Spread the love

ମହାରାଷ୍ଟ୍ର ରେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ, ଏସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ଯାହା ନିଷ୍ପତ୍ତି ନେବେ, ତାହାକୁ ସେ ଗ୍ରହଣ କରିବେ ବୋଲି ସିନ୍ଦେ କହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ସେ ରାଜି ହେଉ ନାହାନ୍ତି।

ତାଙ୍କର ଯୁକ୍ତି େହଉଛି ଯେ ତାଙ୍କର ଲୋକପ୍ରିୟତା ଓ ତାଙ୍କର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯୋଗୁଁ ମହାୟୁତି ବିଜୟୀ ହୋଇଛି। ପୁଣି ତାଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ାଯାଇଥିବାରୁ ମେଣ୍ଟ ଅଧିକ ଆସନ ପାଇବା ସମ୍ଭବ ହୋଇଛି। ତେଣୁ ସେ ହିଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ। ନିର୍ବାଚନରେ ସର୍ବାଧିକ ଆସନ ପାଇଥିବା ବିଜେପି କିନ୍ତୁ ମୁଖ୍ୟମନ୍ତ୍ରୀ ପଦରେ ନିଜ ନେତାଙ୍କୁ ବସାଇବା ଲାଗି ସ୍ଥିର କରିଛି। ଏଥିରୁ ବିଜେପି ଓହରିବାକୁ ଚାହୁନାହିଁ। ଅନ୍ୟପକ୍ଷରେ ସିନ୍ଦେଙ୍କୁ ତାଙ୍କର ପୂର୍ବ ବିଭାଗ ସହିତ ଉପମୁଖ୍ୟମନ୍ତ୍ରୀ କରିବାକୁ ପ୍ରସ୍ତାବ ଦେଇଛି। କିନ୍ତୁ ସିନ୍ଦେ ଯେଉଁ ସର୍ତ୍ତ ଆରୋପ କରିଛନ୍ତି, ତାହା ବିଜେପିର ହୋସ୍ ଉଡ଼ାଇଦେଇଛି। ସିନ୍ଦେ କହିଛନ୍ତି ଯେ ଯଦି ତାଙ୍କୁ ମୁଖ୍ୟମନ୍ତ୍ରୀ କରାନଯିବ, ସେ ଉପମୁଖ୍ୟମନ୍ତ୍ରୀ ହେବେ ନାହିଁ। କିନ୍ତୁ ତାଙ୍କ ଦଳର ଜଣେ ନେତା ଉପମୁଖ୍ୟମନ୍ତ୍ରୀ ହେବେ। ତେବେ ସର୍ତ୍ତ ହେଉଛି ଯେ ତାଙ୍କ ଦଳର ମନ୍ତ୍ରୀଙ୍କୁ ଗୃହ ବିଭାଗ ସହିତ ଅର୍ଥ ଓ ରାଜସ୍ବ ବିଭାଗ ମିଳିବ ଉଚିତ। ବିଜେପି ଏହି ସର୍ତ୍ତ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ବିଜେପି ନିଜ ହାତରେ ଗୃହ ବିଭାଗ ରଖିବାକୁ ଚାହୁଥିବା ବେଳେ ଏନସିପି ନେତା ଅଜିତ ପାୱାରଙ୍କ ହାତରୁ ଅର୍ଥ ବିଭାଗ କାଢ଼ିବାକୁ ପ୍ରସ୍ତ୍ୁତ ନୁହେଁ। ବିଜେପି ଏହାର ଜିଦରେ ଅଟଳ ରହିଲେ ଶିବସେନା ମେଣ୍ଟ ସରକାରରେ ସାମିଲ ହେବାନହିଁ ବୋଲି କୁଆଡ଼େ ସିନ୍ଦେ ଜଣାଇଦେଇଛନ୍ତି। ସେ ସ୍ପଷ୍ଟ କରିଦେଇଛନ୍ତି ନିର୍ବାଚନରେ ମହାୟୁତିକୁ ବିପୁଳ ବହୁମତ ମିଳିଥିବାରୁ ତାଙ୍କ ଦଳ ବାହାରେ ରହି ବିଜେପି ସରକାରକୁ ସମର୍ଥନ ଦେବ।

ସିନ୍ଦେଙ୍କ ଏଭଳି ଆଭିମୁଖ୍ୟ ବିଜେପି ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ତେଣୁ ଆଜି ହେବାକୁ ଥିବା ବିଜେପି ବିଧାୟକ ଦଳ ବୈଠକକୁ ମଧ୍ୟ ସ୍ଥଗିତ କରାଯାଇଛି। ଏହି ବୈଠକ ଆସନ୍ତା ୪ ତାରିଖରେ ହେବ। କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କୁ ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି। ଏହି ଦୁଇ ପର୍ଯ୍ୟବେକ୍ଷକ ୪ ତାରିଖ ସୁଦ୍ଧା ମୁମ୍ବଇରେ ପହଞ୍ଚି ବିଧାୟକମାନଙ୍କ ସହ ଆଲୋଚନା କରିବେ। ଏହାପରେ ବିଧାୟକ ଦଳ ନେତା ନିର୍ବାଚିତ ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି। ୫ ତାରିଖରେ ନୂଆ ସରକାର ଶପଥ ଗ୍ରହଣ କରିବ ବୋଲି ପୂର୍ବରୁ ଘୋଷଣା କରାଯାଇ ସାରିଛି।

Related Post

Leave a Reply

Your email address will not be published. Required fields are marked *