରିକୁଦ ରାଜାଙ୍କୁ ଆକ୍ରମଣରୁ ରକ୍ଷାକରିବା ନିମନ୍ତେ ମାଆ କାଳିଜାଇ ଚିଲିକାରେ ଅସଂଖ୍ୟ ଏରା ପକ୍ଷୀ ସୃଷ୍ଟି କରି ଶତ୍ରୁ ମନରେ ପାରିକୁଦ ରାଜାଙ୍କର ଅନେକ ସୈନ୍ୟ ଥିବାର ଭ୍ରମ ସୃଷ୍ଟିକରିଛନ୍ତି l ଏହିଭଳି ଭୁରି ଭୁରି କାହାଣୀ, କମ୍ବଦନ୍ତୀର ଗନ୍ତାଘର ଚିଲିକା ଓ କାଳିଜାଇ l ରାଧାନାଥଙ୍କ ଭାଷାରେ,” ଇତିହାସ ରଙ୍ଗସ୍ଥଳୀ ତୁ ଚିଲିକା “l

କବି ଗୋଦାବରୀଶଙ୍କ ରୋଚକ ବର୍ଣ୍ଣନାରେ ମାଆ କାଳିଜାଇଙ୍କ କିମ୍ବଦନ୍ତୀଟି ଏହିପରି l

ବାଣପୁର ଅଞ୍ଚଳର ଜାଈନାମ୍ନି ଏକ କନ୍ୟା ବିବାହ କରିଥିଲା ପାରିକୁଦ ଦ୍ବୀପର କୌଣସି ଯୁବକକୁ l ବଧୁବେଶୀ ଜାଈକୁ ନେଇ ତାର ପିତା ନୌକାରେ ଯାଉଥିଲେ ଚିଲିକା ବକ୍ଷରେ ତାର ଶାଶୁ ଘରକୁ l ଜାଇ ନୌକା ଭିତରେ ବସି ବାହୁନୁ ଥାଏ l ବାପା ତାକୁ ସାନ୍ତ୍ୱନା ଦେଉଥାନ୍ତି l ନାଉରିଆ କାତ ମାରି ଯତ୍ନରେ ଡଙ୍ଗାଟି ଚଳାଉଥାଏ l ନୌକାଟି ଯେତେ ବେଳେ ଯାଇ କାଳିଜାଇ ଗଣ୍ତ ନିକଟରେ ହୋଇଛି ହଠାତ୍ କୁଆଡୁ କଳା ହାଣ୍ଡିଆ ମେଘ ସହ ପ୍ରବଳ ଝଡ଼ ବତାସ ମାଡ଼ି ଆସିଲା l ଭାଲେରି, ଶୋଲରି ଜଟିଆ ପାହାଡ଼ର ନାସୀକୁ ଧରି ପ୍ରବଳ ବେଗରେ ପବନ ବହିବା ସହ ମୁଷଳ ଧାରା ମେଘ ବର୍ଷିଲା l ଜାଇ ବସିଥିବା ନୌକାଟି ଟଳ ମଳ ହେଉଥାଏ l କିଛି କ୍ଷଣ ଭିତରେ ନୌକାଟି ଭାରସାମ୍ୟ ହରାଇ ଯାଇ ଗୋଟିଏ ପାହାଡ ଦେହରେ ବାଡେଇହୋଇ ଖଣ୍ତ ବିଖଣ୍ତିତ ହୋଇଗଲା l ଜାଈର ବାପା ଏବଂ ନାଉରୀ ରକ୍ଷା ପାଇଗଲେ l ମାତ୍ର ଜାଇ ହଜିଗଲା ଚିଲିକାର ଅତଳ ଜଳ ରାଶିରେ l ବର୍ଷା ବତାସୀ ସ୍ଥିର ହେଲା l ପୁନଶ୍ଚ ପ୍ରକୃତି ସ୍ୱାଭାବିକ ହେଲା, ହେଲେ ଯେତେ ଖୋଜାଖୋଜି କଲେ ମଧ୍ୟ ଜାଇ ଆଉ ମିଳି ନଥିଲା l

 ବରଷା ବତାଷି ଗରଜି ଆସିଲା,
 ନାଆ ନୁହେଁ ଥୟ କରି l
 ଏକା ପବନକେ ପାହାଡ଼େ ଯାଇ ଲୋ,
  ପିଟି ହୋଇଗଲା ଚୂରି ll
  ମେଘ ଚାଲିଗଲା ମେଘର ବାଟେ ସେ,
  ବତାସି ହୋଇଲା ଥିର l
  ପଡ଼ିଗଲା ଖରା ନିର୍ମଳ ହୋଇ ଲୋ,
  ପାଣି ହୁଏ କଳ କଳ ll
  ବାପା ପଚାରନ୍ତି ଖୋଜି ନାଉରିରେ
  ଝିଅ ମୋର ଗଲା କାହିଁ ?’
  ବୁଜି ଆଖି ଠିଆ ନାଉରି ନିଜେ ଲୋ,
  ତୁଣ୍ଡ ତା’ ଫିଟଇ ନାହିଁ ll

