Spread the love

ସିମ୍‌ଲା: ମନୁଷ୍ୟ ଏକବିଂଶ ଶତାଦ୍ଦୀରେ ପାଦ ଦେଲାଣି। ଭାରତ ୭୮ ବର୍ଷ ହେଲା ସ୍ବାଧୀନତା ପାଇଲାଣି। କେବେଠୁ ଉପନିବେଶ ଶାସନର ଅନ୍ତ ହୋଇଗଲାଣି। ମାତ୍ର ଆଜି ଯାଏଁ ରାଜନେତା ଏହି ପ୍ରଥାରୁ ବାହାରି ପାରୁନାହାନ୍ତି। ନିର୍ବାଚିତ ହୋଇସାରିବା ପରେ ନିଜକୁ ଜନତାଙ୍କ ପ୍ରତିନିଧି ପରିବର୍ତ୍ତେ ମାଲିକ ଭାବୁଛନ୍ତି।

। ପରିବାର ସଦସ୍ୟ କିମ୍ବା ନିଜେ ନିୟମ ଭାଙ୍ଗିଲେ ଆଇନ ତା ବାଟରେ ଯିବ କହି ଦୋଷ ଝାଡି ଦେଉଛନ୍ତି। ଆଉ କାର୍ଯ୍ୟାନୁଷ୍ଠାନ ନେଲେ ଅଧିକାରୀଙ୍କ ଜୀବନ ଦୁର୍ବିସହ କରିଦେଉଛନ୍ତି। ଏବେ ହିମାଚଳ ପ୍ରଦେଶରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗଡ଼ା ଗାଏବ ହୋଇଯିବା ମାମଲାର ସିଆଇଡି ତଦନ୍ତ ହେଉଥିବା ଏହି ରାଜ୍ୟରେ ଜଣେ ମହିଳା ଏସ୍‌ପିଙ୍କୁ ସଚ୍ଚୋଟତାର ମୂଲ୍ୟ ଦେବାକୁ ପଡ଼ିଛି। ବେଆଇନ ଖଣି ଖନନ ଅଭିଯୋଗରେ କଂଗ୍ରେସ ବିଧାୟକ ରାଜକୁମାର ଚୌଧୁରୀଙ୍କ ପତ୍ନୀଙ୍କ ଗାଡ଼ିର ଚାଲାଣ କାଟିବା ଏସ୍‌ପିଙ୍କୁ ମହଙ୍ଗା ପଡ଼ିଛି। ଏହାକୁ ନେଇ ବିଧାୟକ ଉଗ୍ରମୁଖା ହୋଇଯାଇଥିଲେ।

ଏସ୍‌ପିଙ୍କ ସହ ମୁହାଁମୁହିଁ ହୋଇଥିଲେ। ଆଇନ ଅନୁଯାୟୀ କାର୍ଯ୍ୟ କରିବାରୁ ବଦ୍ଦିର ମହିଳା ଏସ୍‌ପି ଇଲ୍‌ମା ଅଫରୋଜଙ୍କୁ ସରକାରଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଛି। ବିଧାୟକ ବିଧାନସଭାରେ ମଧ୍ୟ ଏସ୍‌ପିଙ୍କ ବିରୋଧରେ ଅଭିଯୋଗ କରିଥିଲେ। ସେ ଏସ୍‌ପିଙ୍କୁ ସ୍ବାଧୀକାର ଭଙ୍ଗ ନୋଟିସ୍‌ ମଧ୍ୟ ପଠାଇ ଦେଇଛନ୍ତି। ଏ ସବୁ ସତ୍ତ୍ବେ ଏସ୍‌ପି ଇଲ୍‌ମା ନଇଁ ଯାଇ ନ ଥିଲେ। ବିଧାୟକ କିମ୍ବା ସରକାରଙ୍କୁ କ୍ଷମା ମାଗି ନ ଥିଲେ। ସେ ଅଚାନକ ନିଜ ସରକାରୀ ବାସଭବନ ଖାଲି କରି ମାଆଙ୍କ ସହ ପଳାଇ ଥିଲେ। ଏହା ପୂର୍ବରୁ ନିଜ ଦାୟିତ୍ବ ଏଏସ୍‌ପିଙ୍କୁ ପ୍ରଦାନ କରିଥିଲେ। ଇଲ୍‌ମା ଉତ୍ତର ପ୍ରଦେଶ ମୁରାଦାବାଦର ବାସିନ୍ଦା। ସେ ନିଜ ଘରକୁ ଚାଲି ଯାଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ ଜଣେ ସ୍କ୍ରାପ ବ୍ୟବସାୟୀଙ୍କ ମାମଲାରେ ମଧ୍ୟ ଇଲ୍‌ମାଙ୍କ ଉପରେ ବଡ଼ ଅଧିକାରୀ ଏବଂ ନେତାମାନେ ଚାପ ପକାଇ ଥିଲେ।

ମୂଳ ଠିକଣା :ଦି “ସକାଳ” ଡିଜିଟାଲ

Leave a Reply

Your email address will not be published. Required fields are marked *