Spread the love

ଭାଙ୍ଗିଲା ୭୯ ସାଧୁଙ୍କ ‘ମହାମଣ୍ଡଳେଶ୍ୱର’ ହେବାର ସ୍ୱପ୍ନ, ସନ୍ୟାସ ପରେ ବି ପରିବାର ସହ ରଖିଥିଲେ ସମ୍ପର୍କ

ମହାକୁମ୍ଭ-୨୦୨୫ରେ ମହାମଣ୍ଡଳେଶ୍ୱର ହେବା ଲାଗି ଅନେକ ସାଧୁଙ୍କ ସ୍ୱପ୍ନ ଚୁରମାର ହୋଇଯାଇଛି। ଆଖଡାମାନଙ୍କର ଗୋପନୀୟ ଯାଞ୍ଚରେ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି। ଏହା ପରେ ଆଖଡାମାନେ ସାଧୁମାନଙ୍କୁ ଅଯୋଗ୍ୟ ଘୋଷଣା କରି ମହାମଣ୍ଡଳେଶ୍ୱର କରିବାକୁ ମନା କରିଦେଇଛନ୍ତି। ଜଣେ କି ଦୁଇ ଜଣ ନୁହେଁ ଏଥର ମହାକୁମ୍ଭରେ ୭୯ ଜଣ ସାଧୁ ମହାମଣ୍ଡଳେଶ୍ୱର ହେବା ପାଇଁ ଆଶାପୋଷଣ କରିଥିଲେ। ହେଲେ ସେମାନଙ୍କ ଆଶା ମଉଳି ଯାଇଛି।

ସାଧୁମାନେ ଆଖଡାକୁ ଜଣାଇଥିଲେ ଯେ ସେମାନଙ୍କର ପରିବାର ଓ ନିକଟ ସମ୍ପର୍କୀୟଙ୍କ ସହ କୌଣସି ସମ୍ପର୍କ ନାହିଁ। କିଏ-କିଏ ବର୍ଷେ ବା ଦୁଇ ବର୍ଷ ତ ଆଉ କିଏ ୬ ମାସରୁ ବିରକ୍ତ ଜୀବନ ବ୍ୟତୀତ କରୁଥିବା କହି ମହାମଣ୍ଡଳେଶ୍ୱର ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଆଖଡା ସେମାନଙ୍କ ଦାବିର ଗୋପନୀୟ ଯାଞ୍ଚ କରିବା ବେଳେ ଏହା ମିଥ୍ୟା ପ୍ରମାଣିତ ହୋଇଛି। ମହାକୁମ୍ଭରେ ସବୁ ଆଖଡା ଲୋକଙ୍କୁ ସନ୍ୟାସ ଦିଆଇବା ସହିତ ମହାମଣ୍ଡଳେଶ୍ୱର ଉପାଧି ପ୍ରଦାନ କରିଥାନ୍ତି ।

ମହାମଣ୍ଡଳେଶ୍ୱର ହେବା ଲାଗି ସାଧୁଙ୍କୁ ବର୍ଷତମାମ ଅଥବା ୬ ମାସ ପୂର୍ବରୁ ଘର ଗୃହସ୍ଥି ଛାଡି କୌଣସି ମଠ ବା ମନ୍ଦିର ସହ ସମ୍ପୃକ୍ତ ହେବାକୁ ପଡିଥାଏ। ଏହା ଦ୍ୱାରା ସେମାନଙ୍କର ପରିବାର ସହ କୌଣସି ସମ୍ପର୍କ ନଥିବା ସାବ୍ୟସ୍ତ କରନ୍ତି। ଏହି କ୍ରମରେ ଜୁନା ଆଖଡାରୁ ୩୪, ଶ୍ରୀ ନିରଞ୍ଜନୀ ଆଖଡାରୁ ୨୪, ନିର୍ମୋହୀ ଅଣି ଆଖଡାରୁ ୧୨, ନିର୍ବାଣୀ ଅଣି ଆଖଡାରୁ ୭ ଏହିପରି ୭୯ ସାଧୁ ମହାମଣ୍ଡଳେଶ୍ୱର ହେବା ଲାଗି ସମ୍ପର୍କ କରିଥିଲେ। ହେଲେ ଏମାନଙ୍କ ମଧ୍ୟରୁ ଏପରି କେହି ଜଣେ ହେଲେ ବି ବାହାରିଲେନି ଯାହାଙ୍କର ପରିବାର ସହ କୌଣସି ସମ୍ପର୍କ ନାହିଁ। ଯାଞ୍ଚରୁ ଜଣାପଡିଥିଲା ଯେ ଏମାନେ ସାମାଜିକ ମର୍ଯ୍ୟଦା ଓ ଧନାର୍ଜନ ନିମନ୍ତେ ମହାମଣ୍ଡଳେଶ୍ୱର ହେବାକୁ ଚାହୁଁଥିଲେ। ମହାମଣ୍ଡଳେଶ୍ୱର ହେବା ଲାଗି ସମ୍ପୃକ୍ତ ସାଧୁଙ୍କୁ ସ୍ୱୟଂର ପିଣ୍ଡଦାନ କରି ପରିବାର ଓ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ସମାପ୍ତ କରିବାକୁ ପଡିଥାଏ। ଏହା ପରେ ତାଙ୍କର ଆଉ ପରିବାର ସମ୍ପର୍କ ହିଁ ନଥାଏ। ଦିକ୍ଷା ଗୁରୁ ହିଁ ତାଙ୍କର ଅଭିଭାବକ ହୋଇଥାନ୍ତି ଓ ସେ ତାଙ୍କର ଜୀବନ ସନାତନ ଧର୍ମର ପ୍ରଚାର ପ୍ରସାର ନିମନ୍ତେ ଉତ୍ସର୍ଗ କରିଦିଅନ୍ତି। ସମ୍ପୃକ୍ତ ବ୍ୟକ୍ତି ସଂସ୍କୃତ ଓ ବେଦ ପୁରାଣର ଜ୍ଞାତା ହୋଇଥିବା ଦରକାର। ଯଦି ତାଙ୍କର ଏ ସମ୍ପର୍କିତ ଜ୍ଞାନ ନଥାଏ ଆଖଡାର ସନ୍ଥ ତାଙ୍କର ଜ୍ଞାନ କରାନ୍ତି।

Leave a Reply

Your email address will not be published. Required fields are marked *

You Missed