ଏ ଘଟଣାପରେ ଯେବେ ଧୀବରମାନେ ସେବାଟେ ଡଙ୍ଗା ନେଇ ଯାଆନ୍ତି କାଳିଜାଇ ପାହାଡ଼ରେ ଜାଇ ବିକଳ କ୍ରନ୍ଦନ କରୁଥିବାର ଶୁଣନ୍ତି l ସେହି ଦିନଠୁଁ କେଉଟମାନେ ସେଠାରେ ଅନୁଭବ କଲେ ଦୈବୀ ଶକ୍ତିର ପ୍ରଭାବ l ସେହି ଜାଇ ହୋଇଗଲା ଧୀବର ପୂଜିତା ମାଆ କାଳିଜାଇ l ଚିଲିକା ବକ୍ଷ ବିହାରୀ ଧୀବରମାନେ ମାଆଙ୍କ ମହିମା ଜାଣିଲେ l ତାଙ୍କୁ ଲାଗିଲା ଏହି ମାଆ ହିଁ ଚିଲିକା ବକ୍ଷରେ ତାଙ୍କର ଆପଦରେ ସାହା l କାଳକ୍ରମେ ସେଠାରେ ମନ୍ଦିର ଗୋଟିଏ ସ୍ଥାପନ ହେଲା ଓ ପୂଜା ପାଇଲେ ବିପଦ ଭଞ୍ଜନୀ ମାଆ କାଳିଜାଇ l କବି ଗୋଦାବରୀଶ ମିଶ୍ର ଏହାକୁ ବର୍ଣ୍ଣନା କରି ଲେଖିଲେ :-

ବାଲୁଁ ଗାଆଁ କୂଳୁଁ ନାଆ ଗଲାବେଳେ
ପାରିକୁଦ ଗଡ଼ଠାକୁ l
ପାହାଡ଼ ସମୀପେ ମଣିଷ ତୁଣ୍ଡ ଲୋ,
ନ ଶୁଣାଯାଏ କାହାକୁ ?
ବରଷା ବତାଷି ଚିଲିକାରେ ଆଉ
ହୁଏ ନାହିଁ ତେଡ଼େ ଭଳି l
ଆପଦେ ବିପଦେ ଜଣା ପଡ଼ଇ ଲୋ;
ସାହା କିଏ ଥିଲା ପରି ll
ନାଉରି କେଉଟ ପାହାଡ଼ ବାଟେ ତା’
ନାଆ ନେଇ ଗଲାବେଳେ l
କାମେ ଆପଣାର ଶୁଭ ମନାସି ଲୋ,
ଜୁହାର କରଇ ଥରେ ll
ତୋଳିଲେ ପାହାଡ଼ ଶିଖେ କାଳେ ଲୋକେ
ସୁନ୍ଦର ଦେଉଳଟିଏ l
ସେ ଦେଉଳେ ଅବା ରହିବ ଯାଇ ଲୋ
ଚିଲିକା ମଝିରେ କିଏ ?
ସୂର୍ଯ୍ୟ ବୁଡ଼ିଗଲେ ନିଶବଦ ଯେବେ
ହୁଏ ସବୁ ସଞ୍ଜ ବେଳେ l
ଏକା ହୋଇ ଜାଇ ଲୋକେ କହନ୍ତି ଲୋ
ବୁଲୁ ଯେ ଥାଏ ପାହାଡ଼େ ll
ନେତ୍ରୁ ବୋହୁଥାଏ ଲୁହ ଦୁଇ ଧାର
ଶୁଖି ଯାଇଥାଏ ମୁହଁ l
ହେଲେ ଠାରି ହାତ କାନ୍ଦି କାହାକୁ ଲୋ
ନିବର୍ତ୍ତାଇ କରେ ଥୟ l|

ମା’ କାଳିଜାଇଙ୍କ ପୀଠ ସେହିଦିନ ଠାରୁ ବିଖ୍ୟାତ ହୋଇଛି l ମାଆ ବଡ଼ ପ୍ରତ୍ୟକ୍ଷ l ତାଙ୍କ ପାଖରେ ଭକ୍ତର କୌଣସି କାମନା ଓ ମାନସିକ ଅପୂର୍ଣ୍ଣ ରହେ ନାହିଁ l ମାଆ କାଳିଜାଇଙ୍କୁ କୋଟିକୋଟି ଦଣ୍ଡବତ l କବି ଗୋଦାବରୀଶଙ୍କ ଭାଷାରେ :-

 କାଳିଜାଇ ବଡ଼ ପ୍ରତ୍ୟକ୍ଷ ଦେବତା
        କୋଟି କୋଟି ଦଣ୍ଡବତ l
 ପାହାଡର ନାଁ ରାଇଜେ ଖ୍ୟାତ ଲୋ
          କାଳିଜାଇ ପରବତ l
 ଓଁ ମାଆ !!! ଶରଣ୍ୟେ ତ୍ର୍ୟମ୍ବକ ଗୌରୀ
        ନାରାୟଣୀ ନମସ୍ତୁତେ !!!
                
  ଅର୍ଜୁନୀ
         

ଅର୍ଜୁନୀ ଚରଣ ବେହେରା

Related Post

Leave a Reply

Your email address will not be published. Required fields are marked *

You Missed